Unknown

 

 

 

 

 

 

 

 

 

 

 

କାଳାନ୍ତର

ବୀଣାପାଣି ମହାନ୍ତି

 

 

 

 

 

 

 

 

 

ବନ୍ଧୁ

ମେଜର୍ କୁମୁଦିନୀ ବରେଇ

(ରାଣୀ) ଙ୍କୁ

 

ଆତ୍ମ-କଥା

 

ସମୟ ଓ ସଂଘର୍ଷର ପ୍ରତ୍ୟେକ ନୂତନ ପରିସ୍ଥିତିରେ ସାମାଜିକ ମୂଲ୍ୟବୋଧର ପରିବର୍ତ୍ତନ ଘଟି ନୂତନ ମୂଲ୍ୟବୋଧର ଜୀବନ–ଚେତନା ଜାଗ୍ରତ ହେବା ନିତାନ୍ତ ସ୍ଵାଭାବିକ । ଏହି ନୂତନ ପରିସ୍ଥିତିରେ ସାହିତ୍ୟର ସଂସ୍କାର ତଥା ପ୍ରେରଣାରେ ମଧ୍ୟ ପରିବର୍ତ୍ତନ ଘଟିଥାଏ । ପୁନଶ୍ଚ ସାଂପ୍ରତିକ ସମାଜରେ ଜୀବନର କ୍ରିୟା ଓ ପ୍ରକ୍ରିୟା ଅଧିକ ଗତିଶୀଳ ହେବା ଫଳରେ ସାହିତ୍ୟର ସମ୍ପୂର୍ଣ୍ଣ ସ୍ଵରୂପରେ ପରିବର୍ତ୍ତନ ପରିଲକ୍ଷିତ ହେବା ଆଦୌ ବିଚିତ୍ର ନୁହେଁ । ବସ୍ତୁତଃ ଏହି ପରିବର୍ତ୍ତନର ସ୍ୱର ଓ ସ୍ୱାକ୍ଷର କ୍ରାନ୍ତିକାରୀ ଚେତନା ବହନ କରିଥିବା ହେତୁ ‘ନୂତନ’ର ବିକାଶ ପରିବର୍ତ୍ତେ ସୃଷ୍ଟି ହୋଇଛି ଏକ ‘ସ୍ୱତନ୍ତ୍ର ଉଦ୍‌ଭାବନା’ ! ଏହି ଉଦ୍‍ଭାବନା ହିଁ ହେଉଛି : ଜୀବନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ, ସାହିତ୍ୟ–ସୃଷ୍ଟିର ନୂତନ ଅନ୍ତଃପ୍ରେରଣା ଏବଂ ଶୈଳୀ କ୍ଷେତ୍ରରେ ପୃଥକ୍ ଅଭିବ୍ୟକ୍ତି ।

 

ଏହି ଅନୁଭୁତି ଓ ଅଭିବ୍ୟକ୍ତି, ପ୍ରକ୍ରିୟା ଓ ପ୍ରେରଣାକୁ ପାଥେୟ କରି ମୁଁ ଗଢ଼ି ଥୋଇଛି ‘କାଳାନ୍ତର’ ଏବଂ ଏଥିରେ ସଙ୍କଳିତ ଅନ୍ୟାନ୍ୟ ଗଳ୍ପଗୁଡ଼ିକୁ । ଏଗୁଡ଼ିକର ସ୍ୱାଦ ଓ ସଫଳତାର ବିଚାର ମୋର ସହୃଦୟ ପାଠକ ଓ ସମାଲୋଚକମାନଙ୍କ ଉପରେ ହିଁ ନ୍ୟସ୍ତ ।

 

ବିଭନ୍ନ ଅବସରରେ ବିଭିନ୍ନ ଗଳ୍ପ ଝଙ୍କାର, ଆସନ୍ତାକାଲି, ସହକାର, ସୁଚରିତା, ସମାବେଶ, କଲ୍ୟାଣୀ, ଚୁମ୍ବକ, ସଂସ୍କୃତି, ଅଧୁନା ଆଦି ସାହିତ୍ୟ–ପତ୍ରିକାରେ ପ୍ରକାଶିତ ହୋଇଥିଲା-। ପ୍ରକାଶନର ମାଙ୍ଗଳିକ ବେଳାରେ ସେହି ସମସ୍ତ ପତ୍ରିକାର ସମ୍ପାଦକମାନଙ୍କ ପ୍ରତି ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

 

ପୁସ୍ତକଟିର ପ୍ରକାଶନ ଦିଗରେ ମୋର ଅନୁଜପ୍ରତିମ ନାଟ୍ୟକାର ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ରଥ ଓ ଅଧ୍ୟାପକ ରତ୍ନାକର ଚଇନି ବହୁଭାବେ ସାହାଯ୍ୟ–ସହଯୋଗ କରିଛନ୍ତି । ସେମାନଙ୍କୁ ମୁଁ ଧନ୍ୟବାଦ ଦେବି କ’ଣ, ବରଂ ଶୁଭେଚ୍ଛା ଜଣାଉଛି ।

 

ପରିଶେଷରେ ପ୍ରକାଶନର ସମସ୍ତ ଦାୟିତ୍ୱ ବହନ କରି ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ଦିଗରେ ଯତ୍ନଶୀଳ ହୋଇଥିବାରୁ ବୁକ୍‌ସ ଏଣ୍ଡ୍ ବୁକ୍‌ସର ସତ୍ତ୍ୱାଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ବେହେରା ଓ ଶ୍ରୀମାନ୍ ନବକିଶୋର ବେହେରାଙ୍କ ନିକଟରେ ପ୍ରକୃତରେ ମୁଁ ଋଣୀ ।

 

ବୀଣାପାଣି ମହାନ୍ତି

 

ମହାଳୟା, ୧୯୭୭

ରମାଦେବୀ ମହିଳା କଲେଜ

ଭୁବନେଶ୍ୱର

Image

 

ଗଳ୍ପ ସୂଚୀ

 

୧.

ଚିଡ଼ିଆଖାନା

୨.

ନଈ

୩.

ଝର୍କା

୪.

ମାୟା

୫.

ନନ୍ଦିଘୋଷ

୬.

ଶ୍ୟାମଳୀ ଉପାଖ୍ୟାନ

୭.

ଯେହେତୁ ମଧ୍ୟରାତ୍ର

୮.

ଅମୁହାଁ ଦେଉଳ

୯.

ଅଭିନୟ

୧୦.

ଛାଇର ଛବି

୧୧.

କାଳିସୀ

୧୨.

କାଳାନ୍ତର

Image

 

ଲେଖିକାଙ୍କ ପ୍ରକାଶିତ ଅନ୍ୟାନ୍ୟ ଗଳ୍ପ-ସଙ୍କଳନ

 

ନବ ତରଙ୍ଗ

ପାନ୍ଥାଶାଳା ଓ ରକ୍ତ କରତୀ

କସ୍ତୁରୀମୃଗ ଓ ସବୁଜ ଅରଣ୍ୟ

(ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ)

ତଟିନୀର ତୃଷ୍ଣା

ସାୟାହ୍ନର ସ୍ୱର

ଅନ୍ଧକାରର ଛାଇ

ଆରୋହଣ (ଯନ୍ତ୍ରସ୍ଥ)

Image

 

ଚିଡ଼ିଆଖାନା

 

ରାଜା ଥିଲେ ଭିକାରୀ ଥିବେ, ଧର୍ମ ଥିଲେ ଅତ୍ୟାଚାର ଥିବ, ଆଉ ପ୍ରେମ ଥିଲେ ସମାଜ ଥିବ । ଏ ତ ଗତାନୁଗତିକ କଥା । ଅତ୍ୟାଚାର କରିବା ଓ ସହିନେବା ଯେମିତି ମଣିଷର ଏକାନ୍ତ ଅନ୍ତରଙ୍ଗ ଅନୁଭୂତି

 

ମଣିଷ ଉପରେ ନ୍ୟାୟ, ଅନ୍ୟାୟ ଆଉ ପାପପୁଣ୍ୟର ବୋଝ କିଏ ଲଦିଦେଲା ? କେତେ ସୁଖର ପୃଥିବୀରେ ପଶୁପରି ମଣିଷ ବି ଆନନ୍ଦରେ ଜୀବନ କଟାଉଥାନ୍ତା । କିଏ ତା’ ଭିତରେ ମନ ବୋଲି, ବୁଦ୍ଧି ବୋଲି, ଜିନିଷଗୁଡ଼ିକ ଖଞ୍ଜିଦେଲା କେଜାଣି ? ଏତେ ସୁନ୍ଦର ସୁନ୍ଦର ଘଟଣାର, ରାଜତ୍ୱର, ପ୍ରେମ ଓ ଧର୍ମର ଏପରି ମର୍ମନ୍ତୁଦ ପରିଣତି ପାଇଁ ସତେ କି କେହି ଦାୟୀ ନୁହେଁ ? ସର୍ବଶେଷରେ ଜୀବନର ସମାପ୍ତି ଚିରନ୍ତନ ମୃତ୍ୟୁରେ । ଆକସ୍ମିକ ଅଥଚ ଅତି ପରିଚିତ ।

 

ବିରକ୍ତିକର । ଅମୀୟ ମ୍ୟାଗାଜିନ୍‍ଟାକୁ ତଳେ ଫୋପାଡ଼ି ଦେଇ ସିଗାରେଟରେ ଅଗ୍ନି ସଂଯୋଗ କଲା । ବାଲକୋନି ଉପରେ ଅସ୍ତଗାମୀ ସୂର୍ଯ୍ୟର ଲୋହିତ ଆଭା ବର୍ଣ୍ଣାଢ଼୍ୟ କରିଛି ପରିବେଶକୁ । ରାସ୍ତା ଉପରେ ଗଡ଼ି ଚାଲିଛି ଅସଂଖ୍ୟ ଯାନବାହନ, ଆଉ ଜନତାର କ୍ଳାନ୍ତିହୀନ ଅସୁମାରି ପାଦ ।

 

ପ୍ରତିଦିନ ଏଇ ଦୃଶ୍ୟ । କେତେ ଦେଖିବ, କେତେ ବୁଝିବ । ଆଉ ବସି ବସି, ଶୋଇରହି ଜୀବନକୁ କେତେ ବା ସେ ଅନୁଭବ କରିବ । ଆଗେ ଆଗେ କିଛି ଘଟଣାରେ ବା କୌଣସି ବ୍ୟକ୍ତି ସହିତ କଥାବାର୍ତ୍ତା କଲାବେଳେ କିଛି ଅନୁଭବ ଥିଲା । ଏବେ ଯଦି କିଛି ଥାଆନ୍ତା ସେ ଅନୁଭୂତି । ବୋଧହୁଏ ଅନୁଭବ କରିବାର ଗୋଟିଏ ପ୍ରସ୍ତ ଥାଏ । ତା’କୁ ସେ ଅତିକ୍ରମ କରିଗଲାଣି । ଯଦି ଆଜି ବାପା ଥାଆନ୍ତେ... !

 

ବାପାଙ୍କର ଚେହେରାଟା ମନେ ପଡ଼ିଗଲେ କେମିତି ଅସ୍ୱସ୍ତି ଅନୁଭବ ହେଉଥିଲା ଅମୀୟର । ଏବେ ସେତକ ମଧ୍ୟ ନାହିଁ । ଖାଲି ବାପାଙ୍କର ସେ ଚାହାଣୀ ଆଉ ଧରାବନ୍ଧା କଥା ଦି’ପଦ ସ୍ପଷ୍ଟ ମନେଅଛି—

 

“ଅମୁ ! ଏଣୁ ତେଣୁ ବସି ଗପ କରି ସମୟ ନଷ୍ଟ କରିବା ଅପେକ୍ଷା, କିଛି ପଢ଼ାପଢ଼ି ତୋର କରିବା ଉଚିତ । ହଇରେ ତତେ କେତେଥର କହିଲିଣି ଭାଗବତ, ରାମାୟଣ ଆଉ ମହାଭାରତ ପଢ଼ିବାକୁ ? ପଢ଼ିଲୁ ? ନା, ଖାଲି ଏଣୁ ତେଣୁ ମ୍ୟାଗାଜିନ୍ ପଢ଼ୁଛୁ, ଇଂରାଜୀ ବହିରେ ତତେ କ’ଣ ଏତେ ସ୍ୱାଦ ମିଳୁଛି ? ଛିଃ, ଛିଃ ! ତୁମେ ଆଜି କାଲିକା ପିଲା ତୁମର ତ ମୂଳ ନାହିଁ । ତମେ ଗଜୁରିବ କ’ଣ, ଡାଳ ପତ୍ର ମେଲାଇବା ତ ତମର ଆଶା ନାହିଁ... ।”

 

ଆହୁରି କେତେ କ’ଣ ଯେ ବାପା କହୁଥିଲେ, ସେ ସବୁ ସ୍ପଷ୍ଟ ମନେନାହିଁ । ବାପାଙ୍କର ଧାରଣା ଥିଲା, ବିଶ୍ୱାସ ଥିଲା, ଅମୀୟ ଭଲ ଛାତ୍ର । ବହୁତ କଥା ଜାଣିଛି, ବହୁତ କଥା ଚାହିଁଲେ ବି ଜାଣିପାରିବ ଅଧ୍ୟବସାୟ କରି, ଚାହିଁଲେ ବି ପୃଥିବୀର ସର୍ବଶ୍ରେଷ୍ଠ ଜ୍ଞାନୀ ଆଉ ଧନୀ ବ୍ୟକ୍ତି ହୋଇପାରିବ ସେ ? ବାପାଙ୍କର ସେ କଥାଗୁଡ଼ାକ ଅମୀୟ ମୁଗ୍‍ଧ ମଧୁର ଭଙ୍ଗୀରେ ଶୁଣିସାରି ଧୀରେ ଧୀରେ ଚାଲିଯାଏ । କାରଣ ବାପାମାନଙ୍କୁ ପରିଣତ ବୟସରେ ସେପରି ବ୍ୟବହାର କରିବା କଥା ବୋଲି ସେ ତ ସବୁବେଳେ ଶୁଣି ଆସିଛି ଏବଂ ପରମ୍ପରାନୁଯାୟୀ ସ୍ଵୀକାର ମଧ୍ୟ କରିଛି ।

 

ବାପା ଚାଲିଗଲେ । ବୋଉକୁ ତା’ର ସ୍ମରଣରେ ନାହିଁ । ବଡ଼ଭାଇ ଗଲାବର୍ଷ ମ୍ୟାଲେରିଆରେ ଚାଲିଗଲେ । ସାମାନ୍ୟ ଗୋଟିଏ ରୋଗ ଏଇ ମ୍ୟାଲେରିଆ । ତଥାପି ସେ ଓଟାରି ନେଇ ଚାଲିଗଲା । ରହିଗଲେ ଭାଇଙ୍କର ପାଞ୍ଚୋଟି ପିଲା, ଆଉ କଥା ଅକଥା ସବୁଥିରେ ଲୁହ ଝରାଇବା ପାଇଁ ଭାଉଜ । ଅମୀୟର ଚାହୁଁ ଚାହୁଁ ମଧ୍ୟ ଚାଲିଗଲା ଚାକିରିଟା । ସାମାନ୍ୟ ଗୋଟିଏ ଘଟଣା । ଚାକିରି କରିଛି ବୋଲି କ’ଣ ସେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ପଦୁଟିଏ କଥା କହିବ ନାହିଁ ? କି ଆଶ୍ଚର୍ଯ୍ୟ ? କ’ଣ ତା’ର ଭୁଲ୍ ଆଜିପର୍ଯ୍ୟନ୍ତ ମଧ୍ୟ ସେ ବୁଝିଲା ନାହିଁ । କେହି ବି ତା’କୁ ବୁଝାଇ ଦେଲେ ନାହିଁ । ଶେଷଦିନ ଯେମିତି ସମଗ୍ର ଅଫିସରେ କାମ କରୁଥିବା ଲୋକମାନେ ତା’କୁ ନିର୍ବାକ ଚାହାଣୀରେ ଅନେଇଥିଲେ । ତା’ର ମନେଅଛି ସେ ଦୃଶ୍ୟ । ସତେକି କାହାର ଚେତନାକୁ ସେ ବିନ୍ଦୁଏ ମାତ୍ର ସ୍ପର୍ଶ କରିନାହିଁ । ଆଶ୍ଚର୍ଯ୍ୟ ଲାଗେ । ପେଟରେ କରଡ଼ି ଜକାଇ ସେ ବାଟେ ଅନେକ ଥର ଯାଇଛି ଅମୀୟ । ହେଲେ ସେ କୋଠାକୁ ତା’ର ଅନାଇବାକୁ ଇଚ୍ଛା ହୁଏ ନାହିଁ । ଅଥଚ ରୂପା ସହିତ ତା’ର ଅନ୍ତରଙ୍ଗତା ସେଇଠି ହିଁ ଆରମ୍ଭ ହୋଇଥିଲା । ଜୀବନର ସମର୍ପଣ ସେଇଠାରେ ଆଉ ସମାପ୍ତି ମଧ୍ୟ ସେଇଠି । ଆଶ୍ଚର୍ଯ୍ୟ ! ଏକ ସମୟରେ ଏକ ବିଶେଷ ପରିସ୍ଥିତିରେ କିଏ ଯେ କାହାକୁ କେତେ ପ୍ରତିଶ୍ରୁତି ଦିଏ ତା’ର ଇୟତ୍ତା ନାହିଁ । ଅଥଚ ସମୟର ନିଷ୍ଠୁର ପରିହାସ କୌଣସି କଥାକୁ ଭ୍ରୂକ୍ଷେପ କରେନାହିଁ ।

 

ସିଗାରେଟ୍‍ଟା ଜଳିଗଲାଣି । ପାଖରେ ଆଉ ପଇସା ନାହିଁ ଯେ କିଛି ଗୋଟାଏ ବନ୍ଦୋବସ୍ତ କରିପାରିବ ଅମୀୟ । ଭାଉଜ ଉପରେ କେତେ ସେ ବୋଝ ହେବ ? ଭାଗ୍ୟକୁ ଜେଜେ ବାପା ଘର ଖଣ୍ଡେ କରି ଯାଇଥିଲେ, ନଚେତ୍... ।

 

ଦାଣ୍ଡର ଟିଣ ଗେଟ୍‍ଟା ଝଣ ଝଣ କରି ଖୋଲିଲା । କ୍ଳାନ୍ତ ପାଦରେ ହାତରେ ଦି’ଖଣ୍ଡ ବହି ଯାକି ଭାଉଜ ପଶିଲେ । ଏଇ ପାଖରେ ପ୍ରାଇମେରୀ ସ୍କୁଲର ଶିକ୍ଷୟତ୍ରୀ ସେ । ଦରମା ହାତ ଆଙ୍ଗୁଠିରେ ଗଣିଦେଲେ ସରିଗଲା । ଦିନ ଥିଲା ଅମୀୟ କଲେଜରୁ ଫେରି ଘରେ ଭାଉଜ ଉପରେ ଦୌରାତ୍ମ୍ୟ କରୁଥିଲା । ଏବେ ଯେମିତି ସବୁ ଚୁପ୍‍ଚାପ୍ । ବୋଝ ନିଜ ଉପରେ, ପରିବାର ଉପରେ, ତଳେଇ ଦେଖିଲେ ସମାଜ ଆଉ ଦେଶ ଉପରେ ।

 

କିପରି ଗୋଟିଏ ଆଶ୍ୱସ୍ତି ତା’ ଭିତରେ ଜମାଟ ବାନ୍ଧିଆସେ । ବିଶେଷତଃ ସନ୍ଧ୍ୟା ହେଲେ ଛାତର ପରଦାରେ, ଆଖିର ଆଲୋକରେ ଯେମିତି କୁହୁଡ଼ି ମାଡ଼ିଯାଏ । ସେ ଦେଖି ପାରେନା, ବୁଝି ପାରେନା, କ’ଣ କରିବ, ଆଉ କ’ଣ କହିବ ସେ ଜାଣି ପାରେନା ।

 

ଏମିତି କାହିଁକି ହେଲା... ?

 

“ଅମୁ ! ଅମୁ ! ଆରେ ତମେ ଘରେ ଅଛ ? ବାହାରକୁ ଯାଇ ନାହଁ ? ଏ କ’ଣ ? ଏତେ ସିଗାରେଟ୍ ଖାଇଛ ? ଡାକ୍ତର ପରା ତମକୁ ମନା କରିଥିଲେ ? ଛାତିରେ ଏତେ କଷ୍ଟ ହେଉଛି—ରାତି ସାରା ଶୋଇ ପାରୁନ । ତଥାପି ତମେ...ତମେ କଥା କାହିଁକି ଶୁଣୁନ ?”

 

ଭାଉଜଙ୍କ ହାଡ଼ୁଆ ହାତ ପାପୁଲି ଅମୀୟର ମୁଣ୍ଡ ଉପରେ ଘୁରି ଆସିଲା ।

 

ଏକ ଦୟନୀୟ ପରିସ୍ଥିତି । କେମିତି ସେ ବୁଝାଇବ ଯେ ତା’ର କୌଣସି କଥା କହିବାର ଅଧିକାର ନାହିଁ ଏବଂ କିଛି ଦିନ ଧରି ସେ କ’ଣ କରୁଛି ସେ ଜାଣେ ନାହିଁ ।

 

କ'ଣ ଭାବି ଭାଉଜ ଧୀରେ, ଧୀରେ ଚାଲିଗଲେ । ତାଙ୍କ ପିଲାମାନଙ୍କ ପାଟିତୁଣ୍ତ ଖୁବ୍ ତୀବ୍ର ସ୍ୱରରେ ଶୁଭୁଛି । ପୁଣି ଘର ଗୋଟାକର କେତେ କାମ ତା’ର ଠିକଣା ନାହିଁ ।

 

ଗୁଡ଼ାଏ ଚଟିର ଶବ୍ଦ ଏକ ସଙ୍ଗରେ ପଶି ଆସୁଛି । ଭାଉଜଙ୍କ ସେଇ ଭାଇ ଶଶାଙ୍କ ଆଉ ତାଙ୍କର ସାଙ୍ଗ ସୁନନ୍ଦ, ପ୍ରଶାନ୍ତ ଏବଂ ପିଣ୍ଟୁ ନିଶ୍ଚୟ । ସନ୍ଧ୍ୟାରେ ନିୟମିତ ଏଠାରେ ଆସର ଜମାଇବାରେ ସେମାନଙ୍କର ଯେମିତି ପ୍ରବଳ ଆଗ୍ରହ ।

 

ଶଶାଙ୍କ ପଶି ଆସି କହିଲା—“ଅମୀୟ ବାବୁ ! ଆପଣ ଯାଇ ନାହାନ୍ତି ଆଜି ସଭାକୁ ? କି ଯେ ବକ୍ତୃତା—ଓ୍ୱାଣ୍ଡରଫୁଲ୍ ! ସଭାରେ କୋଟି କୋଟି ଲୋକ । ଯେପରି ଅରଣ୍ୟ ହୋଇଛି, ମୁଣ୍ଡମାଳର । ଛୁଞ୍ଚି ପକାଇଲେ ବି ଶବ୍ଦ ହେବ । ରିଏଲି ଓ୍ୱାଣ୍ଡରଫୁଲ୍ ।”

 

ଶଶାଙ୍କ ପିଣ୍ଟୁର ମୂହଁକୁ ସମ୍ମତିସୂଚକ ଇଙ୍ଗିତରେ ଚାହିଁଥିଲା । ମାତ୍ର ପିଣ୍ଟୁ ବ୍ୟସ୍ତ ଥିଲା ସୁନନ୍ଦର ସାର୍ଟ କନାଟାକୁ ନିରୀକ୍ଷଣ କରିବାରେ । ଆଖିରେ କୌତୂହଳ ନେଇ ସେ ପ୍ରଶ୍ନ କଲା, ଶଶାଙ୍କ ଉଦ୍ଦିଷ୍ଟ ପ୍ରଶ୍ନକୁ ଉପେକ୍ଷା କରି—“କୋଉଠୁ ଆଣିଲୁ ଏଇଟାରେ ? ବାଃ, ବାଃ । ବିଉଟିଫୁଲ୍-। ମତେ ଖଣ୍ଡେ ମଗାଇ ଦେ । କହିବୁ ଯଦି ଆଡ଼ଭାନ୍‍ସ ଦେବି ।”

 

ସୁନନ୍ଦ କିଛି କହିବା ପୂର୍ବରୁ ପ୍ରଶାନ୍ତ କହିଲା—“ତୋର ଜୀବନ ପ୍ରତି ସବୁବେଳେ ପ୍ରୋଲେଟେରିଏଟ୍ ଆଟିଚ୍ୟୁଡ଼୍‍ ମତେ ଭଲ ଲାଗେନାରେ ପାଗଳା ! ତା’ର ବାପା ଓରଫ୍ ଡାଡି ସେଟା ଷ୍ଟେଟସରୁ ଆଣିଛନ୍ତି । ତା’ପର ତୁ ତ ଜାଣୁ ସୁନନ୍ଦ ବେଟା ଇମିଟେସନ୍‍କୁ ଘୃଣା କରେ । ଡୁପ୍ଲିକେଟ୍ ସେ ଚାହେଁନା... ।”

 

ସୁନନ୍ଦର ମୁହଁ ଲାଲ ପଡ଼ିଯାଉଛି । ସେ କିଛି କହିବାକୁ ଚାହିଁଲେ ବି କିଛି କରି ପାରିବନି, ଯଦିଓ କୌଣସି କଥା ବରଦାସ୍ତ କରିବା ତା’ର ଅଭ୍ୟାସରେ ନାହିଁ ।

 

ସୁନନ୍ଦ ଅନ୍ୟମନସ୍କତାର ଭଙ୍ଗୀ କରି କହିଲା—“ଅମୁ ! ତୋ ଦେହ ଆଜି ଭଲ ଲାଗୁଛି ତ ? ଡାକ୍ତରବାବୁ ଆସିଥିଲେ ତ ? ଭାଉଜ କହିଲେ ତୁ କୁଆଡ଼େ ଦୁଇ ତିନି ଦିନ ହେଲା ପଦାକୁ ଯାଇନୁ ?”

 

“ହଁ ମୁଁ ବି ସେଇଆ ଶୁଣିଲି ଅପାଠାରୁ ।” ଶଶାଙ୍କ କହିଲା ।

 

“ସେଇଆ ତ ଶୁଣିବା କଥା ।” ପିଣ୍ଟୁ ବେପରୁଆ ଭାବରେ ଫୁଟ୍‍କି ଫୁଟାଇ କହିଲା ।

 

“ମୁଁ ବି ଶୁଣିଛି ।” ଅମନଯୋଗୀ ଭାବରେ ପ୍ରଶାନ୍ତ ମ୍ୟାଗାଜିନ୍‍ଟାଏ ଖୋଲି ଅର୍ଦ୍ଧନଗ୍ନ ନାରୀର ଚିତ୍ରଟା ଉପରେ ଦୃଷ୍ଟି ନିବଦ୍ଧ କରିଥିଲା ।

 

ଅମୀୟ ଭଙ୍ଗାଟି ପୟ ଉପରକୁ ଗୋଡ଼ ଦୁଇଟା ବହୁ କଷ୍ଟରେ ଲମ୍ବାଇ ଦେଲା । ମୁହଁ ସାରା ତା’ର ଯନ୍ତ୍ରଣାର ଛାପ ସୁସ୍ପଷ୍ଟ । ଲାଇଟ୍‍ଟା ଯଦି ଲିଭିଯାଆନ୍ତା ଘଣ୍ଟାଏ... ।

 

ଭାଉଜ ଚା’ ପଠାଇ ଦେଲେ ସାନଝିଅ ହାତରେ । ଶଶାଙ୍କ ବେଳେ ବେଳେ ଚା, ଚିନି ହାତରେ ନେଇ ଆସେ ।

 

ଶଶାଙ୍କ କହିଲା—

 

“ଆହା ! ସେ ସବୁ ବାଜେ କଥା ବକି ଲାଭ ନାହିଁ, ୟଙ୍ଗମେନ୍ ! ବର୍ତ୍ତମାନ ମୋ ପାର୍ଟିର ମେମ୍ବରସିପ୍ ଟିକେ ବଢ଼ୁ । ଡୋନେସନ୍ ନାହିଁ । ସଭ୍ୟ ଚାନ୍ଦା, ନମିନାଲ ପରେ ଦେଖାଯିବ । ଖାଲି ଦସ୍ତଖତ ଦେଲେ ହେଲା । ଆଗେ ଅମୀୟ ବାବୁ ଆରମ୍ଭ କରନ୍ତୁ...।

 

ବିରକ୍ତ ହୋଇ ପ୍ରଶାନ୍ତ କଲମଟା ଛଡ଼ାଇ ନେଉ, ନେଉ ପାଟି କରି ଉଠିଲା—

 

“ସବୁବେଳେ ତୋ’ର ପଲିଟିକସ୍ ମତେ ଭଲ ଲାଗେନା । କାହିଁକି ଆମେ କାହାକୁ ଚାନ୍ଦା ଦେବୁ ? କିଏ ଆମର କ’ଣ କରିଛି ନା କରିପାରିବ ? ତୋ ଭଳି ଆମେ କାହାର ଚାମଚା ହୋଇ ପାରିବୁନି ।” ଚେଲା ! ଚାମଚା ! ଖୋସାମତକାରୀ ଆଉ ଚାଟୁକାର ଏ ଦେଶ ସାରା ଯେମିତି ଖୁନ୍ଦି ହୋଇ ଯାଇଛନ୍ତି । କିଏ କେତେବେଳେ କ’ଣ କରୁଛି, କ’ଣ କହୁଛି, ଜଣା ପଡ଼ୁନାହିଁ । ବିଚିତ୍ର ସ୍ୱର ଆଉ ବିଚିତ୍ର କୋଳାହଳରେ ଅମୀୟର ମନେ ହେଉଥିଲା, ସେ ଯେମିତି କେଉଁ ଏକ ଚିଡ଼ିଆଖାନାରେ ଛିଡ଼ା ହୋଇଛି । ଏ ସବୁ କି ଶବ୍ଦ ? କ’ଣ ଏହି କଥାର ଅର୍ଥ ? ଏ କେଉଁ ଜନ୍ତୁର ଭାଷା ?

 

ହଠାତ୍ ଭାଉଜ ଧଇଁ ସଇଁ ହୋଇ ଉପରକୁ ଉଠି ଆସି କହିଲେ—“ଅମୁ ! ସ୍ନିଗ୍‌ଧା ବୋଲି କିଏ ଜଣେ ଆସିଛି ତୁମ ସହ ଦେଖାକରିବା ପାଇଁ । ରାତି ଗାଡ଼ିରେ ତା’ର କୁଆଡ଼େ ବହୁ ଦୂରକୁ ଚାଲିଯିବାର ଅଛି । କ’ଣ ଡାକିବି ? ତା’ ସଙ୍ଗରେ ମଧ୍ୟ ଜଣେ ଭଦ୍ରଲୋକ ଅଛନ୍ତି ।”

 

ଅମୀୟର ସମସ୍ତ ଗଣନାଠାରୁ ଏଇ ଘଟଣାଟି ଯେମିତି ବର୍ହିଭୂତ । ଏଇ ଚାରିଦିନ ତଳେ ସ୍ନିଗ୍‌ଧାର ଦସ୍ତଖତରେ ଆସିଥିବା ବିବାହ ନିମନ୍ତ୍ରଣ ପତ୍ର ପାଇଥିଲା ଅମୀୟ । ସ୍ମିଗ୍‍ଧା ନିଶ୍ଚୟ ଉପଯୁକ୍ତ ପାତ୍ରରେ ବିବାହ କରିଯିବା କଥା । ପତ୍ରଟି ପାଇଲା ପରେ ବରଂ ଆନନ୍ଦିତ ହୋଇଥିଲା । ଯେପରି ଏକ ମନସ୍ତାପରୁ ଈଶ୍ୱର ତା’କୁ ମୁକ୍ତି ଦେଇ ଦେଲେ । କିନ୍ତୁ ଏ ପୁଣି କି ଅଭିନୟ ?

 

ତାକୁ ଅନ୍ୟମନସ୍କ ଦେଖି ଭାଉଜ କହିଲେ—“ତମେ ଚିହ୍ନନା, ନାହିଁ ମ’ ? ଆଉ କାହାକୁ ସେ ଭୁଲ୍ କହୁନି ତ ? ଏତେ ଭାବୁଛ କ’ଣ ?

 

ପିଣ୍ଟୁ ହଠାତ୍ କହିଲା—

 

“ହଁ, ହଁ, ନେଇଆସ ଭାଉଜ । ଚିହ୍ନା ନ ଥିଲେ ଚିହ୍ନା ଦେବାକୁ ଆସିଥିବ ।

 

ଶଶାଙ୍କ ବିରକ୍ତ ହୋଇ କହିଲା—“ଏତେ କ’ଣ ପଚାରୁଛୁ ମ’ ! ନେଇତ ଆସିବୁ । ଦେଖା ଟିକେ କରି କ’ଣ କହିବ । ଏତେ ଫରମାଲିଟିଜ୍ ଗୋଟାଏ କ’ଣ ?”

 

ଅମୀୟ କିଛି ଜବାବ୍ ଦେବା ପୂର୍ବରୁ ଦେଖିଲା, ପରଦା ଟେକି ସ୍ନିଗ୍‍ଧା ପଶୁଛି, ଆଉ ତା’ ପଛକୁ ଖର୍ବକାୟ ଏକ ପ୍ରୌଢ଼ ବ୍ୟକ୍ତି । ସ୍ନିଗ୍‍ଧା ନମସ୍କାର କରି କହିଲା—“ଅମୀୟ ରାଉତ ! ଆଉ ଏ ହେଲେ ସୀତାଂଶୁ ପାଣି । ଆଇ ମିନ୍...ମାଇ ହଜ୍‍ବ୍ୟାଣ୍ଡ । ତୁମେ ତ ବିଭାଘରକୁ ଗଲ ନାହିଁ । ମୁଁ ମଧ୍ୟ ଚାଲିଯାଉଛି ବମ୍ବେ । ପୋର୍ଟରେ ମିଃ ପାଣି କାମ କରନ୍ତି-।”

 

ସୁନନ୍ଦ ଚିହ୍ନିଲା ଚିହ୍ନିଲା ଭଙ୍ଗୀରେ କହିଲା—“ମୋର ଯେତେଦୂର ମନେ ପଡ଼ୁଛି, ତୁମେ ଅମୀୟ ଅଫିସରେ କାମ କରୁଥିଲ ନା ? ବୋଧେ ସେଇଠି ଦେଖିଛି । କ’ଣ ଚାକିରିରୁ ଇସ୍ତଫା ଦେଇ ଯାଉଛ ?”

 

ମିଃ ପାଣି ଉତ୍ତର ଦେଲେ—‘‘ମୁଁ ସ୍ତ୍ରୀ ଲୋକମାନଙ୍କର ଚାକିରି ସପକ୍ଷରେ ନୁହେଁ । ତା’ପରେ ମୋର ଯାହା ଇନ୍‍କମ୍ ସେଥିରେ ଆମେ ନିର୍ବିଘ୍ନରେ ଚଳିଯାଇପାରିବୁ । ନିନାର ବାପା, ମା’ ଓ ଭାଇମାନଙ୍କ ପାଇଁ ସବୁ ବନ୍ଦୋବସ୍ତ କରିଯାଇଛି । ଆଉ ବୃଥାରେ କାହିଁକି ସେ କିରାଣୀ ପୋଷ୍ଟରେ ସେ ରଟ୍ କରିବ ଏଠାରେ ?”

 

ଭାଉଜ ଚେୟାର୍ ଟାଣି ବସେଇବାର ଉପକ୍ରମ କରୁଥିଲେ; ମାତ୍ର ସ୍ନିଗ୍‍ଧା ହାତଯୋଡ଼ି କହିଲା—“କିଛି ମନେ କରିବେନି । ଟ୍ରେନ୍ ଟାଇମ ହୋଇଯାଉଛି, ଆମେ ଆସୁଛୁ ଅମୀୟ । ଫେର୍ କେବେ ଦେଖାହେବ ।”

 

ମିଃ ପାଣି ଓ ସ୍ନିଗ୍‌ଧା ଚାହୁଁ ଚାହୁଁ ନିଷ୍କ୍ରାନ୍ତ ହୋଇଗଲେ ଏବଂ ତାଙ୍କ ପଛେ ପଛେ ଦ୍ରୁତଗାମୀ ଭାଉଜ ।

 

ପିଣ୍ଟୁ ଗଳାଝାଡ଼ି କହିଲା—“ତୋର ଆମକୁ ଇଣ୍ଟ୍ରୋଡ଼ିଉସ୍ କରେଇ ଦେବା ଉଚିତ୍ ଥିଲା ଅମୀୟ । କେତେବେଳେ କ’ଣ କାମରେ ଆସିପାରେ ।”

 

ପ୍ରଶାନ୍ତ କହିଲା—“ଯାଃ, ଡୋନେସନ୍‍ଟା ଉଠେଇଥିଲେ ହୋଇଥାନ୍ତା ।” ମୁଁ ତ ଦୃଶ୍ୟ ଦେଖି ବୋକା ହୋଇଗଲି । ଏଜ୍ ଡିଫରେନ୍‍ସ ଅନ୍ତତଃ କୋଡ଼ିଏ ହେବ । ଆଇଡ଼ିଏଲ, ମ୍ୟାରେଜ-

 

ଏଥର ଅମୀୟ ଉଠିପଡ଼ିଲା ଏବଂ ଖୁବ୍ ଜୋରରେ ହାଇ ମାରି ଅଳସ ଭାଙ୍ଗି କହିଲା, ‘‘ଚାଲିଲ ! ଟିକେ ବାହାରେ ବୁଲି ଆସିବା । ଆଜି ଅନେକ ଦିନ ପରେ ଦେହଟା ଟିକେ ଭଲ ଲାଗୁଛି । ଛାତିରେ କି ମୁଣ୍ଡରେ ଯନ୍ତ୍ରଣା ନାହିଁ ! ଭାରି ହାଲ୍‍କା ଲାଗୁଛି...ଚାଲ । କେତେଦିନ ଯେ ଘରୁ ପଦାକୁ ଯାଇନି... !!!”

 

ପିଣ୍ଟୁ ଓ ପ୍ରଶାନ୍ତ ନୀରବରେ ଚକ୍ଷୁ ବିନିମୟ କରୁଥିଲେ, ଆଉ ଅମୀୟର ଜୀର୍ଣ୍ଣ ଦେହକୁ ଚାହିଁ, ଶଶାଙ୍କ ଯେମିତି ତା’ର ଶକ୍ତି କଳନା କରୁଥିଲା ।

 

ଅମୀୟ ମନରେ ପ୍ରଶ୍ନ, ସେ ଚିଡ଼ିଆଖାନାର ପିଞ୍ଜରାବଦ୍ଧ ଜନ୍ତୁ...ନା ତା’ର ମାଲିକ ? ନା ସେ ମାଲିକ ହେବ । କେବଳ ଶକ୍ତିଶାଳୀ ହିଁ ସ୍ଥିତି ବଜାୟ ରଖେ । ଆଉ ସବୁ ବାଜେକଥା !

Image

 

ନଈ

 

କେତେବେଳେ ବନ୍ଧ ଭାଙ୍ଗିବ କେଜାଣି !

 

ଅନୁଭାକୁ ଏକ ସମୟରେ ହସ କାନ୍ଦ ଦୁଇଟି ଲାଗୁଥିଲା । କୌଣସିଟିର ପ୍ରକାଶ ସୁବିଧାଜନକ ନୁହେଁ ଭାବି ସେ ଚୁପ୍ ରହିବାକୁ ଚାହିଁଲେ ବି ସମ୍ଭବ ହେଉ ନ ଥିଲା । ସବୁକଥା ଯଦି ସମ୍ଭବ ହୁଅନ୍ତା ! ସକାଳ ହୁଅନ୍ତା ଦ୍ୱିପ୍ରହର ଆଉ ସନ୍ଧ୍ୟା ହୁଅନ୍ତା ନିଥର ନିସ୍ତବ୍‍ଧ ରାତି !

 

ହାଡ଼ୁଆ ରୋଗଣା ଛୁଆକୁ ଛାତିରେ ପକାଇ ବଡ଼ ଭାଉଜ ଶୋଇ ଯାଇଛନ୍ତି କେତେବେଳୁ । ଆଉ ଛ’ଟା ଛୁଆ ବାରଣ୍ଡାରେ ଚହଳ ପକାଇଛନ୍ତି । ତାଙ୍କର ସବା ବଡ଼ପୁଅ ବିଶୁ ରାତି ବାରଟାରେ ଫେରିବ ଏବଂ ଅନୁଭା ହାତରେ ଗୁଞ୍ଜିଦେବ ଦୁଇ ତିନିଟା ଖବରକାଗଜ । ଅଣନିଶ୍ୱାସୀ ହୋଇ ଅନୁଭା ତାକୁ ପଢ଼ିନେବ...କୋଉଠି ଚାକିରି ଖାଲି ଅଛି...କୋଉଠି ଘରୋଇ ଶିକ୍ଷୟତ୍ରୀ ଆବଶ୍ୟକ...କୋଉଠି ଉଚ୍ଚ ଶିକ୍ଷିତ ବିଲାତ ଫେରନ୍ତା ଯୁବକ ପାଇଁ ପାତ୍ରୀ ଲୋଡ଼ା...ବିନା ଯୌତୁକରେ ଶହ, ଶହ ଉଚ୍ଚ ଶିକ୍ଷିତଙ୍କର ବିବାହ ଇତ୍ୟାଦି...ଇତ୍ୟାଦିକୁ । ତା’ପରେ ପ୍ରତ୍ୟେକଟି ବିଷୟରେ ସ୍ଵପ୍ନ ଦେଖି ଦେଖି ସେ ଭାତ ରାନ୍ଧି ବସିବ...କୋଉଦିନ ତରକାରୀ ହୁଏ, ନାହିଁ ତ ଡାଲି ଟିକକରେ କାମ ଚଳିଯାଏ । ରୋଷେଇ କରିବା ଦାୟିତ୍ୱ ତା’ର । ବଡ଼ ଭାଉଜ ପିଲା ଜଞ୍ଜାଳରେ ବ୍ୟସ୍ତ । ସାନ ଭାଉଜଙ୍କର ମୁଣ୍ଡଥରା ବେମାରି ଯେ ବିଛଣାରୁ ସନ୍ଧ୍ୟା ହେଲେ ଉଠି ପାରନ୍ତି ନାହିଁ । ସାନଭାଇର ଗୁଡ଼ିଆ ଦୋକାନ । ବସ୍ ଆଉ ଟ୍ରକ୍ ଯାତ୍ରୀଙ୍କର ଭିଡ଼ । କୋଉଦିନ ଘରକୁ ଫେରେ ତ କୋଉଦିନ ଫେରେନା । ଆଉ ବଡ଼ଭାଇ କୋଉ ମାରୁଓ୍ୟାଡ଼ି ଦୋକାନରେ କଟକ ସହରରେ ଥାଇ ହିସାବପତ୍ର ଲେଖନ୍ତି । ଖାଇବା ମାଗଣା—ଦରମା ଗଣ୍ଡାକ ଘରକୁ ପଠାନ୍ତି । ସେ ତ ସମୁଦ୍ରକୁ ଶଙ୍ଖେ ପାଣି !

 

ଅନୁଭା କେତେବେଳେ ଚାକରାଣୀ । ସେ ବୁଝେ ସବୁରି ଖବର । ତା’ ଖବର ବୁଝିବାକୁ କେହି ନାହିଁ । ଘର ବା ନିଜସ୍ୱ ଖବର କ’ଣ ?

 

ଅନୁଭା ଯେତିକି ଇଂରାଜୀ ଅକ୍ଷର ପଢ଼ି ଜାଣିଥିଲା । ସେତିକିରେ ସେ ବୁଝି ପାରିଥିଲା ଯେ ତା’ର ଶିକ୍ଷା କୌଣସି କାମ ଯୋଗାଇ ପାରିବନି ତା’କୁ । ଆହା ! ଯଦି ସେ ଆଉ ଟିକେ ପଢ଼ି ପାରିଥାନ୍ତା...ପୀତାମ୍ବର ବାବୁଙ୍କ ଝିଅ ଇଲା ଅପା ପରି କଲେଜ ଯାଇଥାନ୍ତା କି ସୁରମା ନାନୀ ପରି ପାଠ ପଢ଼ି ମାଷ୍ଟ୍ରାଣୀ ହୋଇଥାନ୍ତା କି ଗୀତା ଭାଉଜଙ୍କ ସମାନ ଘରେ ବସି ବସି ବି ପ୍ରତିବର୍ଷ କଲେଜ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ପାରିଥାନ୍ତା ! କିଛି ସେ କରି ପାରିଲାନି—ଖାଲି ଘୁଷୁରି ଭଳି ସବୁରି ବୋଲହାକ କରି, ଘର ଗୋଟାକର କାମ ଦାମ ସାରି ଗାଁ ସ୍କୁଲରୁ ମାଇନରଟା କୌଣସି ମତେ ପାଶ୍ କରିଗଲା । ସେତେବେଳେ ବାପା ଥିଲେ । ଭାଇମାନେ ଫେଲ୍ ହେଲାବେଳକୁ ଅନୁଭାର ବର୍ଷକୁ ବର୍ଷ ପାଶ୍ ଦେଖି ବାପା କହୁଥିଲେ ଅନୁକୁ ପାଠ ପଢ଼ାଇ ଏକଦମ୍ ମାଜିଷ୍ଟ୍ରେଟ୍ କରିଦେବେ । ଫୁଃ ! ସେ କି କଥା ମ’ । ବୋଉ ଚିଡ଼ୁଥିଲା । ଝିଅଟା କାମ ଦାମ ଶିଖିବ ନାହିଁ...ତେଲ ହଳଦୀ ଲଗେଇବ ନାହିଁ...ବଡ଼ିପକା ଆଉ ଚିତା ଦେବା ଶିଖିବ ନାହିଁ, ଖାଲି ସିଲଟ ବହି ଧରି ବସିଥିବ । ବର ମିଳିବଟି ଝିଅକୁ ? ବୋଉ କଥା କିନ୍ତୁ ମିଛ ହେଲା—ମାଇନର ପାଶ କରୁ କରୁ ବର ଆସି ଜୁଟିଗଲା । ସମର୍ଥ ଘର । ଯା, ଦେଢ଼ଶୁର, ଦିଅର, ନଣନ୍ଦ ହୋଇ ଘର ଭର୍ତ୍ତି । ବର ସହରରେ ବଡ଼ ଅଫିସରେ କିରାଣୀ । ବାବୁଭୟା ସମସ୍ତେ ତା’କୁ ଖାତିର କରନ୍ତି । ଖୁଣି ବାଛି ଦେବାକୁ ଏତିକି ଯେ ପ୍ରଥମ ସ୍ତ୍ରୀ ବାହାଘରର ଚାରିମାସ ନ ଯାଉଣୁ ମରିଛି ଝାଡ଼ା ବାନ୍ତିରେ । ବାପା କହିଲେ ଘରୁଆ ଘର । ପଢ଼ାଶୁଣା ଲୋକ ସଭିଏଁ । ଝିଅ ତ ପାଠ ପଢ଼ିନି ବୋଲି ଆଡ଼ ଟେକି ବସିଛି । ଜୋଇଁ କଟକରେ ବସା ନେଇ ରହିଛି ଯେତେବେଳେ ଝିଅ କ’ଣ ଆଉ ଅପଢ଼ା ରହିବ ? ଅନୁଭା ସେତେବେଳେ ଜାଣି ନ ଥିଲା ଯେ କେମିତି ଘର କରିବାକୁ ହୁଏ । ବୁଝି ନ ଥିଲା ସ୍ୱାମୀ କହିଲେ କ’ଣ ବୁଝାଏ ଆଉ ହାତକୁ ହାତ ଛନ୍ଦି ହୋଇଗଲେ ସମାଜର ବେଡ଼ି ଶୃଙ୍ଖଳ କେମିତି ସାରା ଜୀବନ ଦେହକୁ ମନକୁ ବନ୍ଦୀକରି ରଖିଦିଏ ।

 

ବିଭାଘରର ଛ’ ମାସ ପରେ ଅନୁଭା ଜାଣିଥିଲା ଯେ କଟକ ସହରରେ ତା’ପାଇଁ ପାଠପଢ଼ାର ପ୍ରଶ୍ନ ଉଠୁନାହିଁ । ବାସନମଜା, ରୋଷାଇ, ଦିଅର ନଣନ୍ଦଙ୍କ ଚର୍ଚ୍ଚା ଆଉ ଗୁରୁଜନଙ୍କ ପଦ ସେବାରେ ତା’ର ଦିନ ରାତି ଯେ ସମାନ ତାହା ଭଗବାନ ହିଁ ଜାଣୁଥିଲେ କେବଳ । ଆଉ ସବୁଠାରୁ ନିର୍ଦ୍ଦୟ ଓ ନିଷ୍ଠୁର ଯନ୍ତ୍ରଣାର ସମୟ ଥିଲା ସ୍ୱାମୀରୂପକ ଜୀବଟି ସହିତ ସେ ଯେତେବେଳେ କଥାବାର୍ତ୍ତା କରୁଥିଲା । ଏତେ ବଡ଼ ବଡ଼ ନିଶ ଦି’ପାଟି, ଲାଲ ଲାଲ ଆଖି, ଫଣଫଣ ଫୋପଡ଼ା କଥା । ଅନୁଭାର ହାତ ଦି’ଟା ଯେତେବେଳେ ସେ ଧରି ପକାଏ, ମନେହୁଏ ଭାଙ୍ଗି ଦି’ଗଡ଼ ହୋଇଯିବ । ଥରେ ରାତିରେ ମଦ ଖାଇଲାବେଳେ ଅନୁଭା ମନା କରିଥିଲା ବୋଲି ଗୋଟାଏ ଶକ୍ତ ଚାପଡ଼ା ତା’ ଗାଲରେ ବାଜିଥିଲା ଆଉ ସେଇଥିରେ ଗୋଟାଏ ରାତି ବେହୋସ ଅବସ୍ଥାରେ ସେ କଟାଇଥିଲା ।

 

ମାତ୍ର... ! ସହିବାର ତ ଗୋଟାଏ ସୀମା ଅଛି । ପନ୍ଦର ଷୋଳ ବର୍ଷର ଅପରିପକ୍ୱ ଦେହ ଓ ମନ ତା’ର ଚୂନା ଚୂନା ହୋଇ ଯାଇଥିଲା । ଦୁଇ ବର୍ଷ ଭିତରେ ଦୁଇଟି ଅକାଳ ଗର୍ଭପାତରେ ଯୌବନର ସମସ୍ତ ଶ୍ରୀ ତା’ର ନଷ୍ଟ ହୋଇଯାଇଥିଲା । ସ୍ୱାମୀ ଓ ପରିବାର ପାଖରେ କ୍ରମଶଃ ସେ ହୋଇ ଉଠିଥିଲା ଅବାଞ୍ଛିତ ଆଉ ଅଲୋଡ଼ା... ।

 

“ଅପା ! ଅପା !’’

 

ରହି ରହି କିଏ ଡାକୁଛି ଦାଣ୍ଡରେ । ବିଶୁ ରାତି ଅଧରେ ଗଞ୍ଜେଇ ଟାଣି ଫେରିଲେ ଏମିତି ଚାପା କଣ୍ଠରେ ଡାକ ପକାଏ । ଥରେ ଥରେ ଅନାଥ ଓ କୁଞ୍ଜ ମଧ୍ୟ ଆସନ୍ତି ସଙ୍ଗରେ । ରାତିସାରା ତାଙ୍କୁ ଆଡ଼ୁସାଡ଼ୁ ଗପିବା, ତାସ ଖେଳିବା ଆଉ ଅସମ୍ଭବ କଳ୍ପନାରେ ସମସ୍ତ କଟେଇବା ଦେଖିଛି ଅନୁଭା । ଅନାଥ ଏବେ କଲିକତାରେ କ’ଣ ଚାକିରି କରୁଛି...ବେଳେ ବେଳେ ଆଶାର ବତୀ ଜାଳି ଧରୁଛି ଅନୁଭା ପାଖରେ । କଲିକତାରେ ଅନୁଭା ପାଇଁ ଚାକିରି ଠିକ୍ କରିଦେବ, ଚାହିଁଲେ ରାତି ସ୍କୁଲରେ ନାମ ଲେଖାଇ ପାଠ ବି ପଢ଼ି ପାରିବ । ଆହୁରି କେତେ କ'ଣ ! ସତେକି ପରୀରାଇଜର କୁହୁକ !

 

ଅନୁଭା କବାଟ ଖୋଲିଲା । ଆଗରେ ଅନାଥ ପଛରେ ବିଶୁ ଆଉ କୁଞ୍ଜ । ସିଜୁବୁଦା ସେପଟକୁ ଅନ୍ଧାରିଆ ହୋଇ କିଏ ଦି’ଜଣ ଛିଡ଼ା ହେଇ ଡଗ ଡଗ କରି ବିଲେଇ ଆଖିରେ ତା’କୁ ଅନାଇଛନ୍ତି । ଡିବିରି ଆଲୁଅରେ ଚିହ୍ନିବା ସମ୍ଭବପର ନୁହେଁ ! ଅନୁଭା ଆଡ଼ ହୋଇ ମୁଣ୍ଡରେ ଲୁଗାଟା ଟାଣି ଧରିଲା ।

 

ହସି ହସି ଅନାଥ କହିଲା–

 

“ଅପା ! ତମ ଚାକିରି ଠିକ୍ ହୋଇଗଲା କଲିକତାରେ । ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଖୋଲିଛି । ତମ ରହିବା ପାଇଁ ସ୍କୁଲରେ ଗୋଟିଏ ରୁମ୍ ଆମେ ବନ୍ଦୋବସ୍ତ କରିଛୁ । ଖାଇବା ମାଗଣା–ଚେୟାରମ୍ୟାନଙ୍କ ଘରେ ଖାଇବ । ତେଣିକି ସୁବିଧା କରି ପ୍ରାଇଭେଟରେ ମ୍ୟାଟ୍ରିକ ପରୀକ୍ଷା ଦେଇ ଦେବ । ଆଜି ଭୋରରୁ ଭୋରରୁ ଯିବା କଥା...କେତେ ଲୋକ ଚାହିଁ ବସିଛନ୍ତି । ତମେ ରେଡ଼ି ହୋଇଥିବ । ମୁଁ ଆଉ କୁଞ୍ଜ ଆସି ଡାକିବୁ ।”

 

ଡିବିରି ଆଲୁଅଟା ଝଲକାଏ ପବନରେ ଲିଭିଗଲା । ଘନ ଅନ୍ଧାର ଭିତରେ ମୁହଁକୁ ମୁହଁ ଦିଶୁନାହିଁ । କଲିକତାରେ ଚାକିରି ଠିକ୍ ହୋଇଗଲା–ପୁଣି ସ୍କୁଲରେ ଶିକ୍ଷୟତ୍ରୀ–ମାଗଣା ଖାଇବା–ଦରମା ଅଛି ! ସ୍ଵପ୍ନ ଦେଖୁନାହିଁ ତ ଅନୁଭା । ଏତେ ସୁଖ ଭଗବାନ ତା’ ଭାଗ୍ୟରେ ସତେ କ’ଣ ଲେଖିଛନ୍ତି ! ସେ ଆଉ ସ୍ୱପ୍ନ ଦେଖୁନାହିଁ ତ ? ଅଖିରେ ଲୁହ ଜମାଟ ବାନ୍ଧି ଆସୁଛି । ପାଦ ଟଳି ଯାଉଛି । ସେ ବିଶୁର ହାତଟାରୁ ଅନ୍ଧାରରେ ଅଣ୍ଡାଳି ହେଲା ଖାଲି ।

 

ବିଶୁ କହିଲା–“କ’ଣ କିଲୋ ଅପା ! ଯିବୁ ନା ନାହିଁ ? କ’ଣ ଡରି ଯାଇଛୁ କି ? ଅନାଥ ଭାଇ ଅଛି । ସେ ସବୁ ତତେ ବତେଇ ଦେବନି ଯେ ।”

 

‘‘ନାହିଁରେ ଡରିବି କାହଁକି ? ତେବେ ଏମିତି ହଠାତ୍...ଭାଇ ନାହାନ୍ତି...କାହାକୁ କହିବି...ଗାଁ ଛାଡ଼ି ଯିବି... !”

 

“ଧେତ୍ ! ଗାଁ ବାଲାଙ୍କୁ କ’ଣ କହିବୁ ମ’ ! ତୁ ତ ପନ୍ଦର ବର୍ଷ ହେଲା ଗାଁରେ ଆସି ରହିଲୁଣି । କେବେ ଭଲା କିଏ ତୋର ଖବର ବୁଝିଛି ? ନା, ତୋ ଶାଶୁଘର ଲୋକ କିଏ ଆସି ଭଲମନ୍ଦ ବୁଝିଛନ୍ତି ଭଲା ? ଆଉ ଭାଇ କହିବେ କ’ଣ ? ସେ ତ ଓଲଟା ଖୁସି ହେବେ । ତାଙ୍କ ଉପରୁ ବୋଝ ଗଲା । ଅନାଥ ଭାଇ ! ତୁ କହୁନୁ ? ସତ କଥାଟା କହିନୁ କାହିଁକି ? ବାପାଙ୍କ ସଙ୍ଗରେ ଯାହା କଥା ଛିଣ୍ଡିଲା, ସେ ସବୁ ଅପା ଜାଣିଗଲେ ଭଲ ।”

 

କେମିତି ଯେମିତି ଥତମତ ହୋଇଗଲା ଅନାଥ । ଗଳା ଖଙ୍କାରୀ ବଡ଼ ନୀରସ କଣ୍ଠରେ କହିଲା—

 

“ମୋର ମୋଟେ ଇଚ୍ଛା ନ ଥିଲା ଅପା ! ହେଲେ ସେ ସ୍କୁଲର ଚେୟାରମ୍ୟାନ ଯିଏ ନା ସେ ବଡ଼ ଅବୁଝା ଲୋକ । ମୁଁ ତା’କୁ କହିଥିଲି ଯେ ମୁଁ ଅପାକୁ ସଙ୍ଗରେ ନେଇକରି ଗଲେ ସେଇଠାରେ ସବୁ କଥାବାର୍ତ୍ତା ହେବା ।

 

ହେଲେ ମ୍ୟାନେଜର ନିଜେ ଆସି ହାଜର । କଥା କ’ଣ ନା ଲୋକଟା ସଚ୍ଚା ତ–ଚାହେଁ ମୁରବୀ ସଙ୍ଗରେ ଏକଦମ ବର୍ଷକ ପାଇଁ ଲେଖାପଢ଼ା କରିନେବ । ଝିଅପିଲାଙ୍କ କଥା ତ ଜାଣିଛ—ସେଥିରେ ଫେର୍ ଓଡ଼ିଆ ଝିଅ ମାସେ, ଦି’ମାସେ କଲେ ଢେର୍ । ସେଇ ସ୍କୁଲରୁ କେଜାଣି ବର୍ଷକ ଭିତରେ ତେର ଜଣ ଗଲେଣି । ମୁଁ ଯେତେ କହିଲି ଆମ ଅପା ସେମିତି ନୁହେଁ...ସେ କି ସେକଥା ଶୁଣୁଛନ୍ତି ? ଆଡ଼ଭାନ୍‍ସ ପରା ଦି’ ହଜାର ଟଙ୍କା ଭାଇଙ୍କୁ ରୋକ୍ ଠୋକ୍ ଗଣି ଦେଇଛି ! ଭାଇ ତ ଖୁସି, ଯା’ହେଉ ତମ ଦୟାରୁ ଯଦି ଭାଇଙ୍କର ଦୋକାନଟା ହୋଇଯାଏ, ପିଲାଗୁଡ଼ା ବଞ୍ଚିଯିବେ ।”

 

ଅନୁଭା ପଛ କଥା ଶୁଣି ବି ଶୁଣି ପାରୁ ନ ଥିଲା । ଭାଇ ଦି’ ହଜାର ଟଙ୍କା ଆଗତୁରା ନେଇଛନ୍ତି । ତା’ର ଭଲମନ୍ଦ କଥା କିଛି ଭାବିଲେ ନାହିଁ । ଥରେ ବି ତା’କୁ ପଚାରିଲେ ନାହିଁ । କାହିଁକି ପଚାରିବେ ? ସ୍ୱାମୀ ସଂସାର ଛାଡ଼ି ସେ ତ ଭାଇଙ୍କ ଉପରେ ବୋଝ ହୋଇ ବସିଛି । ଭାଇ କ’ଣ ତା’ ହେଲେ ତା’କୁ ବନ୍ଧା ପକାଇ ଦେଲେ ନା ବିକି ଦେଲେ ଗାଈ ଛେଳି ପରି... !

 

“ଭାବୁଛି କ’ଣ ମ’ ଅପା ! ମୁଁ ପରା ଅଛି...ତୁ ରାଜି ହୋଇ ଯାଉନୁ । ହଉ ହେଲା ଏବେ, ମୁଁ ତମ ସଙ୍ଗରେ ଯିବି । ତତେ ସେଠି ରଖେଇ ତୋର ସବୁ ଭଲମନ୍ଦ ବ୍ୟବସ୍ଥା ସବୁ କରି ଆସିବି । ବୁଝିଲ ଅନାଥ ଭାଇ ! ତମେ କାହିଁକି କଷ୍ଟ କରିବ ? ମୁଁ ଅପାକୁ ନେଇ ରାତି ଚାରିଟାରେ ବସ୍‌ଷ୍ଟାଣ୍ଡରେ ପହଞ୍ଚି ଯିବି । ତମେ ଚେୟାରମ୍ୟାନକୁ ନେଇ ଘରକୁ ଯାଅ...କଥା ତ ଛିଣ୍ଡିଗଲା । ନା କ’ଣ ଅପା ?”

 

ବିଶୁ ଅନ୍ଧାରରେ ଅନୁଭାର ବାମ ହାତ ପାପୁଲିରେ ମୃଦୁଚାପ ଦେଇ କ’ଣ ଯେପରି ଗୋଟାଏ ଇଙ୍ଗିତ କରୁଛି । ଅନୁଭା ପକ୍ଷରେ ତା’ ବୁଝିବା ମୁସ୍କିଲ୍ । ଅଗତ୍ୟା ନୀରବରେ ମୁଣ୍ଡ ହଲାଇ ସେ ଚୁପ୍ ରହିଲା । କିପରି ଯେମିତି ତା’ର ଯୁଗ ଯୁଗର ପୃଥିବୀଟା ହଠାତ୍ ଅନ୍ଧାର ଆଲୁଅରେ ଚିଚିତ୍ର ବର୍ଣ୍ଣ ହୋଇ ଯାଇଛି । ସେ କିଛି ଦେଖି ପାରୁନି । ତୁଣ୍ଡ ଖୋଲି ପଦେ କହି ଦେବାକୁ ତା’ର ତାକତ ନାହିଁ କି କେହି ମଧ୍ୟ ତା’ର ମତକୁ ଅପେକ୍ଷା ବି କରୁନାହିଁ ।

 

ମାତ୍ର ବିଶୁ କହୁଛି ଯେ । ତା’ କଥା କ’ଣ ସେ ଅବିଶ୍ୱାସ କରିବ ? ସେଇ ବିଶୁ ପାଇଁ ତ ଜୀବନ ଧରି ସେ ଜୀଇଁ ରହିଛି । ତା’ରି ଯୋଗୁ ତ ସ୍ୱାମୀ ଘରୁ ମରୁ ମରୁ ବଞ୍ଚି ଯାଇଛି ସେ... ।

 

ମୁଣ୍ଡରେ ହାତ ଦେଇ କାନ୍ଥକୁ ଆଉଜି ଅନୁଭା ବସି ପଡ଼ିଲା । ସ୍ୱପ୍ନର ଛାୟା ପରି ଭାସି ଯାଉଛି ସେଦିନର ଘଟଣା...ବିଶୁର ସେଇ ଭୟଙ୍କର ରୂପ ଏବେ ବି ତା’ର ସ୍ପଷ୍ଟ ମନେଅଛି... ।

 

ସେଦିନ କ’ଣ ଗୋଟାଏ ପର୍ବ ଥିଲା । ବିରି ବାଟୁଥିଲା ଅନୁଭା । ରୋଗଣା ଦେହ—ଛ’ ମାସର ଗର୍ଭ ନଷ୍ଟ ପରେ ଟିକିଏ ହେଲେ ବିଶ୍ରାମ ନେବାକୁ ତା’ର ଡର ନ ଥିଲା । ବଡ଼ଭାଇ ବିଶୁକୁ ପଠାଇଥିଲେ କ’ଣ କାମରେ ।

 

ସଞ୍ଜବତୀ ଲାଗିବା ସମୟରେ ସ୍ୱାମୀ ତା’ର ଘରକୁ ଆସିଥିଲେ ଅଫିସରୁ ସାଙ୍ଗରେ ତାଙ୍କର ଗହଣାଗାଣ୍ଠିରେ ଝୁମୁରୁ ଝୁମୁରୁ ହୋଇ କୋଡ଼ିଏ ବର୍ଷର ସ୍ତ୍ରୀ ଲୋକଟିଏ ସାଙ୍ଗରେ ଆସିଥିଲା । କ’ଣ ନା ଘର କାମରେ ସାହାଯ୍ୟ କରିବ ଅନୁଭାକୁ—ଦି’ ଭଉଣୀ ପରି ଚଳିବେ । ପାଣୁ ତା’କୁ ଆଦର କରି ଡାକି ନେଇ ଖୁଆଇ ବସିଥିଲେ । ଘର ଦୁଆର ବୁଲେଇ ଦେଖାଇଥିଲେ । ମା’, ପୁଅ ବସି ସେଦିନ କେତେ ଯେ ଖୁସି ଗପ କରିଥିଲେ ତା’ର ସୀମା ନାହିଁ । ସତେ କ’ଣ ପୁଅ ନବଜନ୍ମ ପାଇ ଫେରିଛି । ମନେ ମନେ ଆଶ୍ଚର୍ଯ୍ୟ ହେଲେ ବି କାହାକୁ କିଛି କହି ପାରି ନ ଥିଲା ।

 

ମାତ୍ର ରାତିରେ ସବୁଠାରୁ ବଳି ଆଶ୍ଚର୍ଯ୍ୟ ଘଟଣା ଯେ ତା’ ପାଇଁ ଅପେକ୍ଷା କରିଥିଲା, ସେତେବେଳେ ସେ ଘୃଣାକ୍ଷରରେ ସେ କଥା କ’ଣ ଭାବି ପାରିଥିଲା ? ଅନୁଭାର ଶୋଇଲା ଘରକୁ ପଠାଇ ଦେଇ ତା’ର ମା’ ସମାନ ଶାଶୁ ଯେତେବେଳେ ତା’କୁ କହିଲେ—

 

“ବୋହୂ, ! ଏଣିକି ତମେ ଦେହକୁ ଟିକେ ସାବଧାନରେ ରଖ । ପୁଅଟା ମୋର ଖଟି ଖଟି ଘରକୁ ଆଇଲେ ତମର ତ ବେଳ ହୁଏନା, ତା’ ଦେହରେ ମୁଣ୍ଡରେ ଟିକେ ହାତ ଦେବାକୁ—କେତେଦିନ ଏମିତି ସେ ଚଳିବ ? ତେହିଁକି ତମର ଘଡ଼ି ଘଡ଼ି ପୁଆଣୀ ଦେହ—କରମକୁ ସିନା ମିଳିବ...ଏ ଯାଏଁ କୋଳରେ ପିଲାଟିଏ ଧରିଲ ନାହିଁ...ସାତପୁରୁଷଙ୍କ ନିଶ୍ୱାସ ପଡ଼ିବ ମୋ ପୁଅ ମୁଣ୍ଡରେ !”

 

କଥା କହୁ କହୁ ଶାଶୁଙ୍କ ଆଖିରେ ପାଣି ଜମି ଯାଇଥିଲା । ଲୁଗା କାନିରେ ମୁହଁ ପୋଛି ସେ ପୁଣି କହିଲେ—

 

“ସୁନାମଣିକି ଭଉଣୀ ପରି ମଣିବ ଗୋ ବୋହୂ ! ବାଦହିଂସା କରିବନି କି ଅବଗୁଣ ପାଇବନି । ଘର କଥା ଯେମିତି ବାହାରକୁ ନ ଯାଏ... ।”

 

“ବୋଉ !”

 

ପାଟିରୁ କଥା ବାହାରୁ ନାହିଁ ଅନୁଭାର । ଯନ୍ତ୍ରଣାରେ ଅନୁଭାର କଣ୍ଠରୁଦ୍ଧ ହୋଇ ଯାଇଥିଲା । ବୋହି ଯାଇଥିଲା ଆଖିରୁ ଶ୍ରାବଣର ଧାରା ।

 

ଗର୍ଜି ଉଠିଥିଲେ ଶାଶୁ—

 

“ଆଲୋ ! ମତେ ସିନେମା ଦେଖଉଛୁ ନା କ’ଣ ମ’ ! ତୋ ଭାଗ୍ୟ ଭଲ କହ । ପୁଅ ମୋର ତତେ ତଣ୍ଟିଆ ଦେଇ ଘରୁ ତଡ଼ି ଦେଇନି କି ସୁନାମଣିକି ବେଦୀରେ ବସେଇ ଘରକୁ ଆଣିନି-। ପୁରୁଷ ପିଲା—କିଏ ନାହିଁ କେତେ ଅୟସ କରୁଛି । ଛୁଆଟା ମୋର ଚିନ୍ତାରେ ଚିନ୍ତାରେ ହାଡ଼ ଧରିଲାଣି... ।”

 

“ତା’ ବୋଲି କ’ଣ ବୋଉ...ତମେ ମା’ ହୋଇ ଏମିତି କଥା କହୁଛ ?”

 

ଅନୁଭାର ଅଭିଯୋଗରେ ଶାଶୁଙ୍କ ଆଖିରୁ ନିଆଁ ଖସୁଛି ଯେମିତି—

 

“କଣ କହିଲୁ ? ମୁଁ କଥା କହି ଜାଣେନି । ମୁଁ କଥା କହିଥିଲେ ତୁ କେଉଁଠି ଏତେ ଦିନ ପାଟରାଣୀ ହୋଇ ବସିଥାନ୍ତୁ ଲୋ... । କୋଉ ଗୁଣଟା ବା ତୋର ଅଛି ? ସୁନ୍ଦରୀ ନା, ବୋପା ଥୋଡ଼ାଏ ସଙ୍ଗରେ ଦେଇଛି ଯେ ଗରବରେ ଫାଟି ପଡ଼ୁଛୁ ମ’... ! ନିମକାଠି ଗୁଞ୍ଜି ଆଇଥେଲୁ, କ’ଣ ନା ପାଠୋଇ ବୋହୂ ! ମୁଁ ସେ ଟୋକାକୁ ଯେତେ ମନାକଲି ସେ କ’ଣ ଶୁଣିଲା ? କିମିଆଁ କରିଦେଲୁ ଲୋ ପୋତାମୁହୀଁ ? ଏବେ କହୁଛୁ କ’ଣ ନା ମତେ କଥା କହି ଆସେନି । ହାଏରେ କପାଳ ! ବିଧାତାରେ, ମତେ ଶୁଣେଇଲୁ ଏ କଥା...ହଇରେ ହାରୁ...ହାରୁରେ...ମୋ ଗଳାମାଳିରେ...କେତେ ଦିଅଁ ପୂଜି ତତେ ପାଇଥିଲି ଏଇଆ ଶୁଣିବାକୁ ରେ । ମତେ ଟିକେ ଜହର ଆଣି ଦେଇଦେ ରେ । ମୁଁ ସହି ପାରିବିନିରେ ହାରୁ... !”

 

ସତେକି ବଜ୍ରପାତ ହୋଇଛି । ସେ ଆର୍ତ୍ତନାଦରେ ହାରୁ ଓରଫ ହରେନ୍ଦ୍ରନାଥ ଯୁବତୀ ସୁନାମଣିକି ଛାଡ଼ିଦେଇ ଦୁମ୍ ଦୁମ୍ କରି କବାଟ ଖୋଲି ଧାଇଁ ଆସିଲେ । କିଛି ବୁଝା ନାହିଁ, ପଚରା ନାହିଁ ଥୋଇ ଦେଇଗଲେ ବିଧା ଗୋଇଠା ଯେତେପାରେ ସେତେ ଅନୁଭାର ହାଡ଼ ଗିଜିଗିଜି ଦେହ ଉପରେ । ସତେକି ସେ ଚାହୁଁଥିଲେ ସେ ମୁହୂର୍ତ୍ତରେ ଅନୁଭାର ସତ୍ତା ଲୋପ ପାଇଯାଉ !

 

ହଠାତ୍ କୋଉଠିଥିଲା କେଜାଣି କାଠ ଫାଳିଆଟାଏ ଧରି ଦୈତ୍ୟ ପରି ଧାଇଁ ଆସିଲା ବିଶୁ । କାଠ ଫାଳିଆଟା ହରେନ୍ଦ୍ରଙ୍କ ମୁଣ୍ଡରେ ଢାଏ ଢାଏ ବାଡ଼େଇ ଦେଇ ଚିତ୍କାର କରି ଉଠିଲା—

 

“ଖବର୍‍ଦାର ! ଅପା ଦେହରେ ଆଉ ଥରେ ଯଦି ହାତ ଦେଉନା ତତେ, ତୋ’ ମା’କୁ ଶଳା ବାଉଁଶ ଗୋଟାକୁ ମାରି ଶୁଆଇ ଦେବ ।”

 

ଗୋଟିଛାଏଁ ଗୋଡ଼ରୁ ମୁଣ୍ଡ ଯାଏଁ ଶିବ ପରି ରାଗରେ ଥରୁଥିଲା ଶିବୁ । ହରେନ୍ଦ୍ରନାଥଙ୍କ କାନମୂଳ ଦେଇ ରକ୍ତ ଝରି ଯାଉଥିଲା ଆଉ ସେଇ ଭୟାନକ ପରିସ୍ଥିତିରେ ଅନୁଭାର ସଂଜ୍ଞା ଧୀରେ ଧୀରେ ଲୋପ ପାଇ ଯାଇଥିଲା ।

 

ତା’ପରେ ? ତା’ ପରେ ଯେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଲା, ସେ ଜାଣିଲା ଯେ ତା’ର ଅର୍ଦ୍ଧଚେତନ ଦେହକୁ ଶଗଡ଼ ଗାଡ଼ିରେ ଶୁଆଇ ବିଶୁ ନେଇ ଆସିଥିଲା ଗାଁକୁ । ଭାଇ ଗମ୍ଭୀର ହୋଇ ଯାଇଥିଲେ । ଭାଉଜମାନେ ଶୁଣେଇ ଶୁଣେଇ କଥା କହିଥିଲେ । ହେଲେ କୋଡ଼ିଏ ବର୍ଷର ପୁଅ ବିଶୁ ଆଗରେ କେଜାଣି କାହଁକି ପ୍ରତିବାଦ କରିବାର ଶକ୍ତି ସମସ୍ତେ ହରେଇ ବସିଥିଲେ ।

 

କେବଳ ସେଇ ବିଶୁ ପାଇଁ ସେ ଜୀଇଁ ରହିଛି । ଖାଉ ପଛେ ସେ ଗଞ୍ଜେଇ, ଥାଉ ପଛେ ବେକାର, ନ ପଢ଼ିଥାଉ ପଛେ ପାଠ, ତଥାପି ତ ତା’ର ହୃଦୟ ଅଛି, ଭଲମନ୍ଦ ବୁଝିବାର ଶକ୍ତି ଅଛି...ଅନ୍ତତଃ ତାକତ ଅଛି ତା’ର ମୁକାବିଲା କରିବା ପାଇଁ ପରିସ୍ଥିତିର ।

 

ଏକ ପଲକରେ ଯେମିତି ଅତୀତର ଘଟଣା ଅନୁଭାର ଆଖି ଆଗରେ ନାଚିଗଲା । ନିଜର ଅସହାୟ ପରିସ୍ଥିତିରେ ବିଶୁର ହାତମୁଠାରେ ସେଇ ବିରାଟ ବିପର୍ଯ୍ୟୟ ସମୟରେ ତା’ର ହାତ ପାପୁଲି ଉଠିଲା । ଆଖିରୁ ଝରି ପଡ଼ିଲା କେତେ ଟୋପା ଲୁହ ।

 

“ଅପା ! ମୁଁ ଅଛି ପରା...ମୁଁ ଥିଲା ପର୍ଯ୍ୟନ୍ତ କେହି ତୋର କିଛି କରିପାରିବେନି । ମାତ୍ର ଆମକୁ ଗୋଟାଏ କାମ କରିବାକୁ ହେବ । ବାପା ଆସିଲା ପୂର୍ବରୁ ଆମେ ଚାଲିଯିବା ।”

 

“ନାହିଁରେ ବିଶୁ ! ତୁ ସେ କଥା କହନା । ମୁଁ ଗାଁ ଛାଡ଼ି କୁଆଡ଼େ ଯିବି ନାହିଁ । ମତେ ବଡ଼ ଡର ଲାଗୁଛି ।”

 

“ଆସ୍ତେ ଅପା ! କିଏ ଯେମିତି ନ ଜାଣନ୍ତି । ଆମେ କ’ଣ ସତରେ କଲିକତା ଯିବା ଭାବିଛୁ । ବାପା ଦି’ ହଜାର ଟଙ୍କା ସେ ରାକ୍ଷାସଠୁ ନେଇଛନ୍ତି ତ କିଛି ଯାଏ ଆସେନି । ଜାଣୁ ଅପା, ଅନାଥ ଭାଇଙ୍କୁ ଶିଖେଇ ହାରୁପିସା ବାପାଙ୍କୁ ହାତ କରି ନେଇଛନ୍ତି । ଏବେ ହାରୁପିସାଙ୍କୁ ଛାଡ଼ି ସେ ସୁନାମଣି ପଳେଇଛି । ସେଇଥିପାଇଁ ପରା ବାପାଙ୍କୁ ଆଉ ଅନାଥ ଭାଇଙ୍କି ଧରି ଟଙ୍କା ଦେଇ ହାତ କରି ନେଇଛି ।”

 

“ବିଶୁ ! ବିଶୁ ତୁ ମତେ ଛାଡ଼ । ମୁଁ କୁଆଡ଼େ ହେଲେ ପଳାଏ ରେ । ବାପା ଆସିଲା ପୂର୍ବରୁ ମୁଁ ଜହର ଖାଇ ଦିଏ ରେ ! ଆଉ ସହି ପାରିବିନି... ।” ଅନୁଭା କଇଁ କଇଁ କରି କାନ୍ଦି ଉଠିଲା-

 

“ଦେଖ ଅପା ! ଏମିତି ପାଟିତୁଣ୍ଡ କି ଅଧୈର୍ଯ୍ୟ ହେଲେ ଚଳିବ ? ବାପା ଘରକୁ ଆସିଲା ପୂର୍ବରୁ ଆମକୁ ଚାଲିଯିବାକୁ ହେବ ।”

 

“କିନ୍ତୁ କୁଆଡ଼େ ? ମୁଁ ସିନା ମରିବି ମୋ ଭାଗ୍ୟକୁ ନେଇ, ତୁ ପିଲାଟା କୁଆଡ଼େ ଘରଛାଡ଼ି ଯିବୁରେ ?’’

 

“କୁଆଡ଼େ ଆଉ କଣ ? ଯୁଆଡ଼େ ଆଖି ପାଇବ ସିଆଡ଼େ ଚାଲିଯିବା । ଥରେ ଯଦି ସାହାସ କରି ବାହାରିଯିବା ନା ମୁଁ ଭଲ କରି ଜାଣେ ଆପଣା ମନକୁ ବାଟ ଫିଟିଯିବ । ତୁ ଡରୁଛୁ ବୋଲି ତତେ ସମସ୍ତେ ଡରଉଚନ୍ତି ନା ଅପା ! ଏତେ ବଡ଼ ପୃଥିବୀ, ଏତେ ଲୋକ, ଦେଶ ବିଦେଶ ଥାଉ ଥାଉ ତୁ କ’ଣ ରହିବାକୁ ଜାଗା ଟିକିଏ, ଖାଇବାକୁ ମୁଠାଏ ଭାତ ପାଇବୁନି ? ଅଲବତ୍ ପାଇବୁ ।”

 

ତାରାଟାଏ ଖସିଗଲା ଆକାଶରୁ ଏପଟକୁ ସେପଟକୁ । ଚମକି ଉଠିଲା ଅନୁଭାର ଦେହ-

 

‘‘ମୁଁ କି ପାପ କରିଥିଲି ବିଶୁ ? ସୁଖ ବୋଲି ମୋ କପାଳରେ ଟିକିଏ ନାହିଁ ।”

 

“ଧେତତେରିକା । ସେ ସବୁ କପାଳ ଫପାଳ ମିଛ । ଆପଣା ଶିଙ୍ଘରେ ଯିଏ ମାଟି ତାଡ଼ି ନ ପାରନ୍ତି, ସେଇ ଶଳାଏ କପାଳରେ ହାତ ମାରୁଥାନ୍ତି ।”

 

ଅନୁଭାର କଣ୍ଠରୁ ଭାଷା ଯେମିତି ମରି ଯାଇଥିଲା । ବିଶୁ ଭଳି ତା’ ମନରେ ଯଦି ଟିକିଏ ଆଶା, ଟିକିଏ ଭରସା ଥାଆନ୍ତା ପୃଥିବୀ ଉପରେ ?

 

ଲୁଗାକାନିରେ ଲୁହ ପୋଛୁ ପୋଛୁ ଅନୁଭା କହିଲା—

 

“ନାହିଁରେ ବିଶୁ ! ଆଉ ଡରିବିନି । ସୀତାର ଗୌରବ ନେଇ ଜଳି ଯାଇଛି ସିନା ହେଲେ ଏ ଜଳିବାରେ ଶାନ୍ତି କାହିଁ ? ଏବେ ସେ ନିଆଁ ଯେ ମତେ ଜାଳି ସମସ୍ତିଙ୍କି ଜାଳିବାକୁ ବସିଲାଣି ।”

 

“ଅପl !”

 

“ହଁ ହଁ, ଜଳୁ...ଜଳିଯାଉ ବିଶୁ । ସାରା ପୃଥିବୀ ମୋ ଭଳି ସ୍ତ୍ରୀ ଲୋକଙ୍କ ଆଖିର ନିଆଁରେ ଜଳିଯାଉ । ମୁଁ ଯିବି–ଯାଇଁ ସମସ୍ତିଙ୍କି ପଚାରିବି ସ୍ତ୍ରୀ ଲୋକଙ୍କର କ’ଣ ଜୀବନ ନାହିଁ, ବଞ୍ଚିବାର ଅଧିକାର ନାହିଁ, ସେ କ’ଣ ସବୁଦିନେ ଏମିତି ପୁରୁଷ ଜାତିର, ସମାଜର, ଧରାବନ୍ଧା ନିୟମର, ମନଗଢ଼ା କାହାଣୀ କଥାର ଖେଳଣା କଣ୍ଢେଇ ହୋଇଥିବ ? ମୁଁ ଯିବି ପଚାରିବି...ଆରେ ବିଶୁ ! କେଉଁଠି ଯଦି ଈଶ୍ୱର ଥାନ୍ତି, ଧର୍ମ ନ୍ୟାୟ ଥାଏ ଏ ସଂସାରରେ ଥାଏ, ତେବେ ସେମାନେ ମତେ ବୁଝେଇ ଦିଅନ୍ତୁ, ସ୍ତ୍ରୀ ଲୋକ କ’ଣ ନୁହେଁ...ହଁ, ହଁ ମୁଁ ପଚାରିବି...ହେ ଆକାଶ...ହେ ପାତାଳ...-।”

 

ଅନୁଭାର କଣ୍ଠ ଉଚ୍ଚରୁ ଉଚ୍ଚତର ହୋଇ ରାତ୍ରିର ନିସ୍ତବ୍‍ଧାକୁ ଚୂର୍ଣ୍ଣବିଚୂର୍ଣ୍ଣ କରିଦେଲା ହଠାତ୍ କରି | ଉନ୍ମାଦ ପରି ହାତ ତଳ ଉପର ଘୁରାଇ ସେ ଯେପରି । ସବୁ ଅଦୃଶ୍ୟ ଅପରାଜେୟ ଶକ୍ତିକୁ ସେଇ ମୁହୂର୍ତ୍ତରେ ଆକାଶରୁ ତୋଳି ମାଟିରେ ଫିଙ୍ଗି ଦେଇଥିଲା । ବିଶୁ ବ୍ୟସ୍ତ ହୋଇ ତା’ର ଦୁଇ ହାତକୁ ଧରିବାକୁ ଯେତେ ଚେଷ୍ଟା କରି ମଧ୍ୟ ପାରି ନ ଥିଲା । ବିଫଳ ହୋଇ ସେ ତା’କୁ ଦୁଇ ହାତରେ କୁଣ୍ଢାଇ ପକାଇ ପାଟିରେ ହାତ ଦେଇ କହିଲା—

 

“ଅପା ! ଚୁପ୍ ହୋଇ ଯା’ ଅପା ! ଲୋକ ଜାଣିଗଲେ ଯେ ସର୍ବନାଶ ହୋଇଯିବ ।”

 

ନିଜକୁ ଟାଣିନେଇ ଅନୁଭା ଖଣ୍ଡେ ଦୂର ଘୁଞ୍ଚିଯାଇ କହିଲା—

 

“ତୁ ମତେ ଛାଡ଼ ବିଶୁ ! ମୁଁ କାହାକୁ ଡରେନା । ଏତେ ଦିନ ମୁହଁ ବନ୍ଦ କରିଥିଲି ବୋଲି ମତେ ସମସ୍ତେ ଡରାଉଥିଲ । ମୋ ରକ୍ତକୁ ମାଂସକୁ ଶୋଷି ଖାଉଥିଲ । ଏବେ ମୁଁ କାହାକୁ ଡରେନା, କାହାକୁ ଖାତିର କରେନା । ମୁଁ ଯିବି...ଯିବି...ଏକଲା ଯିବି !” ପଚାରିବି ସ୍ତ୍ରୀ ଲୋକ ହୋଇ ଜନ୍ମିବାରେ ଏତେ ଦୋଷ କାହିଁକି...ପଚାରିବି ମା’ ହୋଇ ନ ପାରିବାରେ ମୋର ଅପରାଧ କ’ଣ...ପଚାରିବି ବେଦୀରେ ବସି ବାହା ହୋଇ ସ୍ୱାମୀମାନେ ସ୍ତ୍ରୀମାନଙ୍କୁ କେତେଦିନ, କେତେଦିନ ଏମିତି ମାଟି କଣ୍ଢେଇ କରି ଖେଳିବେ ? ମୁଁ ଛାଡ଼ିବିନି । ନା, କାହାକୁ ମୁଁ ଡରେନା । ଆରେ ବିଶୁ ? ମୁଁ କ’ଣ ମଣିଷ ନୁହେଁ ? ମଣିଷକୁ ମୁଁ କାହିଁକି ଡରିବି କିରେ ? ମୁଁ ଚାଲିଲି...।”

 

ହଠାତ୍ ବିଶୁକୁ ଅପ୍ରସ୍ତୁତ ଅବସ୍ଥାରେ ଛାଡ଼ି ଦେଇ ଅନୁଭା ପ୍ରବଳ ବେଗରେ ଦୌଡ଼ିଗଲା ରାସ୍ତା ଦେଇ । ଅଙ୍କାବଙ୍କା କଣ୍ଟାଳିଆ ରାସ୍ତାରେ ତା’ର ଧଳାଶାଢ଼ିର ପଣତଟା ଟିକିଏ ଥରେ ଅଧେ ଚହଲି ଯାଇଥିଲା କେବଳ । ସତେ କ’ଣ ଅପା ଚାଲିଗଲା ଘର ଛାଡ଼ି ? ପୁଣି ଏକା ଏକା ରାତି ଅଧରେ ଚାଲିଗଲା ?

 

ବିଶୁ ନା ଦୌଡ଼ି ଯାଇ ପାରୁଥିଲା ପଛରେ, ନା ଉଚ୍ଚ କଣ୍ଠରେ କାହାକୁ ଡାକି ପାରୁଥିଲା ! ସତେ ବା ସେ ମୂକ ହୋଇ ଯାଇଛି । ଆଖିରେ ଖାଲି ଜୁଳୁଜୁଳୁଆ ପୋକ ନାଚି ଯାଉଛି ।

 

ବିଶୁ ଶୁଣିଥିଲା ସବୁଜ ଅରଣ୍ୟରେ ଏମିତି ଅଚାନକ ଥାଏ ଥାଏ ନିଆଁ ଲାଗିଯାଏ । ସେ ତ କେବେ ଜାଣିନାହିଁ ଅରଣ୍ୟରେ ନିଆଁ ଲିଭାଇବାକୁ କିଏ ଯାଇଛି ବୋଲି ।

 

ସବୁ ଅସମ୍ଭବ ବୋଧେ ଏମିତି ଦିନେ ନା ଦିନେ ସମ୍ଭବ ହୋଇଥାଏ !!!

Image

 

ଝର୍କା

 

ହାଡ଼ ଚାରିଖଣ୍ଡ ଦେହରେ ଧରି ଚମ ଧୁଡ଼ୁଧୁଡ଼ିଆ ଟୋକାଟାର ମୁହଁ କିଛି କମ୍ ଟାଣ ନାହିଁ । ବିଡ଼ି ଆଉ ଖଣ୍ଡିଆ ସିଗାରେଟ୍ ଖାଇ ଓଠ ଦି’ ପୁଡ଼ା କଳା ହୋଇ ସିଝି ଗଲାଣି । କଥା କହିଲାବେଳେ ବଡ଼ ବିଚିତ୍ର ମନେହୁଏ ତା’ର ମୁହଁ ! ଲାଗେ ଯେମିତି, ତା’ର ଆଖି ଦି’ଟା ସବୁ ଜାଣେ, ସବୁ ଦେଖିଛି ଓ ବୁଝିଛି—ତା’କୁ ଠକି ହେବ ନାହିଁ, ତା’ ସହିତ ଧପ୍‍ପାବାଜି କରି ଖସି ଯାଇ ହେବନି । ଅଥଚ ସେ କିଛି ନୁହେଁ, କାହାର କିଛି ନୁହେଁ... ।

 

ସକାଳେ ଖବରକାଗଜର ହକର କାମ କରେ । ଖରାବେଳେ ସେ କ’ଣ କରେ, କି କାମ କରେ ସେ କଥା ସେଇ ଜାଣିଥିଲେ ଜାଣିଥିବ ଏକା । ତା’ର ନିର୍ଦ୍ଦିଷ୍ଟ କାମଟା, କେହି କହି ପାରିବନି ବା ଦରକାର ପଡ଼ିଲେ ବଦଳିଆ ଭାବରେ ତୁଲେଇ ପାରିବନି !

 

ସଦେଇ ପକେଟରୁ ଦରଜଳା ବିଡ଼ିଟା କାଢ଼ି ନିଆଁ ଲଗେଇଲା । କେତେବେଳେ ଯାଏ ଏମିତି ବସିବ କେଜାଣି ସେ । ଦିନସାରା ନିଆଁ ପାଖରେ ବସି ପେଟ ଦେହରେ ଯେମିତି ତାତି ପଶି ଯାଇଥାଏ । ସନ୍ଧ୍ୟାବେଳେ ନଈକୂଳିଆ ପବନ ଦେହରେ ବାଜୁ, ନ ବାଜୁଣୁ ଆଖିପତା ଯୋଡ଼ି ହୋଇଯାଏ । ଏମିତିକି ଜଗା ବଳିଆଙ୍କ ମୁହଁ ଟିକିଏ ମନରେ ପକାଇ ଶୋଇବ ବୋଲି ଯେତେ ଥର ଭାବେ, ମନେ ପଡ଼େନା । କୁନାବୋଉର ମୁହଁ ଝାପ୍‍ସା ହୋଇ ବେଳେ ବେଳେ ଦିଶିଯାଏ । ସେତିକିବେଳେ କୁନା, ଟୁନାଙ୍କ ମୁହଁ ବଦଳରେ ଚମକି ଆସେ ହାଡ଼ୁଆ ଟୋକା ରଙ୍କିଆର ମୁହଁ । କୋଉ ଜନ୍ମରେ କ’ଣ ଥିଲା କେଜାଣି, ଜଳେଇ ପୋଡ଼ି ମାରୁଛି ଟୋକାଟା ।

 

ହୋଟେଲ୍ ସାରା ଯେ ଯୁଆଡ଼େ ଶୋଇ ପଡ଼ିଲେ, ଟୋକାଟା କୋଉଠି ଥିବ କେଜାଣି ଆସି ଡାକ ପକେଇବ । କୋଉଦିନ କେମିତି ଶୋଇ ଯାଇଥିଲେ, ତେଲୁଣି ପୋକ ପରି ମୋଡ଼ି ମୋଡ଼ି ହୋଇ ଆସି ଗୋଡ଼ ତଳକୁ ଶୋଇ ପଡ଼ିବ ! ରାତି ଅଧରେ ନିଦ ଭାଙ୍ଗିଗଲେ ସଦେଇ ନନା ଦେଖିବ ରଙ୍କିଆ ଶୋଇଛି ଗୋଡ଼ ତଳକୁ । ପେଟ ଯାଇଁ ପିଠିରେ ଲାଗିଛି । ଆଃ ! ଛୁଆଟା କିଛି ଖାଇନି ବୋଧେ ! ରାତି ଅଧରେ ଉଠି ଯାଇ ସଞ୍ଜରୁ ରଖିଥିବା ଆଳୁଚପ, କି ବରା କି ନିମିକି ଦି’ଟା ଧରି ଆସିବାକୁ ହୁଏ । ତହିଁରେ ଫେର୍ ନିଦରୁ ଉଠେଇଲେ ଉଠିବନି ସହଜରେ, ଭିଡ଼ି ମୋଡ଼ି ହେବ, ପାଟିକରି କାନ୍ଦିବ କି ସଦେଇକୁ ଗାଳି ବି ଦେବ । ଏଣେତେଣେ ବୁଲି ଟୋକାଟା ଇଂରାଜୀ ବି ଶିଖିଛି—ରାତି ଅଧିଆ ଗାଳିଟା ସେଇଥିରେ ସେ ଦେବ ସଦେଇକୁ । ବେଳେ ବେଳେ ମନ ବିରକ୍ତ ହୋଇଯାଏ । କାହିଁକି ବା ଛୁଆଟା ତା’କୁ ଏମିତି ଜଳଉଛି କେଜାଣି ? ରାତିରେ ଟିକେ ନିଶ୍ଚିନ୍ତରେ ଶୁଆଇ ବି ଦେବ ନାହିଁ ।

 

ରଙ୍କିଆ ଆଉ କ’ଣ ଶୁଣିଲାଣି କି ବାବୁଙ୍କ କଥା ? ମାଲିକ କୁଳମଣି ବାବୁ ! କ’ଣ ବା ଖରାପ କଥା କହିଲେ ? ସେ ବି ରଙ୍କକୁ କିଛି କହି ନାହାନ୍ତି । କେବଳ ସଦେଇକୁ ଡାକି କହିଲେ ଅଜଣା ଅଶୁଣା ଲୋକ ହୋଟେଲ ବାରଣ୍ଡାରେ ରାତିରେ ଶୋଇଲେ ହାନି ଲାଭ ପାଇଁ ସଦେଇ ଦାୟୀ ରହିବ । ସେଥିପାଇଁ ତ ରଙ୍କକୁ ସଦେଇ କହିଥାଏ ରାତି କରି ଆସିବାକୁ । ବାବୁ ବାକୁମ ବନ୍ଦ କରିଗଲା ପରେ ସେଇ ତ ହୋଟେଲର ମାଲିକ । ଭିତର ଘରପଟରେ ହରି ନନା ଆଉ ପଦ ଶୁଅନ୍ତି । ବାହାର ପଟରୁ ତାଲା ଦେଇ ଦାଣ୍ଡ ବାରଣ୍ଡାରେ ଗଡ଼ି ରଙ୍କିଆକୁ ଅନେଇ ଅନେଇ ସଦେଇର ଦିନେ ଦିନେ ରାତି ବି ପାହିଯାଏ ।

 

କି ଦୁର୍ବୁଦ୍ଧି ଦିଶିଲା କେଜାଣି ସଦେଇକୁ । କି ବଢ଼ି ହେଲା କେଜାଣି, କେତେ ଲୋକଙ୍କର ପିଲାଛୁଆ କୁଆଡ଼େ ଭାସିଗଲେ । ନିଆଁଲଗା ଟୋକାଟା କୋଉ ଗାଁର, କୋଉ ଜିଲ୍ଲାର କେଜାଣି ତିନିବର୍ଷ ତଳେ ଏଣେ ତେଣେ ବୁଲି ବୁଲି ଏଠାକୁ ଆସିଲା । ପାନ ଦୋକାନ ଟିଣ ତଳକୁ ବର୍ଷାରେ ଭିଜି ଭଜି ବସିଥିଲା ରାତି ଅଧରେ । କ’ଣ ଭାବି ସଦେଇ ତା’କୁ ବାରଣ୍ଡାରେ ଆଣି ଶୁଆଇ ପକେଇଥିଲା ସେଇ ମେଘ ପବନ ରାତିରେ । ମେଞ୍ଚଡ଼ ଟୋକାଟା ତିନି ବର୍ଷରେ ତାଳଗଛ ପରି ଡେଙ୍ଗା ହେଲାଣି । ହେଲେ ଦେହରେ ମାଂସ ଟିକିଏ ନାହିଁ... ।

 

କୁନା, ଟୁନାଙ୍କ ଥାକୁଲ ଥାକୁଲ ବେଙ୍ଗ ଫୁଲିଆ ମୁହଁ ଦି’ଟା ଆଖି ଆଗରେ ଭାସି ଉଠିଲା-। କାହିଁକି ମ’ ? ପର ପିଲା ହେଲେ ବି ସଦେଇ କ’ଣ କମ୍ ଚେଷ୍ଟା କରିଛି ତା’ ପାଇଁ ? କେତେ ଔଷଧ ଫଳମୂଳ ଆଉ ହୋଟେଲର ମାଂସ ରୁଟି ମିଠା ଲୁଚେଇ ତା’କୁ ଦେଇଛି, କିଛି ନ ଥିଲା ଦିନ ନିଜ ପେଟରୁ କାଟି ତା’କୁ ଦେଇଛି । ହେଲେ ଟୋକାଟାର ଏକା ଜିଦ୍ ସେ ତା’ର କାମ କରି ପେଟ ପୋଷିବ । ପୋଷୁ ! ବର୍ଷେ ହେଲାଣି ତ ସକାଳେ ଖବରକାଗଜ ନେଇ ଦିଏ । ଖରାବେଳେ ଆଉ ସନ୍ଧ୍ୟାରେ କୋଉଠି କ’ଣ ତେଲ ଚାଉଳ ଦୋକାନରେ କାମ କରେ । ସିଆଡ଼େ ତା’ର ଖାଏ, ରାତିରେ ବି ଖାଇ ଆସେ । ହେଲେ ସଦେଇର ମନଟା ଗୋଳେଇ ଘାଣ୍ଟି ହୁଏ କେଜାଣି ? ଆଜିକାଲିକା ଟୋକାଗୁଡ଼ାଙ୍କର ମତିଗତି ବୁଝିବା ଭାରି କଷ୍ଟ । ଦିନେ ଛୁଟି ନେଇ ରଙ୍କିଆ ପିଛା କଲେ ଜଣା ପଡ଼ନ୍ତା । ଟୋକାଟା ଦିନରେ ଖାଏ କି ନାହିଁ, କି କାମ କରେ ଇତ୍ୟାଦି ।

 

ସଦେଇ ବିଡ଼ିଟା ପିଣ୍ଡା ତଳକୁ ପକେଇ ଦେଲା । ଯାଃ ! ଆଉ ପାରିବନି । ଲାଗ୍ ଲାଗ୍ ତିନିଦିନ ହେଲା ରଙ୍କିଆର ଦେଖାନାହିଁ । ଏଥର ଯଦି ଆସେ ସିଧା ସିଧା ସଦେଇ ତା’କୁ ମନା କରିଦେବ । କିଏ ଜାଣେ କୋଉ ବାଳୁଙ୍ଗା ଟୋକାଙ୍କ ସଙ୍ଗରେ ପଡ଼ି କେତେବେଳେ ସେ କ’ଣ କରିବ ? ହାନି ଲାଭ ହେଲେ ନିଜର ଚାକିରି ଯିବ, ପିଲାଛୁଆ ଗଡ଼ି ମରିବେ ! କଥାରେ ନାହିଁ—ଖଣ୍ଡରେ ମୋହିଲେ କ୍ଷୀରରେ ଧୋଇଲେ... !

 

“ନନା ! ଏ ସଦେଇ ନନା ! କ’ଣ ସନ୍ଧ୍ୟାରୁ ଶୋଇଲଣି ମ’ ?”

 

“ଆଉ କ’ଣ କରନ୍ତି ! ପୋଷଣାହାରୀ ପୁଅ ଭଳିଆ କଥା କହୁଛୁ ?”

 

ରଙ୍କିଆ ଟିକେ ଦବିଗଲା ବୋଧେ । କିଛି କହୁନି ଯେ !

 

ହଠାତ୍ ହୋ ହୋ ହସରେ ଅନ୍ଧାର ଭିତରେ ସଦେଇ ଘଡ଼ଘଡ଼ି ଭଳି ଶବ୍ଦରେ ଚମକି ପଡ଼ିଲା । ଟୋକାଟାର ଏତେ ବେଖାତିର ? ଉଠିପଡ଼ି ଚଟ୍ କରି ସଦେଇ ରଙ୍କିଆର ଗାଲରେ ଚଟକଣି ଦି’ଟା କଷିଦେଇ କହିଲା—“ଗୋଲାମ ଛୁଆ ! ହଇରେ ତୋର ଜାତିଗୋତ୍ର କିଛି ଠିକ୍ ଅଛି ? ବୋପା, ମା’ର ଠିକଣା ଅଛି ? ଦାଣ୍ଡରେ ପଡ଼ି ପ୍ରାଣ ଯାଉଥିଲା, ପେଟରୁ କାଟି, ମୋ ଛୁଆଙ୍କ ଦାନା କାଟି ତତେ ବରଷ ଦି’ଟା ପାଳିଲି । ଏବେ ଏଇ କେଇଦିନ ମଣିଷ ହେଇଛୁ ବୋଲି ମତେ ଆସି ଟାପରା କରୁଛୁ ? ଭାର ଏଇ କ୍ଷଣି, ଏଠୁ ବାହାର ! ନହେଲେ ତୋ ହାଡ଼ ଚୂନା କରିଦେବି ! ମତେ ଚିହ୍ନିଛୁଟି ? ଟୁନାକୁ ଗୋଟେ ଚାପୁଡ଼ା ଦେଇଥିଲି ଯେ ବୋପାକୁ ମଉସା ବୋଲି ରଡ଼ି କରିଥିଲା... ।

 

ଅଣ୍ଟାରେ ହାତ ଦେଇ ଟୋକାଟା ତାକୁ ବକ୍ ବକ୍ କରି ଅନେଇଛି, ନିଶ୍ଚୟ । ମୁଣ୍ଡରେ କ’ଣ ପାଇଁ ପଟି ବାନ୍ଧିଛି କେଜାଣି ? ମାଡ଼ ଖାଇଥିବ, ଖାଉ । ତା’ର କି ଯାଏ ଆସେ ?

 

“ଏଇ ନନା ! ଭାରି ତ ମରଦପଣିଆ ଦେଖାଉଛ ? କିହୋ ମୁଁ ତମର କ’ଣ କି ତମେ କହିବ ମୁଁ ସହିନେବି...ହେଇଟି ମତେ ଅନା ! ମୋ ମୁଣ୍ଡରେ ପଟିଟା ବନ୍ଧା ହେବାର ଦେଖି ତମର ସାହସ ଆସି ଯାଇଛି ନାଁ ? ଭାବିଲ ରଙ୍କିଆଟା ଆଉ କଣ କରି ପାରିବ ? ଯାହା କହିଛ ସେତିକି କହ...ମୋତେ ଖାଇବାକୁ ପିଇବାକୁ ଦେଇଛ ବୋଲି କାହିଁକି ଏତେ କହୁଛ ମ’ ? ଦିନକୁ ଦଶଥର ହିସାବ କରୁଛି, କହିବଟି ତମର କେତେ ଟଙ୍କା ? ରାତିର ଶୋଇବା ଘରଭଡ଼ା ଆଉ ଦି’ଥର ମତେ ଔଷଧ ଆଣି ଦେଇଥିଲ । ପ୍ୟାଣ୍ଟ ଜାମା ଦେଇଥିଲ । ଜାଗର ମେଳାକୁ ବସରେ ନେଇଥିଲ, ସେ ପଇସା ସବୁ ମିଶେଇ କହିବ । ଏକାଥରକେ ଛିଣ୍ତେଇ ଦେବି, ତା’ଠୁ ପାଞ୍ଚ ଟଙ୍କା ଅଧିକା ଦେବି । ପାଞ୍ଚ ମିନିଟ୍ ଭିତରେ କୁହ !”

 

ଡିଆସିଲିଟା ସଦେଇ ମୁଣ୍ଡତଳୁ ଟାଣି ନେଇ ବିଡ଼ିରେ ନିଆଁ ଧରେଇ ବସିପଡ଼ିଲା । ଟୋକାଟା—ଏଥର ଦେହକୁ ଲାଗିକରି ନୁହେଁ । ଦି’ହାତ ଦୂରରେ ।

 

ନିଆଁ ଲାଗିଯାଉଛି ସଦେଇ ଦେହରେ । କେଡ଼େ ତାକତ ଟୋକାଟାର ହୋ ! ମାଗତା ଟୋକାଟା ମଣିଷ କଲାରୁ କେଡ଼େ ବଡ଼େଇ କରୁଛି । ବାପ, ମା’ର ଠିକଣା ନାହିଁ, କି ଜାତି ବୋଲି କି ଜାତି...ସାଙ୍ଗରେ ବସେଇ ବେଳେ ବେଳେ ଖୋଇଛି ସଦେଇ ତା’କୁ ! କି ଗୋଟାଏ କଟ୍‍କଟିଆ ବିଡ଼ି ଯେ ଗନ୍ଧରେ ନାକ ଫଟେଇ ଦେଉଛି !

 

‘‘କିହୋ ନନା ! କହୁନା କାହିଁକି ମ’ ? ଶୀଘ୍ର କୁହ । ମୋର ଗାଡ଼ି ବେଳ ହୋଇଗଲାଣି-। କଲିକତା ଯିବାକୁ ଆଉ ଘଣ୍ଟାଏ ସମୟ ରହିଲା ମୋ ହାତରେ !’’

 

ସଦେଇ ଚମକି ପଡ଼ିଲା । ଏଇ କଲିକତା ଯିବ ବୋଲି ତା'ହେଲେ ଟୋକାଟା ତିନିଦିନ ହେଲା ଏଣେ ତେଣେ ବୁଲୁଛି । ସଦେଇ ଭାବୁଛି ରାଗିକରି ପଦେ କହିଦେଲାରୁ ସେଦିନ ଟୋକାଟା ଗୁମାନ କରି ମୁହଁ ଦେଖଉନି !

 

“କିହୋ ନନା ! ପାଟିରେ ବେଙ୍ଗ କାହିଁକି ପଶିଗଲା ମ’ ? କହୁନ କେତେ ଟଙ୍କା ? କହିବନି ତ ? ହେଲେ ପରେ ମତେ ଆଉ କିଛି କହିବନି, ମୁଁ ଚାଲିଲି । ଏ ପୁଡ଼ା ଏଇଠି ରହିଲା...-।”

 

ସଦେଇ ରାଗରେ ଉଠିପଡ଼ି କହିଲା—

 

“କିରେ ? ରାଣ୍ଡୀ ମାଇକିନା ମୋତେ ପାଇଲୁ କି ? ଅଇଁଠାଚଟା ମତେ ଛୁଉଁନା କହୁଛି-! ଟଙ୍କା ତୋ' ବୋପା ଦେଖିଥିଲା ନାଁ ତୁ ମତେ ଦେଖଉଛୁ ?’’

 

“ଖବରଦାର୍ ! ମୋ ବୋପା ନା ଧରନା ବୁଢ଼ା ! ତୋ ହାଡ଼ ଗୁଣ୍ଡ କରିଦେବି ! କୁତା ! ତୋ ପାଖରେ ବାରଣ୍ଡାରେ ଟିକେ ଶୁଏ ବୋଲି କେତେ ଧମକଉଛୁ ? ନେ ଧର ଏ ଟଙ୍କା...ନେ ତୋ ଜାମା ପ୍ୟାଣ୍ଟ୍ ! ବୁଢ଼ାଟା ବୋଲି ଛାଡ଼ିଦେଲି, ନ ହେଲେ ଦେଖିଥାନ୍ତୁ !”

 

ସଦେଇ ତା’ ବେକରେ ଗୋଟେ ତଣ୍ଟିଆ ମାରି କହିଲା—

 

‘‘ଯାଆ, ଗଲୁ ନିମକହରାମ୍, କୁଳାଙ୍ଗାର ! ମୁଁ ତତେ ସୁଧ ବି ହେବି ନାହିଁରେ । ଆଜିଠୁ ତୁ ମଲୁ ମୋ ଲେଖାରେ, ଯାଆ ! ନ ହେଲେ ପଦକୁ ଡାକିବି...।”

 

କିଛି ଆଉ କହି ପାରିଲାନି ରଙ୍କ । ସଦେଇ ତା’ ବେକରେ ତଣ୍ଟିଆ ଦେଇ ପେଲି ଦେଲା-। ସେ ବି ଧକ୍‍କାଟାଏ ପକେଇ ଗାଳି ଦେଇ ଦେଇ ଦଉଡ଼ି ପଳେଇଲା ରାସ୍ତାକୁ !

 

ଶେଷ ରାତିରେ ଜହ୍ନ ଢଳି ପଡ଼ିଲେଣି ନଈପଠାକୁ । କୋଉଠୁ ଅଣ୍ଡିରା ବିଲୁଆଟାଏ ଭୁକି ଉଠିଲା । ସଦେଇ ନନା ଛେପ ପକେଇଲା ଛାତିରେ । ଅଜାଣତରେ ହାତ ଦି’ଟା ମୁଣ୍ଡକୁ ଉଠିଗଲା ।

 

ବାରଣ୍ଡାରେ ମଶା ବି କିଛି କମ୍ ନୁହେଁ । ନାହିଁ, ଆଉ ଶୋଇ ହେବ ନାହିଁ । ତିନିବର୍ଷ ହେଲା ବହୁ ଗ୍ରାସିଥିଲା ତା’କୁ । ରାହୁ ଖସିଲା ଆଜି । ନଈରେ ପାହାନ୍ତି ପହରୁ ଗାଧେଇ କାଳି ଟିକିଏ ଦର୍ଶନ କରି ଆସିଲେ ଭଲ । ଦୁର୍ଯ୍ୟୋଗ କ’ଣ ଆଉ ଗଛରେ ଫଳେ କି ?

 

ପଇତାକୁ ଧରି ମନ୍ତ୍ର ପଢ଼ି ନଈରେ ଡୁବଟା ପକେଇଛି କି ନାହିଁ ସଦେଇ, ଟ୍ରେନ୍‍ର ହୁଇସିଲ ଶବ୍ଦ ଯେମିତି କାନ ଭିତରେ ଆସି ବାଜିଲା । କୋଉଠି କି ଯିବ ଯାଉ... ।

 

ବାରଣ୍ତା ଉପରେ ପୁଟୁଳାଟା ପଡ଼ିଛି । ଏଁ...ସତକୁ ସତ କ’ଣ ଟୋକାଟା ପକେଇ ଦେଇଗଲା ? ମଇଳା ଜାମାଟା ଭିତରେ ଛୋଟ ମନିପର୍ଶରେ ପନ୍ଦର ଟଙ୍କା ଆଉ କେତୋଟି ଖୁଚୁରା ପଇସା । ବର୍ଷକର ରୋଜଗାର...ଆଉ ଇଏ କ'ଣ ? ଜାଗର ମେଳାରେ ଦେଇଥିବା ପ୍ୟାଣ୍ଟ୍-। ବେଲୁନ୍ ରଙ୍ଗ ବାକ୍‍ସ ଜାମା ସବୁ ସେମିତି ଅଛି । ଗୋଟାଏ ଜରି କାଗଜରେ ଚେନାଚୁର ପୁଡ଼ିଆଟା ବନ୍ଧା ହୋଇ ରହିଛି । ଏଇ ଆଠଦିନ ତଳେ କିଣି ଦେଇଥିଲା ତା’କୁ—ୟାକୁ ଖାଇବାକୁ ଟୋକାଟାର ମନ ବହୁତ ।

 

ସଦେଇର ହଠାତ୍ ଛାତି ଭିତରଟା ମନ୍ଥି ହୋଇଗଲା । ଏଡ଼େ ଟିକେ ଚଉଦ ପନ୍ଦର ବର୍ଷର ପିଲା ହେବ କି ନାହିଁ; କଥା କହୁଛି ସାତ ଭାଇ ଭଗାରୀ ପରି । ଗଲା ଯେ ଗଲା କିଛି ନାହିଁ–ମୁହଁରେ ଛେପ ପକେଇ ଦେଇ ଗଲା ପରି ଏଗୁଡ଼ା ପକେଇ ଦେଲା ! ଏଣିକି ତେଣିକି ଅନେଇଲା ସଦେଇ । ସୂର୍ଯ୍ୟ ଉଠିବ କେଜାଣି କେତେବେଳେ ? କଲିକତାକୁ ଗାଡ଼ି ସକାଳେ ଗୋଟାଏ, ସନ୍ଧ୍ୟାରେ ଗୋଟାଏ । ଯିବ, ଯିବ ସଦେଇ ଦେଖିବ ଟୋକାଏ ଚାତର... । ଷ୍ଟେସନ ଏଇଠୁ ପାଏ ବାଟ, ଏକ ନିଃଶ୍ଵାସକେ ଦଉଡ଼ିଯିବ, ଦେଖିବ ଟୋକାର ସାହସ କେତେ, ଗୁମାନ କେତେ !

 

ଦଉଡ଼ିଲା ପରି ଷ୍ଟେସନ ପାଖରେ ପହଞ୍ଚିଲା ସଦେଇ । ଏଣିକି ତେଣିକି ଚାହୁଁଥାଏ । ଚାହୁଁ, ଚାହୁଁ କଲିକତା ଗାଡ଼ି ଆସିଗଲା । ଆଉ ଚାହୁଁ ଚାହୁଁ ଧୋବ ଧାବଳିଆ ଦି’ଜଣ ଲୋକଙ୍କ ସଙ୍ଗରେ ହାତଧରି, ମୁଣ୍ଡରେ ପଟି ବାନ୍ଧି, ନୂଆ ଜାମା ପ୍ୟାଣ୍ଟ ଆଉ ଜୋତା ପିନ୍ଧି ଗୋଟାଏ ଡବା ଭିତରକୁ ପଶିଗଲା ରଙ୍କିଆ । କୋଉଠି ଥିଲା ଛପିକରି କେଜାଣି... । କ’ଣ କରିବ ସଦେଇ ? ତଣ୍ଟି, ମୁଣ୍ଡ ଶୁଖିଯାଉଛି । ଏ ଗାଡ଼ି ତ ଦି’ ମିନିଟ୍‌ରେ ଛାଡ଼ି ଦେବ । ଟୋକାଟା ଏମିତି ମାଡ଼ ଦେଇ ଚାଲିଯିବ ତା’କୁ ! ପୁଣି କଣେଇ କଣେଇ ଅନଉଛି ତାକୁ ! ବାବୁ ଡର ଦେଖଉଛି । କୋଉଠିଥିଲେ ଏ ବବୁ ସବୁ ଯୋଉଦିନ ମେଘ ପାଣିରେ ଦାଣ୍ଡ ବାରଣ୍ତାରେ ପଡ଼ିଥିଲା... ! ନାହିଁ...ହବନି... । ହେଇ ତ ସାମ୍ନାରେ ରେଳବାଇ ପୋଲିସ ! ବାଡ଼ି ଠକ୍ ଠକ୍ କରି ଆସୁଛି । କହିବ ସେ ପିଲାଚୋର ତା’କୁ ଧର ନେଇ ଯାଉଛନ୍ତି । ଟୋକାଟା କ’ଣ ମନା କରିବ ?

 

“ବାବୁ ! ବାବୁ ! ରକ୍ଷାକର ବାବୁ ! ମୋ ପୁଅଟାକୁ ବାବୁ ଦି’ଜଣ ଲୁଚେଇ ଏ ଡବାରେ ନେଇ ଯାଉଛନ୍ତି । ମୋରି ପୁଅ ବାବୁ...ମୋ ରକତ, ମୋରି ମାଂସ । ଗରିବ ଲୋକ ବାବୁ !”

 

ଚହଳ ପଡ଼ିଗଲା ପ୍ଲାଟ୍‍ଫର୍ମରେ । ପୁଲିସଙ୍କର ବଡ଼ବାବୁ, ଟିକେଟ୍ ବାବୁ ସମସ୍ତେ ଧାଇଁ ଆସିଲେଣି । ସଦେଇର ଦେହ ଗୋଟା ଛାଏଁ ଥରୁଛି । ଆଖିରୁ ପାଣି ଧାର ଧାର ବୋହି ଯାଉଛି । ଏଣେ ତଣ୍ଟି ମୁଣ୍ଡ ଶୁଖି ଅଠା ହୋଇଯାଉଛି । ଛାତିରେ ହାତ ବାଡ଼େଇ ସେ କ’ଣ କହୁଥିଲା କାହା ପାଖରେ ବୁଝିବା ସମ୍ଭବ ନ ଥିଲା !

 

ଡବା ଭିତରେ ପାଟି ତୁଣ୍ଡ । ଗାଡ଼ି ଅଟକିଲାଣି ! ହଠାତ୍ ଦି’ଜଣ ବାବୁଙ୍କ ଭିତରୁ ଜଣେ ପୁଲିସକୁ କହିଲେ—

 

“ତା’ର ପୁଅ ବୋଲି ସେ ପ୍ରମାଣ ଦେଉ । ଲୋକଟା ମିଛ କହୁଛି । ପିଲା ଯେତେବେଳେ କହୁଛି ସେ ତା’କୁ ଚିହ୍ନେ ବି ନାହଁ...।”

 

କ’ଣ ହେଲା ରଙ୍କିଆ ଏ କଥା କହୁଛି ! ପୋଲିସକୁ ପଛଆଡ଼ୁ ଧରି ପକାଇ ଭୋ ଭୋ କାନ୍ଦି–ସଦେଇ କହିଲା—‘‘ବାବୁ ! ମିଛକଥା ନୁହଁ । ମୋ ପୁଅ ସିଏ । ପିଲାଟାର ମନ ଟିକେ ବିଗିଡ଼ିଛି ବୋଲି ଟିକେ ରାଗିଯାଇ କହି ଦେଉଛି । ଏମାନେ ତା’କୁ ଶିଖେଇ ନେଇ ଯାଉଛନ୍ତି ! ତା’କୁ ପଚାର ବାବୁ, ଭଲ କରି ପଚାର ସେ କହିବ ।”

 

ରଙ୍କନିଧି କୋଉ କୋଣରେ ବସିଛି ଦେଖାଯାଉ ନାହିଁ ସଦେଇକୁ । ଲୋକ କ'ଣ ବାଟ ଛାଡ଼ୁଛନ୍ତି କି ? ଏତିକିବେଳେ ରଙ୍କନିଧିର ପାଟି ଶୁଭିଲା—

 

“ମୁଁ କାହାପୁଅ ନୁହେଁ । ସେ ବୁଢ଼ା ମୋର କେହି ନୁହଁ । ତା’ ଟଙ୍କା ପଇସା, ଜାମା ପ୍ୟାଣ୍ଟ ସବୁ ମୁଁ ଦେଇ ଦେଇଛି... ।”

 

ସଦେଇ ଅସହାୟ ହୋଇ କହିଲା—

 

“ଖାଲି କ’ଣ ଦେଇ ଦେଲେ ହୋଇଗଲା ବାବୁ ? ଜାମା ପ୍ୟାଣ୍ଟ ଟଙ୍କା ଦେଇ ଦେଲେ ସବୁ ସମ୍ପର୍କ...ଛିଡ଼ିଗଲା ? ସେ ପରା ମୋର, ସେ ପରା ମୋର ପୁଅର ପୁଅଠୁ ବଳି । ପଦେ କଥାରେ ରାଗି ଯାଇଛି ! ଆଉ ଏମାନେ...ହଁ, ହଁ ପିଲାଚୋର ଏମାନେ !”

 

ସବୁଆଡ଼େ ହୁଲସ୍ତୁଲ । ପିଲାଚୋର, ପିଲାଚୋର ବୋଲି ଚହଳ । ସେ ଦୁଇ ବାବୁଙ୍କ ଭିତରୁ ଜଣେ ବାହାରି ପଡ଼ି କହିଲା—

 

“ହଉ ଚାଲ, ଚାଲ । ଥାନାକୁ ଚାଲ—ପ୍ରମାଣ ହେଉ ସେ କାହାପୁଅ । ଡାକ୍ତର ପରୀକ୍ଷା କରୁ ରକ୍ତ । ଯଦି ମିଛ ହୁଏ ବୁଢ଼ାକୁ ମୁଁ ଏମିତି ମଜା ଚଖେଇବି ଯେ ଜୀବନସାରା ଭୁଲିବନି । ଚାଲ...ସମସ୍ତେ ଚାଲ !”

 

ସଦେଇ ଦେହରେ ବିଜୁଳି ନିଆଁପରି କ’ଣ ଗୋଟିଏ ଖେଳିଗଲା । ତା’କୁ ଚାରିଆଡ଼େ ଅନ୍ଧାର ଦିଶିଗଲା । ସବୁ ବୁଦ୍ଧି ବଣା ହୋଇଗଲା । ଲୁହ ଝାଳରେ ସେ ହାଉ, ହାଉ କରି କାନ୍ଦି ପକେଇ ରଙ୍କନିଧିକୁ କୋଳକୁ ଆଉଜାଇ ଧରି କହିଲା—

 

“କ’ଣ କହିଲ ବାବୁ ! ଡାକ୍ତରୀ ପରୀକ୍ଷା କରିବ ରକ୍ତ ! ନାହିଁ, ନାହିଁ ମୋର ସେ ପ୍ରମାଣ ଦରକାର ନାହିଁ । ମୁଁ ତା’କୁ ଛାତିରେ ଧରିଛି...ମୋ ଛାତିର ଦୁକିଦୁକି ତା’ ଛାତିର ଶବ୍ଦ ଶୁଣୁଛି । ସେହି କହୁ ଏଥର ମୋ ମୁହଁକୁ, ମୋ ଆଖିକୁ ଅନାଇ ସେ ମୋ ପୁଅ କି ନାହିଁ । ଏଇଥର କହୁ, ନାହିଁ କରି ଦେଉ, ମୁଁ ଜୋରିମନା ଯାହା କହିବ ତାହା ଦେବି ! ତମ ଘରେ ଗୋତି ଖଟିବି...।”

 

ସମସ୍ତେ ଚୁପ୍ । ରଙ୍କନିଧି ମୁହଁ ପୋତି ଦେଇଛି । ସଦେଇ ପାଟି କରୁଛି, କାନ୍ଦୁଛି ।

 

କିଏ ଜଣେ ଦେଖଣାହାରୀ କହିଲା—

 

“କିରେ ଟୋକା ! କହୁନୁ, କହ ! ଏତେ ତ ପାଟି କରୁଥିଲୁ, ଏବେ କହୁନୁ ତୁ ସେ ବୁଢ଼ାର ପୁଅ କି ନାହିଁ ? ମୁହଁ ପୋତିଛୁ କାହିଁକି ?”

 

ଆଉ ଜଣେ କହିଲା—

 

“ପୁଅ ଜନ୍ମ କଲେ ଦୋଷ, ନ କଲେ ଦୋଷ ! ଆଜିକାଲି କିଏ କାହାର ହୋ !”

 

ପୁଲିସ୍ ଅଫିସରଟି ଗର୍ଜି ଉଠିଲା—

 

“ଚାଲ ସବୁ ଥାନାକୁ, ଚାଲ । ଏଠି ମାମଲା ତୁଟିବ ନାହିଁ ।”

 

ହଠାତ୍ ରଙ୍କନିଧି କହିଲା—

 

“ଦିନେ ତ ଘରେ ମୋତେ ଆଦର କରିବନି । ଭଲରେ ପଦେ କଥା କହିବନି । ସବୁବେଳେ ଦୁର୍ ଦୁର୍‍ କରିବ, ଟିକେ ଡେରି ହେଲେ କହିବ ମୁହଁ ଚାହିଁବନି । ଆଉ ଆଜି ଏମିତି କାନ୍ଦି ପକେଇଲେ ମୁଁ କ’ଣ ଭୁଲିଯିବି ? କୋଉ ବାପା କାହା ଘରେ ତା’ ପୁଅକୁ ଏମିତି କଥା କହୁଛି ପଚାରିଲ ? କଥା କଥାକେ ଟଙ୍କାପଇସାର ହିସାବ, ପୋଷି ପାରିବନି ବୋଲି ଧମକ ଦେବ । ଏଠି ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ପଚାର...ମୋ ବାପ ପରି ବାପ କେହି ନ ଥିବେ ।”

 

ପଛ ବେଳକୁ ରଙ୍କନିଧିର ତଣ୍ଟି ଅଠା ହୋଇ ଯାଇଥିଲା । ଆଖିରେ ଲୁହ ଜମି ଆସୁଥିଲା । ...ଓଠ ଥରି ଉଠୁଥିଲା । ଆଉ ଖୁବ୍ ଜୋରରେ ଛାତି ଦେହ କମ୍ପି ଯାଉଥିଲା ସଦେଇର ଦୁଇ ବାହୁ ବେଷ୍ଟନୀ ଭିତରେ ! ଆଉ ସଦେଇ ତା’ ମୁହଁ ଆଉ ଛାତିକୁ ଛୋଟ ପିଲାକୁ ଗେଲ କଲା ପରି ଗେଲ କରି ଚାଲିଥିଲା ସମସ୍ତିଙ୍କ ସାମ୍ନାରେ । ଛି, ଛିଃ କି ଲଜ୍ଜାର କଥା । ତଥାପି କିଛି କହି କାନ୍ଦିବାଠାରୁ ଚୁପ୍ ରହଯିବା ମନ୍ଦ ନୁହେଁ—ନିଜକୁ ରଙ୍କିଆ କୋଉ ଦିଗରୁ ସମ୍ଭାଳି ପାରୁ ନ ଥିଲା । ଲଜ୍ଜ୍ୟାରେ କୁଆଡ଼େ ଅନେଇବା ଅପେକ୍ଷା ସଦେଇର ଛାତିରେ ମୁହଁ ଗୁଞ୍ଜି ଦେବା ବରଂ ଭଲ !!!

Image

 

ମାୟା

 

ସବୁଦିନେ ଏମିତି ଟିକେ ନାକ କାନ୍ଦୁରୀ ପଦ୍ମାବତୀ । ନାକଟାକୁ ଲୁଗା କାନିରେ ଚଟ୍ କରି ପୋଛି ପକାନ୍ତି । ଆଖି ଦୁଇଟାକୁ ବେଳେ ବେଳେ ରଗଡ଼ି ଦିଅନ୍ତି । ମାତ୍ର ସେ କ୍ଷଣିକ । ସବୁ ଅଭିଯୋଗର ଖସଡ଼ା ଦିନରେ ଦଶ ଥର ଉପସ୍ଥାପିତ ହୋଇଥାଏ । ଏ ତ କିଛି ନୂଆ କଥା ନୁହେଁ ଆଦିତ୍ୟଙ୍କ ପାଇଁ । ବରଂ ଦିନେ ଅଧେ ବ୍ୟତିକ୍ରମ ହେଲେ କିପରି ଅଡ଼ୁଆ ଅଡ଼ୁଆ ଲାଗେ । ମାତ୍ର ଆଜି ଅଭିନବ ଘଟଣା—ପଦ୍ମାବତୀ ରୁଷି ଗଲେ । ନ ଖାଇ, ନ ଗାଧୋଇ ଦେହ ଖରାପର ଆଳରେ ସେ ବିଛଣା ଧରିଲେ । ସମସ୍ତେ ଦେହରେ ହାତ ଦେଇ ତାପ ମାପିଗଲେ । ଶୀତଳ ଥଣ୍ଡା-। ପାଇଖାନା ଘରକୁ କେତେବାର ଯିବାର ଖବରରୁ ଜଣାପଡ଼ିଲା ଯେ ତାହା ମଧ୍ୟ ପ୍ରମାଦ ଶୂନ୍ୟ-। ଏପରିକି ସେ କଥାବାର୍ତ୍ତା ମଧ୍ୟ କଲେ ନାହିଁ ।

 

ଅତଏବ ପିଲାମାନେ ଚୁପ୍‍ଚାପ ପଢ଼ିବାକୁ ବାଧ୍ୟ । ସାନ ଝିଅ ମୁକ୍ତା ବସି ସିଲେଇ କରୁଛି । ରୋଷାଇ ଘରେ ପୁଝାରୀ ଗୀତ ଗୁଣୁଗୁଣୁ କରୁଛି । ସବୁ ସ୍ଵାଭାବିକତା ଭିତରେ ପଦ୍ମାବତୀ ହିଁ ଏକମାତ୍ର ଅସ୍ୱାଭାବିକ ।

 

କଥା କିଛି ନାହିଁ । ବଡ଼ ପୁଅ ସୁକାନ୍ତ ଦୁଇ ବର୍ଷ ହେଲା ଏମ୍. ଏ. ପାଶ୍ କରି ବସିଛି । ତା’ର ଚାକିରି ହେଉ ନାହିଁ । ବଡ଼ ଝିଅ ରତ୍ନା ବି.ଏ. ପରୀକ୍ଷା ଦେବାକୁ ବସିଲାଣି—ଅଥଚ ତା’ ପାଇଁ ପାତ୍ରଟିଏ ଯୋଗାଡ଼ ହେଲା ନାହିଁ । ମାସରେ ଆଦିତ୍ୟଙ୍କ ଦରମାରେ ପନ୍ଦର ଦିନ ଚଳିବାର କଥା ନୁହେଁ ଅଥଚ କହି କହି ସେ ଅନ୍ୟ କିଛି ବିଜିନେସ୍ କି ନିହାତି କମରେ ଟିଉସନ୍‍ଟାଏ ବି କରୁନାହାନ୍ତି । କେତେ ଲୋକ ତାଙ୍କ ତଳେ କାମ କରି ପ୍ରମୋସନ ପାଇ ଯାଇଛନ୍ତି, ଘର କୋଠାବାଡ଼ି କିଣି ମଉଜ ମଜଲିସରେ କାଳ କାଟୁଛନ୍ତି, ସେଗୁଡ଼ାକ ପ୍ରତି ଆଦିତ୍ୟଙ୍କ ନଜର ବିଲ୍‍କୁଲ୍ ନାହିଁ । ଏମିତି କି ଜମି ଖଣ୍ଡିଏ କିଣିବା ପାଇଁ ଦରଖାସ୍ତଟିଏ ବି ସେ ପଠାଉ ନାହାନ୍ତି । କଲା ଭିତରେ ଏତିକି କରୁଛନ୍ତି ବେଳା, ଅବେଳା ଗୁଡ଼ିଏ ସାଙ୍ଗ ସାଥୀ ଧରି ଘରକୁ ଖାଇବାକୁ ନେଇ ଆସୁଛନ୍ତି । କଥା ନାହିଁ, ବାର୍ତ୍ତା ନାହିଁ ଆଣ ଖାଇବାକୁ, ଭାତ ବାଢ଼, ଗାଁରୁ ଲୋକ ଆସିଲେ ଖାଇବାକୁ ଦିଅ, ଥାଉ ନ ଥାଉ ବନ୍ଧାଛନ୍ଦା ପଡ଼ି ଘରକୁ ଯିବାକୁ ଖର୍ଚ୍ଚ ଦିଅ । ପଦ୍ମାବତୀ ସବୁରି ଆଗରେ ଅପଦସ୍ଥ ହେବେ । ଆଉ ଭଲେଇ ହେବେ ଆଦିତ୍ୟ । ଧିକ୍ ତାଙ୍କର ପଚିଶ ବର୍ଷର ଘରକରଣା...-

 

ସକାଳେ ଗାଁର ଧୋବାଟା କେଉଁଠି ଥିଲା, କେଜାଣି ଆସି ପହଞ୍ଚିଲା । ଆଦିତ୍ୟଙ୍କର ସମବୟସ୍କ । ପିଲାଦିନେ ତାଙ୍କ ଜାମାପଟା ସଫା କରି ଦେଉଥିଲା—ଇସ୍ତ୍ରୀ ନ ହେଲେ, ସେ ସାର୍ଟ ପିନ୍ଧୁ ନ ଥିଲେ । ଏପରି ଉପକାରୀ ଲୋକଟାକୁ ସେ ଦୁଇଟା ଟଙ୍କା ତା’ର ରୋଗଣା ପୁଅ ପାଇଁ ଫଳ କିଣି ନେବାକୁ ଦେଇ ପଠାଇ ଦେଇଥିଲେ । କ’ଣ ବା ଦି’ଟା ଟଙ୍କାର ମୁଲ୍ୟ ? ଏଥିରେ ଭାବିବାର କିଛି ନାହିଁ । ସେତିକିବେଳୁ ପଦ୍ମାବତୀ ଗୁମ୍ ହୋଇ ରହିଛନ୍ତି ଯେ ରହିଛନ୍ତି...ଛିଃ, ଛିଃ ।

 

କଥାଟା ଅଟକିଛି ସୁକାନ୍ତର ଚାକିରି, ରତ୍ନାର ବରପାତ୍ର, ଆଉ ଜମି କିଣି ଘର ତିଆରି କରିବାଠାରେ । ଅସମ୍ଭବ ! ଏ ତିନୋଟି କାର୍ଯ୍ୟ ଆଦିତ୍ୟ କେବେ ହେଁ କରିପାରିବେ ନାହିଁ । ଚାକିରି ତ ନାହିଁ—ସେଥିପାଇଁ ପୁଣି ଘୁଷ୍ ଦରକାର । ବରପାତ୍ର ପାଇଁ ଯୌତୁକ—ନାନା ଜିନିଷର ବରାଦ । ଆଉ ଜମି ? କିଣିବା ପାଇଁ ଟଙ୍କା ନାହିଁ କି ଋଣ ପାଇଁ ଚାକିରିର ମିଆଦ ଆଉ ନାହିଁ । ଏତେ ଦିନ ପରେ ମଧ୍ୟ ପଦ୍ମାବତୀ ବୁଝିପାରୁ ନାହାନ୍ତି । ସେଥିରେ ଫେର୍ ଏତେ ବଡ଼ ବଡ଼ ପୁଅ । ଝିଅଙ୍କୁ ନେଇ ଘର କରି ରୁଷି ଖୋସାମତ୍ ଲୋଡ଼ିବାଟା କି ହାସ୍ୟାସ୍ପଦ କଥା । କ’ଣ ଏବେ କରାଯିବ ?

 

ଆଦିତ୍ୟ ଏଣିକି ତେଣିକି ଚାହିଁଲେ । ସୁକାନ୍ତ ଏବେ ସାଇକେଲଟା ଧରି ଚାଲିଗଲା ବାହାରକୁ । ରତ୍ନା ପରୀକ୍ଷା ପାଇଁ ଚୁପ୍‍ଚାପ ପଢ଼ୁଛି । ସାନ ଦୁଇଟା ମାଷ୍ଟ୍ରଙ୍କ ପାଖେ ବସିଛନ୍ତି । କେବଳ ମୁକ୍ତାଟା ଏପଟ ସେପଟ ବୁଲୁଛି ।

 

ଆଦିତ୍ୟ ଚୁପ୍‍ଚାପ ଯାଇ ପଦ୍ମାବତୀଙ୍କ ପାଖରେ ଠିଆ ହେଲେ । ପଦ୍ମାବତୀ କାନ୍ଥକୁ ମୁହଁ ବୁଲାଇ ଶୋଇଲେ । ଉପାୟ କ’ଣ ? ସ୍ତ୍ରୀକୁ କେମିତି ବୁଝାଇ ମାନଭଞ୍ଜନ କରିବାକୁ ହୁଏ, ସେ କଥା ଚିନ୍ତା କରିବାକୁ ଲାଗିଲେ ଆଦିତ୍ୟ । ପ୍ରଥମ ବିବାହ ସମୟରେ ପଦ୍ମାବତୀ କେବେ ମୁହଁ ଫୁଲାଇ ରୁଷି ଶୋଇଲା ଭଳି ତାଙ୍କର ମନେ ପଡ଼ିନାହିଁ । ପଢ଼ିଥିବା ବହିରୁ ସେ କିଛି ସ୍ମରଣ କରିବାକୁ ଚେଷ୍ଟା କଲେ, ହେଲେ କିଛି ତ ମନେ ପଡ଼ୁନାହିଁ । ଆଉ ଛ' ମାସ ପରେ ଯେଉଁ ଲୋକ ରିଟାୟାର କରିବ, ସେ ଲୋକର ହଠାତ୍ କରି ପୁର୍ନଯୌବନ ପ୍ରାପ୍ତି ନ ହେଲେ, ଏ ସମସ୍ୟାର ସମାଧାନ ହେବାର କିଛି ଉପାୟ ଦିଶୁନାହିଁ ।

 

ଆଦିତ୍ୟଙ୍କୁ ଭୀଷଣ ହସ ମାଡ଼ୁଥିଲା । କ'ଣ କହି, କି ଭାଷାରେ ସେ ପଦ୍ମାବତୀଙ୍କୁ ବୁଝାଇବେ ?

 

ହଠାତ୍ ପଦ୍ମାବତୀ ବିଛଣାରେ ଧଡ଼ପଡ଼ କରି ଉଠି ବସିଲେ, ଆଉ ଏଣିକି ତେଣିକି ଚାହିଁ ପଚାରିଲେ—“କାହିଁକି ଏଠି ବସିଛ ?” କ’ଣ ହୋଇଛି କି ତମର ? ଟେନିସ୍ ଖେଳିବାକୁ ସାଙ୍ଗ ସାଥି ଡାକି ଆସି ନାହାନ୍ତି କି ? ଆଦିତ୍ୟ ଏ ପ୍ରଶ୍ନର ଉତ୍ତର କ’ଣ ଦେବେ, ତାହା ନିଜେ ଜାଣି ପାରୁ ନ ଥିଲେ । କାହିଁକି ନା ଆଗରୁ ଅନେକ ଥର ଘରେ ମାରାତ୍ମକ ଭାବରେ କେହି ବେମାର ଥିଲା ବେଳେ, କିମ୍ବା କୁଣିଆ, ମୈତ୍ର ଭରପୁର ଥାଇ କିଛି କାର୍ଯ୍ୟରେ ସମସ୍ତେ ବ୍ୟସ୍ତ ଥିବା ବେଳେ, ଆଦିତ୍ୟ ଟେନିସ୍ ଖେଳିବାକୁ ଚୁପ୍ କରି ଚାଲିଯାନ୍ତି ।

 

ଆଜି ସେପରି ଘଟଣା କିଛି ନାହିଁ । ଅଥଚ, ଆଦିତ୍ୟ ଚୁପ୍‍ଚାପ୍ ଘରେ ବସିଛନ୍ତି, ମୁହଁ ଶୁଖାଇ । ସେତିକି ନୁହେଁ, ପଦ୍ମାବତୀଙ୍କ ବିଛଣାରେ... । ସନ୍ଧ୍ୟାର ପ୍ରଥମ ପ୍ରହରରେ ।

 

ପଦ୍ମାବତୀଙ୍କ ପ୍ରଶ୍ନଟା ଏଡ଼ାଇ ଯିବାର କିଛି ଉପାୟ ନାହିଁ । ହତମ୍ଭଭ ହୋଇ ଆଦିତ୍ୟ କହିଲେ—“ବୁଝିଲ ପଦ୍ମା । କଥା କ’ଣ କି ଅଫିସରେ ସରୋଜ ବାବୁ ମତେ କହିଲେ, ତାଙ୍କର ପଛରେ, ଯେଉଁ ଜମି ଖଣ୍ଡିକ କିଣିଥିଲେ ସେ ଖଣ୍ଡିକ ବିକି ଦେବେ । ତମେ ତ କହୁଥିଲ ତା’ର ସାଇଟ୍ ଭଲ, ଆମ୍ବ ଗଛ ଦି, ଚାରିଟା ବି ଅଛି ।”

 

ପଦ୍ମାବତୀ ମୁରୁକି ହସିଲେ । ସେ ଜମିର ମୂଲ୍ୟ ଅତି କମରେ କୋଡ଼ିଏ ହଜାରରୁ କମ୍ ହେବ ନାହିଁ । ଆଦିତ୍ୟ ଟିକିଏ ନରଭସ ହୋଇଗଲେ । ପଦ୍ମାବତୀ କିଛି କହୁ ନାହାନ୍ତି ଯେ !

 

“ହଁ...ଭୁଲି ତ ଯାଇଥିଲି । ସୁକାନ୍ତର କମ୍ପାନୀ ଚାକିରିଟା ହୋଇଯିବ । ଆଜି ଦିଲ୍ଲୀରୁ ଫୋନ୍ କରିଥିଲା ତା’ର ମ୍ୟାନେଜର । ଗଲେ ତ ସପ୍ତାହ ଭିତରେ ସବୁ ସଜାଡ଼ି ପ୍ରସ୍ତୁତ ହେବାକୁ ହେବ ! ମୁଁ ଆଜି ସେଥିପାଇଁ ପ୍ରୋଭିଡ଼େଣ୍ଟ ଫଣ୍ଡକୁ ଲୋନ୍ ପାଇଁ ଦରଖାସ୍ତଟାଏ ବି ପକେଇ ଦେଇଛି । ସୁକାନ୍ତ ଗଲେ ସେ ଆଡ଼େ ରିନି ପାଇଁ ପାତ୍ରଟାଏ ଅଭାବ ହେବନାହିଁ ପାଇବାକୁ । ଅବଶ୍ୟ, ଅଗାଧୁ କହୁଥିଲା, ପି. ଏଚ୍‍. ଡି କରିଥିବା ଜଣେ ବଟାନୀ ଅଧ୍ୟାପକଙ୍କ ପ୍ରସ୍ତାବ । ମୋ ମନଟା ମାନୁନି—ଯେତେ ହେଲେ ମାଷ୍ଟ୍ର ତ–କୋଉ ଉପୁରି ଅଛି ନା କରିପାରିବାର ସୁବିଧା ବା ଅଛି ସେମାନଙ୍କର । ଦେଖାଯାଉ, ରିନି ମୋର କିଛି ଅପାରିବାର କି ଅସୁନ୍ଦରୀ ନୁହେଁ... । ଯାହା ତାଙ୍କର ଇଚ୍ଛା ।”

 

ଆଦିତ୍ୟ ଦୁଇ ହାତଯୋଡ଼ି କୋଉ ଈଶ୍ୱରଙ୍କୁ ନମସ୍କାର କଲେ ସେଇ କେବଳ ଜାଣନ୍ତି । ପଦ୍ମାବତୀ ଡବଡ଼ବ ଆଖିରେ ସ୍ୱାମୀଙ୍କର ମୁହଁକୁ ଅନେଇଥିଲେ । ପଚିଶ ବର୍ଷର ଘରକରଣାରେ କେବେହେଲେ ତ ସେ ଏମିତି କଥା ଶୁଣି ନାହାନ୍ତି । ଏ ଲୋକର ସତରେ କ’ଣ ହେଲା କେଜାଣି ?

 

ଏଥର ଆଦିତ୍ୟ ଉଠିପଡ଼ି ଦୁଇ ହାତ ଉପରକୁ ଟେକି ହାଇ ମାରିଲେ । ଆଉ ବଡ଼ ପାଟିରେ ପୂଝାରୀକୁ ଡାକ ଛାଡ଼ିଲେ ଚା’ ଆଣିବାକୁ ।

 

ପଦ୍ମାବତୀ ବିଛଣାରୁ ଉଠି ତଳେ ଛିଡ଼ା ହେଲେ । ଧଡ଼ାସ୍ କରି ଆଦିତ୍ୟଙ୍କ ଗୋଡ଼ ତଳେ ପଡ଼ିଯାଇ ଭୋ ଭୋ କରି କାନ୍ଦି ଉଠିଲେ । ଆଦିତ୍ୟ ମୋଟେ ଏଥିପାଇଁ ପ୍ରସ୍ତୁତ ନ ଥିଲେ—ଏତେ ପ୍ରତିଶ୍ରୁତି ଅଙ୍ଗୀକାର ପରେ ନବ ପରିଣିତା ବଧୂଟି ପରି ପଦ୍ମାବତୀ କାନ୍ଦିବାର ମାନେ କ’ଣ ? ଏଣେ ପିଲାଗୁଡ଼ାକ ଚାରିପଟେ ଘେରି ଆସିବାକୁ ସମୟ ଲାଗିବନି । କେମିତି ଆଖିରୁ ଲୁହ ପୋଛି ସାନ୍ତ୍ୱନା ଦିଆଯାଇ ପାରିବ ସେ ବି ଏକ ସମସ୍ୟା । ସେତିକି ନୁହେଁ, ପୁଣି କିଛି କହିବାକୁ ହେବ ।

 

ପଦ୍ମାବତୀଙ୍କୁ ଉଠାଇ ଧରି ଆଦିତ୍ୟ କହିଲେ—‘‘ଦେଖ, ମନ କଷ୍ଟ କରନା । ତମେ ଏମିତି କାନ୍ଦିଲେ ମୁଁ କ’ଣ କିଛି କରିପାରିବି ? ସୁକାନ୍ତ ଦିଲ୍ଲୀ ଯିବ ବୋଲି ବ୍ୟସ୍ତ ହେଉଛ କି ? ଚାହିଁଲେ, ମୁଁ ଦାସ ସାହେବଙ୍କୁ କହି ତା’କୁ ଏଠାକୁ ନେଇ ଆସିବିନି ।

 

ପଦ୍ମାବତୀଙ୍କ କାନ୍ଦ ଏଥିରେ ନ କମି ବେଶୀ ବଢ଼ିବାକୁ ଲାଗିଲା । ରିନି ବିଭାଘର ନେଇ ବୋଧେ ସେ ବେଶୀ ବ୍ୟସ୍ତ ହୋଇ ପଡ଼ିଲେଣି । ଝିଅକୁ ବିଦା କରି ସେ ଘରେ ରହି ପାରିବେନି ବୋଲି ଅନେକ ଥର କହିଛନ୍ତି । ଆହା ! ମା’ ମନ ତ...ଯେତେହେଲେ ରକ୍ତ ଦେଇ ଜନ୍ମ ଦେଇଛନ୍ତି-। ଭାବିଲେ ନିଜ ଆଖିରେ ବି ଲୁହ ଜକେଇ ଆସୁଛି । କାନ୍ଦ, କାନ୍ଦ କଣ୍ଠରେ କହିଲେ—

 

‘‘ରିନି ପାଇଁ ବ୍ୟସ୍ତ ହେବ ନାହିଁ । ଜୋଇଁଙ୍କୁ ମୁଁ ବରାବର ପାଖରେ ରଖିବି । ସରୋଜ ବାବୁଙ୍କ ଜାଗାଟା ଯଦି ମିଳିଯାଏ ନା ମୁଁ ଏମିତି ପ୍ଲାନରେ ଘର କରିବି ଯେ ସବୁ ପୁଅ, ଝିଅ ସମାନ ଘର ପାଇବେ । ଏକାଠି ରହିବେ—ଆମ ଅନ୍ତେ ତେଣିକି ଯାହା ହେବ ପଛେ... ।”

 

ପଦ୍ମାବତୀ ନିଜର କାନ୍ଦ ବନ୍ଦ ରଖି ଏଥର ଆଦିତ୍ୟଙ୍କ ପାଟିରେ ହାତ ପାପୁଲି ଚାପିଧରି କହିଲେ—‘‘ମୋ ରାଣ ! ଆଉ କୁହନା—କିଛି କୁହନା, ଦେଖ, ତମ କଥା ଶୁଣି ମୋ ଦେହ କ’ଣ ହୋଇ ଯାଉଛି, ମୁଣ୍ତ ବୁଲାଇ ଦେଉଛି । ତମେ ଆଉ ପଦେ କହିଲେ, ମୋ ପିଣ୍ଡରୁ ପ୍ରାଣ ବାହାରିଯିବ । ଖାଲି ସେତିକି ନୁହେଁ, ଧରିତ୍ରୀ ଫାଟିଯିବ...ମା’ ବାସୁକୀ ଆଉ ସହି ପାରିବନି । ଚୁପ୍ କର...ଆଉ କିଛି କୁହନା ।”

 

ଝର ଝର ହୋଇ ପଦ୍ମାବତୀଙ୍କ ଆଖିରୁ ଶ୍ରାବଣର ଧାର ଛୁଟିଛି । ଆଦିତ୍ୟଙ୍କ ପକ୍ଷରେ କୌଣସି କଥା ବୁଝିବା ସମ୍ଭବ ନ ଥିଲା । ଦାଣ୍ଡରେ ଏତିକିବେଳେ ଘର୍ ଘର୍ ହୋଇ ସ୍କୁଟର ରହିବାର ଶବ୍ଦ ହେଲା । ସରୋଜ କି ଅନ୍ୟ କେହି ଆସିଲେଣି ତାକୁ ଖୋଜି... ।

 

‘‘କାହିଁକି ମନ ଖରାପ କରିଛ ? କାନ୍ଦୁଛ ଦିନ ସାରା, ଖାଇ ନାହଁ । ମତେ କୁହ କ’ଣ ହୋଇଛି ?”

 

‘‘ଦିନକ କ’ଣ କାନ୍ଦିଲି ଏଣିକ ତ ସବୁଦିନେ କାନ୍ଦିବି । କାନ୍ଦି କାନ୍ଦି ନ ମଲା ପର୍ଯ୍ୟନ୍ତ ମୋର ଶାନ୍ତି ନାହିଁ ।”

 

‘‘ପଦ୍ମା !”

 

‘‘ହଁ, କାହିଁକି ସେ କଥା କହୁଛ । ଢେର ଶୁଣିଲିଣି । ଘର କରିବ, ପୁଅ, ଝିଅ ସମାନ ବାଣ୍ଟ ପାଇବେ, ସୁକ ଯିବ ଦିଲ୍ଲୀ, ରିନି ରହିବ ଘରେ । ଆଉ ଆମେ ଯିବା ବିଦେଶ ବୁଲି । ମୁଁ ସିନା ତମକୁ କିଛି କହିଲି ନାହିଁ—ହେଲେ ଆଉ କୋଉ ସ୍ତ୍ରୀ ଲୋକ ଏ କଥା ଶୁଣି ଧୈର୍ଯ୍ୟ ଧରି ରହି ପାରିବ ?”

 

‘‘ପଦ୍ମା ! ମୋ ରାଣଟି ପରା ! ତମ ଆଖିର ଲୁହ ମୁଁ ମୋଟେ ସହି ପାରିବିନି । ତମେ ଯାହା କହିବ ମୁଁ ତାହା କରିବି । ସୁନାଟି ପରା ଏଣିକି କାନ୍ଦ ବନ୍ଦ କର ।”

 

ପଦ୍ମାବତୀ ଏଥର ହାତଟା ଛିଞ୍ଚାଡ଼ି ଦେଇ କହିଲେ—‘‘ତମେ ପିଲାଦିନେ ନାଟ କରୁଥିଲ ମୁଁ ଜାଣେ । ଭଲ କହି ବୋଲି ପାର ବୋଲି ତମକୁ ପାଞ୍ଚ ଜାଗାରୁ ଡାକରା ଆସେ । ହେଲେ ତମେ ଏମିତି ମୋତେ କଥା କହିବ ମୁଁ କେବେ ଭାବି ନ ଥିଲି । ମୁଁ ତ ଜାଣେ ଦୁଃଖ ହେଉ, ସୁଖ ହେଉ ତମର ଚାକିରିଟି ଅଛି, କିଛି ଟଙ୍କା ଆସୁଛି । ପିଲାଏ ମଣିଷ ହୋଇ ଆସିଲେଣି ପେଟରୁ କାଟି ଦୁଃଖି ରଙ୍କିକୁ ଯାହା ଯେମିତି ଦେଇଛୁ । ସାମର୍ଥ ଥିଲା ବେଳେ ଜମି କିଣିବା, କୋଠା କରିବା, କି ଲାଞ୍ଚ ଦେଇ ଚାକିରି କରିବା କଥା ତମେ କେବେ କହି ନାହଁ । ଆଜି ଏ ବୃଦ୍ଧ ବୟସରେ...ଛି, ଛି, କି ଲାଜ କଥା । ପିଲାଏ ଯଦି ଶୁଣିଥିବେ—ମୁଁ କେଉଁ ଗାତରେ ନିଆଁରେ ପୋଡ଼ି ମରିବି । ତମର ଏମିତି ଗୁଣ ଜାଣିଥିଲେ ମୁଁ ଏ ଘରେ ପାଦ ଦେଇ ନ ଥାନ୍ତି...କିଏ ଯଦି ଶୁଣେ ମୁଁ କ'ଣ କରିବି ?

 

କିଏ ଜଣେ ପରଦା ସେପଟରୁ ଖେଁ ଖେଁ କରି ହସି ଉଠିଲା । ଚମକି ପଡ଼ି ଆଦିତ୍ୟ ଘୁଞ୍ଚିଗଲେ ପଦ୍ମାବତୀଙ୍କ ପାଖରୁ ।

 

‘‘ଡରିଲ କି ଭାଉଜ ! କିଏ କାହିଁକି ଶୁଣିବ ? ମୁଁ ଆସୁ ଆସୁ ମୁକ୍ତା ମତେ ଖବର ଦେଲା ବାପା ବୋଉ ଦି’ ଜଣ କଳି କରି କାନ୍ଦୁଛନ୍ତି ଇତ୍ୟାଦି, ଇତ୍ୟାଦି । ତା’ପରେ ତ ଭାଉଜଙ୍କ ଡାଇଲଗ୍ ଶୁଣି ମୁଁ ବୁଝି ସାରିଲିଣି । ଆଦିତ୍ୟର ଅଭିନୟ ଚାତୁରୀ ଓ ତଦ୍‍ଜନିତ... ।”

 

‘‘ଚୁପ୍‍କର ରାସ୍କେଲ । କିରେ ବିଶୁ ତୋର ଆଉ ବୁଦ୍ଧି ହେଲା ନାହିଁ ଦେଖୁଛି... ।” ଆଦିତ୍ୟ କୃତ୍ରିମ ବିରକ୍ତ ହୋଇ କହିଲେ ।

 

ପଦ୍ମାବତୀ ଏଥର ହସରେ ଫାଟି ପଡ଼ି କହିଲେ—‘‘ଦେଖ ହେ ବିଶୁ ବାବୁ । କିଛି କଥା ନାହିଁ ବାର୍ତ୍ତା ନାହିଁ, ଦିନେ କାଳେ ବି ନାହିଁ, ଘରେ ଲୁଣ ନ ଥିବ, ଦାଣ୍ଡ ପିଣ୍ଡାରୁ ଓହ୍ଲାଇ ଦି’ ପଇସାର ଲୁଣ କିଣି ଆଣି ପାରିବେନି । କେତେ ଦରମା ପାଆନ୍ତି ବାବୁ ଜାଣିଥିବେ କି ନାହିଁ...ସେଥିରେ ପୁଣି କ’ଣ ନା ଅମୂକ କରିଦେବି, ସମୂକ କରିଦେବି, ହାତୀ ଛତି ନେଇ ଆସିବି...ସାରାଦିନ ମୋର ଏମିତି କଥାରେ ଗଲାଣି ।”

 

‘‘କିହୋ ସାରାଦିନ କେଉଁଠି ? ମୁଁ ତ ଅଧଘଣ୍ଟା ହେବ ଆସି ଚରଣ ସେବାରେ... ।”

 

‘‘ଆଃ ଚୁପ୍‍କର । ସୁକ ଫେରିଲାଣି... ।”

 

ବିଶୁ ବାବୁ ସିଗାରେଟରେ ନିଆଁ ଧରାଇ ପ୍ରଶ୍ନ କଲେ—

 

‘‘ଘଟଣାଟା କ'ଣ ? ଶ୍ରୀମତୀଙ୍କ କୋପର କାରଣ କ’ଣ ?”

 

କ’ଣ କହି ଆସୁ ଆସୁ ଆଦିତ୍ୟଙ୍କ ମୁହଁରେ ହାତ ଚାପି ଦେଇ ପଦ୍ମାବତୀ କହିଲେ—

 

‘‘କଥା କିଛି ନାହିଁ । ତାଙ୍କ ଗାଁର ଠୁସି ନାନୀ ବୋଲି ଜଣେ ଲେଖା ଯୋଖା ଭଉଣୀ ଅଛନ୍ତି ଯେ, ୟାଙ୍କର ତାଙ୍କ ପାଇଁ ଭାରି ଦରଦ । ଗାଁରୁ ଯିଏ ଆସିବ, ସିଏ ଦି’ ଦିସ୍ତା କାଗଜର ଚିଠି ଆଣିବ—ଦିନେ ଏଠି ଖାଇ ପିଇ ରହି ତା’ପରଦିନ ବାବୁଙ୍କ ଠାରୁ ଦି’ ଦିସ୍ତା ଚିଠି ନେଇ ଗାଁକୁ ଯିବ-। ବୁଢ଼ା କାଳରେ ମତେ ଏଗୁଡ଼ା ମୋଟେ ଭଲ ଲାଗୁ ନାହିଁ । କହିଲାରୁ ସେ କଥା, ମତେ କହୁଛନ୍ତି ଅମୂକ କରିଦେବି, ସମୂକ ଆଣିଦେବି !”

 

ରାଗରେ ଲାଲ୍ ପଡ଼ି ଆଦିତ୍ୟ ଉଠି ଚାଲିଗଲେ ! କିଛି ନ କହି ବିଶ୍ୱନାଥ ମଧ୍ୟ ମୁଣ୍ଡ କୁଣ୍ଡାଇ କୁଣ୍ଡାଇ ଉଠିଗଲେ । ଟିକକ ପରେ ବିଶ୍ୱନାଥଙ୍କ ସ୍କୁଟର ଛାଡ଼ିବା ଶବ୍ଦ ଆସି ବାଜିଲା ପଦ୍ମାବତୀଙ୍କ କାନରେ । ତା’ର ପର ମୁହୂର୍ତ୍ତରେ ଆଦିତ୍ୟ ଆସିଲେ ପରଦା ଏଡ଼ାଇ, ଅଣ୍ଟାରେ ହାତ ରଖି କିଛି ନ ପଚାରୁଣୁ ପଦ୍ମାବତୀ କହିଲେ—

 

“ପାଟି କରନା, ଆଉ ଯାହା କରୁଛ କର ପଛେ । ମାରିବ ଯଦି ମାର । ଭାଗ୍ୟକୁ ତମ କୋଠା, ପୁଅ ଚାକିରି, ଝିଅର ବରପାତ୍ର କଥା ସେ ଶୁଣି ନାହାନ୍ତି । ସେ ଯେଉଁ ଟାଉଟର ଲୋକ, କାଲି ସକାଳେ ଚାରିଆଡ଼େ ରାଷ୍ଟ୍ର ହୋଇ ଯାଇଥାନ୍ତା । ସନ୍ଧ୍ୟା ବେଳକୁ ଚାକିରି ଆଉ ରହନ୍ତା ନାହିଁ...ଯିଏ ତମ କଥା ଶୁଣିବ, ସେ ଭାବିବ ତମେ ଲାଞ୍ଚ ନେଉଛ, ଜୁଆ ଖେଳୁଛ—ଏ ସବୁ କଥା ଉପୁରି ନ ହେଲେ ପାଞ୍ଚଶହ ଟଙ୍କା ଦରମାରେ, ଏଡ଼େ ପରିବାର ଚଳାଇ କିଏ ଭଲା ଏ ସବୁ କରିପାରେ ? ତମର ସେ ଶକ୍ତି କାହିଁ ? ସେଇଥିପାଇଁ ମିଛ କହିଲି ଠୁସି ନାନୀ କଥା...ତମେ ମୋ ଆଖିରେ ଏତେ ନାଟକ କଲ, ମୁଁ ଏବେ ତମ ମାନ ରକ୍ଷା କରିବା ପାଇଁ କହିଦେଲି ମିଛ କଥାଟାଏ । କ’ଣ ହେଲା ସେଇଠୁ ଯେ ? ଆଉ ଗୋଟିଏ ବାହା ହେବା, ପଛେ ସହି ହେବ । ହେଲେ ତମର ମିଛ ବାହାଦୁରୀ... ।”

 

‘‘ପଦ୍ମା ।”

 

‘‘ନାହିଁ, ରାଗ ନାହିଁ । ସକାଳେ ସେ ଧୋବାଟାକୁ ଦି’ ଟଙ୍କା ଦେଇ ବିଦା କଲ ତା’କୁ ମିଳିମିଳା ହୋଇଥିଲା ବୋଲି । ମୁଁ ତା’କୁ କହିଲି ପଛଆଡ଼ ଘରଟାରେ ଦି’ଦିନ ରହିଯାଉ । ଏତେ ଜ୍ୱରରେ ସେ କୁଆଡ଼େ ଯିବ ? ତମେ ତା’କୁ ଦି’ଟା ଟଙ୍କା ଫୋପାଡ଼ି ଦେଇ ସଙ୍ଗେ, ସଙ୍ଗେ କହିଲ ଚାଲିଯିବାକୁ । ସେ କାନ୍ଦିଲେ ମୋ ପିଲାଙ୍କର ମଙ୍ଗଳ ହେବଟି ? ସେଇଥିପାଇଁ ମୁଁ ଆଜି ଦିନସାରା କିଛି ଖାଇନି...।”

 

‘‘ତମେ ସବୁ କଥା କହିପାର । ଏଣେ ଲୋକ ଆସିଲେ ବିରକ୍ତ, ଚାଲିଗଲେ ବିରକ୍ତ । ଟଙ୍କା କୋଉଠୁ ଏତେ ଆସିବ ? ଆଉ ତା’କୁ ତ ମିଳିମିଳା ହୋଇ ନ ଥିଲା, ତା’ ପୁଅକୁ !”

 

‘‘ହଅ—ତା’ ବୋଲି ଲୋକଟା ଉପାସରେ ଯିବ ନାଁ ମୋ ଘରୁ ?”

 

ସେ ଘରୁ ଗୋଟାଏ କିଏ ଚିତ୍କାର କରି କାନ୍ଦିଲାଣି । ପଦ୍ମାବତୀ ଲୁଗା କାନିରେ ଆଦିତ୍ୟଙ୍କ ବିକଳ ମୁହଁକୁ ପୋଛି ଆଣୁ ଆଣୁ କହିଲେ—

 

‘‘ଥାଉ ଆମର ଜମି, କୋଠା, ଗାଡ଼ି, ମଟର ପ୍ରସ୍ତାବ । ପୁଅର ଚାକିରି କି ଝିଅର ପାତ୍ର, ଯାହା ବରାଦ ଥିବ ହେବ । କାହିଁକି ଭାବିବା ? କାଲି ଖଣ୍ଡେ ଜମି କଥା କହିଥିଲି ବୋଲି ଆଜି ସକାଳୁ ତମେ ଅଖିଆ, ଅପିଆ ଉପକାରୀ ଲୋକଟାକୁ ତଡ଼ି ଦେଲ । ଆଉ ସତକୁ ସତ ଯଦି ତମ କହିବାନୁଯାୟୀ, ସବୁ କଥା ହୋଇଯାଏ, ତା’ ହେଲେ ତମେ ତ ମତେ ତଡ଼ି ଦେବାକୁ ଗୋଟିଏ ସେକେଣ୍ଡ ବି ଅପେକ୍ଷା କରିବ ନାହିଁ... । ନାହିଁ ଲୋ ମା’ । ଏହି ମୋର ଯଥେଷ୍ଟ ଭଲ । ଠୁସି ନାନୀ ଗାଁରେ ଥାଉ, ଖୁସିରେ ଥାଉ । ଚିଠି ସବୁଦିନେ ପାଉଥାଉ, ଲେଖୁଥାଉ । ଆକାଶର ତାରା ଗଣୁଥାଉ...-।”

 

ପଦ୍ମାବତୀ ଘର ଛାଡ଼ି ଚାଲିଗଲେ । ବେକାରୀ ସ୍ତ୍ରୀ ଲୋକଙ୍କ ପାଲରେ ପଡ଼ି ଫାଲଗୁନର ସନ୍ଧ୍ୟାଟା ନଷ୍ଟ ହୋଇ ଯାଇଥିବାରୁ ଆଦିତ୍ୟ ନିଜ ଉପରେ ବିରକ୍ତ ହୋଇ ଉଠୁଥିଲେ । ପତ୍ନୀତ୍ୱ ସହ ଏକାଧିକ ସନ୍ତାନର ମାତୃତ୍ୱ ବରଣ କରିଥିବା ସ୍ତ୍ରୀ ଲୋକର ମତି ଗତି ଠିକ୍ ଈଶ୍ୱରଙ୍କ ପରି ହଲ୍‍ଚଲ୍ ଆଉ ଏପଟ ସେପଟ । ଇଶ୍ୱର ଅନେକ ସମୟରେ ଯୋଗରତ ଥିବାରୁ ନାରୀ ଦ୍ୱାରା ପରାସ୍ତ, ଲଜ୍ଜିତ ପୁଣି ଜାଗୃତ ହୋଇଥିବାର ଭୁରି ଭୁରି ଦୃଷ୍ଟାନ୍ତ ଯେତେବେଳେ ରହିଛି... ।

 

କିଏ ଜାଣେ ପଦ୍ମାବତୀଙ୍କ ମାୟାରୁ ଜାତ ବିଚାରୀ ଠୁସି ନାନୀ ତାଙ୍କୁ ଜାଗୃତ କି ମୂର୍ଚ୍ଛିତ କରିବ ??

Image

 

Unknown

ନନ୍ଦିଘୋଷ

 

ଯୁଆଡ଼େ ଚାହିଁଲେ ପାଣି । ଆଖି ଯେତେ ବାଟ ଅନ୍ଧାର ଚିରି ଯାଇପାରେ ସେତେଦୂର ଖାଲି ଛୁଇଁ ଯାଉଛି ଅକାତକାତ ପାଣି । ଉଚ୍ଚା ଉଚ୍ଚା ନଡ଼ିଆ, ତାଳ, ଆମ୍ବ ଗଛଗୁଡ଼ା ଯେମିତି ଦିନ ଗୋଟାକରେ କୁଆଡ଼େ ଉଭାନ୍ ହୋଇଗଲେଣି ।

 

ତଥାପି ବି ଝୁପ୍‍ଝୁପ୍ ବର୍ଷା ଲାଗି ରହିଛି । ଉପର ମୁଣ୍ଡରେ ଲଗାଣ ବର୍ଷା । ନଈ ଯେମିତି ସୁ ସୁ ହୋଇ ବୁକୁ ଫୁଲେଇ ଧାଉଁଛି ! କିଏ ଜାଣେ ରାତିଟା ଠାକିବ କି ନାହିଁ ! ମାତ୍ର ଉପାୟ କ’ଣ ? କୁଆଡ଼େ ସେ ଯିବେ ? ସେ ତ ଏକା ଗଲେ ଚଳିବ ନାହିଁ । ସେ ଯିବେ—ସଙ୍ଗରେ ଯିବେ ତାଙ୍କ ପରିବାରର ଦଶଜଣ କୁଟୁମ୍ୱ ଆଉ ଗାଈ, ଛେଳି, କୁକୁର, କୁକୁଡ଼ା ହୋଇ କୋଡ଼ିଏ କି ପଚିଶ । ଖାଲି ସେତିକି ନୁହେଁ, ଗାଁ ସାରା ଦି’ଶହ ଘରର ସମସ୍ତେ ମିଶିଲେ ମଣିଷ ପଶୁ ହୋଇ ହେବେ ଦି’ହଜାର କି ତା’ଠାରୁ ବେଶୀ । ଏତେଗୁଡ଼ା ଲୋକ ଯିବେ କୁଆଡ଼େ ? ସନ୍ଧ୍ୟାବେଳେ ଜୋର୍ ଅସରାଏ ବର୍ଷା ହେବାରୁ ଗାଈ, ଛେଳି ସେ ପଘାରୁ ଖୋଲି ଦେଲେ ସତ—ହେଲେ କେହି କୁଆଡ଼େ ଗଲେ ନାହିଁ । ବିକଳ ଆଖିରେ ନାଲି ଗର୍ଭଣୀ ଗାଈଟା ହମ୍ବା ରଡ଼ି ଛାଡ଼ି ଅନେଇ ରହିଲା ତାଙ୍କୁ । କେଜାଣି କି ଯନ୍ତ୍ରଣାରେ ଆଖିରୁ ବୋହିଗଲା ତା’ର ଦି’ଟୋପା ଲୁହ । ପଶୁ ହେଲେ ବି ତ ଜୀବନ ଅଛି । କଥା ନ କହିଲେ ବି ବୁଝି ପାରିବାର ଶକ୍ତି ଅଛି ! କିନ୍ତୁ ସେ କରିବେ କ’ଣ ?

 

ଢାଏ ଢାଏ କାଶୀନାଥ ବନ୍ଧ ଉପରେ ଦି’ଥର ମୁଣ୍ଡ ବାଡ଼େଇ ଦେଲେ । ପ୍ରତି ବର୍ଷ ଏମିତି ବଢ଼ି, ନ ହେଲେ ବତାସ ତାଙ୍କ ରକ୍ତ ଶୋଷି ଖାଉଛି । ବର୍ଷେ ଯଦି ଫସଲ ଧୋଇ ନେଲା ତ, ଆଉ ବର୍ଷେ ଜମିରେ ବାଲି ପକେଇ ଚାଲିଗଲା । ପୁଣି କୋଉ ବର୍ଷ ପବନରେ ଭିଟା ଘରର ଚାଳ ଖଣ୍ଡକ ବି ରହିଲା ନାହିଁ । କେତେ ଅବା ପ୍ରତି ବର୍ଷ ଘର ମରାମତି, ଗୋରୁଗାଈ କିଣା ଏବଂ ଋଣ ସେ କେତେ କିସ୍ତି କରିବେ ? ସବାଖାଇ ବ୍ରାହ୍ମଣୀ ନଦୀ ଯାହା ଦେଖିଲା ତା’କୁ ଚଳୁ କରିଦେଲା । ଏକା ତ ତାଙ୍କରି ନୁହଁ, ଶହ ଶହ, ହଜାର ହଜାର, ଅସୁମାରୀ ଜୀବନ ଏମିତି ଜଳିଗଲେଣି–ଜୀଅନ୍ତା ଖାଇଗଲାଣି ରାକ୍ଷାସୁଣୀ ! ପିଲାଗୁଡ଼ାକ ପାଠ ପଢ଼ି ପାରିଲେ ନାହିଁ—ପେଟ ପୂରାଇ ଦି’ଓଳା ଦି’ମୁଠା ଖାଇ ପାରିଲେ ନାହିଁ । ବଢ଼ି, ବତାସ, ମରୁଡ଼ି ଯେମିତି... ।

 

‘‘ବାପା ! ଘରକୁ ଆସ । ତମେ ଏତେ ରାତି ଯାଁକେ ଏଇଠି ବସିଛ—ତେଣେ ବୋଉ ତୁମକୁ ଖୋଜି ଖୋଜି କାନ୍ଦବୋବାଳି ପକାଇଲାଣି... !”

 

‘‘ହୁଁ... !” ଛାତି ଫଟାଇ ଦୀର୍ଘଶ୍ୱାସଟାଏ ବାହାରି ଆସିଲା । କହିବାକୁ କିଛି ନାହିଁ । ବୋଧ ଦେଇ ଭରସା ଦେବାକୁ ଆଜି ଆଉ ଭାଷା ନାହିଁ ।

 

ଝଲକାଏ ଶୀତଳ ପବନ ଚାଉଁକିନା ଦେହରେ ଯେମିତି ଛୁଞ୍ଚି ଫୋଡ଼ି ଦେଇଗଲା । ମୁଣ୍ଡରୁ ଉଡ଼ିଗଲା ପଖିଆଟା । ସେ ଭଲ କରି ଜାଣନ୍ତି ପବନର ଗନ୍ଧ । ଭଲକରି ଜାଣନ୍ତି ଏମିତି ବର୍ଷା ହେଲେ କ’ଣ ହେବ...ପଖିଆ ଦେବାର ପ୍ରୟୋଜନ ଆଉ ପଚାଶ ବର୍ଷରେ ଦରକାର ପଡ଼ିବ ନାହିଁ ।

 

‘‘ବାପା ! ଜେଜେଙ୍କର ଜ୍ୱରଟା ବେଶୀ ବଢ଼ିଯାଇଛି । ଜେଜେ ମା’ ଭାରି ବ୍ୟସ୍ତ ହଉଛନ୍ତି...-।”

 

ଅନ୍ଧାର ଭିତରେ ସାନ ପୁଅକୁ ନିରିଖି ଚାହୁଁଥିଲେ କାଶୀନାଥ । ପନ୍ଦର ବର୍ଷର ପୁଅ ପାଖରେ ବୋଉ ଓ ଜେଜେ ମା’ର କାନ୍ଦ ଆଉ ଜେଜେ ବାପାଙ୍କର ଜ୍ୱର ତୁଳନାରେ ନଦୀର ପାଣି ଏବଂ ଆକାଶର ଅମାନିଆ ବରଷାରେ କିଛି ମାନେ ନାହିଁ । ବାପାଙ୍କର ନୀରବତାଟା ଯେମିତି ସବୁଠାରୁ ବଡ଼ ବେଶୀ କଷ୍ଟ—ଏବଂ ସେ ନୀରବତାଟା ଭାଙ୍ଗି ତୁଣ୍ଡରେ ଭାଷା ଫୁଟେଇବା ସତେ ଯେମିତି ତା’ର ସବୁଠୁ ବଡ଼ କାମ ? ଯେମିତି ବା ସେ କହୁଛି—ବାପା ତମେ ତମ ବାପାଙ୍କ କଥା ବୁଝୁନାହଁ, ଆମେ ବି ସେମିତି ତମ କଥା ବୁଝିବୁ ନାହିଁ । ବରଷା, ବଢ଼ିରେ ତମେ ଅନ୍ଧାର ଘରେ ପାଣି ମୁନ୍ଦାକ ପାଇଁ ଚାହା ଧରୁଥିଲା ବେଳେ ଆମେ ମୁକ୍ତି ପାଇବାର ଉପାୟ ଖୋଜୁଥିବୁ ?

 

କିନ୍ତୁ...କିନ୍ତୁ କ’ଣରେ ପୁଅ—ସେଇ ମୁକ୍ତିର ବାଟ କ'ଣ ?

 

ପଖିଆଟା ଘରଘର୍ ହୋଇ ଭାସିଗଲାଣି କାହିଁ କେତେ ଦୂର । ବର୍ଷାରେ ଗୋଟାଛାଏଁ ତିନ୍ତି ଯାଇ ବି ଘର ଆଡ଼କୁ ଯିବାକୁ ମନ ଟେକୁନାହିଁ । କାହିଁକି ? ଆଉ କେତେ ସମୟ ? କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ ?

 

‘‘ପଖିଆଟା ପକେଇ ଦେଲ ବାପା ! ଆମ ଘରେ ସେଇ ଖଣ୍ଡିକ ଥିଲା—କାଲି କେମିତି... ?”

 

‘‘କାଲି କଥା କାଲିକି । ଆଜି ରାତିକ ବିତୁରେ ବାବୁ...ପଖିଆ କ’ଣ—ଜୀବନ ରହିଲେ ରାତିକ ବଡ଼ କଥା... ।”

 

‘‘କାଶିଆ—ଇ—କାଶିଆ—ଇ !”

 

କେଉଁ ଦୂରରୁ ଶୂନ୍ୟତାର ଛାତି ବିଦାରି ହେମାଳ ପବନରେ କାତର କଣ୍ଠ ଭାସି ଆସୁଛି-। ସଉରାର ପାଟି ଭଳି ଲାଗୁଛି, ଗାଁ ଠାକୁରଙ୍କ ମାଜଣା କରେ ନିଇତି । ଠାକୁରେ ତା’କୁ ସ୍ୱପ୍ନରେ ଦେଖା ଦିଅନ୍ତି, ଭଲମନ୍ଦ କହନ୍ତି । ଆଉରି କେତେ କ’ଣ । କିଛି କହିଲେ କି ଠାକୁର ତା’କୁ– । ଦୁମ୍ ଦୁମ୍ କରି ପଞ୍ଝାଏ ଲୋକ ବନ୍ଧଆଡ଼କୁ ଧାଇଁ ଆସୁଛନ୍ତି । ବିଜୁଳି ଆଲୁଅରେ ବେଳେ ବେଳେ ଦିଶିଯାଉଛି କଳା, ଧଳା ଦେହଗୁଡ଼ାକ । ସଉରା କୁହାଟ ଛାଡ଼ି ଡାକୁଛି ତା’କୁ । କାଶୀନାଥଙ୍କର ମନେ ହେଉଥିଲା ପଛକୁ ବୁଲି ବ୍ରାହ୍ମଣୀ ଦେହରେ ଝାମ୍ପ ଦିଅନ୍ତେ ସିଏ । ନିମିଷକରେ ତୁଟି ଯାଆନ୍ତା ସବୁ ଚିନ୍ତା !

 

‘‘କାଶିଥାଇ ! ତୁ ଏଇଠି ଅଛୁ । ଜବାବ୍ ଦେଉନୁ କାହିଁକି ? ଗାଁ ସାରା ଲୋକ ଆସି ଦାଣ୍ଡ ମଝିରେ ଛିଡ଼ା ହେଇଛନ୍ତି । ଏଇନେ କ’ଣ କରିବା କହ ? କୁଆଡ଼େ ଯିବା ? କାଳୀ ଘାଇ ଆଉ ସମ୍ଭାଳି ପାରିବ ନାହିଁ—ତେଣେ ଅପର୍ତ୍ତି କହୁଥିଲା ରିଙ୍ଗ୍ ବନ୍ଧ ଭାଙ୍ଗିବା ଭାଙ୍ଗିବା ହେଲାଣି ।”

 

‘‘ଠାକୁରେ ତତେ କିଛି ସପନେଇ ନାହାଁନ୍ତି ସଉରା ? ରଖିଲେ ରଖିବ, ନ ହେଲେ ନାହିଁ-।”

 

କାଶୀନାଥ ମୁଣ୍ଡକୁ ହାତ ଉଠେଇ ଯେମିତି କୋଉ ଅଦୃଶ୍ୟ ଶକ୍ତି ପାଖରେ ଗାଁ ସାରା ସମସ୍ତଙ୍କୁ ସମର୍ପି ଚାଲିଥିଲେ । ସତେ ବା ସେ ସବୁରି ମୁରବୀ !

 

‘‘ମୁଁ କହି ଦେଉଛି ବାବୁ ! ଆଉ ଠାକିବନି । ବରଗଛଟା ସାତପୁରୁଷର କୁହା ନାହିଁ, ବୋଲା ନାହିଁ, ରଟ୍‍କିନା ତଳେ ପଡ଼ିଗଲା—ଅନାଚାର ଭରିଗଲାଣି—ମୁଁ ଜାଣେ ପରା— !”

 

ନାରୁ ଅଜା ବିଡ଼୍‍ବିଡ଼୍ ହେଉଥିଲେ । ଅଶୀ ବର୍ଷ ପାଖାପାଖି । କେତେ ବଢ଼ି, ବତାସ ଅଙ୍ଗେ ବିତେଇ ସେ ପଥର ଖୁଣ୍ଟ ପରି ଛିଡ଼ା ହୋଇଛନ୍ତି । ବୁଢ଼ା ବରଗଛଟା ଭାଙ୍ଗି ଯାଇ ତାଙ୍କୁ ଯେମିତି ହତାଶ କରି ଦେଇଛି ।

 

“କାଶୀଆଇ ! କିଛି କହୁନୁ କାହିଁକି ରେ ? କୁଆଡ଼େ ଯିବା ? ଉଚ୍ଚ ରାସ୍ତା, ଗଛ, କୋଠା କିଛି ତ ମୋତେ ରାହା ଦିଶୁନି । ନଈ ତ ସଞ୍ଜବେଳୁ କେତେ ଫୁଲିଲାଣି—ଏଣେ କ’ଣ କରିବି ଘରେ ଅସଜ ମଣିଷ । ସକାଳୁ କଷ୍ଟ ପାଉଛି ମଣିବୋଉ । କୁଆଡ଼େ ଯିବି, କାହାକୁ ଡାକିବି କିଛି ବୁଦ୍ଧି ଦିଶୁ ନାହିଁ ମତେ ।”

 

ଦୁଇ ହାତ ମୁଣ୍ଡରେ ଦେଇ ତଳେ ଲଥ୍ କରି ବସିପଡ଼ିଲା ବିନୋଦ ! ସମ୍ପର୍କରେ ସାନ ଭାଇ ଲେଖା ହେବ କାଶୀନାଥଙ୍କର । ଛ’ ଛ’ଟା ପିଲା ତା’ର ଗଲାବର୍ଷ ହଇଜାରେ ରାତାରାତି ଚାଲିଗଲେ । ରହିଗଲା ଖାଲି ସିଏ ଆଉ ତା’ର ସ୍ତ୍ରୀ ଓରଫ ମଣିବୋଉ । କିନ୍ତୁ ତା’କୁ କି ଭରସା ଦେଇ ସେ କହିବେ—ଆଜି ଯଦି ମଣିବୋଉର ଭଲମନ୍ଦ ହୋଇଯାଏ— !

 

କିଏ ଗୋଟାଏ ଧଇଁସଇଁ ହୋଇ ଦଉଡ଼ି ଆସୁଛି । କିଏ ? ଛାତି ଭିତର ଯେମିତି ଆସନ୍ନ ବିପଦ ଠକ୍ ଠକ୍ କରି କୁଟି ଦେଇ ଯାଉଛି କଲିଜା ।

 

“ଦାଦା ! ଦାଦା—ଖୁଡ଼ୀଙ୍କର ପୁଅଟିଏ ହୋଇଛି, ଖୁଡ଼ୀ ବେହୋସ ହେଇ ଯାଇଛନ୍ତି । ତମେ ଶୀଘ୍ର ଆସ—ବୋଉ କହିଲା କିରାସିନୀ ଟିକେ ନେଇ ଆସିବ । ଘର ପୂରା ସଞ୍ଜବେଳୁ ଅନ୍ଧାର—ବୋଉ କୁଟା ଜାଳି ଆଉ କେତେ କ'ଣ କରିବ ?”

 

ବିନୋଦର ପୁତୁରା ଏତିକି କହି ଯେମିତି ଆସିଥିଲା, ସେମିତି ଦୌଡ଼ି ଚାଲିଗଲା । ହେଲେ ତା’କୁ ଅଟକାଇ ଭଲମନ୍ଦ ପଚାରିବାକୁ କାହାରି ତାକତ୍ ନାହିଁ । କିରାସିନୀ କୋଉଠୁ ଆସିବ-? ଗଉରା ଦୋକାନରେ ଠୋପାଏ ତେଲ ନାହିଁ କାଲିଠୁ । ନଈପାରି ହୋଇ ସାତଦିନ ହେଲା ଯିବା, ଆସିବା କେଉଁପଟରୁ ନାହିଁ ଯେତେବେଳେ... !

 

କାହା ଘରେ ତେଲ ଅଛି ? ଦି’ ରାତି ହେଲା ସାଇସାରା ଅନ୍ଧାର । ଆଖି ଆଗରେ ଭାସିଯାଉଛି ମଣିବୋଉର ରକ୍ତ ସାଲୁବାଲୁ ଅଚେତ ଦେହ—ଆଉ ପାଖରେ ପଡ଼ିଥିବା ରେକଟା ହୋଇ ଚାଖଣ୍ତେ ଉତିଆଣୀ ଛତୁଆ ! କିନ୍ତୁ...ଆଗକୁ ଯାଇ ହେଉନି କି ପଛକୁ ଅନେଇ ହଉନି... ! ତେବେ କ’ଣ ସମସ୍ତେ ମରିଯିବେ ଚାହୁଁ ଚାହୁଁ—ନ ହେଲା ନାହିଁ ପରିବାର—ନ ହେଲା ନାହିଁ ସମ୍ପତ୍ତି ଗାଈ ଛେଳି—କେହି ତ ଜଣେ ଗାଁରୁ ବଞ୍ଚିବ ! ସବାଖାଇ ନଦୀକୁ ସାବାଡ଼ କରିବା ପାଇଁ ଏ ଗାଁରେ କ’ଣ କାହାର ଟିକେ ହେଲେ ମଗଜ ନାହିଁ–ଶକ୍ତି ନାହିଁ ? ପ୍ରତିବର୍ଷ ଏମିତି ଜଳିଜଳି ମରିବା ଅପେକ୍ଷା ଏକାଥରେ ସମସ୍ତେ ମରିଗଲେ ଭଲ । କେହି ତ କାହାପାଇଁ ଦୁଃଖ କରିବାକୁ ନ ଥିବ–ସୁଧଘର କରି ଲୁହ ଗଡ଼େଇବା ଠାରୁ କେହି କାହା ମୁହଁରେ ନିଆଁ ନ ଦେଲେ ହିଁ ସରିଲା । ଖାଲି ଟିକିଏ ସାହସ ଦରକାର...!

 

ନିସ୍ତବ୍‍ଧତା ଭାଙ୍ଗି, ନଈର ସୋ ସୋ ଗର୍ଜନକୁ ଚିପି ହଠାତ୍ ଗୁଡ଼ାଏ କୋଳାହଳ ସମସ୍ତଙ୍କୁ ଚମକେଇ ଦେଲା । କିଏ କେଉଁଠୁ ଯେ କେତେ ଲୋକ ଧାଇଁ ଆସୁଛନ୍ତି ତା’ର ଠିକଣା ନାହିଁ । କିଏ କାହା ନାଁ ଧରି ଡାକୁଛି ବୁଝିବା କଷ୍ଟ ! କ’ଣ ଯେ ଘଟିଛି ତାହା ମଧ୍ୟ ଜାଣିବା କାହା ପକ୍ଷରେ ସମ୍ଭବ ନୁହେଁ । କିଏ ଜଣେ ଚିତ୍କାର କରି ଉଠିଲା ସବୁ ଶଦ୍ଦକୁ ଟପା—“କିଏ କେଉଁଠି ଅଛ–ଧାଇଁ ପଳେଇ ଆସ ରିଙ୍ଗ୍ ବନ୍ଧ ଭାଙ୍ଗିଗଲାଣି...ପାଣି ମାଡ଼ି ଆସୁଛି ହୋ...ଘର ଛାଡ଼ି ପଳେଇ ଆସ...କିଏ କେଉଁଠି ଅଛ ଧାଇଁପଡ଼ ହୋ...ସମୁଦ୍ର ମାଡ଼ି ଆସୁଛି... । ବାପା... ! କେଉଁଠି ଅଛ...ଜବାବ ଦିଅ...ବାପା ହୋ.... !”

 

ଆଉ କିଛି ଶୁଣିବାକୁ ଧୈର୍ଯ୍ୟ ନାହିଁ କାଶିନାଥଙ୍କର ! ଏ’ ତ ତାଙ୍କ ନିଜ ବଡ଼ପୁଅ କୈଳାସର ସ୍ୱର । ବିକଳ କରୁଣ କଣ୍ଠର ଚିତ୍କାର । ସମସ୍ତଙ୍କୁ ସେ ଡାକୁଛି—ଆସ, ଧାଇଁଆସ—ଖାଲି ସୁଦୁ ଜୀବନଟା ନେଇ ପଳାଇ ଆସ–ବେଳ ଥାଉ ଥାଉ ଚାଲି ନ ଗଲେ ଯେ ଜୀବନଟା ଯିବ-। ସତେକି ପଚିଶ ବର୍ଷର ପୁଅ ପାଲଟି ଯାଇଛି ପାଞ୍ଚବର୍ଷର ପିଲାଟିଏ ?

 

ହଠାତ୍ ଯେମିତି ବିଜୁଳି ଛାଟ ମାରିଦେଲା କିଏ ! ବୁଝାନାହିଁ, ସୁଝାନାହିଁ, ଠିକଣା ନାହିଁ, କେହି କାହାର ହାତ ଧରାଧରି ନାହିଁ ଯେ ଯୁଆଡ଼େ ପାରିଲେ ଦୌଡ଼ିଲେ । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଦିଗରେ ଲୋକ ଦୌଡ଼ୁଛନ୍ତି କିଲିକିଲି ହୋଇ । ସମସ୍ତେ ବୋଧେ ଭୁଲିଗଲେ ଯେ ଚାରିଆଡ଼େ ଅକାତକାତ ପାଣି ଜମି ରହିଛି । ସର୍ବଗ୍ରାସୀ କ୍ଷୁଧା ନେଇ ନଈ ମାଡ଼ି ଆସୁଛି ଲହଲହ ଜିଭ ମେଲେଇ…-!

 

“ବାପା ! ବାପା ହୋ...କୁଆଡ଼େ ଗଲ ବାପା... !” ତାଙ୍କ ସାନପୁଅର ବିକଳ କଣ୍ଠ ଶୁଭୁଛି-। ହୁଏତ ଜେଜେ ବାପାଙ୍କର ଶେଷ ବେଳ ଆସିଯାଇଛି—ହୁଏତ ବୋଉ ବେହୋସ ହୋଇ ପଡ଼ିଛି–କି ନାଲି ଗାଈଟା ପଘାରୁ ମୁକୁଳିବାକୁ ଚାହୁଁନି—କି ଘରେ ପଶିଗଲାଣି ପାଣି ଛାତିଏ—କେବେ–କି–କି–କି !

 

ଗାଁର ଉତ୍ତର ପଶ୍ଚିମ କୋଣରେ କୋଉ କାଳର ଆବଡ଼ା ଖାବଡ଼ା କୁଦ ଖଣ୍ଡେ ରହିଛି । ସଉରାକୁ ଠାକୁରାଣୀ ଲାଗିଲେ ବେତ ହଲେଇ ସେଇଠି ସେ କାଳିସୀ ନାଚ କରେ । କୋଉ କାଳରୁ ପଥର ଖଣ୍ଡକରେ ସିନ୍ଦୁର ବୋଳି ହୋଇ ଜାଗୁଳେଇ ଜଗି ରହିଛନ୍ତି ଭଲମନ୍ଦ ଘଟଣା, ଅଘଟଣାକୁ ବାଟ ଓଗାଳି । ସେଇଠିକି ଧାଇଁ ଯାଉଛନ୍ତି ସମସ୍ତେ—ସେଇ ଠାକୁରାଣୀ କୁଦରେ ଛାତିଯାଏଁ ପାଣି ଜମିଥିଲା ସଞ୍ଜବେଳେ । ନିଜ ଆଖିରେ ଦେଖି ଆସିଥିଲେ କାଶୀନାଥ । କେଉଁ ଭରସାରେ ସେ ଦୌଡ଼ିବେ ସେଠିକି—ମୃତ୍ୟୁ ଯେମିତି ଜାଲ ବିଛାଇ ଦେଇଛି ସବୁଆଡ଼ୁ ।

 

ନାହିଁ—ସେ କୁଆଡ଼େ ଯିବେ ନାହିଁ । କେହି ଡାକିଲେ ବି ଜବାବ୍ ଦେବେ ନାହିଁ । ଯିଏ ଯୁଆଡ଼େ ଯିବେ ଯାଆନ୍ତୁ—ମରିବାକୁ ତାଙ୍କର ଟିକେ ହେଲେ ଭୟ ନାହିଁ ।

 

କାଶୀନାଥ ଆଖି ବୁଜି ଦୁଇ ଆଙ୍ଗୁଠିରେ କାନ ଚାପି ଧରିବା ସତ୍ତ୍ୱେ ବି ପରିଷ୍କାର ଦେଖି ପାରୁଥିଲେ—ନିଜ ବାପାଙ୍କର ପାଣିରେ ଭାସିଯିବାର ଦୃଶ୍ୟ । ପାଟି ପାକୁ ପାକୁ କରି ସେ କ'ଣ କହୁଛନ୍ତି ଶୁଭୁନାହିଁ—ତା’ ପଛକୁ ବୋଉ, ସ୍ତ୍ରୀ, ଚାରିପୁଅ, ଗାଈଗୋରୁ ଛେଳି—ମଣିବୋଉ, ସଉରା, ଗଉରା, ନାରୁଅଜା—ଏମିତିକି ଶେଷକୁ ସିନ୍ଦୂର ଗୋଳା ଯୁଗ ଯୁଗର ଭରସା ଦେଉଥିବା ଜାଗୁଳେଇର ଜୀଅନ୍ତା ପଥର ଆଖି ଦୁଇଟା ! କାନରେ ଶୁଣୁଥିଲେ ଚିତ୍କାର—ବାପା ହୋ—ବୋଉଲୋ—ଧାଇଁପଡ଼ ହୋ—ନଈ ମାଡ଼ି ଆସୁଛି—ହମ୍ୱାରଡ଼ି—ତା’ ପଛକୁ ଭାତ ଦିଅ—ମରିଗଲି ଲୋ—ଔଷଧ ନାହିଁ—ଡାକ୍ତର ନାହିଁ, ନାହିଁ, ନାହିଁ କିଛି ନାହିଁ—ପୁଣି ହସ, ପରିହାସ—ଦମ୍ଭ ଦିଆ କଥା—ଭୟନାହିଁ, ଆମେ ଅଛୁ—କାହିଁକି ଅଛୁ—ତମ ଭଲ କରିବା ପାଇଁ—ଆଧାର ଦେବା ପାଇଁ,—ସୁବିଧା, ସୁଯୋଗ ସମାନ କରି ବାଣ୍ଟିବା ପାଇଁ ବନ୍ଧ କରିବୁ, ବାଡ଼ କରିବୁ, ପୋଲ ବସେଇବୁ—କିବା ଛାରକଥା—ଲୋକ ଯେଉଁଠି ଚନ୍ଦ୍ରରେ ଲୁଚକାଳି ଖେଳୁଛନ୍ତି, ସମୁଦ୍ରରେ ବନ୍ଧ ଦେଇ ଫସଲ କରୁଛନ୍ତି ସେଠି ପୁଣି କିବା ଅସମ୍ଭବ—ଖାଲି ଦରକାର ବିଶ୍ୱାସ, ଭରସା, ଆଉ ପ୍ରସ୍ତୁତି, ଲଢ଼େଇ ପାଇଁ ସାହସ ମୁକାବିଲା କରିବାକୁ ବିଚାର ବୁଦ୍ଧି—ଆମେ ଅଛୁ—ତମେ ହାତ ମିଳାଅ, ହାତରେ ହାତ ରଖି ଆଗେଇ ଆସ–ଖାଲି ବଞ୍ଚିବ ନାହିଁ, ବଞ୍ଚେଇ ରଖିବ ଦେଶକୁ, ଜାତିକୁ, ସଭ୍ୟତାକୁ—ହାଃ—ହାଃ—ହାଃ— ! ଗୁଡ଼ାଏ ହସ, ଗୁଡ଼ାଏ କାନ୍ଦ ଏକାଠି କରି ଏକ ବିକୃତ ଶବ୍ଦରେ କାଶୀନାଥଙ୍କୁ ଗୋଡ଼ରୁ ମୁଣ୍ଡ ଥରେଇ ନେଉଛି— !

 

ସେ ଛିଡ଼ା ହେବା ସ୍ଥାନରେ ଟଳୁଥିଲେ ! ବାଁ ଡାହାଣ ଆଗପଛ କେଉଁ ଆଡ଼କୁ ଅନେଇ ଦେଖିବାକୁ ସାହସ କୁଳଉନି । ଯେମିତି ଅନେକ ଅଶରୀରୀ ଆତ୍ମା ତାଙ୍କ ଦେହକୁ ଘଷି ବିକଳ ଆଖିରେ ଅନେଇଛନ୍ତି— !

 

ପାଦ ତଳର ମାଟି ଦବୁଛି । ମାଟି ତଳେ ବାସୁକୀ ଥାଏ । ସେ କି ଉପରକୁ ଆସୁଛି–-। ଆକାଶରେ କ’ଣ ଖାଲି ରାକ୍ଷାସ ଥା'ନ୍ତି ? ଆଉ ପୃଥିବୀରେ— ? ଗୁଡ଼ାଏ ବିକଟାଳ ଶବ୍ଦ ଯାହାର ମୂଲ୍ୟ କିଛି ନାହିଁ—କିଛି ନାହିଁ—ନାହିଁ—ନାହିଁ— । ଅଥଚ ଆକାଶ, ପୃଥିବୀ ପାତାଳ ତିନୋଟି ଯାକ ସତେ ବା ଗୋଟିଏ ବିନ୍ଦୁରେ ଆସି ରହିଗଲେଣି ତାଙ୍କ ପଛରେ—ସେ ଘୁଞ୍ଚିଲେ ଯେମିତି ସେମାନେ ଆଗେଇବେ । କାଶୀନାଥଙ୍କ ଯିବା ଆସିବା, ବଞ୍ଚିବା, ମରିବା ଉପରେ ସେମାନେ ସତେ ବା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି...ପ୍ରଗତିର ରଥ ଚକ୍ରକୁ ଅବରୁଦ୍ଧ କରି ସେ ଛିଡ଼ା ହୋଇଛନ୍ତି–-। ନାହିଁ ସେ ଘୁଞ୍ଚିବେ ନାହିଁ— । ଅପେକ୍ଷାର ପ୍ରୟୋଜନ ନାହିଁ—ସେ କାହା କଥାରେ ଭୁଲିବେ ନାହିଁ । ସେ ଏ କଥା ସମସ୍ତଙ୍କୁ ଜଣାଇବେ । ମାତ୍ର ପାଟି ଖୋଲି ଚିତ୍କାର କଲା ପୂର୍ବରୁ ପୃଥିବୀ ତାଙ୍କୁ ଗଭୀର ଆଶ୍ଳେଷରେ ଚୁମା ଦେଇ ମୂକ କରି ଦେଇଥିଲା ।

 

ପ୍ରବଳ ଜଳସ୍ରୋତରେ ଭାସି ଯାଉଥିଲାବେଳେ କାଶିନାଥଙ୍କୁ ଲାଗୁଥିଲା—ସତେ ବା ସେ ପରମେଶ୍ୱର ! ନିଜ ସୃଷ୍ଟିର, ନିଜ ମାୟାର ପ୍ରଳୟରେ ଅସହାୟ ଭାବରେ ସେ ଭାସି ଯାଉଛନ୍ତି ଆଉ ଏକ ବିରାଟ ସୃଷ୍ଟିର ସମ୍ଭାବନା ନେଇ !!!

Image

 

ଶ୍ୟାମଳୀ ଉପାଖ୍ୟାନ

 

କିଏ ଯଦି ଦେଖେ ? କିଏ ଯଦି ପଚାରି ଦିଏ କୁଆଡ଼େ ଯାଉଛି, କାହା ସଙ୍ଗରେ ଯାଉଛି ଓ କାହିଁକି...କାହିଁକି । ମନକୁ ମନ ଗୋଡ଼ଗୁଡ଼ାକ ଥରି ଉଠୁଛି । ହାତ ପାପୁଲି ଥଣ୍ଡା ଲାଗୁଛି । ଶୀତ ଦିନରେ ବି କପାଳରେ ଝାଳ ଜକଉଛି ।

 

ଶ୍ୟାମଳୀର ଇଚ୍ଛା ହେଉଥିଲା ପଥରଟା ଉପରେ ଟିକେ ବସି ପଡ଼ନ୍ତା; ମାତ୍ର ସେ ବସି ପଡ଼ିଲା କ୍ଷଣି ହୁଏତ ଅନେକ ଆଖିର ଶରବ୍ୟ ହେବ କିମ୍ବା ଅନେକ ଅଯଥା ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ।

 

ପୃଥିବୀର ସବୁ ଲୋକଙ୍କ ପାଇଁ ସେ ଯେପରି ଏକ କୌତୁହଳର ବସ୍ତୁ ।

 

ସେ କୁଆଡ଼େ ଯାଏ, କେଉଁ ଅଫିସରେ କାମ କରେ ଓ କେଉଁ କେଉଁ ଲୋକଙ୍କ ସଙ୍ଗେ ଆଳାପ ଆଲୋଚନା କରେ, ତାହା ନେଇ କଲୋନୀ ସାରା ସବୁ ଲୋକ ଯେମିତି ବ୍ୟସ୍ତ ।

 

ଶ୍ୟାମଳୀ ଜାଣି ପାରୁଥିଲା ଯେ, ସୂର୍ଯ୍ୟ ଅନେକବେଳୁ ଅସ୍ତ ହୋଇ ଗଲେଣି । ତା’ର ଅପେକ୍ଷା ଭିତରେ ତିନି ଖଣ୍ତ ବସ୍ ନିର୍ଦ୍ଧାରିତ ଜାଗାକୁ ଗଲାଣି ଏବଂ ନୂଆ, ପୁରୁଣା ହୋଇ ଅନେକ ଲୋକ ବସ୍‍ଷ୍ଟାଣ୍ଡରେ ସନ୍ଧ୍ୟାର ସ୍ତୀମିତ ଆଲୋକରେ ଫେଣ୍ଟି ହୋଇ ଗଲେଣି । ତଥାପି ନିଶୀଥର ଦେଖା ନାହିଁ... ।

 

କି ଦୁର୍ଯ୍ୟୋଗରେ ନିଶୀଥ ସହ ଦେଖା ହୋଇଥିଲା କେଜାଣି ? ରଖିପାରୁ ନାହିଁ, କି ଛାଡ଼ି ପାରୁନାହିଁ । ଭଲ ପାଇ ପାରୁନାହିଁ ବି ଘୃଣା କରିପାରୁନାହିଁ । ଦୀର୍ଘ ଏକ ବର୍ଷ ଧରି ଏହିପରି ଏକ ଏକଟଣିଆ ଅନୁଭୂତିରେ ଯେମିତି ସେ କ୍ଳାନ୍ତ ହୋଇ ପଡ଼ିଲାଣି ।

 

ଚାରିପଟେ ଗୁଡ଼ାଏ ଲୋକ ଜମି ଆସିଲେଣି । ଆକାଶରେ ଶୀତଦିନର ଭସା ବାଦଲ ଖଣ୍ତ ଖଣ୍ଡ ହୋଇ ବୁଲୁଛନ୍ତି । କେଜାଣି, ବର୍ଷା ବି ହୋଇପାରେ ?

 

ନିଶୀଥ କ’ଣ ତେବେ ଆସିବ ନାହିଁ ? ଏତେ ଆଶା, ବିଶ୍ୱାସ ସବୁ ତା’ର ପଣ୍ଡ ହୋଇଯିବ ?

 

ନିଶୀଥ ହିଁ ତ ତା’କୁ ଅନ୍ୟ ଏକ ଜୀବନର ସଙ୍ଗୀତ ଶୁଣାଇଥିଲା । ତା’ର ଲିଭି ଯାଇଥିବା ସ୍ୱପ୍ନର ସଳିତାକୁ ତେଜିୟାନ୍ କରି ଜଳେଇ ଦେଲା । ଆଉ ଭିନ୍ନ ସଂଜ୍ଞା ଏକ ସୃଷ୍ଟି କଲା ନାରୀ ପାଇଁ, ମଣିଷ ପାଇଁ, ସମାଜ ପାଇଁ ତା’ର ରୁଗ୍‍ଣ ଚେତନାରେ । ବଞ୍ଚିବାର ନୂଆ କଥା, ନୂଆ କାହାଣୀ ସେ କହିଥିଲା ତା’କୁ; ଯେତେବେଳେ ଶ୍ୟାମଳୀ ଜାଣିଥିଲା, କେବଳ ପୁରୁଷ ଦେହର ଭୋକ ମେଣ୍ଟାଇବା ପାଇଁ ନାରୀର ଦେହ ଓ ମନ ପୃଥିବୀରେ ସୃଷ୍ଟି ହୋଇଛି ।

 

ଆସନ୍ତା କାଲି ଦିନ ଏଗାରଟାରେ ଇଣ୍ଟର୍‍ଭିଉ । ଯଦି ଚାକିରିଟା ହୋଇଯାଏ, ତେବେ ଭବିଷ୍ୟତ ପାଇଁ କିଛି ଗୋଟାଏ ସେ ବନ୍ଦୋବସ୍ତ କରି ଅନ୍ତତଃ ଶାନ୍ତି ନ ପାଇଲେ ବି ନିଶ୍ଚିନ୍ତରେ ଶୋଇ ପାରିବ । ଅଭାବ ଅସୁବିଧାରେ ଯନ୍ତ୍ରଣାରେ ଜଳି ଜଳି ମରିଯିବାକୁ ତା’କୁ ଟିକିଏ ହେଲେ କଷ୍ଟ ହେବନି । କାହିଁକି ନା ଯନ୍ତ୍ରଣାରେ ଜଳିବାକୁ ଦୁଃଖରେ ଆଉଟି ହୋଇ ସିଝିବାକୁ ସତେ ଯେମିତି ଏଇ କେତେଦିନ ହେଲା, ତା’କୁ ବେଶ୍ ଆରାମ ଲାଗୁଛି । ମାତ୍ର ନିରପରାଧ ଦୁଇଟି ଶିଶୁ । ଜରାକ୍ରାନ୍ତ ଶାଶୁ, ଶ୍ୱଶୁର ଦି’ଜଣଙ୍କୁ ସେ କ’ଣ ଦେଇ ବଞ୍ଚେଇ ପାରିବ ? ସେମାନେ ଚାହାନ୍ତି ଜୀବନ–ଜୀବନ ପରି ଜୀବନ । ଭାଙ୍ଗି ଯାଇଥିବା, ପୋଡ଼ି ପାଉଁଶ ହୋଇ ଜମା ହୋଇଥିବା ଅଳିଆ ଭିତରୁ କୁହୁଳି ଉଠୁଥିବା ବାଷ୍ପରେ ସ୍ଵପ୍ନ ଦେଖି ବିଭୋର ହେବାକୁ ସେମାନେ ଚାହାନ୍ତି ନାହିଁ । କିଏ ବା ଚାହେଁ ? କେବଳ ବୋକା ନାରୀ ଶ୍ୟାମଳୀ ବ୍ୟତୀତ କିଏ ବା ଚାହେଁ ଅସମାପ୍ତ ଯନ୍ତ୍ରଣାର ଚରମ ଆଶ୍ଳେଷ !

 

କିନ୍ତୁ ?

 

କିନ୍ତୁ କ’ଣ ? ନିୟତିକୁ ସେ ଏଡ଼ାଇ ଦେଇ ଯାଇପାରିବ ? ଅନିବାର୍ଯ୍ୟ ତା’ର ଧାରା ଯେ, ସେ ଯେପରି ରାହୁ ପରି ତା’କୁ ଗ୍ରାସ କରିବାକୁ ଧାଉଁଛି ଅବିରତ । ନଚେତ୍ ସେଦିନ ତ ଚଳନ୍ତା ଟ୍ରେନ୍ ତଳେ ଶେଷ ହୋଇ ଯାଇଥାନ୍ତା ତା’ର ସବୁ ଦିନର କ୍ଳାନ୍ତି... ।

 

ଅଫିସରେ ଫାଇଲ ଦେଖିବା ଛଳରେ ଯେତେବେଳେ ଅମରନାଥ ତା’ର ହାତଟାକୁ ଏୟାର କଣ୍ତିସନ୍ ରୁମ୍ ଭିତରେ ଚାପିଧରି ଏକ ଅସାବଧାନ ମୁହୂର୍ତ୍ତରେ ତା’କୁ ଦୁଇ ବାହୁ ବନ୍ଧନରେ ପିଷ୍ଟ କରି ଦେଇଥିଲେ, ସେ ନିଜର ସତ୍ତା ଭୁଲିଯାଇ ଚିତ୍କାର କରି ଉଠିଥିଲା । ସେଦିନ ନିଶୀଥ ହିଁ କେବଳ ରୁମ୍ ଭିତରକୁ ପଶିଯାଇ ତା’କୁ ରକ୍ଷା କରିଥିଲା...ନିଜ ପାଦର ଚଟି କାଢ଼ି ସେ ଅମରନାଥର ଗାଲରେ ବଜ୍ରାଘାତ କରିଥିଲା । ସିନେମା ପରି ଏକ ଅଦ୍ଭୁତ କାଣ୍ଡ ଶ୍ୟାମଳୀ ଆଖି ଆଗରେ ଘଟି ଯାଇଥିଲା ନିମିଷକେ । ଆସନ୍ନ ସନ୍ଧ୍ୟାର ଅନ୍ଧାର ଭିତରେ କେଉଁ, ପ୍ରାଗୈତିହାସିକ ଯୁଦ୍ଧ କ୍ଷେତ୍ରର ବିଭୀଷିକାରେ ଭୟଭୀତ ହୋଇ ଶ୍ୟାମଳୀ ଦୌଡ଼ି ଯାଇଥିଲା ବାହାରକୁ...ରାସ୍ତା, ଘାଟ, ଗାଡ଼ି, ମଟର ଗୋଟାକୁ ଗୋଟା ଅତିକ୍ରମ କରି ସେ ଯାଇଥିଲା...ହଠାତ୍ ଦୈତ୍ୟ ପରି ମାଡ଼ି ଆସୁଥିବା ଚଳନ୍ତା ଟ୍ରେନ୍‍ର ପାଖପାଖି କିଏ ଜଣେ ତା’କୁ ଧରି ପକାଇଲା ପଛପଟକୁ । କିଏ ? ନିୟତି ? ନା...ନିଶୀଥ ! ତା’ର ଅର୍ଦ୍ଧମୂର୍ଚ୍ଛିତ ଚେତନାଶୂନ୍ୟ ଦେହ ଶୁଣିଥିଲା, ନିଶୀଥର ତା’ ପ୍ରତି ଉଦ୍ଦିଷ୍ଟ ସାନ୍ତ୍ୱନାର ଶ୍ଳୋକ, ବଞ୍ଚିବାର ନୂତନ ପନ୍ଥା, ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ମାନବିକତାର ଶପଥ !

 

ଚାକିରିର ପ୍ରଶ୍ନ ତା’ପରେ ଆଉ ଉଠେ ନାହିଁ । ମାତ୍ର ଜୀବନ ହୋଇ ଉଠେ ଦୁର୍ବିସହ । ସମସ୍ତେ ସତେ ବା ସେଦିନୁ ତା’କୁ ଚାହିଁ ରହିଛନ୍ତି ପ୍ରଶ୍ନିଳ ଆଖିରେ । ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାର ଦୁଇ ବର୍ଷ ନ ପୁରୁଣୁ ତା’ ପାଖରେ ଏପରି ଅସ୍ୱାଭାବିକତା ଶୋଭାପାଏ କି ?

 

ଖାଲି ସେତିକି ନୁହେଁ, ରାସ୍ତାଘାଟ ଏମିତି ନିଜର ଶୋଇବା ଘରେ ମଧ୍ୟ ସେ ନିଶ୍ଚିନ୍ତରେ ଶୋଇ ପାରିଲାନି; ନାମୀ ବେନାମୀ ଚିଠିରେ ଅଶ୍ଳୀଳ ଇଙ୍ଗିତ ତଥା ତା’ର ଜୀବନ ନାନା ଆଶଙ୍କାରେ ନାନା ଜ୍ୱାଳାରେ ଆକୁଳ ହୋଇ ଉଠିଲା । ନିଜ ପାଇଁ ଯେତେ ନୁହେଁ, ନିଜର ସନ୍ତାନମାନଙ୍କ ଚିନ୍ତା, ବିଶେଷତଃ ନିଶୀଥର ଜୀବନ ପ୍ରତି ଗଭୀର ଆଶଙ୍କାରେ ଶ୍ୟାମଳୀ ମର୍ମାହତ ହେବାକୁ ଲାଗିଲା ।

 

ମଣିଷର ବିବେକଠାରୁ ବଳି ଶାସ୍ତିଦାତା ଆଉ କିଏ ଅଛି ? ବିନା କାରଣରେ ତା’ ପାଇଁ ଅନେକ ଲୋକ କଷ୍ଟ ପାଉଥିବାରୁ ସେ ଅନୁତାପ ଅଶାନ୍ତିରେ ଜଳିଯିବାକୁ ଲାଗିଲା ।

 

ସେଇପରି ଅବସ୍ଥାରେ କୌଣସି ମତେ ନିଜ ପାଇଁ ଖଣ୍ଡେ ଚାକିରି ଯୋଗାଡ଼ କରି ନିଶୀଥ ଆସି ତା’କୁ ଦେଖା କରିଥିଲା । ସେ ଦିନ ହିଁ ନିଶୀଥ ପ୍ରଥମ କରି ଶ୍ୟାମଳୀର ଅବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବାର ସୁଯୋଗ ପାଇଥିଲା । ନିଜ ପରି ଶ୍ୟାମଳୀର ଅସହାୟ ଅବସ୍ଥାର ସମାଧାନ କରିବା ଲାଗି ସେ ତା’ ପାଇଁ ଚାକିରି ସନ୍ଧାନରେ ବାହାରି ଯାଇଥିଲା ।

 

ତା’ପରେ ? ଦୂର ବିଦେଶରୁ ରାଶି ରାଶି ଚିଠି ସେ ଶ୍ୟାମଳୀକୁ ଲେଖିଥିଲା । ଶ୍ୟାମଳୀର ଏ ଅବସ୍ଥା ପାଇଁ ନିଶୀଥ ଦାୟୀ ବୋଲି କହି ତା’ର ଭାରା ଯେତେ ଲାଘବ କରିବାକୁ ଚାହିଁଥିଲେ ବି ଶ୍ୟାମଳୀ ବୁଝିଥିଲା, ନିର୍ମମ ନିୟତି ହିଁ ତା’ର ଭାଗ୍ୟରେ ସୁଖ ବୋଲି ପଦାର୍ଥ ଲେଖି ନାହିଁ ।

 

ତଥାପି ବି ବଞ୍ଚି ରହିବାକୁ ହେବ ଏବଂ ଅନ୍ୟମାନଙ୍କୁ ବଞ୍ଚେଇବାକୁ ହେବ । ଆଉ ତାହା ବୋଧେ ନିଷ୍ଠୁର ଭାଗ୍ୟର ଆଦେଶ ।

 

କିନ୍ତୁ ନିଶୀଥ କାହିଁ ? ଅଏଲ୍ କମ୍ପାନୀର ଇଣ୍ଟରଭିଉ ଚିଠିଟା ବ୍ୟାଗରୁ ବାହାର କରି ପଢ଼ିଲା ଶ୍ୟାମଳୀ । କାଲି ଦିନ ଏଗାରଟାରେ... ।

 

କିଏ ଜଣେ ଯେମିତି ତା’ ନିକଟରେ ଆସି ଠିଆ ହୋଇଗଲା । ‘‘କିଏ” ? ଚମକି ଉଠିଲା ହଠାତ୍ କରି ଶ୍ୟାମଳୀ !

 

“ଆପଣ ଶ୍ୟାମଳୀ ଦେବୀ । ନିଶୀଥ ବାବୁ ଅସୁସ୍ଥ । ସେ ଖବର ପଠାଇଛନ୍ତି ମୋ ହାତରେ...ଆପଣଙ୍କର ଯଦି ଆପତ୍ତି ନ ଥାଏ, ତା’ହେଲେ... ।”

 

“ମାତ୍ର ତାଙ୍କର କ’ଣ ହୋଇଛି ? କାଲି ତ ମୁଁ ତାଙ୍କର ଚିଠି ପାଇଛି । ସେ ଆଜି ଏଠିକି ଆସିବାର କଥା, ଆସନ୍ତା କାଲି ମୋର ଇଣ୍ଟର୍‍ଭିଉ ଅଛି ।”

 

ବ୍ୟସ୍ତ ହୋଇପଡ଼ିଲା ଶ୍ୟାମଳୀ । ହୁଏତ ଆଉ ଟିକକରେ ସେ କାନ୍ଦି ପକାଇବ ।

 

ଭଦ୍ରଲୋକ ଜଣକ ହତମ୍ଭବ ହେଲାପରି କହିଲେ—“ଦେଖନ୍ତୁ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ନିଶୀଥ ମୋର ଏକାନ୍ତ ଅନ୍ତରଙ୍ଗ । ‘ଶେଖର’ ବିଷୟରେ ନିଶ୍ଚୟ କଥା ପ୍ରସଙ୍ଗରେ ଆପଣ ତା’ଠାରୁ ଶୁଣିଥିବେ । ସେଥିପାଇଁ ସେ ମୋତେ ପଠାଇଛି...ଆପଣ ଚାହିଁଲେ ମୁଁ ନେଇଯିବି । ନଚେତ୍... !

 

‘ଶେଖର’ ନା ଶୁଣି ଆଶ୍ୱସ୍ତ ହେଲେ ଶ୍ୟାମଳୀ । ଶେଖରର ଅନେକ ପ୍ରଶଂସା ସେ ନିଶୀଥଠାରୁ ଶୁଣିଛି । ଆଉ ବିଶେଷତଃ ଇଣ୍ଟର୍‍ଭିଉକୁ ଯିବା ପାଇଁ ଏବଂ ସିଲେକ୍ଟ ହେବା ପାଇଁ ଶେଖରର ଅଦମ୍ୟ ପ୍ରଚେଷ୍ଟା ସେ ଶୁଣିଛି ନିଶୀଥଠାରୁ । ଅସୁସ୍ଥତା ଯୋଗୁଁ ନିଶାଥ ଆସିପାରି ନ ଥିବାରୁ ଶେଖର ଆସିଛନ୍ତି ତା’କୁ ବାଟ କଢ଼େଇ ନେବାକୁ । ଜୀବନର ଦୁର୍ଦ୍ଦିନରେ ଏଇ ବନ୍ଧୁତ୍ୱ, ଏଇ ସାହଚର୍ଯ୍ୟକୁ ସେ କିପରି ଭାବରେ ପରିଶୋଧ କରିବ, ଭାବି ପାରୁନି ।

 

ଶେଖର ଏଥର ଅପ୍ରସ୍ତୁତ ହେଲାପରି କହିଲା—

 

“ଆପଣ ଯଦି କିଛି ମନେ ନ କରନ୍ତି, ମୋ ସାଙ୍ଗରେ ଆସନ୍ତୁ । ଗାଡ଼ି ଆଣିଛି ଏବଂ...ସାଙ୍ଗରେ ମୋର ସ୍ତ୍ରୀ ଏବଂ ଅନ୍ୟାନ୍ୟ... ।”

 

“ନା, ନା—ଆପଣ ଏପରି ଭାବିବେ ନାହିଁ । ନିଶୀଥର ବନ୍ଧୁ ହିସାବରେ ମୋର ଦ୍ୱିଧା କରିବାର କିଛି ନାହିଁ... ।” ଏଥର ନୀରବରେ ଶେଖର ଶ୍ୟାମଳୀ ପାଖରେ ଥୁଆ ହୋଇଥିବା ଛୋଟ ସୁଟକେଶ୍‍ଟି ଧରି ଆଗେଇଗଲା । ପଛେ ପଛେ, ତା’ର ଶ୍ୟାମଳୀ ।

 

ଗାଡ଼ିରୁ ଅଳ୍ପ ବୟସ୍କା ସ୍ତ୍ରୀ ଲୋକ ଜଣେ ଆସି ତା’କୁ ସ୍ୱାଗତ କଲେ । ନାଁ ତା’ର ସୁଧା, ଶେଖରର ସ୍ତ୍ରୀ ।

 

ବଡ଼ କ୍ଳାନ୍ତ ଲାଗୁଥିଲା ଶ୍ୟାମଳୀକୁ । ଦୀର୍ଘ ସମୟ ଧରି ଅପେକ୍ଷା କରି ସେ କ୍ଳାନ୍ତ ହୋଇ ପଡ଼ିଥିଲା । କାର୍‍ର ଗୋଟାଏ କଣରେ ଆଉଜି ପଡ଼ି ଶ୍ୟାମଳୀ ପରମ ନିଶ୍ଚିନ୍ତରେ ଆଖି ବୁଜିଲା । ପ୍ରଥମ ଶୀତର ହାଲୁକା ପବନ ନିଦ ଭରି ଦେଇଗଲା ନିମିଷକରେ ।

 

କିଛି ସମୟ ପରେ ଶ୍ୟାମଳୀ ଜାଣି ପାରିଲା, ତା’ ମୁହଁକୁ ଏକ ଶକ୍ତ କନାରେ ବାନ୍ଧି ଦିଆଯାଉଛି । ମୁଣ୍ଡଟା ଯେମିତି ଯନ୍ତ୍ରଣାରେ ଫାଟିଯିବ... । କିନ୍ତୁ କାହିଁକି ? ପାଖରେ ଫୁସ୍‍ଫାସ୍ କଥା ସହ ଚାପା ହସର ଗୁଞ୍ଜନ ! କ’ଣ ? କ’ଣ ପାଇଁ ? ଅଜସ୍ର ଚେଷ୍ଟା କରି ମଧ୍ୟ ସେ ପାଟି ଖୋଲି ପାରିଲାନି, କି କୌଣସି ଗୋଟିଏ କଥା ପରିଷ୍କାର ଶୁଣି ପାରିଲାନି ଏତିକି ବେଳେ କିଏ ଜଣେ ପାଟି କରି ବୋଧେ ସାମନା ସିଟ୍‍ରୁ କହିଲା—

 

“ଆଜି ରାତିଟା କିନ୍ତୁ ମଲ୍ଲୀପୁର ବଙ୍ଗଳାରେ ରହିବାକୁ ହେବ । ଶାଲା ଆମରନାଥ ଭାବିଛି, ଟଙ୍କା ଦେବ ବୋଲି ସବୁ ଜିନିଷ ତା’ର ଆଗେ । ଆମର ଏକ୍ ରାତି; ପରେ ସେ ନେଉ–-।”

 

“ଚୁପ୍ ଚୁପ୍ । ପାଟି କାହିଁ କରୁଛୁ । ତମେ ଯିଏ ଯାହା କରୁଛ କର । ମାତ୍ର ଅମରନାଥ ଆସିଲା ବେଳକୁ ଯେମିତି କିଛି ଗଣ୍ଡଗୋଳ ନ ଥାଏ—ନ ହେଲେ ସବୁ ଶାଲା ମରିବ । ବୁଦ୍ଧି ଦରକାର–-!”

 

ତା’ପରେ ପୁଣି ସେଇ ଚାପା ଗୁଞ୍ଜନ ଫିସ୍ ଫିସ୍‍ କଥା । ଆଉ କିଛି ଶୁଭୁନି । ଗାଡ଼ି ଚାଲିବାର ଘର୍ ଘର୍ ଶବ୍ଦରେ ଶ୍ୟାମଳୀର ଆଠ ବର୍ଷର ମାତୃତ୍ୱ, ଦଶ ବର୍ଷର ସତୀତ୍ୱ, ସବୁ ଖଣ୍ଡ ଖଣ୍ଡ ହୋଇ ଛିନ୍ନ ବିଚ୍ଛିନ୍ନ ହୋଇ ଯାଉଥିଲା । ତଥାପି ବି ଆକାଶ ପୃଥିବୀ କେହି ବିଚଳିତ ବା ବିବ୍ରତ ହେବାର ସେ ଅନୁଭବ କରି ପାରୁ ନ ଥିଲା ।

 

କେବଳ ନିଜର ହୃତପିଣ୍ଡର ସ୍ପନ୍ଦନ, ନିଃଶ୍ୱାସର ଗତି ଓ ଦେହର କମ୍ପନ ସେ ଅନୁଭବ କରିପାରୁ ଥିଲା । ନିଶୀଥ କହିଥିବା ଅନେକ ମୂଖସ୍ଥକରା କଥା ତା’ର ସେଇ ମୃହୂର୍ତ୍ତରେ ମନେ ଯେ ପଡ଼ୁ ନ ଥିଲା ସେ କଥା ନୁହେଁ, ମାତ୍ର ବଡ଼ ଅସଂଲଗ୍ନ ସେ ଚିନ୍ତାର ଧାରା ।

 

ଶ୍ୟାମଳୀ ପରିଷ୍କାର ଜାଣୁଥିଲା ତା’ର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ମଣିଷର ଶରୀର ଲୋପ ପାଇ ଗୋଟିଏ ପଶୁର ଶରୀରରେ ପରିଣତ ହୋଇଯାଉଛି । କେବଳ ମୁହଁଟା ବୋଧେ ମଣିଷର ଅଛି । ହୁଏତ କନାପଟି ଖୋଲା ହେଲା ବେଳକୁ ସେଥିରୁ ଗୋଟାଏ ବିକୃତ ଜନ୍ତୁର ମୁହଁ ବାହାରିବ ।

 

ତା’ର ଦେହ, ତା’ର ମାଂସ ? କିଛି ତ ନନ୍ଦନବନର ପାରିଜାତ ନୁହେଁ, କି ଅମରାବତୀର ଅମୃତ ନୁହେଁ । ରକ୍ତ ପୂଜ, ଜୀବାଣୁର ଏକ ଭଣ୍ଡାର । ତା’ରି ପାଇଁ ତା’ରି ଉପରେ ପ୍ରତିଶୋଧ ନେବା ପାଇଁ ଏଡ଼େ ବିରାଟ ଷଡ଼ଯନ୍ତ୍ର ।

 

ଅଣନିଃଶ୍ୱାସୀ ହେଲାପରି ଲାଗୁଥିଲା ଶ୍ୟାମଳୀକୁ । ପ୍ରାଣଟା ଯଦି ଚାଲି ଯାଆନ୍ତା, ସବୁ ଜଞ୍ଜାଳରୁ ସେ ମୁକ୍ତି ପାଇ ଯାଆନ୍ତା; ହୁଏତ !

 

ହଠାତ୍ ଗାଡ଼ିଟା ଅଟକି ଗଲା । ଫେର୍ ସେଇ ଫୁସଫାସ୍ କଥା । କିଏ ଜଣେ ଯେମିତି କହୁଛି ଆଖିରୁ ପଟି ଖୋଲି ଦେବାକୁ । ବହୁତଗୁଡ଼ାଏ ଲୋକ ଯେପରି ଏପଟ ସେପଟ ହୋଇ କ’ଣ କରିବେ ନ କରିବେ ଚିନ୍ତା କରୁଛନ୍ତି—

 

ସତକୁ ସତ ଆଖିରୁ ତା’ର କନାପଟି ଖୋଲି ଦିଆଗଲା । ଚାରିପଟେ କିଟ୍ କିଟ୍ ଅନ୍ଧାର-। କାହାର ଗୋଟାଏ ତାତିଲା ନିଃଶ୍ୱାସ ତା’ ଗାଲରେ ବାଜୁଛି । ଅସଂଯତ ହାତ ପାପୁଲି ତା’ର ଦେହସାରା ଘୁରି ଆସୁଛି । ଦେହ ତ ନୁହେଁ, ଯେମିତି ପଥରର ମୂର୍ତ୍ତିଟାଏ । ରକ୍ତ, ଜୀବନିକା, ପ୍ରାଣ, କିଛି ନାହିଁ—ସାମାନ୍ୟ ପଥର ଖଣ୍ଡେ ।

 

କିଏ ଜଣେ ତା’ର ହାତ ଧରି ଟାଣୁଛି ପଦାକୁ । ଅନତି ଦୂରରୁ ଗୋଟାଏ ଘରର ଝର୍କା ଦେହରୁ ସ୍ତୀମିତ ଆଲୋକରେ ପରିଷ୍କାର ବାରି ହେଉଛି କେତୋଟି ହସକୁଡ଼ୀ ସ୍ତ୍ରୀ ଲୋକଙ୍କର ମୁହଁ, କାନକଡ଼କୁ ଲମ୍ୱି ଆସିଥିବା ଗଭାର ଫୁଲମାଳ–-! ଏଇଟା ତେବେ କ’ଣ ?

 

“ଆଲୋ ଓହ୍ଲାବା, କନିଆ ବୋହୂପରି ବଇଛୁ କ’ଣ କିଲୋ ? ଦୀପ ଧୂପ ଦେଇ ବନ୍ଦେଇବି କି କ’ଣ ତତେ ? କେତେ ଗୁମାନ, କାନ୍ଦ, ଦେଖିଛି ମ’–ଫେର୍ ମାସ ଗୋଟାଏ ଯାଇ ନ ଥିବ ତାଙ୍କ ପରି ମୁହଁ ଗଳେଇ ଝର୍କାରେ ହସି ହସି ବେଦମ୍ ହେବୁ । ଛୋପରା ହଅନା–ଉଠିଆ–ଅଇଲୁ-।”

 

ଶ୍ୟାମଳୀ ଜାଣୁଥିଲା, ମଧ୍ୟବୟସୀ ଜଣେ ନାରୀ ତା’ର ହାତ ଧରି ମୁରବୀ ପଣରେ ତା’କୁ ବୁଝେଇ ନେଇଯିବାକୁ ଆସିଛି । ଅତୀତରେ ଯେ ବହୁତ ଝିଅବୋହୂଙ୍କୁ ବୁଝାଇ ଦେଇଛି, ବଶ କରି ନେଇଛି, ଆଉ ମଧ୍ୟ ଗଦ ଶୁଙ୍ଘାଇ ପୋଷା ମନେଇବାର ପ୍ରତିଶ୍ରୁତି ଦେଇଛି, ସେଇଭଳି ଏକ ମାତୃପ୍ରତିମା ନାରୀ ପାଖରେ ଶ୍ୟାମଳୀର ଅମାନିଆ, ଅଝଟିଆ ମଣ କ'ଣ ଶୋଭା ପାଏ ? ବିଶେଷତଃ ଚାରିପଟରେ ତା’ର ପୁଅମାନେ ଯେତେବେଳେ ଆନନ୍ଦରେ, ଖୁସିରେ, ତା’କୁ ହିମ୍ମତ ଦେଇଛନ୍ତି, ଭରସା ଦେଇଛନ୍ତି, ତା’ର କୀର୍ତ୍ତିର ଜୟଗାନ କରୁଛନ୍ତି...। ଶ୍ୟାମଳୀର ବାସ୍ତବିକ୍ ଦାନ୍ତରେ ଦାନ୍ତ ବାଜି ଠକ୍ ଠକ୍ କମ୍ପୁଥିଲା । ପଥରର ଦେହ ଭିତରେ କେଉଁ ଅପଦେବତାର ପ୍ରାଗୈତିହାସକ ଜନ୍ତୁ ଶିକାର ପ୍ରାପ୍ତିର ଉଲ୍ଲାସରେ, କୁହାଟ ଛାଡ଼ି ଉଠିଲା । କେଜାଣି ସେ ଜାଣିପାରୁ ନ ଥିଲା । ଏଥର ଡାହାଣ ପାଦ ଶ୍ୟାମଳୀ ଗାଡ଼ିରୁ ଟାଣି ବାହାରକୁ ଥୋଇଲା କ୍ଷଣି, ଗଭୀର ଆଶ୍ଳେଷରେ ସେଇ ସ୍ତ୍ରୀ ଲୋକଟି ତା’କୁ ତା’ର ବୁକୁ ଭିତରକୁ ଟାଣି ନେଉ ନେଉ କହିଲା—

 

“ଅଇଲୁ ଲୋ ମୋ ମାଆ—ଆ, କିଛି ତୋର ଅଭାବ ରହିବନି—ଦେଖିବୁ ତତେ ରାଣୀ କରି ଦେବି । ଦିନ କେଇଟା ଯାଇ ନ ଥିବ ପରା କହିବୁ, ମା’ ମୁଁ ତତେ ଛାଡ଼ି ଯିବି ନାହିଁ...ହେଁ, ହେଁ–ମୁଁ ମରି ଯାଉଥାଏ ଲୋ, ମୋ ଝିଅର ଆଖିରେ ଲୁହକୁ ଦେ ଦେ...ଛିଃ, ଛିଃ, ଛିଃ ।”

 

ମା’ ! ଝିଅ ! କିଏ ? କାହାର ? ଶ୍ୟାମଳୀର ଆଖି ସମୁଦ୍ରରେ ବାସ୍ତବିକ ନିଆଁ ଲାଗିଗଲା—ନିଆଁ ଲାଗିଗଲା, ଗୋଡ଼ରୁ, ତଳିପାରୁ ମଥାରୁ କେଶ ପର୍ଯ୍ୟନ୍ତ । ବହୁଦିନର କ୍ଷୁଧିତ ଅଗ୍ନି–ଶିଶୁ ତା’ର ଲହ ଲହ ଜିହ୍ୱା ବିସ୍ତାର କରି ଯେମିତି ପୃଥିବୀ ମାଆକୁ ଗ୍ରାସ କରିବାକୁ ବ୍ୟସ୍ତ, ଆକୁଳ ।

 

କ'ଣ ହେଲା କେଜାଣି, ସେଇ ମଧ୍ୟବୟସୀ ନାରୀଟିର ଡାହାଣପଟର ସ୍ତନଟିକୁ ହଠାତ୍ ଦୁଇ ଦାନ୍ତ ପାଟିରେ ଶ୍ୟାମଳୀ କାମୁଡ଼ି ଛିଣ୍ଡାଇ ଆଣୁଥିବାବେଳେ, ଗୋଟାଏ ବୁକୁଫଟା ଚିତ୍କାର ତା’ର କାନରେ ବାଜି ମଧ୍ୟ, ବାଜୁ ନ ଥିଲା ।

 

ବହୁ ଲୋକ ତା’ର ଚତୁର୍ଦ୍ଦିଗରେ ଜମିଯାଇ, କୋଳାହଳ କରି ତା’କୁ ଟଣା ଓଟରା କରୁଥିଲେ, ସେତିକି, ସେତିକି ଏକ ଅନାସ୍ୱାଦିତ ଅନନ୍ତ ମଧୁର ରସରେ ତା’ର କଣ୍ଠନାଳି ରୁଦ୍ଧ ହୋଇ ଯାଉଥିଲା । ସ୍ତ୍ରୀ ଲୋକଟିର ବୁକୁ ଉପରେ ଯେପରି ଅବୁଝା ଅମାନିଆ ଶିଶୁଟିଏ ବହୁଦିନ ରାହାଧରି ମୂର୍ଚ୍ଛା ଯାଇଛି ।

 

ସମୟ ସେତେ ଚପଳ ଚଞ୍ଚଳ ହେଲେ ବି ଥରେ ଥରେ ମଣିଷର ହାତ ମୁଠାରେ ପେଷି ଚକଟି ହୋଇଯାଏ । ତା’ର ଗତି ରୁଦ୍ଧ କରିଥିବା ଅନିବାର୍ଯ୍ୟ ପଥ ଧାରରେ ରଖି ଦେଇଯାଏ ବିନମ୍ର ଆନୁଗତ୍ୟର ଏକ ସ୍ମାରକୀ ସ୍ତମ୍ଭ !

Image

 

ଯେହେତୁ ମଧ୍ୟରାତ୍ରି

 

ମୁଁ ଫେରୁଥିଲି ।

ଅନେକ ଦିନ ପରେ ।

ଅଥଚ ସେଇ ପୁରୁଣା ସହରକୁ, ଯେଉଁଠାକୁ କେବେ ଫେରିବି ନାହିଁ ବୋଲି ମୁଁ ଏକଦା ସ୍ଥିର କରିଥିଲି । କିନ୍ତୁ ଦୁଃଖର କଥା ମୋର କୌଣସି ତାରିଖ, ତିଥି, ନକ୍ଷତ୍ର ମନେ ନାହିଁ ।

ମୁଁ ଯେଉଁ ସହରରୁ ଆସିଲି ସେଠାରେ ଚାରିଆଡ଼େ ନିଆଁ ଲାଗିଯାଇଛି । ଖାଲି ସେତିକି ନୁହେଁ, ବଢ଼ି, ମରୁଡ଼ି, ମହାମାରୀ ସବୁ ଯେମିତି ଏକାଠି ହୋଇ ବସା ବାନ୍ଧିଛନ୍ତି । ପୁରୁଣା ନୂଆ ଭିତରେ କିଛି ଯେତେବେଳେ ତଫାତ୍ ନାହିଁ, ତାହା ଭିତରେ ଯୋଗସୂତ୍ର ରହିଲେ କ୍ଷତି କ’ଣ ? କିନ୍ତୁ ମୋ ଇଚ୍ଛାଟା ହଠାତ୍ ଏମିତି ମରିଗଲା କାହିଁକି ଜାଣିବେ ? ମରିଯାଇଛି ନିଶ୍ଚୟ । ମୋ ପେଟରୁ ଆସି ପାଟି, ଆଉ ପାଟିରୁ ଯେତେବେଳେ ତଳେ ଖସି ପଡ଼ିଲା...ମୋର ତା’କୁ ହାତରେ ଧରିବା ଉଚିତ୍ ନ ଥିଲା । ହେଲେ ସବୁ ଶାସ୍ତ୍ର, ସବୁ ବିଦ୍ୟା ସେଇଠି ଫେଲ୍ ମାରିଲା । ମୁଁ ତା’କୁ ତଳୁ ଉଠାଇ ମୁଠେଇ ନ ଧରୁଣୁ ପାପୁଲି ଦୁଇଟା ମୋର ପୋଡ଼ି ଜଳିଗଲା ! ସେହିଦିନୁ ମୁଁ କୌଣସି କଥା ବୁଝିଲି ନାହିଁ...ମୁଁ ଭିନ୍ନ ମସ୍ତିଷ୍କର ଲୋକ ବୋଲି ସମସ୍ତେ ମୋ ପାଇଁ ଶୋକ କଲେ । ମୁଁ ମଧ୍ୟ ନିଜ ପାଇଁ ଅନେକ ଶୋକ କଲି—ଆବଶ୍ୟକତାରୁ ଅନେକ ବେଶୀ । ହଠାତ୍ ପୁଣି ପୁନର୍ଜନ୍ମର ବ୍ୟାଖ୍ୟା ଚାରିଆଡ଼େ ସ୍ଳୋଗାନ୍ କାନ୍ଥ ବାଡ଼ ପାଚେରୀ, କାଗଜ ଆଉ ମାଇକ୍ । ଥଣ୍ଡା ଥଣ୍ଡା ପବନ ସାଙ୍ଗକୁ ବହୁଦିନର ଜମାଟ ବନ୍ଧା କ୍ଳାନ୍ତି । ସହର ସାରା ଯେତେବେଳେ ସେତେବେଳେ ସୂର୍ଯ୍ୟ ଆସିଲା ଆକାଶକୁ । ହେଲେ କିଏ ତା’କୁ ଦେଖିଲା ଯେ...ଡ଼ିମିରି ଫୁଲ ପରି ସେ କିନ୍ତୁ ଥାଇ ନ ଥାଇ ସମାନ ହେଲା ।

ସମସ୍ତେ ସ୍ଵପ୍ନ ଦେଖୁଥିଲେ, କଥା କହୁଥିଲେ ଏବଂ ମଝିରେ ମଝିରେ ଚମକୁଥିଲେ । ମୋର ଇଚ୍ଛା ବୁଲୁଥିଲା ଦୁଷ୍ଟ ପିଲା ପରି, ଶାନ୍ତ କିଶୋରୀଟି ପରି; ପ୍ରେତାତ୍ମା ପରି ପୁଣି କେତେବେଳେ ଅଜସ୍ର ତପସ୍ୟାରେ ମୁଗ୍‍ଧ ହୋଇ ଧ୍ୟାନ ଭଗ୍ନ ଯୋଗୀ ପରି...ସତେ ତ ! କେତେ ହାତରେ, କେତେ ଭଙ୍ଗୀରେ, କେତେ ରୂପରେ ସବୁ ଜଳିଗଲା । କିଛି ଜାଣି ହେଲା ନାହିଁ, ଜାଣିବାକୁ କାହାର ଅବସର ନ ଥିଲା । ଆଉ ଯେଉଁମାନେ ଜାଣୁଥିଲେ, ସେମାନେ ଜଳୁଥିଲେ...ସମୁଦ୍ରରେ ବନ୍ୟା ହେଲେ କ’ଣ ହେବ ! ଏ ପ୍ରଶ୍ନର ଉତ୍ତର କାହା ପକ୍ଷରେ ଦେବା ସମ୍ଭବ ହେଲାନି । କେଜାଣି କାହିଁକି ? ପୃଥିବୀରେ ସମୁଦ୍ର ଅଛି, ମଣିଷ ଅଛି, ଇଚ୍ଛା ଓ ବିଚାର ଅଛି । ସମୁଦ୍ର ମଣିଷର ଆୟତ୍ତାଧୀନ ଥିଲାବେଳେ... ?

ଚାରୁବାଳାର ଶବ ଫୋପାଡ଼ି ଦେଇ ଅଜୟ ଏକ ନିଃଶ୍ୱାସରେ ଘରକୁ ଦୌଡ଼ି ପଳାଇ ଆସିଲା । କାଲି ରାତିରେ ପ୍ରଚୁର ମଦ୍ୟପାନ ଯୋଗୁଁ ଆଜି ତା’କୁ ବଡ଼ କ୍ଲାନ୍ତ ଲାଗୁଛି । ବେଶିକରି ଟିକିଏ ଶୋଇଗଲେ, ସେ ଜାଣେ, ସବୁ ଠିକ୍ ହୋଇଯିବ । ହ୍ୟାପ ମାଇକିନା ଜୀଇଁଥିଲା ବେଳେ ଯେତିକି ଜଳେଇଲା, ମରିଲା ବି ସେତିକି ହେଙ୍ଗାମାରେ । ମଲା ପରେ ବି ରଖିଦେଇ ଯାଇଛି ଗୁଡ଼ାଏ ନେଣ୍ଟା । ଏବେ ସେଗୁଡ଼ା ସଫା କରୁ କରୁ କେତେ ଦିନ ଲାଗିବ କେଜାଣି ?

ଘସୋରା ଲୋକ ଭର୍ତ୍ତି । ଏଇ କଥାଟା ମୋଟେ ଭଲ ଲାଗୁନି ଅଜୟକୁ । ଦୁଃଖଟି ଯାହାର ସେଇ ଜାଣେ—ହଜାରେ ଲୋକ ସେଥିରେ ମୁଣ୍ଡ ପୂରେଇ ଘାବରେଇବା କ’ଣ ଦରକାର-?

ଝର୍କାର ରେଲିଂରେ ମୁହଁ ଚାପି ଗୋଧୂଳି ଆକାଶକୁ ଅନେଇଛି ଅଜୟ । ପ୍ରତ୍ୟେକଟି ଲୋକ ସେବାଟେ ଚାଲି ଯାଉ ଯାଉ ଅଟକି ଚାହୁଁଛି ତା’ର ଉପସ୍ଥିତି ଜଣାଇବା ପାଇଁ । ହେଲେ...

 

ମୁଁ ତା’ର କାନ୍ଧରେ ହାତ ରଖି ତା’କୁ ମୋ କୋଳକୁ ଆଉଜାଇ ଆଣିବାକୁ ଚେଷ୍ଟା କଲି । ସେ ଚଟ୍‍କରି ବୁଲିପଡ଼ି କହିଲା—

 

“ହିପୋକ୍ରାଟ ଭଳି ମୋତେ ସାନ୍ତ୍ୱନା ଦେ’ନା କହୁଛି । କେତେ ଦିନ ଏମିତି ଫାର୍ଶ ଚାଲିଥାନ୍ତା କିରେ ?”

 

ମୁଁ ସାମାନ୍ୟ ଘୁଞ୍ଚି ଆସିଥିଲି ଏବଂ ସତର୍କରେ ଚାରିଆଡ଼କୁ ଅନାଇଁ ଗୋଟାଏ ସିଗାରେଟ୍ ତା’ ପାଟିରେ ଦେଇଦେଲା । ମୁଁ ଜାଣେ ଯେ କିଛି ସାଙ୍ଘାତିକ ନ ହୋଇଥିଲେ ସେ କ’ଣ ସିଗାରେଟ୍ ଖାଇବାକୁ ଭୁଲି ଯାଇଥାନ୍ତା ?

 

ମୁଁ ହସିଦେଇ କହିଲି—

 

“କେତେଥର ମଣିଷ ମରିଯାଏ—କେତେଥର ଜନ୍ମ ନିଏ କେଜାଣି ?”

 

“ଫିଲୋସଫି ବନ୍ଦ କର । ମତେ ଭଲ ଲାଗୁନାହିଁ ।”

 

“ବେଶୀ ହେଲେ କ’ଣ ମାରିଦେବୁ ?” ମୁଁ ହସିବାକୁ ଚେଷ୍ଟା କରି ବି ପାରିଲି ନାହିଁ ।

 

“ତୁ କେମିତି ଜାଣିଲୁ ? ସବ୍ ଜାନତା ପରି ତୋ’ କଥାଗୁଡ଼ା ମତେ ଆଦୌ ଭଲ ଲାଗେ ନାହିଁ ।”

 

“ହେଲେ...।”

 

“ହେଲେ ମାରି ଦେବାଠାରୁ ଉପାୟ କିଛି ନ ଥିଲା ।”

 

“ମୁଁ ତ ସେଇ କଥା କହୁଛି—କିନ୍ତୁ ଏହା ପରେ କ'ଣ ? ଜୁଆ ଚୋରି ମୁଁ ବରଦାସ୍ତ କରି ପାରେନା ।”

 

ମୁଁ ହସିଲି କେବଳ । କାରଣ, ଏଇ ପରିସ୍ଥିତିରେ ମୋ’ର କ’ଣ କରିବାର ଅଛି ଆଉ ?

 

ଅଜୟ ବିରକ୍ତିରେ ପ୍ରଶ୍ନ କଲା—“ହସୁଛୁ ଯେ ?”

 

“ଉପାୟ ନାହିଁ । ଚାରୁବାଳାର ମରିଯିବା ଛଡ଼ା ଉପାୟ ନ ଥିଲା ।”

 

“ଅର୍ଥ ?”

 

“ତୁ ଯାହା କଲୁ, ସେ ସେଇଆ କଲା । ମାତ୍ର ସେ ସହି ନେଇଥିଲା । ତୁ ପାରିଲୁନି ।”

 

“ତୋର ବୁଝିବା ଭୁଲ୍...ସେ ସହି ନ ଥିଲା । ସେ ଯୁକ୍ତି କରୁଥିଲା । ମୋର ମନା କରିବା ସତ୍ୱେ କଥା ମାନି ନ ଥିଲା । ଅବାଧ୍ୟ ହୋଇଥିଲା । ତା’ର ଶାସ୍ତି ସେ ପାଇଛି ?”

 

“ନା, ବଳ କଷାକଷିରେ ସେ ହାରିଯାଇଛି । ତୋର ବନ୍ଧୁକ, ତୋର ମଦ ମାଂସରେ ଆଜନ୍ମ ଲାଳିତ ପାଶବିକ ଶକ୍ତି ପାଖରେ ତା’ର ଲଳିତ ଲବଙ୍ଗଲତାର ତନୁ ହାର ମାନିବାକୁ ବାଧ୍ୟ ।”

 

“ମୁଁ ଗନ୍ ବ୍ୟବହାର କରିନି । କୌଣସି ନାରୀ ପ୍ରତି ମୁଁ ତାହା ଇଉଜ୍ କରେନା !”

 

“ତେବେ ତା’ଠାରୁ ଶକ୍ତିଶାଳୀ କିଛି...”

 

“ହଁ, ହଁ—ଯାହା ସେ ସର୍ବାନ୍ତଃକରଣରେ ଚାହିଁଥିଲା—ପୁରୁଷର ସାନ୍ନିଧ୍ୟ । ଏକରୁ ଅଧିକ ଲୋକଙ୍କ ସହ ତା’ର ସମ୍ପର୍କ ଥିଲା... ।”

 

“ତୋ’ର ବି ତ ଅଛି... !”

 

“ତା’କୁ ନେଇ ମୁଁ ଡିଣ୍ତିମ ପିଟେନା । ସେ କଥା ତୋ’ଛଡ଼ା କେହି ଜାଣନ୍ତି ନାହିଁ !”

 

“କିନ୍ତୁ ଚାରୁବାଳା ଜାଣିଥିଲା ! ତା’ର ପ୍ରତିଶୋଧ ସେ ନେଲା ।”

 

“ପ୍ରତିଶୋଧ ନେଇ ପାରିବାର ସ୍ପର୍ଦ୍ଧା ବି ସେ କରିପାରିନି ।”

 

“ମୁର୍ଖ ! ବଞ୍ଚିବା ମରିବାଟା ବଡ଼ କଥା ନୁହେଁ । ମରିଯିବା ତ ଖୁବ୍ ସମ୍ଭବ ଥିଲା ତା’ ପକ୍ଷରେ ବହୁଦିନରୁ । ପୁରୁଷ ସହିତ ନାରୀ ବଳରେ ପାରିବ କେଉଁଠୁ ? ଗୁରୁବାଳା ବୁଦ୍ଧି ପ୍ରୟୋଗ କରିନାହିଁ—ହୁଏତ ବୋଧେ ସେ ମରିବାକୁ ଚାହୁଁଥିଲା ?”

 

ଅଜୟର ଡାହାଣ ପାପୁଲି ମୋ’ ତଣ୍ଟି ଉପରେ ପର ମୁହୂର୍ତ୍ତରେ ଚାପି ହୋଇଗଲା ଏବଂ ମୁଁ ଅଣନିଃଶ୍ୱାସୀ ହେଲା ପୂର୍ବରୁ ବାଧ୍ୟ ହୋଇ ନିଜକୁ ମୁକ୍ତ କରିନେଲି । କିଛି ନ କହି ଅଜୟ ଅନ୍ୟ ଘରକୁ ଚାଲିଗଲା । ମୁଁ ଜାଣେ, ସେ ପାଞ୍ଚ ମିନିଟ୍ ଭିତରେ ଶୋଇ ପଡ଼ିବ...କେଜାଣି କେତେବେଳେ ସେ ଉଠିବ ?

 

ମୁଁ ତା’ର ଅଳ୍ପ ସମୟ ଭିତରେ ମଶାଣିରେ ପହଞ୍ଚି ଗଲି ।

 

ଉଜ୍ଜ୍ୱଳ ଖରାରେ ଚାରୁବାଳାର ସୁନା ରଙ୍ଗର ଦେହ ଚକ୍ ଚକ୍ କରୁଛି । ପେଟ ଟିକିଏ ବଡ଼ ଦିଶୁଛି...ହୁଏତ ଅନ୍ତଃସତ୍ତ୍ୱା ଥିଲା, ନ ହୋଇ ବି ପାରେ । ଉପରେ ଶାଗୁଣା କୁଆ ଉଡ଼ିଲେଣି । ଭାରି ଖରା, ଚାରୁବାଳା ମୋଟେ ଖରା ସହି ପାରେନା କି ଏକୁଟିଆ ରହି ପାରେନା । ଅନେକ ଦିନ ତଳେ ଚାରୁବାଳା କହିଥିଲା—

 

“ଜାଣ ସନାତନ ! ଜନ୍ମ ହେଲା ପୂର୍ବରୁ ମୋର ମା’ ଜାଣିଥିଲା ଯେ ମୁଁ ଅର୍ଥାତ୍ ‘‘ଚାରୁ” ଜନ୍ମ ହେବ । ତେଣୁ ତା’ର ଖାଦ୍ୟର ଯତ୍ନ ସେ ନେଇ ନ ଥିଲା । ମୁଁ ରୋଗିଣା ଛୁଆଟିଏ ହୋଇ ଆସିଲି ସେଇ ଯେ କାହିଁ କେତେ ଦିନୁ, ଆଉ ମୋଟେ ସୁସ୍ଥ ହୋଇନି କି ହବାର ଆଶା ବି ନାହିଁ । ଦେଖନା–ଶୀତ ଦିନର, ପୁଣି ଡାଆଣିଆ ଖରା କେମିତି ମୋ ଚମ ପୋଡ଼ି ଦେଉଛି...ଓଃ !”

 

ତା’ର ବାହୁରେ ଚିକ୍ ଚିକ୍ କରୁଥିଲା ସୂର୍ଯ୍ୟର ଶେଷ ଶିଖା । ମୁଁ ଲୋଭ ସମ୍ଭରଣ କରି ନ ପାରି ତା’ର ବାହୁରେ ମୋର ଟିପ ଛୁଆଁଇଲି । ସେ ଘୁଞ୍ଚିଯାଇ କହିଥିଲା—“ଅନିଚ୍ଛାରେ, ପରିସ୍ଥିତିର ଦାୟରେ, ମତେ କରିବାକୁ ପଡ଼ୁଛି, ଏମିତି କି ବଞ୍ଚିବାଟା...ତମେ କହି ପାରିବ ସନାତନ-! ମୋର ଦେହଟା କାହିଁକି ଏମିତି ଜଳିଛି ସବୁବେଳେ ଯେମିତି ଜୁଇ ଜଳୁଛି ଛାତିରେ । କେଉଁ ଦିନ ନିଆଁ ଲିଭିବ କହିପାରିବ ସନାତନ ।”

 

ମୁଁ ଉତ୍ତର ଦେଲିନି । ଗଭୀର ଶ୍ରଦ୍ଧାରେ ମୋର ଆଖି ଗୋଧୂଳିର ଆକାଶକୁ ସଜଳ କରି ଦେଇଥିଲା । ପୃଥିବୀ ସବୁଦିନେ ସୁନ୍ଦର । ଜାଣି ଜାଣି କେତୋଟି ଲୋକ ତା’କୁ ଅସୁନ୍ଦର କରିବାରେ ଲାଗିଛନ୍ତି । ଆଘାତ ଦେବାରେ ଲାଗିଛନ୍ତି । କଷ୍ଟଦେଇ ଆନନ୍ଦ ପାଇବାରେ ଲାଗିଛନ୍ତି...କିନ୍ତୁ କେତେଦିନ, କେତେଦିନ ଏକ ବ୍ୟଭିଚାର ଚାଲିବ । କେଉଁଠି ଏହାର ଶେଷ ! ଶାଗୁଣାଟିଏ ଆସି ବସିଗଲାଣି ମୁଣ୍ଡ ଉପରେ । ସେ ଚୋଟ ହାଣିବ କୁଟ୍‍କୁଟ୍ କରି ସୁନାର ଦେହଟାକୁ ଖାଇଦେଇ ଯିବ-। ମୋର ହଠାତ୍ କ’ଣ ହେଲା କେଜାଣି, ମୁଁ ନଇଁପଡ଼ି ତା’ର କପାଳରେ ମୋର ଓଠ ଛୁଆଁଇଲି-। ଓଠ ଦି’ପଟରେ ରକ୍ତର ବୁନ୍ଦା ଜମାଟ ବାନ୍ଧିଛି । ବେକ ଓ ଛାତିରେ କ୍ଷତ । ଓଃ, ବର୍ବରଗୁଡ଼ାକ ତାକୁ ଶାଗୁଣା ପରି ଖାଇ ଯାଇଛନ୍ତି । ଅଜୟଟା ରାକ୍ଷସ । ଶେଷକୁ ଆଣି ପକେଇ ଦେଇଗଲା...ପୋଡ଼ି ଦେବାକୁ ଦି’ଟା ଟଙ୍କାର କାଠ ବି ଯୋଗାଡ଼ କରି ପାରିଲାନି-

 

କୁକୁରଗୁଡ଼ାକ ଭାଉଭାଉ କରି ଉଠିଲେ । ମୁଁ ଅଗତ୍ୟା ଉଠି ଆସିଲି । ସେତେବେଳକୁ ମଧ୍ୟାହ୍ନର ସୂର୍ଯ୍ୟ ମୋର ଆଖିକୁ ଅନ୍ଧ କରି ଦେଇଥିଲା ।

 

“ହ୍ୟାଲୋ ! ଓଲ୍‍ଡ ବୟ ! ହାଉ ଆର୍ ଇଉ ?”

 

ମୋର କାନ୍ଧ ଉପରେ ଏକ ସୁନ୍ଦରୀ ତରୁଣୀର ପାପୁଲି । ସ୍ୱାଭାବିକ ଭାବରେ ମୋର ଚମକି ଯିବାର କଥା—ମାତ୍ର ମୁଁ ଚମକି ନ ଥିଲି ।

 

ସାଗରିକାର ବେକରେ ମୁକ୍ତାର ମାଳ । କାନରେ ହୀରାର ଛୋଟ ଛୋଟ ଦୁଇଟି ଫୁଲ । ମୁଣ୍ଡରେ ସାମ୍ପୁକରା ବବ୍‍ବାଳ । ଦୁଇଟିଯାକ ହାତ ଶୂନ୍ୟ ।

 

ମୋର ଚାହାଣୀର ତୀବ୍ରତା ତା’ର ପାପୁଲିକୁ ତଳକୁ ଝୁଲାଇ ଦେଇଥିଲା । ଅବାକ୍ ବିସ୍ମୟରେ ଦୋକାନରେ ଜିନିଷ କିଣୁଥିବା ଲୋକଗୁଡ଼ିକ କିଣାବିକା ବନ୍ଦକରି ଚାହିଁଥିଲେ । ଅବଶ୍ୟ ସାଗରିକାକୁ ଯେ କେହି ଚାହିଁବ—ସେ ସେଇ ଋଷିମନ ଭୁଲା ଚେହେରାର ଅଧିକାରିଣୀ !

 

କିଛି ଗୋଟାଏ କହିବାକୁ ହେବ ବୋଲି ମୁଁ କହିଲି—

 

“ତମେ କେବେ ଆସିଲ ସାଗରିକା ?”

 

“ମୁଁ କେବେ ଆସିଲି ? ଆଇ ଓ୍ୱାଣ୍ଡର୍ ଓଲ୍‍ଡ ବୟ ! ତୁମେ ତୁମର ସାଗରିକାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛ । ଖବରକାଗଜର ଫ୍ରଣ୍ଟ୍ ପେଜରେ ମୋର ଛବି ବାହାରିଥିଲା । ମୋର ଐତିହାସିକ ବିଦେଶ ଯାତ୍ରାର ସଫଳତାରେ ସାମ୍ବାଦିକମାନେ ମୁଖର ହୋଇ ଉଠିଥିଲେ । ଅଥଚ ତମେ କେମିତି ସମ୍ବାଦଟା ମିସ୍ କରିଗଲ ? କେମିତି ? ଦଶଖଣ୍ଡ ନିଉଜ୍ ପେପର୍ ପଢ଼ିବାର ଅଭ୍ୟାସ ତୁମର । ଏକବର୍ଷ ଭିତରେ...ଓଃ, ଆଇ ସି ସନାତନ । ଇୟୁ ଲୁକ୍ ଓଲ୍‌ଡ଼ ! କ’ଣ ହୋଇଛି ତୁମର ?”

 

ବନ୍ଧୁତାର ଖାତିରରେ ବିଦେଶୀ ଠାଣିରେ ପୁଣି ସାଗରିକାର ମୃଣାଳବାହୁ ଲମ୍ୱି ଆସୁଛି କି ଆସିବ ମୋର କଣ୍ଠଦେଶକୁ । ଏପରି ଏକ ଆଶଙ୍କାରେ ମୁଁ ଚଟ୍‍କରି ଦୋକାନ ବାହାରକୁ ବାହାରି ଆସିବା ବାହାନାରେ ବୁଲିପଡ଼ି କହିଲି–‘‘ଇଆଡ଼େ ଆସ ସାଗରିକା ! ରାସ୍ତା ବନ୍ଦ ରହିଲେ ଲୋକଙ୍କର କିଣିବାକୁ ଅସୁବିଧା ହେବ ।”

 

ମୁଁ ପ୍ରସଙ୍ଗଟା ଏଡ଼େଇ ଯିବାକୁ ଚାହୁଁଥିଲି । କାରଣ ସେ ଜାଣେ ନାହିଁ ଯେ ହଠାତ୍ କିଛି କିଛି ଘଟଣା ଯୋଗୁଁ ମୁଁ କୌଣସି କାମ ରୁଟିନ୍ ଅନୁଯାୟୀ କରୁନାହିଁ କିମ୍ୱା କରିବାକୁ ମନେ କରୁନାହିଁ ।

 

କେଜାଣି କିପରି ମନେହେଲା ଟିକେ ରସିକତା କରିବା ପାଇଁ । ମୁଁ ହସି ହସି କହିଲି–“ବୁଝିଲି ସାଗରିକା ! ତୁମେ ଅସାଧାରଣ ଭାବରେ ସୁନ୍ଦର ଦେଖା ଯାଉଛ । ଷ୍ଟେଟ୍ ରେ ନିଶ୍ଚୟ ଗୋଟାଏ କିଛି ସାଧନା କରିଛ...ଦେଖ ତ, ତୁମ ଗାଲ ସବୁ ଗୋଲାପି ରଙ୍ଗ ହୋଇଯାଇଛି-?”

 

“ଥ୍ୟାଙ୍କ୍ ଇଉ, ଥ୍ୟାଙ୍କ୍ ଇଉ ସାର୍ । ଷ୍ଟେଟ୍‍ସ ଗୋଟାଏ ଅଦ୍ଭୁତ ଜାଗା, ସନାତନ । ସେଠି ଅନେକ କିଛି ଦେଇଛି...।”

 

ମୁଁ ବାକ୍ୟ ପୂରଣ କରିବାକୁ ଯାଇ କହିଲି—

 

“ଆଉ ଅନେକ କିଛି ଆଣିଛି—ଗୋଲାପର ରଙ୍ଗ, ମଲ୍ଲୀର ବାସ୍ନା, ଚମ୍ପାର ଔଜ୍ଜଲ୍ୟ ଆଉ...ଆଉ ?”

 

“ସାମ୍ପେନ୍‍ର ହୃଦୟ ।” ସେ ମୋର ବାକ୍ୟ ପୂରଣ କଲା । ପୂରଣ କଲା ନାହିଁ ତ ଏକ ପୂର୍ଣ୍ଣଚ୍ଛେଦ ଟାଣି ଦେଲା !

 

ନିଃଶବ୍ଦ ରାତ୍ରିର ଅନ୍ଧକାରର ବୁକୁ ଚିରି ଝଙ୍କୃତ ହେଲା ଏକ ନାମହୀନ ପକ୍ଷୀର କରୁଣ କାକଳି !

 

ମୁଁ ଚୁପ୍ ହୋଇ ଯାଇଥିଲି ସେ ସ୍ୱରର ତରଙ୍ଗରେ; ସାଗରିକା ବି । ଦୃଷ୍ଟି ଥିଲା ତା’ର ଉଦାସ !

 

ଗୋଟାଏ ସେକେଣ୍ଡ ଭିତରେ ପୃଥିବୀରେ ଅନେକ କିଛି ପରିବର୍ତ୍ତନ ହୋଇପାରେ । ଅନେକ, ଅସଂଖ୍ୟ, ଅସୀମ...ଠିକ୍ ସମୟରେ ଯଦି ସମସ୍ତେ ସବୁକଥା କରି ପାରନ୍ତେ ! ସମୟ ଯଦି ଟିକେ ସାବଧାନୀ ହୋଇଥାନ୍ତା... ?

 

“ଆଚ୍ଛା ସନାତନ ! ତୁମେ ତ ଭାରି ଭଗବତ୍‍ବିଶ୍ୱାସୀ ! ତୁମେ କହିଲ—ମନପ୍ରାଣ ଦେଇ ଈଶ୍ୱର ଆରାଧନା କଲେ କ’ଣ ହଜି ଯାଇଥିବା ଜିନିଷ ଫେରି ଆସିବ ? ମଣିଷ ଅତି ନିଷ୍ଠାରେ ଯେଉଁ କଥା ଚାହେଁ, ତାହା ସେ କାହିଁକି ପାଏନା ? କ’ଣ କଲେ, କି ଉପାୟ କଲେ ହାରି ଯାଇଥିବା, ମରି ଯାଇଥିବା, ଅଦୃଶ୍ୟ ହୋଇଥିବା ଅତି ଆପଣାର ଜିନିଷ ହେଉ, ମଣିଷ ହେଉ... ।”

 

ସିଗାରେଟ୍‍ର ଗୁଳା ଝାଡ଼ୁ ଝାଡ଼ୁ ମୁଁ କହିଲି—“ଶୁଣ ସାଗରିକା ! ଜୀବନ ଉପଭୋଗର ବସ୍ତୁ ନୁହେଁ, ସେ ଏକ ଅନୁଭବର କଥା ! ଭୋଗର ବାସନା ରଖିଲେ ତୁମେ କଷ୍ଟ ପାଇବ—ଅନୁଭବରେ ଯନ୍ତ୍ରଣା ଯେତିକି, ଆନନ୍ଦ ବି ସେତିକି... । ତାହା ହିଁ ତ ପ୍ରାପ୍ତି !”

 

“କିନ୍ତୁ ଅନୁଭବରେ ବି ତ ଖୋଜା ଚାଲିଥାଏ । ସେ ଖୋଜିବାରେ ଆନନ୍ଦ ଥାଏ ନା ବେଦନା ? ସେ ପ୍ରାପ୍ତିରେ ଏତେ ଜ୍ୱଳନ କାହଁକି ?”

 

ମୁଁ ଚୁପ୍ ରହିବି କି ଉତ୍ତର ଦେବି ବୁଝିପାରୁ ନ ଥିଲି । ଯାହା ଯୁକ୍ତିଠାରୁ ଊର୍ଦ୍ଧ୍ୱରେ, ମୁଁ ତା’କୁ କି ଭାଷାରେ ବୁଝାଇବି ? ଆଉ ମୁଁ ବା କ’ଣ ପାଇଛି ? କ’ଣ ଦେଇଛି ? ଅନୁଭବର କି ଝଲକରେ ମୁଁ ଜଳୁଛି ?

 

ସାଗରିକା ଚାଲି ଯାଉଥିଲା । ଅସ୍ତସୂର୍ଯ୍ୟର ଶେଷ ରଶ୍ମି ତା’ର ରିକ୍ତ କବରୀରେ ଲହଡ଼ି ଖେଳୁଥିଲା । ନଗ୍ନ ଦୁଇହାତ ମତେ ମନେ କରେଇ ଦେଉଥିଲା ଶ୍ରୀକାନ୍ତର ବିଚ୍ଛେଦ । ସାଗରିକା ସହ ବିବାହର ଛ’ମାସ ପରେ ହଠାତ୍ ଏକ ଆକସ୍ମିକ ମଟର ଦୁର୍ଘଟଣାରେ ଶ୍ରୀକାନ୍ତର ମୃତ୍ୟୁ ହୁଏ ଷ୍ଟେଟ୍‍ସରେ । ତେବେ ସାଗରିକା କ’ଣ ଶ୍ରୀକାନ୍ତକୁ ଖୋଜୁଛି ? ଝୁରୁଛି ତା’ର ସ୍ମୃତି ? ତା’ ପରି ବୁଦ୍ଧିମତୀ ଝିଅ କ’ଣ ଚାହୁଁଛି ହଜେଇ ବସିଥିବା ଜିନିଷର ରସ ଆସ୍ୱାଦନ କରି କାଳର କେତେକ ମୁହୂର୍ତ୍ତକୁ ଅକ୍ଷୟ ଅମର କରିବା ପାଇଁ... ! ଗାଡ଼ି ବୁଲାଇ ଆଣି ସାଗରିକା ତା’ର ବାଁ ହାତ ବାହାରକୁ ରଖି କହିଲା—

 

“କେତେଦିନ ଅଛି ସନାତନ ! ଥରେ ଆସ ମୋ ଘରକୁ...କମ୍ ଫର୍ ଏ ଡ୍ରିଙ୍କ୍ !” ହସୁଥିଲା ସେ । ବାଁ ହାତ ମଣିବନ୍ଧରେ କଳା ଫିତାରେ ବନ୍ଧା ତା’ର ହାତଘଣ୍ଟା—ସମୟକୁ ସେ ବାନ୍ଧି ରଖିଛି କି ସମୟ ତା’କୁ ବାନ୍ଧି ରଖିଛି ମୁଁ ବୁଝିପାରୁ ନ ଥିଲି ।

 

“ନୋ, ନଟ୍ ଫର୍ ଡ୍ରିଙ୍କ୍, ସାଗରିକା ! ଜଷ୍ଟ ଫର୍ ଏ ଓ୍ୱାକ୍ । ବା ଏ... ।” ମୁଁ ହାତ ହଲେଇ କହିଲି ।

 

ସାଗରିକା ଚାଲିଗଲା ! ଚୈତ୍ରରେ ପୃଥିବୀରେ ସେତେବେଳେ ପୀତ ପତ୍ରର ସମାରୋହ...ହୁଏତ ବୃକ୍ଷରେ ନୂତନ ପତ୍ରର ପ୍ରଚୁର ସମ୍ଭାବନା ଆସିଛି ! କିନ୍ତୁ ସେ କାହାପାଇଁ ? ଶରତର କାଶତଣ୍ଡୀ ନାଁ ଫାଲ୍‍ଗୁନର କୃଷ୍ଣଚୂଡ଼ା ? ସମୟର ଏଇ ଏକମାତ୍ର ଭଲ ଗୁଣ ଯେ ସେ କାହାପାଇଁ ବିଳମ୍ୱ କରେନା !

 

ସେତେବେଳକୁ ପ୍ରାୟ ମଧ୍ୟରାତ୍ରି । କି ଗୋଟାଏ ଉତ୍ସବର ଆୟୋଜନ ହେଉଛି କି ତା’ର ସମାପ୍ତି ଏଇ ମାତ୍ର ଘଟିଛି କିଛି ବୁଝି ହେଉନି । ଚାରିଆଡ଼େ ନବଜନ୍ମର ପ୍ରଚାର ପତ୍ର–ନାଲି, ନେଲି, ଧଳା, ହଳଦୀ, ଅଥଚ ସବୁ ଦିଗରେ ସମାନ ଅନ୍ଧାର । ଯେହେତୁ ମଧ୍ୟରାତ୍ରି, ଆକାଶରେ ଏଇ ସମୟରେ ତାରାଗୁଡ଼ାକ ବଡ଼ ଜୀବନ୍ତ ଲାଗନ୍ତି, କଥା କହିଲା ଆଖିରେ ଚାହିଁଥାନ୍ତି । ରାସ୍ତା କଡ଼ରେ ଗଛଗୁଡ଼ାକ ଆପଣାର ଲାଗନ୍ତି । ଏମିତି କି ବତୀଖୁଣ୍ଟମାନେ ବି । ସତରେ ଏଇ ମଧ୍ୟରାତ୍ରି କେତେ ଭଲ, ଯାହା ବୁଝେଇ ଦିଏନା ସହଜରେ ଉତ୍ସବ ସରିଛି କି ଉତ୍ସବ ଆସୁଛି । ସକାଳେ କୁହୁଡ଼ି ପଡ଼ିବ କି ନାହିଁ—ରେଡ଼ିଓରେ କୁହା ଯାଇଥିବା ପାଣିପାଗର ବିଶେଷ ସମ୍ବାଦ ମିଛ କି ସତ !

 

ପଡ଼ିଆର ବାମ ପଟରେ ଥିବା ବଡ଼ ବରଗଛ ତଳେ ନିଆଁ ଜଳୁଛି । ଡାହାଣୀ ଆଲୁଅ ନୁହେଁ । ଦିନ ସାରା ବୁଲି ସମୟ ପାଇ ନ ଥିବା କେହି ଗୃହସ୍ଥ କି ଗୃହିଣୀ ହାଣ୍ଡି ବସେଇଛି । ଗୁଣୁଗୁଣୁ ହୋଇ ଗୀତ ଗାଉଛି—ଯେଉଁ ସ୍ଵର ମୁଁ ଜାଣେ, ତମେ ଜାଣ, ଗଛ ପତ୍ର, ରାସ୍ତା, ଗାଡ଼ି, ଆକାଶ ଓ ତାରା ସମସ୍ତେ ଜାଣନ୍ତି । କାହିଁକି ଗାଉଛ ପଚାରିଲେ କହିବ—ପିଲାଦିନୁ ମୁଖସ୍ଥକରା ଅଭ୍ୟାସ ସହଜେ ମନେ ପଡ଼ିଯାଏ, ପରିଶ୍ରମ ନାହିଁ, ତା’ର ଯନ୍ତ୍ର କିଛି ଦରକାର ନାହିଁ । ଏଇ ଉତ୍ତର ଶୁଣିବା ପାଇଁ କିଏ ବା କାହିଁକି ମଧ୍ୟରାତ୍ରିର ଖିଡ଼ିକି ଖୋଲି ପ୍ରଶ୍ନ କରିବ ।

 

ହେଇ ସେ ପଟରେ ବାଳୁଙ୍ଗା ଫିଲାଙ୍କର ଆଖଡ଼ା ଘର । ସନ୍ଧ୍ୟାବେଳେ ବୁଲାବୁଲି । ସଭାସମିତି ସାରି କ୍ଳାନ୍ତ ହୋଇ ଶୋଇ ଯିବେଣି କି ଶୋଇ ଆସୁଥିବେ । ସେମାନେ ବାଇ ଚଢ଼େଇ-। ସକାଳ ହେଲେ ମା’ ଆଗରେ ବାହାଦୂରୀ କରନ୍ତି ଯେ, ଯେଉଁ ଗଛ ସେମାନେ ଚଢ଼ିଲେ ସେ ଗଛ ରଟରଟ ଭାଙ୍ଗିଲା । ଆଉ ସେମାନଙ୍କର ମା' କେବେହେଲେ ଯଶୋଦା ହେବାକୁ ମନ କରନ୍ତି ନାହିଁ-। ଏତେ ବଡ଼ ବିଶ୍ୱବ୍ରହ୍ମାଣ୍ଡ ପୁଅର ତଣ୍ଟିରେ ଝୁଲୁଛି—ଏ କଥା ଯଶୋଦା ସିନା ଦେଖି ସହିଥିଲେ, ହେଲେ ଅନ୍ୟ କେଉଁ ମା’ ପାରିବେନି !

 

ଚର୍ଚ୍ଚରେ ଫାଦରଙ୍କୁ ନିଦ ହୁଏ ନାହିଁ କି କ’ଣ ? ସେ ପ୍ରାର୍ଥନା କରୁଥାନ୍ତି...ବଗିଚାରେ ବୁଲୁଥାନ୍ତି । ବେଳେ ବେଳେ ରାସ୍ତାରେ ଆସି ଆକାଶକୁ ଚାହିଁ ରହନ୍ତି । ନବଜନ୍ମର ପଞ୍ଜିକା ତାଙ୍କ ହାତରେ । ତାଙ୍କୁ ଏଇ ଉତ୍ସବ ସମ୍ବନ୍ଧରେ ପଚାରିବାକୁ କିଛି ମୋର ଇଚ୍ଛା ନାହିଁ । କାରଣ ମଧ୍ୟରାତ୍ରିର ଆକାଶରେ କୌଣସି ଏକ ତାରକାକୁ ଅପେକ୍ଷା କରିବା ବ୍ୟତୀତ ସେ ବା କ’ଣ କରିବେ ? ଘୋଡ଼ା ଟାପୁର, କୁକୁଡ଼ା ରାବିବାର ଶବ୍ଦ ଦୁଇଟି ଭିତରୁ କେଉଁଟି ମଣିଷ ପାଇଁ ଉଦ୍ଦିଷ୍ଟ ତାହା ସଠିକ୍ ଜାଣିବା ପାଇଁ ସେ ଲୋକମାନଙ୍କୁ ଯେତେ ବୁଝାଉଥିଲେ ବି ନିଜେ ଯେ କିଛି ବୁଝନ୍ତି ନାହିଁ, ସେ କଥା କାହାକୁ କହନ୍ତି ନାହିଁ । କିନ୍ତୁ ତାଙ୍କର ଭଲ ଗୁଣ ଏଇ ଯେ ସବୁ ଚିନ୍ତା ସେ ଡାଏରୀରେ ଲେଖି ରଖିଥାନ୍ତି । ଭବିଷ୍ୟତ...ଯୋଜନା...କିଛିଟି ପାଦଚିହ୍ନ କିଏ ବା ନ ଚାହେଁ ?

 

ବଡ଼ ବଡ଼ ଦୋକାନର ସାଇନବୋର୍ଡଗୁଡ଼ାକ ଝାପ୍‍ସା ଆଲୁଅରେ ସ୍ପଷ୍ଟ ପଢ଼ି ନ ହେଲେ ବି ଅନ୍ଦାଜରେ ଜାଣି ହେଉଛି । କିଏ କାହାର । ସେ ଦୋକାନଗୁଡ଼ାକରେ ସବୁ ଜିନିଷ ଅଛି ପୁଣି କେତେବେଳେ କିଛି ନାହିଁ । ସେ ସବୁର ମାଲିକମାନେ ଦୁଃଖ ସୁଖକୁ ଗୋଟିଏ ଅର୍ଥରେ ନେଇଥାନ୍ତି-। ଗୋଟିଏ ଭଙ୍ଗୀରେ ବୁଝିଥାନ୍ତି । ତେଲରେ ଅଗରା, ଚିନିରେ କାଚଗୁଣ୍ଡ, ଚାଉଳରେ ଗୋଡ଼ି ଆଉ କିରାସିନିରେ ପାଣି ମିଶାଇଲାବେଳେ ସେମାନେ ଯେପରି ଶାନ୍ତ, ଉଦାସୀନ, ସେହିପରି ନିରଳସ ଅନାସକ୍ତ ଦରଦାମ କମିଗଲାବେଳେ, ତାଲା ବନ୍ଦ ଆଉ ଛଟେଇବେଳେ ଏମିତିକି ଗୁପ୍ତଧନର ହିସାବ ଦେଲାବେଳେ । ସେହିମାନେ ବୋଧେ ଗୋଟିଏ କଥା ଭଲକରି ଜାଣନ୍ତି ଯେ ସଂସାରରୁ କେହି କିଛି ନେଇଯାଏ ନାହିଁ—ସବୁ ସ୍ଵାର୍ଥ ଜନତାର, ସବୁ ପ୍ରାପ୍ତି ସେମାନଙ୍କ ପ୍ରତିନିଧିଙ୍କର—ମଝିରେ ସେମାନେ ନିମିତ୍ତ ମାତ୍ର । ହୁଏତ ସେଥିପାଇଁ ସେମାନେ ପ୍ରତ୍ୟହ ଉତ୍ସବ କରନ୍ତି, କୀର୍ତ୍ତନ କରନ୍ତି । ଈଶ୍ୱରଙ୍କ ପାଇଁ ବିଶେଷ ବ୍ୟବସ୍ଥା କରନ୍ତି । ସେମାନଙ୍କ ପାଇଁ ଏଇ ମଧ୍ୟରାତ୍ରିର ପ୍ରଶ୍ନ ନିରର୍ଥକ ।

 

ତେବେ ସେଇ ଈଶ୍ୱର ନାମଧାରୀ ବ୍ୟକ୍ତି ବା ସତ୍ତାଟି କେଉଁଠି କେଜାଣି ? ସାମ୍ନାପଟ ଦେବଦାରୁ ଗଛ ସେପଟରେ ଘରଟି ଜୀବନ୍ତ ଲାଗୁଛି । ହୁଏତ ସେଠାରେ କେହି ଚେଇଁ ଶୋଇଛନ୍ତି, କି କାମରେ ଲାଗିଛନ୍ତି, କି ତାରା ଗଣୁଛନ୍ତି କିମ୍ୱା କିଛି ବିଚାର ଚାଲିଛି... ।

 

ପିଲାଟିଏ, ନିଶ୍ଚୟ ଖୁବ୍ ଅଳ୍ପ ବୟସର, ରାହା ଧରି କାନ୍ଦୁଛି । କାନ୍ଦଣାରେ ଯନ୍ତ୍ରଣା ଅଛି, ମାତ୍ର ଅଭିଯୋଗ ନାହିଁ, ଅଝଟପଣିଆ, ଅମାନିଆ ଭାବ ନାହିଁ ।

 

ଝରକା ପାଖରେ ମୁଁ ଛିଡ଼ା ହେଲାକ୍ଷଣି ସତେ ଯେମିତି କିଏ ଜଣେ ସ୍ତ୍ରୀଲୋକ ମତେ ଦେଖି ପାରିଛି, ସେମିତି କହିଲା–

 

“ଆଇଲୁରେ ବାଇଆ । ଆ, ନେ ମୋ’ ପୁଅକୁ ମୁଣିରେ ପୁରେଇ ନେ...। ଆଇଲୁ ଆ ମ’-? କାହିଁକି ଆଉ ଛିଡ଼ା ହେଲୁ ସେଠି ?”

 

ଭୟରେ ଛାତି ମୋର ଦୂର୍‍ଦୂର୍‍ କମ୍ପି ଉଠିଲା । ଗଭୀର ରାତ୍ରିର ଅନ୍ଧାର–ଅଥଚ ମତେ ସେ ସ୍ତ୍ରୀ ଲୋକଟି ଦେଖିଲା କେମିତି କେଜାଣି ? ମୁଁ ମୋ କାନ୍ଧରେ ଥିବା ଝୁଲାମୁଣିର ଗଭୀରତା କାହା ପାଇଁ ମାପି ବି ବୁଝିପାରୁ ନ ଥିଲି ।

 

ପିଲାଟିର କୋହ ବନ୍ଦ ହେଉନାହିଁ । କଥା କହିବା ସେ ଜାଣେ କି ନାହିଁ । ହଠାତ୍ ଅନ୍ୟ ଗୋଟିଏ କଣ୍ଠ ବଜ୍ରପରି ଭାଙ୍ଗି ପଡ଼ିଲା ମଧ୍ୟରାତ୍ରିର ନିଃଶବ୍ଦ ବୁକୁ ଉପରେ—

 

“ହେ ମାଇକିନା ! ତା’ ପାଟି ବନ୍ଦ କରିବୁ ତ କର, ନ ହେଲେ ଅବା ଏ ଛୁରୀକୁ ? ସବୁ ଚୁପ୍ କରିଦେବି, ଦଣ୍ଡେ ଲାଗିବନି ।”

 

ଆଜି ଟୋକା ଦେଇଛି ଠୁଙ୍କି ଯେ ପେଟ ଟାଣି ଧରିଛି, ଏଣେ କ’ଣ ନା ବାଇଆ ଆସି ନେବ ବୋଲି ପାଟିକରି ଗୀତ ବୋଲା ଚାଲିଛି । ନେଇ ଯା’ ତୋ’ର ଛୁଆକୁ...ଏଇଟା ମୋର ଦରକାର ନାହିଁ । ଆସିଲାବେଳୁ ପେଟେ ଖାଇଦେଇ କାନ୍ଦୁଛି ଯେ ମଣିଷକୁ ବସେଇ ଉଠେଇ ଦେଉନି ।”

 

ଦୈତ୍ୟପରି ଲୋକଟାଏ ଛୁରୀଧରି ଛିଡ଼ା ହୋଇଛି । ଦଉଡିଆ ଖଟ ଉପରେ ଭୟରେ ଜଡ଼ସଡ଼ ହୋଇ ସ୍ତ୍ରୀ ଲୋକଟି ପିଲାଟିର ବିକଳ ମୁହଁକୁ ଚାପିଧରି କାନ୍ଦି ଉଠୁଛି... ।

 

“ଭାକ୍ ! ମାଇକିନାର କାନ୍ଦ ଦେଖ ! ନେ, ଏ ପାଞ୍ଚଟା ଟଙ୍କା ନେ, ନେଇ ଯା’ ଏ ଛୁଆକୁ, ନର୍ଦ୍ଦମାରେ ଗଡ଼େଇ ଦେ, ନ ହେଲେ ରେଲ୍‍ ଲାଇନରେ—ନାହିଁ ତ ନେଇ ଯା’ ଯେଉଁଠୁ ଆଣିଥିଲୁ ସେଠି ଗଡ଼େଇ ଦେଇ ଆସିବୁ ।”

 

“ବାବୁ ! ପିଲାଟା କଥା କହିଲାଣି । ମତେ ଚିହ୍ନିଛି—ପୁଲିସ୍ ଜାଣିଲେ ମୋ’ ଜୀବନ ଆଉ ରହିବନି । ଆଜି ରାତିଟା ଗଡ଼ିଗଲେ ଛୁଆଟା ଆପେ ତୁନି ହୋଇ ଯିବନି ଯେ ! ଭଲ କରି ଦୁଇ ମୁଠା ଖାଇଲେ ଛୁଆଟା ଆପେ ବୁଝିଯିବ । ଆଗରୁ ଯେତେ ଆଣି ଦେଇଛି କେହି କ'ଣ ବାବୁ ପଳେଇଛନ୍ତି ନା ବଦନାମ କରିଛନ୍ତି ।”

 

“କିନ୍ତୁ ଏ ଛୁଆଟାର ଲକ୍ଷଣ ଭଲ ନାହିଁ—ଏଇଟା ଭଲକରି ଖାଇଲେ ବି ଚୁପ୍ ହେଉ ନାହିଁ । ଆଗରୁ ଯେତେବେଳେ ପିଲା ଆସନ୍ତି ଚୂଡ଼ା, ମୂଢ଼ି, ପଖାଳ ଗଣ୍ଡାଏ ଖାଇ ପୋଷା ମାନନ୍ତି । ଏଇଟାକୁ ଦେଖନ୍ତୁ, ପୂରା ବଜ୍ଜାତ୍ ଅଛି । ପଲଉ ମାଂସ ଖାଇ ବି କେଁ କେଁ ହଉଛି ଶାଗୁଣା ପରି...-।”

 

ପିଲାଟିର ବାବୁରି ବାଳକୁ ଆଉଁସି ଦେଉ ଦେଉ ସ୍ତ୍ରୀ ଲୋକଟି କହିଲା—“ଏଇଟି ଲକ୍ଷିମନ୍ତ ବାବୁ ! କପାଳିଆଟା—ଆସୁ ଆସୁ ଭୋଜିଟାଏ ଲାଗିଗଲା । ଏ ଯଦି ଠାକୁରଙ୍କ ଦୟାରୁ ଜୀଇଁଯାଏ ଦେଖିବେନି ସବୁରି ଉପରେ ଶେର୍ ହୋଇଯିବ ।”

 

ବିଡ଼୍ ବିଡ଼୍ କରି କଅଣ ଗୁଡ଼ାଏ କହି ଲୋକଟା ଚାଲିଗଲା । ସ୍ତ୍ରୀ ଲୋକଟି କେଜାଣି କାହିଁକି ପିଲାଟିର ମୁହଁକୁ ଚାହିଁ ବିକଳ ଉଦାସ ହୋଇଗଲା ।

 

ମଧ୍ୟରାତ୍ରିର ଆକାଶରେ ଚାଖଣ୍ଡେ ଦୂରତ୍ୱ ରଖିଥିବା ଗୋଟିଏ ତାରା ଅନ୍ୟ ଏକ ତାରା ପାଖରୁ ଦୁଇ ହାତ ଘୁଞ୍ଚିଗଲା ମୋ’ ଆଖି ଆଗରେ ! ଚର୍ଚ୍ଚର ଫାଦର୍ ଏ ଦୃଶ୍ୟ ଦେଖିଲେ କି ନାହିଁ ମୁଁ ଜାଣେନା ! ମାତ୍ର ମୁଁ ଚମକି ପଡ଼ିଲି... !

 

ତଥାପି ବି ମୁଁ ବୁଝିପାରୁ ନ ଥିଲି, କିଛି ଉତ୍ସବ ହେବାର ପୂର୍ବାବସ୍ଥା ନା ଉତ୍ସବର ସମାପ୍ତି ପର୍ବରେ ମୁଁ ସହରକୁ ଆସିଛି । ଜନ୍ମ ନା ମୃତ୍ୟୁ କ’ଣ ଘଟିଯାଇଛି ଜାଣି ହେଉନି

 

ପିଲାଟି ଯେ ଶୋଇ ପଡ଼ିବ ଏବଂ ଆଜି ରାତିରେ ମଝିରେ ମଝିରେ ଚମକି ସପନ ଦେଖି ରାହା ଧରି କାନ୍ଦିବ ଏ ବିଷୟରେ ଭାବିବାର କିଛି ନ ଥିଲା ।

 

ତା’ପରେ ପ୍ରଭାତ ଆସିବ ପିଲାଟି ପାଇଁ ଏକ ଅଫିମର ଟେଳା ନେଇ ! ଚତୁର୍ଦ୍ଦିଗ ମନ୍ତ୍ର, ଶ୍ଳୋକ ଓ ବେଦ ଧ୍ୱନିରେ ଏ ସହର ହେବ ପୂତ ପବିତ୍ର

 

ମୁଁ ଈଶ୍ୱରଙ୍କ ପରି ଅନାଗତ ସମୟର ତପସ୍ୟାରେ ସନ୍ତୁଷ୍ଟ ହୋଇ ଯୁଗଯୁଗର ଧ୍ୟାନଭଗ୍ନ ହେଲା ଭଙ୍ଗୀରେ ମୃଦୁ ମନ୍ଦ ହସି ସେଇ ପୁରୁଷସଦୃଶ ନାରୀଟି ଉଦ୍ଦେଶ୍ୟରେ କହିଲି, ‘‘ତଥାସ୍ତୁ” ।

 

ବର୍ତ୍ତମାନ ଠିକ୍‌ ଭାବରେ କିଛି କହି ହେବନି । କେଉଁ ସହରରେ କେଉଁଠି କେଜାଣି ଏମିତି ସବୁ ଘଟଣା ଘଟିଲା ! ଏହା ବି ବିଲ୍‌କୁଲ ସତ ଯେ ଆକାଶର ମାନଚିତ୍ର ମତେ ଜଣା ନାହିଁ ।

 

କିନ୍ତୁ ମୁଁ ଥିବା ସହର ଯେ ଅତି ମନୋହର—ଏ ବିଷୟରେ ମୋର ଗର୍ବ ଅଛି, କିଛି ଅହଙ୍କାର ବି, ଆକାଶର ନିର୍ମଳତାକୁ ନେଇ ।

 

ତଥାପି ମୁଁ ଫେରୁଥିଲି ।

 

ଅନେକ ଦିନ ପରେ ।

 

ଅନ୍ୟ ଏକ ସହରକୁ... !

 

ଅନ୍ୟ ଏକ ଆକାଶର ଛାଇକୁ !!

Image

 

ଅମୁହାଁ ଦେଉଳ

 

ଇରା ! ଇରାବତୀ !!

 

ନଦୀପରି ପ୍ରଖର ଗତିରେ ପ୍ରବାହିତ ହେବାକୁ ଇଚ୍ଛା ଥିଲେ ବି ଗତି ସର୍ବଦା ସଙ୍କୁଚିତ ଦେବାକୁ ତା’ର ବାଧ୍ୟ ! କିଏ ସେ କେଉଁଠି ଯେମିତି ଅଦୃଶ୍ୟରେ ଗୋଟିଏ ଶକ୍ତି ଅହରହ ଭିଡ଼ି ଧରୁଛି—କହୁଛି ଆଗକୁ ଯାଆନା, ଯା’ନା ଇରାବତୀ ! ଦୁଇ କୂଳରେ ଆକାଶଚୁମ୍ୱୀ ଅଳକାପୁରୀ ମଥା ଟେକିଛି ଶସ୍ୟଶ୍ୟାମଳୀ ଧରଣୀ ବୁକୁରେ ! ନିର୍ଭୟରେ ଯେତେ ଜନପ୍ରାଣୀ ବିଚରଣ କରନ୍ତି...ମଣିଷ ପଶୁ ଏକାଠି ଖେଳି ବୁଲି ସ୍ୱପ୍ନ ଦେଖନ୍ତି...ସେମାନେ ଯେ ଅତି ଅସାବଧାନୀ...ଭାସିଯିବେ, ଜଳିଯିବେ...ଗତି ତେଣୁ ଥାଉ ହୋଇ ସଙ୍କୁଚିତ, ଥାଉ ଅମୁକ୍ତ, ହେଉ ଅବରୁଦ୍ଧ... !

 

ଇରାର ଆଖିରେ ସତେ ଏତେ ଲୁହ ! ଏପରି ଅମାନିଆ ଆଖି ବି ତା’ର ସବୁ କଥାରେ ଝକ୍ ଝକ୍ କରେ–ସବୁ କଥାରେ ବୋଲ ନ ମାନି ବେଳା ଅବେଳାରେ କରୁଣ ହୁଏ ।

 

କିନ୍ତୁ କାହିଁକି ? ଦେବାର ନା ପାଇବାର ସାନ୍ତ୍ୱନା ବୋଧରେ ? ସତେ କ’ଣ କିଏ କାହାକୁ କିଛି ଦିଏ ନା କିଛି ପାଇଥାଏ । ପାଗଳି ! ମନର ବିକୃତି—ଯୁଗଯୁଗର ସଂସ୍କାରର ପୀଡ଼ନ-

 

ଇରାବତୀ ନିଜ ଗାଲରେ ନିଜେ ସରୁ କରି ଚାପୁଡ଼ାଟିଏ ମାରିଲା । ସାରା ଜୀବନ ଧରି ମଣିଷ ବଞ୍ଚି ରହେ ଏକ ଏକ ଖେୟାଲକୁ ଆଶ୍ରୟ କରି । ଗୋଟିକ ପରେ ଗୋଟିଏ ଆସି ଡାଳ, ଶାଖା, ପତ୍ର ପୁଷ୍ପରେ ବିକଶିତ କରି ରଖିଥାଏ ଜୀବନକୁ । ଏ କ୍ରମ ଚାଲିଥାଏ ଘୋଷା ରୀତିରେ—ପୁଣି ସମୟ ଆସେ, ଯେତେବେଳେ ପତ୍ରଝଡ଼ା ଦେଇ ବହୁ ଉଦ୍‍ବିଘ୍ନ ମୁହୂର୍ତ୍ତ ଅତିକ୍ରାନ୍ତ ହେଲେ ବି ପତ୍ର ଆଉ ପଲ୍ଲବିତ ହୁଏ ନାହିଁ !

 

ସେ ସମୟ କି ଆସିଗଲା ? ନାହିଁ, ନାହିଁ—ନାହିଁ—ସେ ସମୟକୁ ସେ ଉପସ୍ଥିତ ହେବାକୁ ଦେବ ନାହିଁ ! ସେ ତ ସର୍ବଦା ତା’ର ଶୟନେ ସପନେ ଜାଗରଣେ ମୃଦୁ କରାଘାତ କରି ବୁଲୁଛି—ସୂଚେଇ ଦେଉଛି କେଉଁ ଆଦିମ ଯୁଗରୁ ପ୍ରହରୀ ଭଳି ସେ ଜାଗ୍ରତ, ଉନ୍ନିଦ୍ର । ସାମାନ୍ୟ ଇଙ୍ଗିତ ପାଇଲେ ସେ ତା’କୁ କୋଳ କରି ନେବ, ତା’ର ଚତୁର୍ଦ୍ଦିଗର ଉନ୍ନତ୍ତ ଝଡ଼ବତାସ ଅସହ୍ୟ ବାତାବରଣକୁ ନିମିଷକରେ ଅଗସ୍ତି ପରି ଚଳୁ କରିଦେବ । ତା’ପରେ ? କିଛି ଅଛି ? ଶୂନ୍ୟ—ମହାଶୂନ୍ୟ—ପୁଣି ଘୂର୍ଣ୍ଣନ—ଆବର୍ତ୍ତନ—ସୃଷ୍ଟି ଆଉ ବିଲୟ ।

 

କାନ୍ଥ ଘଣ୍ଟାରେ ଢଂ କରି ବାଜିଲା । ସମୟ ସାଢ଼େ ପାଞ୍ଚ । ସେ ଅଛି—ପ୍ରତିଟି ମୁହୂର୍ତ୍ତରେ ତା’ର ଅସ୍ତିତ୍ୱ ଜାହିର । ତାକୁ ଯେପରି ଇରାବତୀ ଡେଇଁ ଯାଇପାରୁନି—ହାତ ଗୋଡ଼ ବାନ୍ଧି ଦେଇ ସେ ତା’କୁ କେଉଁଠି ଆକ୍ରାନ୍ତ କରି ଦେଇପାରୁ ନାହିଁ । କାହିଁକି ? କାହିଁକି... ? ଓଃ !

 

କେଉଁଠି କିଏ କାନ୍ଦୁଛି କି ଆଉ ? ଝର୍କା ପାଖକୁ ଉଠିଯାଇ ଦିଗନ୍ତ ବିସ୍ତାରୀ ଆକାଶ ଓ ପୃଥିବୀକୁ ନିରୀକ୍ଷଣ କଲା ଇରାବତୀ । କିଛି ଦେଖାଯାଉ ନାହିଁ—ଖାଲି ଏକ ଅସ୍ପଷ୍ଟ କରୁଣ ସ୍ୱର କେଉଁଠି ରହି ରହି ଶୁଭୁଛି । କିନ୍ତୁ ସେଇ କ୍ରନ୍ଦନର ସ୍ଵର । କେଉଁଠି କେଜାଣି... ?

 

ଟ୍ରାସ୍ ! ଧମକ । ନିଜର ଧମକ ନିଜକୁ । କିଛି ନ ହେଲେ ଶେଷ ଅସ୍ତ୍ର ଅଶ୍ରୁ । ଟ୍ରାସ୍ ! ବାଜେ—ନିହାତି ମିନିଂଲେସ୍ ।

 

ସ୍କୁଟରଟା ଘର୍‍ଘର୍‍ କରି ଘର ସାମ୍ନାରେ ଅଟକି ଯିବାର ଶବ୍ଦ ହେଲା । ଚନ୍ଦ୍ରକାନ୍ତ ଫେରିଲେ ଅଫିସ୍‍ରୁ । ତା’ ପଛକୁ ପଛ ଫେରିବେ ପୁଅ ତପନ ଓ ସପନ । କେବେ କେମିତି ସାଙ୍ଗରେ ଆସନ୍ତି ସେମାନଙ୍କର ପଢ଼ା ସାଥି କି ଖେଳ ସାଥି । ସବୁରି ଲୋଡ଼ା ଦିନ ଶେଷରେ ଅବସର—ଶାନ୍ତ ଶୀତଳ ପରିବେଶ ନାତିଶୀତୋଷ୍ଣ ବାୟୁମଣ୍ଡଳ । ପ୍ରେରଣା, ଉତ୍ସାହ, ଆଶା, ଉଦ୍ଦୀପନା...ନଦୀ ଯିବ ଅତିକ୍ରମ କରି ପର୍ବତ, ବନ୍ଧୁର ବକ୍ଷ । ଏ ହାତ ଚିରାଚରିତ ଜୀବନର ଜୀବିକା ।

 

ଇରାବତୀ ଝର୍କାଟା ବନ୍ଦ କରି ଦେଇ ତକିଆ ଉପରେ ମୁହଁମାଡ଼ି ଶୋଇବାର ଛଳନା କଲେ । କାହାରି ପ୍ରତି ଅଭିଯୋଗ ନାହିଁ, ଅଭିମାନ ନାହିଁ, ଯେପରି ଏପରି ଭାବରେ ଜୀବନ ବିତାଇବା ତାଙ୍କର ଏକ ଚିରାଚରିତ ପ୍ରଥା ଏବଂ ସେଥିରେ ସବୁ ଲୋକଙ୍କର ଆନନ୍ଦ ଆଉ ଶାନ୍ତି ।

 

ପିଠି ଉପରେ ଚନ୍ଦ୍ରାକାନ୍ତଙ୍କର ନରମ ହାତର ସ୍ପର୍ଶ । ସେ ଚାହାନ୍ତି ନାହିଁ, ଇରାବତୀ ଉଠିପଡ଼ି ତାଙ୍କ ପାଇଁ ବ୍ୟସ୍ତ ହେଉ—ଡାଇନିଂ ଟେବୁଲରେ ଜଳଖିଆ ଧରି ଅପେକ୍ଷା କରୁ, ପିଲାମାନଙ୍କ ଭବିଷ୍ୟତ ବିଷୟରେ ଆଲୋଚନା କରୁ କି ଚାକର ପିଅନଙ୍କ ଉଦ୍ଦେଶ୍ୟରେ ତାଙ୍କୁ ବିରକ୍ତ ବ୍ୟସ୍ତ କରି ଦେଉ । କିମ୍ବା ଆଜିକାଲି ତ ପ୍ରେମାଳାପ କରିବାକୁ କାହାକୁ ସମୟ ନାହିଁ । ଆଉ କେବେ ବା ସେ କରିଥିଲା ?

 

“ମା’ କେତେବେଳୁ ଶୋଇଛନ୍ତି ?” କାହା ଉଦ୍ଦେଶ୍ୟରେ ଏ ପ୍ରଶ୍ନ କେଜାଣି ?

 

ଚତୁର୍ଦ୍ଦିଗରେ ଚପା ଚପା ସ୍ୱର । କପ୍ ପ୍ଲେଟ୍ ଓ ଚାମଚ କଣ୍ଟାର ରୁଣୁଝୁଣୁ ଶବ୍ଦ ।

 

ହସ ମାଡ଼ୁଛି ଇରାବତୀକୁ । କାହାର କାହାଠେଇଁ ଆବଶ୍ୟକ ନାହିଁ ତଥାପି ମେସିନ୍ ପରି ଘର ଚାଲିଛି । କେଜାଣି କେଉଁ ଦିନରୁ ଯେ... ।

 

ସେ କେବେ ବିଭା ହୋଇ ଏ ଘରକୁ ଆସିଥିଲା, ଠିକ୍ ତାରିଖ ତା’ର ମନେ ନାହିଁ । ଶାଶୁ ତା’କୁ ଖୁଣିବା କଥା, ଖୁଣିଥିଲେ, ଯାଆ ନଣନ୍ଦ ଛିଗୁଲେଇ ଯେମିତି କହିବା କଥା କହିଥିଲେ । ଇରାବତୀ ଶାଶୁଘରେ ବୋହୂ ଯାହା ଯାହା କାର୍ଯ୍ୟ କରିବା କଥା, ମୁହଁରୁ ଗୋଡ଼ ପର୍ଯ୍ୟନ୍ତ ଲୁହ ଲାଳରେ ଆଣ୍ଠିଏ ହୋଇ ସେହି ସବୁ କାର୍ଯ୍ୟ ମଧ୍ୟ କରିଥିଲା ବିନା ପ୍ରତିବାଦରେ । ବି. ଏ. ପାଶ୍ କରିଥିବାରୁ ତାକୁ ବିବାହ କରିବାକୁ ଚନ୍ଦ୍ରକାନ୍ତ ଟିକିଏ କୁଣ୍ଠାବୋଧ କରିଥିଲେ—ଶାଶୁ ସର୍ତ୍ତ କରିଥିଲେ ବୋହୂ ଚାକିରି କରିବ ନାହିଁ—ଦାଣ୍ଡଘାଟରେ ଯାଇ ସଭା ସମିତିରେ ବସିବ ନାହିଁ କି ବାପଘରକୁ ଯିବାକୁ ମନ କରିବ ନାହିଁ...ତେବେ ଯାଇ ବାହାଘର ହେବ ନ ହେଲେ ନାହିଁ ।

 

ଇରାବତୀର ବାପା ବାଧ୍ୟ ହୋଇ ରାଜି ହୋଇଥିଲେ । ପାଞ୍ଚ ପାଞ୍ଚଟା ଝିଅଙ୍କୁ ବେକରେ ବାନ୍ଧି ସେ ତ ଆଉ ମରି ପାରିବେ ନାହିଁ । ଆଉ ଝିଅ ଜନ୍ମ ତ ପରଘରକୁ—ଚାକର ବାକର ଥିଲେ ଚୂଲୀ ମୁଣ୍ଡରୁ ଅବ୍ୟାହତି ମିଳିପାରେ ।

 

ଇରାବତୀ କଥା ମାନିଥିଲା ସମସ୍ତିଙ୍କର । ଏପରିକି ପ୍ରତି ବର୍ଷ ଗୋଟି ଗୋଟି କରି ପିଲା ଜନ୍ମ କରିବାକୁ ମଧ୍ୟ ସେ ପଛେଇ ନ ଥିଲା । ଦଶ ବର୍ଷରେ ଆଠଟି ସନ୍ତାନ ଜନ୍ମ କରି ସେ ତା’ର ମାତୃତ୍ୱର ଆକାଙ୍‍କ୍ଷା କେତେ ମେଣ୍ଟାଇଥିଲା କେଜାଣି...। ଆଠଟିରୁ ତିନୋଟି ଅକାଳରେ ଝଡ଼ି ପଡ଼ିବା ଦୋଷରେ ମଧ୍ୟ ସେ ଆକ୍ରାନ୍ତ ହେଲା । କିନ୍ତୁ କହିବ କାହାକୁ ? ଶାଶୁ କହିଲେ ଡାହାଣୀ ପରି କ୍ଷୀର ଲୁଚାଇ ଦେଲା, ସ୍ୱାମୀ କହିଲେ ମା’ର ଅନିଚ୍ଛାରେ ସନ୍ତାନ ଜନ୍ମ ହେଲେ ଏଇ ଅବସ୍ଥା ହୋଇଥାଏ । ଆଉ ସେ ନିଜେ ! ସନ୍ତାନ ଦିଅ ବୋଲି କି ମାରିଦିଅ ବୋଲି କହି ନାହିଁ । ସେ କ’ଣ ମଣିଷ ? ସେ ପ୍ରତିବାଦ କରିବ କେଉଁଠି ? ସେ ତ ଯନ୍ତ୍ର—ମେସିନ୍ ! ପିଲା ଜନ୍ମ ହେଲାବେଳେ ସେ ଯେମିତି ନୀରବରେ ହସିଛି, ସେମିତି ମରିଗଲାବେଳେ ନୀରବରେ କାନ୍ଦିଛି । କାହା ପାଖରେ ହସିବାର କି କାନ୍ଦିବାର କ୍ଷମତା ତା’ର ନାହିଁ—କି ଆଶ୍ଚର୍ଯ୍ୟ ! ସେ କ’ଣ ସତରେ କାଠ ନା ପଥର ? ସକାଳ ଛ’ଟାରୁ ରାତି ବାରଟା ପର୍ଯ୍ୟନ୍ତ ସେ ସବୁ କାମ ନିର୍ଲିପ୍ତ ଭାବରେ କରିଲେ ବି ଦିନେ ହେଲେ କେହି ତା’କୁ କିଛି ପ୍ରଶଂସା କରି, ଆଦର କରି କଥା କହେ ନାହିଁ...। ସତରେ ବା କ’ଣ କହିବାର ଅଛି ? ନିଜ ଘର କାମ ନିଜେ କରିବ, ସେଥିରେ ପୁଣି ଗୋଟାଏ ପ୍ରଶଂସା, ଅପ୍ରଶଂସା, ମତାମତ କ’ଣ ? ଖାଉଛି, ପିଉଛି, ପିଲା ଜନ୍ମ କରୁଛି, ରାତ୍ରିରେ ସୁଖ ନିଦ୍ରା ଯାଉଛି, ଶଙ୍ଖା, ସିନ୍ଦୂର ହାତରେ ଜଳଜଳ କରି ତା’ର ଗୌରବମୟ ନାରୀ ଜୀବନକୁ ଧନ୍ୟ କରିଛି...ଆଉ କ’ଣ ଲୋଡ଼ା ?

 

ଚନ୍ଦ୍ରକାନ୍ତ ମଦ ଖାଇଲେ ବି ତା’ର କହିବାର କିଛି ନାହିଁ । ପୁରୁଷ ଲୋକ ରୋଜଗାର ଯେତେବେଳେ କରୁଛନ୍ତି ସେତେବେଳେ ସେ ନ ଖାଇବେ କାହିଁକି ? କଲୋନୀ ସାରା କେଉଁ ସ୍ତ୍ରୀ ଯଦି ସ୍ୱାମୀର ମଦ ଖାଇବାରେ ବିଚଳିତ ନୁହେଁ, ସେ କାହିଁକି ହେବ ? ସେ କ’ଣ ବି.ଏ. ପାଶ୍ କରିଛି ବୋଲି... ।

 

ସେ ଦିନ ବଡ଼ ପୁଅ ତପନ ତା’କୁ ପାଞ୍ଚଟା ଟଙ୍କା ମାଗିଥିଲା । କେଉଁଠି ରାତିରେ ତାସ୍ ଖେଳି ପାଞ୍ଚ ଟଙ୍କା ସେ ହାରିଯାଇ ପକେଟରେ ପଇସା ନ ଥିବାରୁ ବଡ଼ ଅପମାନିତ ହୋଇଥିଲା । ଗଞ୍ଜେଇ ଖାଇ ପୁଅର ଆଖି ଲାଲ ପଡ଼ିଯାଇ ଭୟଙ୍କର ଦିଶୁଥିଲା । ସେ ଟଙ୍କା ମାଗୁ ନ ଥିଲା ଯେ ଦାବି କରୁଥିଲା...ପୁଅର ମୁହଁକୁ ଚାହିଁ ସେ ଦବି ଯାଇଥିଲା । ତା’ ପାଖରେ ଟଙ୍କା ନାହିଁ—ଏ କଥା ପୁଅ କାହିଁକି ବିଶ୍ୱାସ କରିବ ? ନାଃ—ସେ ବା କାହିଁକି ତା’ର କୈଫିୟତ ତା’କୁ ଦେବ ! ଦୁନିଆଁରେ ସବୁ ମା’ମାନେ ତ ପୁଅମାନଙ୍କୁ ଲୁଚେଇ ଟଙ୍କା ଦିଅନ୍ତି, ସ୍ୱାମୀଙ୍କର ଆୟରୁ ଟଙ୍କା ରଖି ଅଣ୍ଟ ନିଅଣ୍ଟ ସମ୍ଭାଳି ନିଅନ୍ତି । ଇରାବତୀ ଯେ ପୁଅକୁ ଜୁଆ ଖେଳିବାକୁ ପାଞ୍ଚଟା ଟଙ୍କା ଦେଇ ପାରୁନି କି ମନା କରି କହି ପାରୁନି । କାହିଁକି ? ପୁଅର ରାଗିଲା ରାଗିଲା ଆଖିକୁ ଚାହିଁ ସେ ଶଙ୍କି ଯାଉଥିଲା... । ତା’ର ନୀରବତାରେ ପୁଅର ରାଗ ଏତେ ବଢ଼ି ଯାଇଥିଲା ଯେ ସେ ଚିତ୍କାର କରି କହିଥିଲା—

 

“ମୋ ବାପାର ଟଙ୍କାରେ ତୋର ଏତେ ଦିମାକ୍ ! ଜାଣୁ ତୋତେ ଘୋଷାଡ଼ି ନେଇ ଦାଣ୍ଡରେ ଛିଡ଼ା କରେଇ ଦେବି ଗୋଟାଏ ମିନିଟରେ । ଦେ—ଚାବି ଦେ... ।”

 

ଚାବିଟା ଇରାବତୀର କାନିରୁ ଏକଦମ୍ ଛିଣ୍ଡାଇ ନେଇ ତା’ର ଆଖି ସାମ୍ନାରେ ଆଲମାରୀ ଖୋଲି ସେ ପକେଟରେ କେତେ ବିଡ଼ା ଟଙ୍କା ପୁରେଇ ନେଇ ଚାଲିଗଲା । ଗଲାବେଳେ ଚାବି ନେନ୍ଥାଟା ଫୋପାଡ଼ି ଦେଲା ତା’ର ଗୋଡ଼କୁ । ରକ୍ତ ମେଞ୍ଚାଏ ଜମାଟ ବାନ୍ଧି ଅନେକ ଦିନ ଇରାବତୀର ଡାହାଣ ପାଦରେ ରହିଥିଲା । ଶରୀରର ଯନ୍ତ୍ରଣାଠାରୁ ମନର ଯନ୍ତ୍ରଣା ଏତେ ବଢ଼ି ଯାଇଥିଲା ଯେ ଇରାବତୀ ଗୋଟିଏ ଶବ୍ଦ ମଧ୍ୟ ଉଚ୍ଚାରଣ କରି ପାରି ନ ଥିଲା ।

 

ଚନ୍ଦ୍ରକାନ୍ତ କଥାଟା ଶୁଣି ହସି ଦେଇଥିଲେ । ଜୁଆ ଖେଳିବା, ଆଡ଼୍ଡ଼ା ଦେବା ତ ସବୁ ଯୁଗରେ ପୁରୁଷ ପିଲାର ଅଭ୍ୟାସ । ସେ ବି ଖେଳୁଥିଲେ, ଏବେ ବି ଖେଳୁଛନ୍ତି—ଆହୁରି ବି ଖେଳିବେ...ଏଥିରେ ବ୍ୟସ୍ତ ହବାର କ’ଣ ଅଛି ? ତା’ପର—ଚନ୍ଦ୍ରକାନ୍ତଙ୍କର ଅଭାବ ଥିଲେ ଅବା ଯାହା କିଛି ପ୍ରଶ୍ନ ଉଠନ୍ତା ।

 

ପୃଥିବୀରେ ତା’ହେଲେ ସବୁ ଅଭାବୀ ଲୋକଙ୍କ ପାଇଁ, ଅଜ୍ଞାନୀ, ଅପାରିବାର ଅକ୍ଷମ ପାଇଁ ନୀତି ନିୟମ କାନୁନ୍ ତିଆରି ହୋଇଛି ? ସବୁବେଳେ ସବୁ ଯୁଗରେ ଗଣ ପାଇଁ ଅଗଣର, ସାଧାରଣ ପାଇଁ ଅସାଧାରଣର ଆନ୍ଦୋଳନ, ବିପ୍ଳବ ଅବ୍ୟାହତ ରହିଛି । ଅଥଚ ପ୍ରଚ୍ଛନ୍ନ ରହିଛି ନିଜସ୍ୱ ସ୍ୱାର୍ଥ, ଅହଙ୍କାର ଆଉ ଗର୍ବ । ଯେତେ ଦିନ ପର୍ଯ୍ୟନ୍ତ ଏଇ ସୂତ୍ରରେ, ଏଇ ବିଚାରରେ ଜୀବନ ନିୟନ୍ତ୍ରିତ ହେବ, ସେତେ ଦିନ ପର୍ଯ୍ୟନ୍ତ...ସେ ତ ବଞ୍ଚିବ ନାହିଁ ସେତେ ଦିନ...ତଥାପି ତା’ର ଅସ୍ଥି ମଜ୍ଜା ଭିତରେ ଯେମିତି କେଉଁ ଅନାଗତ ଯୁଗର ଯନ୍ତ୍ରଣା ଜମାଟ ବାନ୍ଧି ତା’କୁ ଅସ୍ଥିର କରି ଦେଉଛି ।

 

ତା’ପରେ ? ଇରାବତୀର ଚଳମାନ ଧାରାବାହିକ ଜୀବନ ଉପରେ ଯେମିତି କିଏ ପୂର୍ଣ୍ଣଚ୍ଛେଦ ଟାଣି ଦେବାକୁ ବସିଲା । ସ୍ୱାମୀକୁ ଭୟ କରୁ କରୁ ସେ ପୁଅକୁ ମଧ୍ୟ ଭୟ କରି ଶିଖିଲା । କେବଳ ଚତୁର୍ଦ୍ଦିଗରେ ଭୟ, ଭୟ, ଭୟ ! ଜନ୍ମ କାଳରୁ ସତେ ଯେମିତି ଘୁଡ଼ୁଘୁଡ଼ିର କୁହୁକକରା ଭୟ ତା’ର ବାହାର ଭିତର ପୋକ ପରି କୁଟୁକୁଟୁ କରି ଖାଇ ଯାଉଛି... । ଯେତେ ପାଠ ସେ ବହିରେ ପଢ଼ିଥିଲା ସେ କେବଳ ଡିଗ୍ରୀଟିଏ, ଅଦରକାରୀ ଡିଗ୍ରୀଟିଏ ଛଡ଼ା ତା’କୁ କିଛି ଦେଇ ପାରିନି । ଏମିତିକି ତୁଣ୍ଡ ଖୋଲି ପଦେ କଥା ସାହସ କରି ମଧ୍ୟ ସେ କହିପାରୁନି—ଘର ଭିତରେ ସାଲିସ୍ କରି ଇରାବତୀ ଚଳି ପାରୁନି—କି ପଦାକୁ ବାହାରି ଯାଇ ଏକୁଟିଆ ଛିଡ଼ା ହେବାକୁ ସାହସ କରୁନାହିଁ ! କାହିଁକି ? କେତେ ଦିନ ?

 

ହଠାତ୍ ଦିନେ ଏଇପରି ଅବସ୍ଥାରେ ସତେ ଯେମିତି ଝଣ୍‍ଝଣ୍ କରି କୋଉଁଠୁ ଗୋଟାଏ ଅଦୃଶ୍ୟ ଶକ୍ତି ତା’ ଦେହ ଭିତରେ ପଶିଯାଇ ବହୁଦିନର କଂସା କବାଟ ଖୋଲିଦେଲା... । ସେ ଦିନର ଘଟଣାଟା ମନେ ପଡ଼ିଲେ ଏବେ ବି ଭୟରେ ତା’ର ଦେହ କମ୍ପି ଉଠେ—ପୃଥିବୀ ଛାଡ଼ି କେଉଁ ଜନଶୂନ୍ୟ ସାହାରା ମଧ୍ୟକୁ ଚାଲିଯିବାକୁ ଇଚ୍ଛା ହୁଏ ।

 

ବଡ଼ ଝିଅ ଛନ୍ଦାର ବିବାଦ ନେଇ ଘଟଣାଟା ଘଟିଗଲା ଅଦ୍ଭୁତ ଭାବରେ । ଛନ୍ଦା ଯେତେବେଳେ ନିଜର ବିବାହ ନେଇ ସ୍ଵାଧୀନ ମତ ବ୍ୟକ୍ତ କରି ବସିଲା–ଘରେ ଗୋଟାଏ ଚହଳ ପଡ଼ି ଯାଇଥିଲା । ଖାଲି ତାଙ୍କଠାରୁ ଧନ ବା ଜାତିରେ ଊଣା ନୁହେଁ ଅନିରୁଦ୍ଧ–ସେ ଯେ ହରିଜନ ! ମେଧାବୀ ଛାତ୍ର ହେଲେ ତ ସଂସାର ଚଳେ ନାହିଁ–ବଂଶ, କୁଳ ମର୍ଯ୍ୟାଦା ଦେଖିବାକୁ ହୁଏ... ।

 

ସବୁ କଥାରେ ଆଜୀବନ ନୀରବ ଥିବା ମା’ ଆଗରେ ଛନ୍ଦାର କିଛି କହିବାର ପ୍ରୟୋଜନ ନ ଥିଲା । ଖାଇବା ସମୟରେ ଯେତେବେଳେ ଛନ୍ଦା କଥାଟା ପକାଇଥିଲା, ସେତେବେଳେ ଚନ୍ଦ୍ରକାନ୍ତ ପ୍ରଚଣ୍ଡ ରାଗରେ ଫାଟି ପଡ଼ି କହିଥିଲେ–

 

“ଏ ବିବାହ ହୋଇ ପାରିବନି । ମୋର ଝିଅ ହୋଇ...ଝିଅ ହୋଇ ମୋ ମୁହଁରେ ଏ କଥା କହିବାର ସାହସ କେଉଁଠୁ ପାଇଲୁ ?”

 

ରାଗରେ ତରକାରୀ ପ୍ଲେଟଟା ଛାଟିଦେଲେ ସେ ଇରାବତୀକୁ । ସତେ କି ସବୁ ଅନ୍ୟାୟର ମୂଳ କାରଣ ସିଏ ।

 

ବହୁଦିନର ସଞ୍ଚିତ ଶୁଖିଲା ପତ୍ରରେ ବୈଶାଖର ବଜ୍ର ଯେମିତି ଅଗ୍ନି ସଂଯୋଗ କରିଦେଲା । ମନେ ହେଲା ସମଗ୍ର ପୃଥିବୀ ଜଳୁଛି–ଜଳୁଛନ୍ତି ତା’ ଭିତରେ କେଉଁ ଅନାଦି ଅନନ୍ତ ଯୁଗରୁ ନାମହୀନ ଅସଂଖ୍ୟ ନାରୀ । ଦର୍ପଣରେ ଦେଖିଥିବା ଇରାବତୀ ନିଜର ମୁହଁରେ ଆଖିରେ ଛାତିରେ ଅଗ୍ନି ଧରିଥିବାର ସ୍ପଷ୍ଟ ଦେଖି ପାରୁଥିଲା...ଜ୍ୱଳନ ଅନୁଭବ କରୁଥିଲା ପ୍ରତିଟି ରକ୍ତ କଣିକାରେ–

 

“ଏ ବିବାହ ନିଶ୍ଚୟ ହେବ । ତୁମେ ଏମିତି ପାଟିତୁଣ୍ଡ କରି ଝିଅର ଇଚ୍ଛା ବିରୁଦ୍ଧରେ ତା’କୁ ବିବାହ ଦେଇ ପାରିବନି । ମୋ ଭଳି ତା’କୁ...”

 

କଥାଟା ଅଟକିଗଲା ପାଟିରେ । ଠାଏ କରି ଅଇଁଠା ହାତଟା ଚନ୍ଦ୍ରକାନ୍ତଙ୍କର ଇରାବତୀ ଗାଲରେ ବସିଗଲା । ଆହତ କଣ୍ଠରେ ସପନ କହିଲା–

 

“ତୋର କ'ଣ ଅଛି ମା’ ! ତୁ କାହିଁକି ପାଟି ଫିଟଉଛୁ ? ବାପା ଯେତେବେଳେ ବିଭାଘର ଦେବେ...ସେତେବେଳେ... ?”

 

“କଣ କହିଲୁ ? ମୁଁ କାହିଁକି ପାଟି ଫଟଉଛି ? ମୁଁ କିଛି କହି ପାରିବିନି–କାହିଁକି ? ମୁଁ କୌଣସି କଥାରେ ମୋ ମତ ମଧ୍ୟ ଦେଇ ପାରିବିନି ?”

 

ତାଚ୍ଛଲ୍ୟ ହସରେ ଘରଟା ଯେମିତି ଭାଙ୍ଗି ଅଜାଡ଼ି ହୋଇ ପଡ଼ିବ କି ଆଉ ?

 

“ବୁଝିପାରୁନ । ବି. ଏ. ପାଶ୍ ତା’ହେଲେ କ’ଣ କୁଣ୍ଡା ଦେଇ କରିଥିଲ ? ସାମାନ୍ୟ ଗୋଟିଏ ସ୍ତ୍ରୀ ଲୋକ ହୋଇ ଦେଖୁଛି ତମର ସାହସ କିଛି ତ କମ୍ ନୁହେଁ ?”

 

ରାଗରେ ଥରି ଥରି ଚାଲିଗଲେ ଖାଇବା ପାଖରୁ ଚନ୍ଦ୍ରକାନ୍ତ । ଟେବୁଲ ଉପରେ ଥାଳିକୁ ଅନାଇ ଛନ୍ଦା ଚୁପ୍‍ଚାପ ଆସନ୍ନ ବିପଦର ଆଶଙ୍କାରେ ଯେମିତି କାତର ହୋଇ ଉଠୁଥିଲା । ଫଁ ଫଁ ହୋଇ ବଡ଼ ପୁଅ କହିଲା–

 

“ଦେଖିଲୁ । ବାପା ଉଠିଗଲେ ନ ଖାଇ । ତୋର କ’ଣ ଏତେ କଥାରେ ମୁଣ୍ଡ ଖେଳେଇବାରେ ଅଛି ? ଆଉ ଛନ୍ଦା ଅପାର ଏମିତି ହରିଜନ ବାହା ହେବାରେ ଆଗ୍ରହ କାହିଁକି ? ଯୌତୁକ ଦେବାକୁ ଆମର ଯଥେଷ୍ଟ ଶକ୍ତି ଅଛି...ହେଁ, ହେଁ...ହେଁ...ସେ ସବୁ ନାରୀ ଜାଗରଣ ଆନ୍ଦୋଳନ ଫାନ୍ଦୋଳନରୁ କ୍ଷାନ୍ତ ହୋଇ ସ୍ତ୍ରୀଲୋକ ଯେମିତି ଚଳିବା କଥା ଚଳ...ନଚେତ୍ ବାବା କିଛି ଭଲ କାମ ହେବନି... ।” ତପନର ସବୁଦିନ ପରି ନିଶାସକ୍ତ ପରିହାସଭରା କଣ୍ଠ ।

 

ଇରାବତୀ ଭଲ କରି ଜାଣିଥିଲା ଚନ୍ଦ୍ରକାନ୍ତ କିମ୍ବା ତପନ କେହି କେବଳ କଥାରେ ରହିଯିବେ ନାହିଁ । ସେମାନେ ହୁଏତ ଛନ୍ଦାକୁ ଅନ୍ୟତ୍ର ପଠାଇ ଦେବେ କିମ୍ବା ନିଜ ଜାତିର ଯୋଗ୍ୟ, ଅଯୋଗ୍ୟ ଯାହା ହେଉ କୌଣସି ପାତ୍ର ଠିକଣା କରି ବିବାହ ଦେଇ ଦେବେ...କି ଅନିରୂଦ୍ଧର କିଛି ଗୋଟାଏ ଧରଣର କ୍ଷତି କରାଇ ସବୁଦିନ ନିଜ ଝିଅ ତାଙ୍କ ପରି ଗୁମୁରି ଗୁମୁରି ମରିବ... ।

 

ସେଦିନ ରାତିରେ ସମସ୍ତେ ଶୋଇ ସାରିଥିଲା ପରେ ଚୁପ୍ ଚୁପ୍ ଇରାବତୀ ଛନ୍ଦାକୁ ଯାଇ ଡାକିଥିଲା । ପଛପଟ କବାଟ ଖୋଲି ପାଚେରୀ ଦେଇ ସେ ଝିଅକୁ ଆରପଟ ଉଠାଇ ଦେଲାବେଳେ କେବଳ ପଦୁଟିଏ କହିଥିଲା–

 

“ଚାଲିଯା’–ଏ ଘରୁ ଚାଲି ନ ଗଲେ ତୁ ମଣିଷ ପରି ବଞ୍ଚି ପାରିବୁନି... ।”

 

“ମା’ ।” ଛନ୍ଦା ଲୁହର ଝଡ଼ରେ ଭାଙ୍ଗି ପଡ଼ିଥିଲା ।

 

“ଛିଃ ! କାନ୍ଦୁଛୁ କାହିଁକି ? ତୁ ତ କିଛି ଭୁଲ୍ କରିନୁ । ଭୁଲ୍ କରିଛି ମୁଁ । ମୁଁ ବି.ଏ ପାଶ୍ କରିଥିଲି–ଅଥଚ ପଦେ କଥା କହିବାର ସାହସ ମୋର ନାହିଁ । କାହିଁକି ଜାଣୁ ? ମୁଁ ଅକ୍ଷମ–ନିଜକୁ ଜାହିର କରିବାର ଶକ୍ତି ନାହିଁ, ପରିସ୍ଥିତି ନାହିଁ । ପଶୁ ପରି ଖାଇ ପିଇ ବଞ୍ଚିଛି–ଜିନିଷଟେ ପରି ମତେ ଗୋଡ଼ରେ ସମସ୍ତେ ଆଡ଼େଇ ଦେଇ ଯାଇଛନ୍ତି...ମୁଁ ଚାହେଁନା ତୁ ବି ସେମିତି ବଞ୍ଚି ରହ । ତୁ ଚାଲିଯା’–ତୋ’ ଦେହରେ ମନରେ ଶକ୍ତି ଅଛି,–ତୁ ଲଢ଼େଇ କରିବୁ, ବଞ୍ଚିବୁ ମଣିଷ ପରି–ନାହିଁ ଯଦି ନ ପାରିବୁ–ନ ପାରିବୁ ତେବେ ଚିରଦିନ ପାଇଁ ହଜିଯିବୁ ପଛକେ ମୋ ଭଳି କେବଳ ବଞ୍ଚି ରହିବାକୁ ଚେଷ୍ଟା କରିବୁ ନାହିଁ । ମୁଁ ଜାଣେ, ଜାଣେ ତୁ ପାରିବୁ–ପାରିବୁ–ନିଶ୍ଚୟ ପାରିବୁ ।”

 

ସେ ପ୍ରାୟ ଏକ ବର୍ଷ ତଳର ଘଟଣା ହେଲାଣି । ଛନ୍ଦାର ଜନ୍ମ ଯେମିତି ପରିବାରରେ କାହା ମନରେ ଆନନ୍ଦ ଦେଇ ନ ଥିଲା–ତା’ର ଅନୁପସ୍ଥିତି ସେତିକି ବିଷାଦ କାଣିଚାଏ ବି ସୃଷ୍ଟି କରି ନ ଥିଲା । ଚନ୍ଦ୍ରକାନ୍ତଙ୍କର ହିସାବପତ୍ରରେ ଚାରୋଟି ସନ୍ତାନ ବଦଳରେ ତିନୋଟି ବୋଲି କେବଳ ଉଲ୍ଲେଖ କରାଯାଇଥିଲା । ନୀରବ ବେଦନାର ଝଡ଼ରେ ଧୂଳିସାତ୍ ହେଲେ ବି ଇରାବତୀ କାହାକୁ କିଛି କହି ନ ଥିଲା । ଚନ୍ଦ୍ରକାନ୍ତ ଓ ତପନ ଗଭୀର ସନ୍ଦେହରେ ତା’କୁ ଅଯଥା ବାକ୍ୟବାଣରେ ଆକ୍ରାନ୍ତ କଲେ ବି ସେ ଚୁପ୍ ରହିଥିଲା ।

 

ମାତ୍ର କେତେ ଦିନ ! କେତେ ଦିନ ସୁବର୍ଣ୍ଣ ପଞ୍ଜୁରୀରେ, ବନ୍ଦୀ କରି ରଖା ଯାଇପାରେ ଆକାଶର ଉଡ଼ନ୍ତା ମୁକ୍ତକାମୀ ବିହଙ୍ଗମଟିକୁ ?

 

ଅଶାନ୍ତି, ଅଶାନ୍ତିରେ ଇରାବତୀ ଶଯ୍ୟାଶାୟୀ ହୋଇଗଲା । ପ୍ରତିଦିନ ଫ୍ୟାକ୍ଟେରିରୁ କ୍ଲବ୍ ଯାଇ ଏବଂ ରାତି ଅଧରେ ନିଶାସକ୍ତ ଭାବରେ ବିନା ବାକ୍ୟବ୍ୟୟରେ ନିଜର ଶାରୀରିକ କ୍ଷୁଧା ମେଣ୍ଟାଇ ଚନ୍ଦ୍ରକାନ୍ତ ଶୋଇ ପଡ଼ନ୍ତି ଅଘୋର ନିଦରେ । ଉଜାଗର ରାତ୍ରିରେ ଇରାବତୀର ଦେହ ଘୃଣାରେ ବିଷାକ୍ତ ହୋଇଯାଏ ନିଜ ମନ ପାଖରେ ।

 

ସେପାଖ ଘରୁ ତପନ ଓ ସପନର କୋଳାହଳ ବେଳେ ବେଳେ ଭାସି ଆସେ । ସେମାନେ ଜାଣନ୍ତି ଛନ୍ଦା ଅପାର ଅସବର୍ଣ୍ଣ ବିବାହ ପରେ ମା’ ଚିନ୍ତାରେ ଯେମିତି ମୁକ ହୋଇଯାଇଛି-। ଡାକ୍ତରଙ୍କ କଡ଼ା ନିର୍ଦ୍ଦେଶ ମଧ୍ୟ–“ଇରାବତୀକୁ କେହି ଡିଷ୍ଟର୍ବ କରିବେ ନାହିଁ ।”

 

ବେଳେ ବେଳେ ସ୍ନିଗ୍‍ଧା ଓ ସନ୍ଧ୍ୟାର କଥା ଭାବି ଇରାବତୀ ବ୍ୟାକୁଳ ହୋଇ ଉଠେ । ଆହା ବିଚାରୀ ! ଛନ୍ଦାର ଅନ୍ତର୍ଦ୍ଧାନ ପରେ ଦୁଇଟିଯାକ ଝିଅକୁ ମ୍ୟାଟ୍ରିକ୍ ପାଶ୍ ନ କରିଥିବା ସତ୍ତ୍ୱେ ବି ଚନ୍ଦ୍ରକାନ୍ତ ବିବାହ ଦେଇଦେଲେ ଗୋଟିଏ ତିଥିରେ । ଅଯୋଗ୍ୟ, ଅର୍ଦ୍ଧ ଶିକ୍ଷିତ ପାତ୍ର । ଅଥଚ ଆଭିଜାତ୍ୟ ଓ ସମ୍ପତ୍ତିର ପ୍ରାଚୁର୍ଯ୍ୟ ଭରି ରହିଛି । ଆଉ କେତେ ଦିନ ଗଲେ ସେମାନେ ହେବେ ମା’–ଠିକ୍ ତା’ରି ପରି ବଞ୍ଚି ରହିବାକୁ ଚେଷ୍ଟା କରୁ କରୁ ମୁହୂର୍ତ୍ତ ମୁହୂର୍ତ୍ତ ଧରି ମରି ଯାଉଥିବେ–ଉଃ !

 

ଅସହ୍ୟ ବେଦନାରେ ଇରାବତୀ କର ଲେଉଟାଇଲେ । ଗମ୍ ଗମ୍ ଝାଳ ବୋହି ଯାଉଛି–ନିଃଶ୍ୱାସ ରୁଦ୍ଧ ହୋଇ ଆସୁଛି । ଅଥଚ ଏୟାର୍ କଣ୍ଡିସନ୍‍ଡ ରୁମରେ ଡଲପ୍ ଗଦିରେ ସେ ଶୋଇଛି ।

 

ଘର ଭିତରେ ଆଉ କିଛି ଶବ୍ଦ ନାହିଁ । ଯେ ଯୁଆଡ଼େ ଗଲେଣି । ଏମିତିକି ଚାକରଗୁଡ଼ାକ ମଧ୍ୟ ଚୁପ୍‍ଚାପ୍ । ନିଃଶବ୍ଦ ଅନ୍ଧାର ଲଦି ହୋଇଯାଉଛି ଛାତି ଉପରେ–ଅଚଳ ଲାଗୁଛି ଶରୀରର ସମସ୍ତ ଯନ୍ତ୍ର ?

 

କେତେ ଦିନ ? ଆଉ କେତେ ଦିନ ଏମିତି ଅଲୋଡ଼ା, ଅବାଞ୍ଛିତ ହୋଇ ସେ ବଞ୍ଚି ରହିବ ? ୟା’କୁଇ କହନ୍ତି ତେବେ ଭାଗ୍ୟ–କିଏ ତିଆରି କରେ ତା’କୁ ? କେଉଁ ଧାତୁରେ ସେ ଗଢ଼ା ହୋଇଛି ଯେ ଥରେ ତିଆରି ହୋଇଗଲେ ତା’କୁ ଭାଙ୍ଗି ଗଢ଼ି ପାରିବେ ନାହିଁ ? କିଏ ସେ, କିଏ ସେ ତା’ର ସୃଷ୍ଟିକର୍ତ୍ତା ? ଭଗବାନ ନା ଶୟତାନ ? କିଏ ସେ ? ଜାଣେ, ଜାଣେ ଇରାବତୀ କିଏ ସେ ଜାଣେ–ଭଲ କରି ଜାଣେ ।

 

ହଠାତ୍ ଚିତ୍କାର କରି ଉଠିଲା ଇରାବତୀ ସମସ୍ତ କୂଳ ଅକୂଳ ଭୁଲିଯାଇ–ଭୁଲିଯାଇ ଦୁଇ ତଟର ଶସ୍ୟଶ୍ୟାମଳା ସବୁଜ ପୃଥିବୀର ଆକାଶଚୁମ୍ୱୀ ଅଟ୍ଟାଳିକା ଆଉ ତା’ର ସବୁ ଅସାବଧାନୀ ଜନତାର ବିଚିତ୍ର ପୈଶାଚିକ ଇତିବୃତ୍ତିକୁ ।

 

ରୁଦ୍ଧ ଯନ୍ତ୍ରଣାରେ ତା’ର ସ୍ୱର କ୍ରମଶଃ ଅବଲୁପ୍ତ ହେଉଥିଲା । ଦୁଇ ଦୁର୍ବଳ ହାତର ପାପୁଲି ନିଜର କଣ୍ଠଦେଶରେ ଅସାଡ଼ ହୋଇ ଯାଉଥିଲେ କ୍ରମଶଃ !!!

Image

 

Unknown

ଅଭିନୟ

 

ଡରରେ ତା’ର ଛାତି କମ୍ପୁଛି ! ଦେହ ହାତ ଚାରିଆଡ଼ୁ ବେଶ୍ ଟପ୍ ଟପ୍ ଝାଳ ବୋହି ଯାଉଛି । ଦୁଇ କଡ଼ରେ ବାଉଁଶ ବୁଦା । ତା’ ସେ ପଟକୁ କିଆ ଗୋହିରୀ କଡ଼େ କଡ଼େ କରନାଳୀଟା-। ବର୍ଷା ଦିନରେ ବୁକୁ ଫୁଲେଇ କିରି କିରି ହସି ଧାଉଁଛି ଯେମିତି । ବିଜୁଳି ମାରୁଛି–ତା’ ସାଙ୍ଗକୁ ଝୁପୁରୁ ଝୁପୁରୁ ବର୍ଷା । ସବୁଆଡ଼େ ଗୋଟେ ଭୌତିକ ପରିବେଶ ।

 

ସତିଆ ଆଉ ଦୌଡ଼ି ପାରିଲାନି । ପାଞ୍ଚ ହାତିଆ ବେଶ୍ ଟାଣୁଆ ମର୍ଦ୍ଦପିଲା ସିଏ । ଏଡ଼େ ଏଡ଼େ ବାହା ଗୋଡ଼-ବାଗୁଡ଼ି ଖେଳରେ, ବାଡ଼ି ଲଢ଼େଇ ଆଉ କୁସ୍ତିକସରତ୍ ସବୁଥିରେ ସେ ଫାଷ୍ଟ୍ ! ଖାଲି ଚାଲିଗଲେ ଗାଁ ଦାଣ୍ଡରେ ଭୂଇଁ ଦୁଲିକି ଉଠେ । ଭୂତ, ପ୍ରେତ, ଡାହାଣୀ ତା’କୁ ବାଟ ଆଡ଼େଇ ଚାଲନ୍ତି । ତଥାପି ସେ ଏମିତି ଡରି ଯାଉଛି କାହିଁକି–ତା’ର ବହୁ ଅଭ୍ୟସ୍ତ ଦେହ ମନର ଅକ୍ତିଆରରେ ରହିବାକୁ ନାରାଜ କାହିଁକି ?

 

ସତିଆ ଚାକୁଣ୍ତା ଗଛଟାକୁ କୁଣ୍ଢାଇ ଧରି ଅଟକି ଗଲା । ନାହିଁ–ସେ ଆଉ ଧାଇଁ ଯାଇ ପାରିବନି । ତା' ଦେହରେ ଠୋପାଏ ହେଲେ ଶକ୍ତି ନାହିଁ । କାନରେ ଯାହା ସେ ଶୁଣୁଛି ସବୁ ଅବୁଝା ରହିଯାଉଛି–ଆଖିରେ ଦେଖୁଥିବା ଘଟଣା ତ ପ୍ରତି ମୁହୂର୍ତ୍ତରେ ବଦଳି ଯାଉଛି । ସତିଆ ନିଜ ଉପରେ ବିଶ୍ୱାସ ଯେତେବେଳେ ହରେଇ ଦେଲାଣି ସେତେବେଳେ ଗାଁ ବାଲାଙ୍କୁ, ବିଶେଷ କରି ଟୋକାଗୁଡ଼ାଙ୍କୁ ସେ କ’ଣ ଯାଇ କହିବ ? ସେମାନେ ତ ଗ୍ରୁପ୍ କରିଗଲେଣି–ଭିତରେ ଭିତରେ ଶିଖାଶିଖି ହେଉଛନ୍ତି, ସୁବିଧା ପାଇଲାକ୍ଷଣି ତା’କୁ କଳେ ବଳେ କଉଶଳେ ଯେମିତି ହେଉ ଧକ୍‍କା ମାରି ଗଡ଼େଇ ଦେବେ । ଖାଲି ସତିଆର ବାହା ଦି’ଟା ଦେଖି ଯେମିତି ତରକି ଯାଉଛନ୍ତି ।

 

ଗଛମୂଳେ ସେମିତି ପାଣି ସରସର ହୋଇ ସେ ବସି ପଡ଼ିଲା । କ’ଣ ଗୋଟାଏ ବିଚାର କରି, ମନ ଆଉ ଦେହ ସ୍ଥିର କରିଯିବ । ଯେତେବେଳ ପର୍ଯ୍ୟନ୍ତ ସେ ଅସ୍ଥିର ଥିବ ସେତେବେଳେ ପର୍ଯ୍ୟନ୍ତ ସେ ଉଠିବ ନାହିଁ । କିଏ କିଛି ପଚାରିଲେ ଜବାବ ଦେବନି–ଅତି ବେଶୀ ଅବସ୍ଥା ହେଲେ ସେ ଆଖି ଖୋଲି ମୁଣ୍ଡ ଟୁଙ୍ଗାରି ଦେବ । ଅର୍ଥାତ୍ ଅବସ୍ଥା ସୁଧୁରି ଯିବ–ଅପେକ୍ଷା କର, ଧୈର୍ଯ୍ୟ ଧରି-। ନ ହେଲା ଏବେ ନାହିଁ, ସେ କ’ଣ କିଛି ସର୍ତ୍ତ ରଖିଛି କି ସବୁଦିନେ ବିନା ଦରମାରେ ଗାଁ ବାଲାଙ୍କ ପାଇଁ ଦୌଡ଼ୁଥିବ ସହରକୁ । ହେଲା ଏବେ ଥରେ ତା’ର ମନ... । ଧେତ୍ ! ସେ କଥାଗୁଡ଼ା ମନେ ପଡ଼ିଲାବେଳକୁ ଛାତି ଭିତରଟା ଠକ୍ ଠକ୍ ହୋଇ କମ୍ପୁଛି କାହିଁକି କେଜାଣି ?

 

କିଏ ଯଦି ଏଇକ୍ଷଣି ଆସିଯାଏ ? ଚାରିପଟରେ କି ଅନ୍ଧାର । ଟଳ ଟଳ ହୋଇ ସତିଆ ନିଜ ମୁଣ୍ଡ ମାଡ଼ିଦେଲା ଆଣ୍ଠୁ ଭିତରେ । କାନ ଦି’ଟାରେ ଝୁମ୍ ଝୁମ୍ ସେଇ ନୂପୁର ଶବ୍ଦ... । ଚମ ଭିତର ଦେଇ କିଏ ଯେମିତି ଇଞ୍ଜେକ୍‍ସନ ଦେଲା ଭଳି ଛୁଞ୍ଚି ଫୋଡ଼ି ଦେଉଛି... ।

 

ନୂପୁର ବାଳା ! ସତେ ତ ସେ ଛବିଟିଏ । ତା’ର ଅଙ୍ଗଭଙ୍ଗୀ–ତା’ର କଥା, ତା’ର ଭାଷାରେ ଯେ କୁହୁକ ଭରିଥିଲା କେଜାଣି । ଆଉ ପାଦରେ ତା’ର ଘୁଙ୍ଗୁର ଯେଉଁ ରୁଣୁଝୁଣୁ ଶବ୍ଦ ସୃଷ୍ଟି କରିଥିଲା–ସେଥିରେ ସତ ମନେ କରିଥିଲା ସେ ଯେପରି କେଉଁ ସ୍ୱର୍ଗରେ ପହଞ୍ଚିଯାଇ ରମ୍ଭା କି ମେନକାର ନାଚ ଦେଖୁଛି । ପୃଥିବୀରେ ଏ ସବୁ କଥା ସମ୍ଭବ ସେ ଭାବି ପାରୁ ନ ଥିଲା ସେତେବେଳେ । ବିପିନଟା ପ୍ରକୃତରେ କପାଳିଆ । ଅଷ୍ଟମ ଶ୍ରେଣୀ ଯାଏ ପାଠ ସିନା ପଢ଼ିଛି, ହେଲେ ପିଲାଟା ମଗଜରେ ବୁଦ୍ଧି ଅଛି ଢେର୍ । ଘରେ ପାଞ୍ଚ ପ୍ରାଣୀ କୁଟୁମ୍ୱ । ଝୋଟ ବଳରେ କାମ ଯରି ସମସ୍ତଙ୍କୁ ପୋଷି, ଗଲାବର୍ଷ ଭଉଣୀକୁ ଜାକଜମକରେ ବାହାଘର କରି ବି ଗୋଟାଏ ପଇସା ଧାର କେଉଁଠି କରିନି କି ଗାଁ ବାଲାଙ୍କ ହାତକୁ ଅନେଇନି । ତହିଁରେ ଫେର୍ ରାତିରେ ଯାଇ କେଉଁଠି ସବୁ ଟ୍ରକ୍ ଚଳାଏ, ବନ୍ଦର ପାଖରେ ମାଲ ଉଠାଚଢ଼ା କରେ...ପକେଟରେ ତା’ର ଖଜବଜ ହଉଥାଏ ପଇସା । ନୂପୁରବାଳାର ନାଚରେ ଯେମିତି ସେ ମସଗୁଲ ହୋଇ ଟଙ୍କା ପଇସା ଫୋପାଡ଼ିଲା ନା-?

 

ଛିଃ, ଛିଃ, ଲାଜରେ ମୁଣ୍ଡ ଛିଣ୍ଡିଗଲା ଭଳି ଲାଗିଲା ସତିଆକୁ । ପକେଟରେ ପଇସା ନ ନେଇ ବଡ଼ ବଡ଼ ସହର ଯିବାକୁ କାହିଁକି ସେ ମନକଲା କେଜାଣି ?

 

ସେ ତ ଜାଣି ନ ଥିଲା ବିପିନା ସଙ୍ଗରେ ତା’ର ଏମିତି ଦେଖା ହୋଇଯିବ । ସ୍କୁଲ, ଗାଁ ଲାଇବ୍ରେରୀ ଆଉ ସଂଘ ପାଇଁ ସରକାରଙ୍କଠୁ ଗ୍ରାଣ୍ଟ ଟଙ୍କାଟା ନେଇ ତା’ର ଘରକୁ ଫେରିବା କଥା ସଞ୍ଜ ଗାଡ଼ିରେ । ଟଙ୍କା ତିନି ହଜାର–କିଛି କମ୍ ନୁହେଁ । ଅତି ଯତ୍ନରେ ତା’କୁ ଅଣ୍ଟାରେ ମୁଣି ଭିତରେ ସିଲେଇ କରି ରଖି ଟ୍ରେନ୍‍କୁ ଆସିଲା ବେଳକୁ ବିପିନା ସାଙ୍ଗରେ ଦେଖା । ଆଉ ତା’ର ସେ ସାଙ୍ଗ ଅମଜାଦ୍ ଭାୟା । ଯାହା କହ ଲୋକଟା ଦିଲ୍‍ଦାରିଆ । ପାଞ୍ଚ ମିନିଟରେ ତା’କୁ ଭୁଲାଇ ଦେଲା ନା ଆଉ କ’ଣ ? ବିପିନ ତା’କୁ ଚିହ୍ନେଇ ଦେଇ ହିନ୍ଦୀ ଓଡ଼ିଆ ମିଶେଇ କହିଥିଲା ଯାହା ତା’ର ଅର୍ଥ ହେଲା ସତିଆ ହେଉଛି ତାଙ୍କ ଗାଁର ସବୁଠାରୁ ପାରିବାର ଲୋକ । ଖାଲି ତାରପୁରରେ ନୁହେଁ, ପାଞ୍ଚ ଖଣ୍ଡ ଆଖପାଖ ଗାଁରେ ବି ସେ ମୁରବୀ । ଯେତେ ଯେଉଁଠି ଯାହା ଭଲ କାମ ହୋଇଛି ସବୁରି ମୂଳରେ ସତିଆ । ସତିଆ ନ ହେଲେ ଗାଁ ବାଲା ଗଜ ମୁର୍ଖ ହୋଇ ପଡ଼ିଥାନ୍ତେ–ବର୍ଷକୁ ବର୍ଷ ସରକାରଙ୍କ ସଙ୍ଗେ ଲଢ଼ି ସେଇ କେବଳ ଗାଁ କାମରେ ଲାଗିଛି । ଗୋଟିଏ ପଇସା ଖଇରାତି ନାହିଁ-। ଓଲଟା ନିଜ ଜମି ନେଇ ଇସ୍କୁଲ ଘର ଆଉ ଆଖଡ଼ା ଶାଳା ଖୋଲିଛି–କେତେ କ’ଣ-?

 

ଲାଜରେ ଟିକିଏ ଘଡ଼ବଡ଼େଇ ହୋଇ ଯାଇଥିଲା ସତିଆ । ବିପିନଟା କେତେ ବଢ଼େଇ କରି କହୁଛି ଯେ ଏମିତି କଥାର ଉତ୍ତର ତା’କୁ ଦେଇ ଆସୁନି । ତା’ପରେ ହିନ୍ଦୀ ତ ଜଣା ନାହିଁ । ସହରରେ ରହିଥିଲେ କେଜାଣି ଶୁଣି ଶୁଣି ଶିଖି ଯାଇଥାନ୍ତା । ଏତିକିବେଳେ ବିପିନା କ’ଣ ଅମଜାଦ୍‌କୁ କହିଥିଲା କାନେ କାନେ । ଅମଜାଦ୍ ହସରେ ଭାଙ୍ଗିପଡ଼ି କହିଥିଲା—

 

“କିଛି ପରବାଏ ନାହିଁ । ମୋର ବିବି ତ ଡେଲିଭରି ପାଇଁ ଯାଇଛି–ମୋର ଘରେ ରହିଯିବ । ଆରେ ଦୋସ୍ତ ! ହାମେଭି ତ ଓଡ଼ିଶା କେ ଆଦ୍‍ମୀ । କଟକ ମେ ହମାରା ଘର ଥା ! ଅଭି ବମ୍ବେ ଓ୍ୟାଲା...କୁଛ୍ ବାତ୍ ନେହିଁ ।”

 

ବିପିନା ତା’କୁ କୁଣ୍ଢେଇ ପକେଇ କହିଲା–“ସତିଆ’ଇ ଚାଲ । ତୁ କେତେଥର ଆଗରୁ ବମ୍ୱେ ଯିବା କଥା କହିଛୁ–ହେଲେ ମୁଁ ସୁବିଧା କରିପାରେ ନାହିଁ । ଏଇନେ ତ ଆମେ ଯାଉଛୁ–ପୁଣି ସାତ ଦିନ ଭିତରେ ମାଲ୍ ନେଇ ଆସିବୁ ତୁ ବୁଲି ଦେଇ ଆସିବୁ । ଅମଜାଦ୍ ଭାୟାର ଘରେ ରହିବା...ତତେ କିଛି ଅସୁବିଧା ହେବନି ।”

 

“ନାହିଁରେ ବିପୁ ! ମତେ ଆଉ ତୁ ସେକଥା କହନା ! ମୋ ଜୀବନ ଯାଇ ଗାଁରେ । କେମିତି ଘରକୁ ନିରାପଦରେ ଫେରିବି ସେକଥା କହ–ଦେଖୁନୁ ଅଣ୍ଟାକୁ—ସବୁ ଗ୍ରାଣ୍ଟ ଟଙ୍କା ତିନି ହଜାର ଭଙ୍ଗେଇ ପେଟରେ ଧରି ବୁଲୁଛି । ଦି’ ଦିନ ହେଲା ଆସିଲିଣି–କିଏ ଭଲା ଶୁଣୁଛି ଏଠି କଥା-। ବସି, ବସି ମୋତେ ଚିଡ଼ି ଲାଗିଲା ଯେ ମନ୍ତ୍ରୀଙ୍କ ଘରକୁ ସକାଳେ ଯାଇଁ ଚିଠା ପଠେଇ ଦେଲି-। ଆଜି ତାରପୁରର ଗ୍ରାଣ୍ଟ ଅର୍ଡର ନ ହେଲେ ସତୀଶଚନ୍ଦ୍ର ସାମନ୍ତରାୟ ଏଇଠି ଅନଶନ କରି ମରିବ-। ଅନଶନ ନାଁ ଯେମିତି ଶୁଣିଛନ୍ତି ମନ୍ତ୍ରୀ ନା କବାଟ ଖୋଲି ଧାଇଁଲେ ମୋ ପାଖକୁ । ସାଙ୍ଗରେ ଆଉ ପଞ୍ଝାଏ ବାବୁଭୟା । ସେଇଠୁ କ’ଣ କାଗଜରେ ମତେ ଲେଖି ଦେଲେ–ତିନିଟା ବେଳକୁ ଟଙ୍କା ପାଇଗଲି ଯା’ ହେଉ । ମୁଁ ତାରପୁରର ସତୀଶଚନ୍ଦ୍ର–ମୁଁ କିଏ ବମ୍ବେଇ କଲିକତା କିଏ-! ଗାଁ ଲୋକେ ପରା ଅନେଇ ବସିଥିବେ । ତେଣେ ତୋ ଭାଉଜର ତଣ୍ଟି ଶୁଖି ଅଠା ହବଣି । ତିନିଟା ତ ମଲେ ଭୂଇଁରେ ନ ପଡ଼ୁଣୁ–ହବ ଯଦି ଏଇଥର କଟକ ନେଇ ଆସିବି ।”

 

ଏତକ ଗୋଟାଏ ଦାମରେ କହି ପକେଟରୁ ଗୋଟାଏ ପାନ କାଢ଼ି ସତିଆ ଖାଇଲା । ଅମଜାଦ୍ ମିଆଁ ପାଖରେ ତା’ର ଯୋଗ୍ୟତାଟା ପ୍ରମାଣ କରିସାରି ଅତି ଗମ୍ଭୀର ହୋଇ ଛିଡ଼ା ହୋଇଗଲା । ହାଏ ଭଗବାନ ! ସେତିକିବେଳେ ଭଲା ଟ୍ରେନ୍‍ଟା ଆସି ଯାଇଥାନ୍ତା ?

 

“ଆରେ ସତୀଶ ଭୟା ! ତୁମ୍‍ ତ ଆଚ୍ଛା କଡ଼ା ଆଦ୍‍ମୀ...ଦୋ ଦିନ୍ କା ବାତ୍ । ଆସ–ସବ୍‍ଦିନ୍ ତ ମଉଜ ନେହିଁ । ଥୋଡ଼ା କେ ଦିନ୍–ଫିର୍ ତ ଦୋସ୍ତ ଘରକୁ ବଡ଼ା ଆଦ୍‍ମୀ ସବଲୋଗ୍ ଯାଏଁଗେ ।” ଅମଜାଦ୍ ମିଆଁ ଦୋସ୍ତିରେ ତା’ର ହାତ ଧରୁଛି ।”

 

“ନାହିଁ ଭାଇ ! ମୋ ପାଖରେ ଟଙ୍କା ନାହିଁ । ଆଉ ଗାଁ ଟଙ୍କାରେ ମୁଁ ହାତ ଦେଇ ପାରିବିନି । ବିଷ ଖାଇବା ଯାହା–ପର ପଇସାରେ... ।”

 

“ତୋର ଟଙ୍କା କ’ଣ ହେବ ସତିଆ’ଇ । ବିପିନାକୁ ତୁ ଏମିତି ଛୋଟ ଲୋକ କାହିଁକି ଭାବୁଛୁ–ସେ କ’ଣ ତତେ ଟିକେଟ କାଟି ନେଇ ପାରିବନି । ହେଲା ଏବେ ଏକା ମା’ ପେଟରେ ଭାଇ ଆମେ ନୋହୁଁ... ।”

 

ବିପିନାର କଣ୍ଠଟା ପଛଆଡ଼କୁ ଥରଥର ଶୁଭୁଥିଲା । ଯେତେହେଲେ ବି ବିପିନାଟା ପିଲାଟା ନା କ’ଣ ଆଉ ?

 

ମନ ଭିତରେ ନାନା ପ୍ରଶ୍ନବାଚୀ ମୁଣ୍ଡ ଟେକିଥିଲା । ତିନି ହଜାର ଟଙ୍କା ଅଣ୍ଟା ଦେହରେ ଯେପରି ନାଗସାପ ଗୁଡ଼ାଇ ହେଲାପରି ରହିଥିଲେ । ଏଣେ ଘରକୁ ଫେରି ଯିବା ପାଇଁ ଟଙ୍କା ପାଞ୍ଚଟି ବ୍ୟତୀତ ପାଖରେ ଆଉ କିଛି ନାହିଁ । ସହର ବୁଲିଯିବାର ଆଗ୍ରହ ଥିଲେ ବି ସାମର୍ଥ କାହିଁ ? ଆଖି ଆଗରେ ଭାସି ଯାଉଛି ମୋତିର ମୁହଁଟି, ବାହା ହେଲାର ପାଞ୍ଚବର୍ଷ କଟିଯାଇଥିଲେ ବି ଆଉ ପ୍ରତିବର୍ଷ ରଥରେ ଆରବର୍ଷ ପାଇଁ ଶପଥ କଲେ ବି, କେବେ ହେଲେ ମୋତିକୁ ନେଇ ସତିଆ ପୁରୀ ଯାଇପାରି ନାହିଁ । ଏଣେ ପୁଣି କେତେବେଳେ କୋଉ ମୁହୂର୍ତ୍ତରେ ତା’ର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବ କିଏ ଜାଣେ ? କେମିତି ସେ ଯିବ ? ଅମଜାଦ୍ ଭାଇ, ବିପିନା ଯାହା ଭାବନ୍ତୁ ପଛେ !

 

“କ’ଣ ଭାଇ ଏତେ ଭାବୁଛୁ ? ଆଜି ଗୁରୁବାର, ଏ ସୋମବାର ଛାଡ଼ି ସୋମବାର ଆସନ୍ତା ଫେର୍ ଆମେ ଫେରିବା । ଦିନ ଚାରିଟା ବି ବିବିକି ଛାଡ଼ି ରହି ପାରୁନୁ ? ଏତେଟା ସ୍ତ୍ରୀ ଲୋକଙ୍କ ଅକ୍ତିଆରରେ ରହିବା ଭଲ ନୁହେଁ... ହେଁ, ହେଁ, ହେଁ । ’

 

ଲଜ୍ଜ୍ୟାରେ ଲାଲ ପଡ଼ି ଯାଇଥିଲା ସତିଆ । ହଠାତ୍ ସେତିକିବେଳେ ବମ୍ବେଇ ଯିବା ଟ୍ରେନ୍‍ଟା ଘର୍‍ଘର୍ ହୋଇ ଆସି ଯାଇଥିଲା, ଯେମିତିକି ଦୈତ୍ୟଟାଏ । ଭୟରେ, ସଙ୍କୋଚରେ, ଅଧାଇଚ୍ଛା ଅନିଚ୍ଛାରେ ବିପିନା ଓ ଅମଜାଦ୍ ମିଆଁର ମଝିରେ ଯାଇଁ ବସିଥିଲା ସତିଆ । ଘରକୁ ଖବରଟା ଦେଇ ଦେଇଥିଲେ ହୋଇଥାନ୍ତା... । ହସିବାକୁ ଚେଷ୍ଟା କରିବି ପାରୁ ନଥିଲା ସେ । ମାତ୍ର ଅମଜାଦ୍ କାଳେ ଭାବିବ ତା’ର ମୋତି କଥା ମନେ ପଡ଼ୁଛି...କି ମଫସଲିଆଟେ ଭାବି ତା’କୁ ହସି ଉଡ଼େଇ ଦେବ–ଏଇ ଚିନ୍ତାରେ ସେ ବୋକା ହୋଇ ଯାଇଥିଲା । ଏଣେ ପୁଣି ଚୋଟ ମାରୁଛି । ଅଣ୍ଟା ମୂଳରେ ନାଗସାପ । ସେଇଟା ତ ପ୍ରଧାନ କଥା । ସହର ଦେଖୁ ଦେଖୁ ଯଦି ଟଙ୍କାଟା ଗଲା–ତେବେ ସତିଆର ଘର, ଡିହ ଆଉ ଜମି ଖଣ୍ଡିକ ବିକିଲେ ବି ସେତିକି ସୁଝଟ ହେବ ନାହିଁ । ମୁଣ୍ଡ ଭିତରେ ଯେମିତି ବାରଆଡ଼ୁ ବାରଚିନ୍ତା ପଶି ତେନ୍ତୁଳିଆ ବିଛା କାମୁଡ଼ୁଛି ।

 

ବହୁ ଚେଷ୍ଟା କରି ବି ନିଦ ଆସୁନାହିଁ । ଏଣେ ଅମଜାଦ୍ ଆଉ ବିପିନା ବେଶ୍ ଆରାମରେ ଘୁଙ୍ଘୁଡ଼ି ମାରୁଛନ୍ତି ।

 

ବମ୍ୱେରେ ପହଞ୍ଚି ସତିଆ ଯେମିତି କାବା ହୋଇଗଲା । ଆଲୁଅ ଆଲୁଅରେ ତା’ ଆଖି ଅନ୍ଧ ହୋଇଗଲା–ସତେ ତା’ର ଗାଁ ଲୋକଗୁଡ଼ାକ କି ଅପନ୍ତରାରେ, କି ଅସୁବିଧାରେ ଜୀବନ କଟାଉଛନ୍ତି । ଗାଡ଼ି ଖଣ୍ଡେ ଗାଁକୁ ଗଲେ ଏବେ ବି ଅପୂର୍ବ ଲାଗୁଛି–ହେଲେ ଏଠି ଗାଡ଼ିର ମେଳା ଯେମିତି ବସିଛି ।

 

ପ୍ରଥମ ଦିନ ସହର ତା’କୁ ବୁଲି ଦେଖେଇଥିଲେ ସତିଆ ଆଉ ଅମଜାଦ୍ । ମାଂସ ବିରିଆନି କେତେ କ’ଣ ତା’କୁ ଖୁଆଇଥିଲେ–ପୁଣି ସନ୍ଧ୍ୟାରେ ସିନେମା । ଘରୁ ଆସିଥିବାର ଗ୍ଳାନି ସେ ଭୁଲି ଆସୁଥିଲା କ୍ରମଶଃ !

 

ମାତ୍ର ଦ୍ୱିତୀୟ ଦିନ ଅମଜାଦ୍ ଯେତେବେଳେ ପ୍ରସ୍ତାବ କଲା ନୂପୁରବାଳାର ନାଚ ଦେଖିବା ପାଇଁ, ସେତେବେଳେ ଏକ ଅଜଣା ଭୟରେ ଶିହରୀ ଯାଇଥିଲା ସତିଆ । ମୋତିର ନିରୀହ ଆଖି ଦୁଇଟା ଯେପରି ତା’କୁ ମିନତି କରୁଛି–ଶୀଘ୍ର ଫେରିଯିବା ପାଇଁ କାନେ କାନେ କହୁଛି-! ସେ ରୋକ୍ ଠୋକ୍ ଶୁଣେଇ ଦେଇଥିଲା–‘‘ନାହିଁ ଭାଇ ! ମୁଁ ସେ ନାଚଫାଚ କି ବେଶ୍ୟାବାଡ଼ି ଯାଇ ପାରିବିନି ! ହଇରେ ବିପୁ ! ତୁ ଆସି ଏଇଠି ଏମିତି କାମ କରୁଛୁ ?”

 

ଠୋ ଠୋ ହସରେ ଅମଜାଦ୍ ମିଆଁଘର କମ୍ପେଇ ଦେଇଥିଲା । ଆଉ ସେଇପରି ହସରେ ଜଣେଇ ଦେଇଥିଲା ସତିଆର ଧାରଣା କେଡ଼େ ଅମୂଳକ । ସହରର କେତେ ବଡ଼ବଡ଼ ବାବୁ । ପାଠପଢ଼ା ଲୋକ ମଉଜ କରୁଛନ୍ତି–ତା’ର ଅର୍ଥ ନୁହେଁ ଯେ ବେଶ୍ୟା ବାଡ଼ିରେ ରାତି କଟଉଛନ୍ତି । ଛିଃ, ଛିଃ ସତରେ କେଡ଼େ ମଫସଲିଆଟା ଅଛି ସତିଆ କେଜାଣି ?

 

ଅମଜାଦ୍‍ର କଥାଗୁଡ଼ାକ ଛୁଞ୍ଚି ଫୋଡ଼ିଲା ଭଳି ଗଳି ଯାଇଥିଲା । ନାହିଁ କରିବାକୁ ଉପାୟ ନାହିଁ—ଯିବାକୁ ତାକତ୍ ନାହିଁ ।

 

ଟ୍ରେନରେ ଚଢ଼ିଲା ପରି ଅମଜାଦ୍ ଓ ବିପିନା ତା’ର ଦୁଇ ହାତ ଧରି ନେଇ ଯାଇଥିଲେ ନୂପୁରବାଳା ପାଖକୁ । ଅମଜାଦ୍‍ର ସାର୍ଟ ଆଉ ବିପିନାର ବାରହାତି ଧୋତି ପିନ୍ଧି ସେ ନସର ପସର ହୋଇ ଯାଇଥିଲା । ଅଣ୍ଟାରେ ତିନି ହଜାର ଟଙ୍କାର ମୁଣିଟି ସେମିତି ପେଟ ଉପରକୁ ଟେକି ହୋଇ ଖୁଞ୍ଚା ମାରୁଥାଏ—ଚମକି ଯାଉଥାଏ ସେଇ ଅପନ୍ତରା ଗାଁର ଶୁଖିଲା ଶୁଖିଲା ମୁହଁଗୁଡ଼ାକ, କରନାଳ, ତା’ ସେପଟକୁ ଟୁକୁରା ଟୁକୁରା ବିଲ ଆଉ ମଶାଣି ଭିତରେ କୋଉ କାଳର ଚାକୁଣ୍ତା ଗଛ-

 

ନୂପୁରବାଳା ସତେ ହିଁ ନୂପୁରବାଳା ! ଆଖି, ଝଲସି ଥିଲା ତା’କୁ ଦେଖି । କି ରୂପ, କି ତେଜ, କି ହସ ହସ ଗ୍ରହଣ କଲାର ଭଙ୍ଗୀ । ଦେହ ଓ ମନ ନିମିଷକରେ ମିଳେଇ ଯେମିତି ପାଣି ହୋଇଯିବ ତା’ର । ବିପିନା ଫେର୍ ତା’କୁ ଚିହ୍ନେଇ ଦେଲା—ଖାଲି ଏକଲା ତା’କୁ । ସବୁ ଲୋକ ତା’କୁ ନମସ୍କାର କଲେ, ଏପରି ଆଦର ଯତ୍ନ କରି ନେଇ ବସେଇଲେ ଯେମିତି ମନେ ହେଲା ସତିଆ ପାଇଁ କେବଳ ସେ ଦିନର ଉତ୍ସବ ଅନୁଷ୍ଠାନ ହେଉଛି । ନୂପୁରବାଳାର ଆଖିରେ କି ଯାଦୁ ଥିଲା କେଜାଣି—ସତିଆର ଦେହ ମନରେ ଇନ୍ଦ୍ରଜାଲର କୁହୁକ ଘେରି ଯାଇଥିଲା... ।

 

ଘୁଙ୍ଗୁରର ଛନ୍ଦେ ଛନ୍ଦେ ସେ ସ୍ୱପ୍ନ ଦେଖିଥିଲା ଅମରାବତୀର । ଦେଖୁଥିଲା ଇନ୍ଦ୍ରସଭାରେ ସେ ଇନ୍ଦ୍ର ହୋଇ ବସିଛି–ଚତୁର୍ଦ୍ଦିଗରେ ବସିଛନ୍ତି ଦେବତାଗଣ । ମଝିରେ ରମ୍ଭା, ମେନକା, ଉର୍ବଶୀ କେତେ କିଏ ଗୋଟିକ ପରେ ଗୋଟିଏ ଯେ ନାଚୁଛନ୍ତି ତା’ର ଠିକଣା ନାହିଁ । ପାରିଜାତ ଫୁଲର ମାଳାଟି ବେକରେ ତା’ର ଯେମିତି କିଏ ପକେଇ ଦେଇଛି । ସତେ କି ସେ ରାଜାଧିରାଜ ଇନ୍ଦ୍ର । ଚତୁର୍ଦ୍ଦିଗରେ ଅଗୁର ଚନ୍ଦନ କସ୍ତୁରୀର ସୁବାସ...ଆଦରରେ ସୋମରସ ତା’କୁ ପାନ କରାଉଛି ସୁନ୍ଦରୀ ଏକ ତରୁଣୀ । ଅମୃତ ପାନ କରୁଛି ସେ । ଲମ୍ବି ଆସୁଛି ସୁନ୍ଦରୀ ତରୁଣୀ ଉର୍ବଶୀର ଓଠ ଦୁଇଧାରା । ଆଃ ! ସ୍ଵର୍ଗ—ଅମୃତ—ପ୍ରାପ୍ତି—ଦେବତ୍ୱ—ଅମରତ୍ୱ—ଏଇ ତ ଜୀବନର ଶେଷ କଥା । ଶେଷ ଉପଲବ୍ଧିର ଶେଷ ପାହାଚ । ପରମ ତୃପ୍ତିରେ ସତିଆର ଆଖିପତା ବୁଜି ହୋଇ ଆସୁଥିଲା...ରୁଣୁଝୁଣୁ ନୂପୁରର ତାଳେ ତାଳେ ଯେମିତି ଦେହ ମନ ପକ୍ଷ ଉଡ଼ାଇ କେଉଁ ନୀଳ ଗଗନର ନୀଳିମାରେ ଆତ୍ମହରା ଦିଗହଜା ହୋଇ ଯାଇଥିଲେ । ସତିଆର ସେତେବେଳେ ବୁଝିବାର କୌଣସି ଆଗ୍ରହ ନ ଥିଲା । ଅଚେତନ ଦେହର ନିର୍ଜୀବ ହାତ କେବଳ ଅଣ୍ଟାରେ ଗୁଡ଼ା ହୋଇ ରହିଥିବା ଟଙ୍କା ମୁଣିଟି ଊପରେ ଚାପି ହୋଇ ରହିଥିଲା... ।

 

ସତିଆର ଯେତେବେଳେ ନିଦ ଭାଙ୍ଗି ସଂପୂର୍ଣ୍ଣ ଜ୍ଞାନ ଆସିଲା ସେତେବେଳେ ଘଟଣାଟା କ’ଣ ବୁଝିବାକୁ ତା’ର ଆଉ ଆବଶ୍ୟକତା ରହିଲାନି । ଗୋଟିଏ ଭଙ୍ଗା ଦଦରା ଘରେ ସେ ଶୋଇଛି ଖାଲି ତଳେ । ଚାରିପଟେ ଭଙ୍ଗା ବୋତଲ ଆଉ କାଚ । ମାଂସ ଆଉ ରୁଟିର ଟୁକୁରା ସହ ଶୁଖିଲା ଫୁଲର ଛିଣ୍ଡାମାଳ ଏଣେତେଣେ ପଡ଼ିଛି । ଚାରିଆଡ଼ ନିସ୍ତବ୍‍ଧ, ନୀରବ । କେହି କୁଆଡ଼େ ନାହିଁ । ସତିଆ ପ୍ରଥମେ ବୁଝିପାରିଲା ନାହିଁ ସେ କେଉଁଠି ଅଛି, ଗାଁରେ ନା ବମ୍ବେରେ ନା ଅନ୍ୟ କେଉଁଠି ? ଉଠି ବସିବାର ତାକତ୍ ତା’ର ନାହିଁ । ମୁଣ୍ଡ ଯେମିତି ମୋଟେ ସିଧା ହୋଇ ରହୁନାହିଁ । ଉଠୁ ଉଠୁ ବାନ୍ତି ଲାଗୁଛି । ଇସ୍, ଛାତି ଭିତର କ’ଣ ହୋଇଯାଉଛି । ପ୍ରଭୁ ! ଏ କ’ଣ କଲା ସିଏ ? ତାରପୁର ଗାଁର ସତୀଶଚନ୍ଦ୍ର ସାମନ୍ତରାୟ ଏମିତି ବେଶ୍ୟାବାଡ଼ିରେ ମଦଖାଇ ଗଡ଼ୁଛି । ଗାଁ ଲୋକ ଜାଣିଲେ, ମୋତି ଜାଣିଲେ, ସେ ମୁହଁ ଦେଖାଇ ପାରିବଟି ? ଛିଃ, ଛିଃ, ଛିଃ...ନିଜ ପ୍ରତି ଘୃଣାରେ ତା’ର ଅନ୍ତର ତିକ୍ତ ହୋଇ ଉଠିଲା । କାହିଁ ସେ ଆସିଲା ବମ୍ୱେ । ବିପିନା ଓ ଅମଜାଦ୍...ହେ ଭଗବାନ ! ଅଣ୍ଟା ଉପରେ ହାତ ବୁଲେଇ ଆଣି ଚିତ୍କାର କରି ଉଠିଲା ସତିଆ । ଅଣ୍ଟାରେ ଥଳି ନାହିଁ । ଥଳି ନାହିଁ...ନାହିଁ...ଘରସାରା ଚାରିପଟକୁ ଅନେଇ ଦେଖିଲା କିଛି ନାହିଁ...ନାହିଁ । ହେ ଭଗବାନ ଏ କ’ଣ ହେଲା ? ସେ କେଉଁଠି ଅଛି ? ଗାଁ ଲୋକଙ୍କୁ ସେ କହିବ କ’ଣ ? ସେଇ ଲଙ୍ଗଳା, ଗାଈଜଗା, ବିଲବଛା, ରୋଗଣା ଛୁଆଙ୍କ ଇସ୍କୁଲ ଘର ଟଙ୍କା, ବହିକିଣା ପାଇଁ ଟଙ୍କା...ସେ ଆତ୍ମସାତ୍ କରିଦେଇଛି...ସତୀଶ ସାମନ୍ତରାୟ ଖାଇଦେଇଛି ସରକାରୀ ଧନ–ଅଥଚ ତା’ ବାପ ଇଂରେଜ ସରକାର ଗୁଳିରେ ମରିଥିଲା ସତ, ଲୁଣ ଟିକେ ବି ପାଟିରେ ଦେଇ ନ ଥିଲା । ମଦଗଞ୍ଜା କଥାର ପ୍ରଶ୍ନ କେଉଁଠି ଉଠୁଛି ଯେ...। ପୁଣି ଥରେ ବେହୋସ ହୋଇଗଲା ସତିଆ ।

 

କେତେ ସମୟ ସେ ଜ୍ଞାନଶୂନ୍ୟ ରହିବ ? କେତେବେଳ ଯେ ବିତିଯାଇଛି ତା’ର ଖେୟାଲ ନାହିଁ–ଦିନର ଆଲୁଅ ମଳିନ ପଡ଼ିଆସୁଛି । ପୁଣି ସେଇ ଉଚ୍ଛନ୍ନ କରା ରାତି ଲହ ଲହ ଜିଭ ମେଲାଇ ଯେମିତି ଧାଇଁ ଆସୁଛି । ଭୟରେ ସତିଆ ଥରି ଉଠିଲା । କୌଣସି ମତେ ଅଣ୍ଡାଳି, ଅଣ୍ତାଳି ସେ ପଦାକୁ ଆସି ରାସ୍ତାକରରେ ଛିଡ଼ା ହେଲା... ।

 

ଏବେ ସେ କୁଆଡ଼େ ଯିବ ? ବିପିନାକୁ ଖୋଜି ପାଇବା ଆଉ ସମ୍ଭବ ନୁହେଁ । ହାଏ ! ଯଦି ଏଇକ୍ଷଣି ଟ୍ରକ୍ ମଟର ଗାଡ଼ି ତା’କୁ ମାଡ଼ି ଚାଲିଯାନ୍ତେ ତା’ହେଲେ ବି ସେ ମୁକ୍ତି ପାଇଯା’ନ୍ତା ! ନାଃ ! ତା’ ହେବାର ନୁହେଁ । ପେଟ ଖାଁ, ଖାଁ କରୁଛି–ତଣ୍ଟି ଶୁଖି ଯାଉଛି । କେମିତି ସେ ତାରପୁର ଫେରିବ ? ଚାରିଆଡ଼େ ଅନ୍ଧାର–ଏତେ ଆଲୁଅ, ଏତେ କୋଳାହଳ ଭିତରେ ବି ସେ ଅନ୍ଧ ଆଉ ନିସ୍ତବ୍‍ଧ ହୋଇ ଯାଉଥିଲା... !

 

ତା’ପରେ ସତିଆ କିପରି ପଚାରି, ପଚାରି ଷ୍ଟେସନରେ ଗାଡ଼ି ଚଢ଼ିଲା, କିପରି ଗୋଟିଏ ମାରଓ୍ୟାଡ଼ି ଭଦ୍ରଲୋକ ଦାନ ଦେଇଥିବା କାକୁଡ଼ି ଦୁଇଟି ଖାଇ ଚାରିଦିନ ସନ୍ଧ୍ୟାରେ ତାରପୁର ଷ୍ଟେସନରେ ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାରରେ ପ୍ରେତପରି ଓହ୍ଲାଇ ପଡ଼ିଲା ତାହା ପାଠକମାନଙ୍କୁ କହିବା ନିଷ୍ପ୍ରୟୋଜନ ।

 

ଷ୍ଟେସନରୁ ଓହ୍ଲାଇ କିଛି ନ ଜାଣିଲା ପରି ସେ ଗୋଟିଏ ଗୋଟିଏ ପାଦ ପକେଇ ଚାଲୁଥିଲା । ସତେ କି ପ୍ରେତପୁରୀରେ ପ୍ରେତମାନଙ୍କୁ ସେ ଭେଟିବାକୁ ଯାଉଛି ! ପଛରୁ କିଏ ଗୋଟାଏ କାନ୍ଧରେ ହାତ ପକେଇ ଦେଲା ଆସି । ଚମକି ଦେଖିଲା ସତିଆ ବୀର କକେଇ—

 

“କି ଆମ ସତୁଟିରେ ? ହଇରେ ବାପ କ’ଣ ସେଦିନ ଟଙ୍କା ଆଣି ଯାଇଛୁ ଯେ ଦଶଦିନ ବିତିଲାଣି ଦେଖାନାହିଁ । ଘରେ ପୁଆତୀ ମାଇକିନା । ତିନିଦିନ ହେଲା ବିଛଣା ଧରିଛି–ପଥି ବକଟେ ଦେବାକୁ କେହି ନାହିଁ । ମୁଁ ରୋଜି ଷ୍ଟେସନରୁ ଆସି ଫେରୁଛି...ଛିଃ, ଛିଃ ତୋ ଭଳି ପିଲା ଏମିତି ପୁଣି... !”

 

ବୀର କକେଇ ଗାଁରେ ସବୁରି ମୁରବୀ । ସଂସାରରେ ତାଙ୍କର କେହି ନାହିଁ ବୋଲି ଗାଁଟା ସାରା ସଭିଏଁ ତାଙ୍କର । ସମସ୍ତଙ୍କ ହାନି ଲାଭରେ ସେଇ ହାଜର ! କେମିତି ସେ କହିବ ଯେ ଟଙ୍କା ସବୁ ବେଶ୍ୟା ବାଡ଼ିରେ ହଜେଇ ମଦଖାଇ ବମ୍ବେଇ ସହରରୁ ସେ ଫେରୁଛି...ଜମି ସମ୍ପତ୍ତି ଘରଦ୍ୱାର ସବୁ ବିକିଲେ ବି ସେ ଟଙ୍କା ଶୁଝିପାରିବ ନାହିଁ । ବକ୍ ବକ୍ କରି ଅନେଇଥିଲା ସତିଆ । ସବୁଦିନେ ଭଡ଼୍‍ଭଡ଼୍ କରି କଥା କହେ ବୋଲି ବୀର କକେଇ ଚିଡ଼ିଯାନ୍ତି ଯେ !

 

“କିରେ ଏମିତି ଅନେଇଛୁ କ’ଣ ? କି ଚେହେରା କରିଛୁ ହଇରେ ? କ’ଣ ଟଙ୍କା ମିଳିଲାନି ତ ? ନ ହେଲା ନାହିଁ ସେ ଟଙ୍କା ! ମୁଁ କହିନି ତତେ—ଏତେ ସହଜରେ ସରକାରୀ ଟଙ୍କା ମିଳେନି । ସେ ନାଟର ଗୋବର୍ଦ୍ଧନ ନିଶାମଣି ଚାରିଆଡ଼େ କହି ବୁଲୁଛି ତୁ କୁଆଡ଼େ ଟଙ୍କା ନେଇ ବମ୍ବେଇ ଚାଲି ଯାଇଛୁ...ସେଠି ଗୋଟେ ମାଇକିନା ଧରି ରହିଛୁ...ସେକଥା ଶୁଣି ବୋହୂ ତ ବାବା ବେହୋସ୍ ହୋଇ ପଡ଼ିଲା । କେତେ କଷ୍ଟରେ ଚେତା ଆସିଛି...ଚାଲିଲୁ ବାୟା ! ଶୀଘ୍ର ଚାଲ—ମୁଁ ସମସ୍ତଙ୍କ ମୁହଁରେ କାଲି ଯଦି ଚୂନ କାଳି ନ ଦେଇଛି... !”

 

ବୀର କକେଇଙ୍କ କଥା ଅଟକି ଗଲା । କିଏ ଗୋଟାଏ ଧାଇଁ ଆସୁଛି ଅନ୍ଧାରରେ–“କକେଇ ! କକେଇ ! ତେମେ ଏଇଠି । ଶୀଘ୍ର ଚାଲ ! ବୋଉ କହିଲା ରତିନି ମା’କୁ ନେଇ ଆସ—ମୋତି ଭାଉଜର ପିଲା ଅଧା ବାଟରେ ଆସି ରହିଯାଇଛି । ଏଣେ ମୋତି ଭାଉଜ ତଣ୍ଟିରେ ପାଣି ଯାଉନି... !

 

ବୀର କକେଇ ସତିଆର ହାତଟା ଛାଡ଼ି ଦେଇ ବାଁ କର ବିଲ ଦେଇ ଧାଇଁଲେ ମିଞ୍ଜିମିଞ୍ଜି କରି ଜଳୁଥିବା ଛୋଟ ଗାଁଟି ଆଡ଼କୁ । ରତିନି ମା ଧାଇର ଗାଁ ସିଏ । କେଉଁ ପୁରୁଣା କାଳର ଧାଇ–ଗାଁ ସାରା ସବୁଝିଅ ବୋହୂଙ୍କର ଭରସା ! ବୀର କକେଇଙ୍କ ପଛକୁ ଚିଲପରି ଗାଁ ଆଡ଼େ ଛୁଟିଗଲା ନାରଣ । ସତିଆକୁ ସଙ୍ଗରେ ନେଇ ଯିବାକୁ ସମସ୍ତେ ଯେମିତି ଭୁଲି ଗଲେ ।

 

ମୋତିର ତଣ୍ଟିରେ ପାଣି ଗଡ଼ୁନି । ପିଲା ଅଧା ଆସି ତଣ୍ଟି ପାଖରେ ଚିପି ହୋଇ ରହିଛି-! ଘରେ ଖାଇବାକୁ ନାହିଁ...ଚାରି ପଟରେ ଅନ୍ଧାର, ବିଭୀଷିକା, ପ୍ରେତରଡ଼ି, କିଳିକିଳା ହସ ! କାନ, ମୁଣ୍ଡ, ଦେହ କ’ଣ ହୋଇ ଯାଉଛି... !

 

ଛାଟ ମାରିଦେଲା ପଛରୁ ଯେମିତି କିଏ ! ଏକ, ଦୁଇ, ତିନି । ନାରଣ ପଛେ, ପଛେ ସେ ଦଉଡ଼ିଲା ! ତା’ର ଦେହ ମୁଣ୍ଡରେ ବଳନାହିଁ ? ଛାତି ଭିତର କ’ଣ ହୋଇ ଯାଉଛି—ନାହିଁ, ସେ ପାରିବ ନାହିଁ—ମୋତି ଯାଉ, ଗାଁ ବାଲା ଯାଆନ୍ତୁ । ପୃଥିବୀର ସମସ୍ତେ ଯାଆନ୍ତୁ—ତା’ର କି ଯାଏ ଆସେ ? ସେ କାହାକୁ ଜାଣେନା, ଚିହ୍ନେନା, ବୁଝେନା । ସେ କେହି ନୁହଁ–ତାରପୁର ଗାଁର ସତୀଶଚନ୍ଦ୍ର ସାମନ୍ତରାୟ ମରିଯାଇଛି ଆଠଦିନ ହେଲାଣି । ସେ ତା’ର ପ୍ରେତାତ୍ମା-ତା’ର ଛାଇ—ବୀର କକେଇ ତା’କୁ ଭୁଲ୍ ବୁଝିଛନ୍ତି ନାରଣଟା ତ ମୋଟରୁ ଚିହ୍ନି ବି ପାରିଲାନି । ହେଁ...ହେଁ..,ହେଁ ସେ କିଏ କି ? ତା’କୁ ସମସ୍ତେ ଧରି ପକାଉଛନ୍ତି–ଟିକ, ଟିକ କଥାରେ ମୁଣ୍ଡ ମୋଡ଼ି ଚୋବେଇ ଯାଉଛନ୍ତି । ସେ କେଉଁ ଗାଁର କ’ଣ କି ? ସତୀଶ ସାମନ୍ତରାୟ କେଉଁ ଗାଁର ବେଠିଆ ନୁହେଁ ? ଢେର ବେଠି ଖଟିଛି—ଗୋଡ଼ରେ ମାଟି ଚକଟି, ମୁଣ୍ଡରେ ଛଣ ବୋହି, ପିଲାଙ୍କୁ କାଖେଇ କୁଣ୍ଢେଇ ଆଣି ସ୍କୁଲ ଖୋଲିଛି । ଲାଇବ୍ରେରୀ ବସେଇଛି, ଆଖଡ଼ା ଘର କରିଛି, ସାପୁଆ ନଈବଢ଼ି ବେଳେ ରାତିଦିନ ବୁଲି ଗାଁ ଲୋକଙ୍କ ପାଇଁ ରିଲିଫ୍ ଆଣି ବାଣ୍ଟିଛି । ଦିନେ ହେଲେ କେହି ତା’କୁ ଧନ୍ୟବାଦଟେ ଦେଇନାହିଁ । ତା’ର ଏବେ ମନହେଲା ଟିକିଏ ସଉକି କରିବାକୁ—ସେଇଠୁ କା’ର କ’ଣ ଗଲା ? ଏମିତିକି ମୋତିର କ’ଣ ଯାଏ ? ଯୋଉ ତ ମାଇକିନା ? ହାତସାରା କାଛୁ କୁଣ୍ଡିଆ, ସବୁବେଳେ ଘଷି ଗୋବରରେ ସାଲୁ ସାଲୁ । ମୁହଁରେ କୁଲାଏ ଘା’ ବ୍ରଣ ଭରତି । ସେଥିରେ ଫେର ପ୍ରତିବର୍ଷ ପିଲା ଜନ୍ମ କରିବାକୁ ମନ—ଦେହରେ ପଛେ ବଳ ନ ଥାଉ । ମରୁ ଶଳା ! ସତୀଶଚନ୍ଦ୍ର ସାମନ୍ତରାୟ ଗୋଟାଏ କାହିଁକି ଦଶଟା ବାହା ହବାର ମର୍ଦ୍ଦ ! ଡରିଯିବ ସେ ଏଇ କଥାରେ... ?

 

ଚାକୁଣ୍ଡା ଗଛର ଶୁଖିଲା ଖୋଳପା ଛାତି ଭିତରଟା ଢାଙ୍କି ଦେଉଛି । ଥରିଲା ପାଦରେ ଆଣ୍ଠୁ ଭିତରେ ମୁହଁ ଗୁଞ୍ଜି ସତିଆ ବସି ପଡ଼ିଲା । ଏଇଟା ମଶାଣି ପଦାର ଦୁଆର ମୁହଁ–ବାଟ ଓଗାଳି କୋଉ କାଳରୁ ଚାକୁଣ୍ଡା ଗଛ ଛିଡ଼ା ହୋଇଛି ।

 

ହେଲେ ବି ଏତେ କଥା ଏତେ ଚିନ୍ତା ପରେ ମଧ୍ୟ ସତିଆର ପ୍ରତିଟି ଲୋମକୂପ ଏକ ଅଜଣା ଭୟ, ଘୃଣା ଓ ଆଶଙ୍କାରେ ଥରଥର ହୋଇ କମ୍ପୁଥିଲା । ଦୂରରୁ ବିଲୁଆ କୁକୁରଙ୍କ କଳି ସାଙ୍ଗକୁ ଶାଗୁଣାର କେଁ, କେଁ ଶବ୍ଦ ପରିସ୍ଥିତିକୁ ଆହୁରି ଭୟାବହ ବିଷାକ୍ତ କରି ଦେଇଥିଲା । ଆଖି ଖୋଲି କୌଣସି ଦିଗକୁ ଚାହିଁବା ସମ୍ଭବ ହେଉନି...ଆଖି ପତା ଦି’ଟା ଯେମିତି ସିଲ୍ ହୋଇଯାଉଛି...-

 

“କିଏ ରେ ? କିଏ ଏଇଠି ବସିଛି ? ଶଳା କିଏବେ ?” ‘‘ଇଲୋ ମୋ ବୋପା ! ସୁରିଆ ଭାଇ ଲୋ ! ଭୂତ ପ୍ରେତ କି କ’ଣ ? କିଛି କହୁନି... !”

 

“ଛାଡ଼୍‍ ବେ ଭୂତ ! ଶଳା—ଚାଲାକି ଦେଖଉଛି ? ଏଇକ୍ଷଣି ଭୂତ ତ ରାତିକି ଚୋର ହୋଇଯାଇ ସିନ୍ଧି କରିବ...ଜାଣିନୁ କି ଏମିତି ପରା ମାମୁଁଘର ଗାଁରେ ଚୋରି ହେଲା...କିଏ ବଇଛି–ଜବାବ୍ ଦିଅ । ନ ହେଲେ ମୁଣ୍ଡ ଫାଟିଲା... ।”

 

ପରିଚିତ କଣ୍ଠ । କିନ୍ତୁ ସ୍ପଷ୍ଟ ଧରି ହେଉନି, ସତିଆର ହଜି ଯାଉଥିବା ଚେତା ଫେରି ଆସିଲା ନିମିଷକେ ! କ'ଣ କହିବ ସେ ? ଟେକାଗୁଡ଼ା ବିଛେଇ ପଡ଼ୁଛି ଯେ...

 

“ମୁଁ ସତୀଶଚନ୍ଦ୍ର ସାମନ୍ତରାୟ ! ଆଠଦିନ ହେଲା ମରିଛି...ମତେ ସୁଦ୍ଧ ହୋଇନ ଗାଁ ବାଲାଏ...ମୋ ଆତ୍ମା ଜଳୁଛି...ଖାଇଦେଇ ଯିବି ଗାଁ ଗୋଟାକ ...ହିଁ ...ହିଁ ...ହେଁ ...ହେଁ ...ହେଁ ...ଖବରଦାର ମୁଁ ସତିଆ ନୁହେଁ । ମୁଁ ସତୀଶଚନ୍ଦ୍ର ସାମନ୍ତରାୟ ...ହେଁ ...ହେଁ ...ହେଁ...।”

 

ତା’ର ବିକଟାଳ ହସ କାନ୍ଦ ଚିତ୍କାର ଭିତରେ ଦି’ଟା ପିଲା ଦଶହାତ ପଛକୁ ଦୌଡ଼ିଯାଇ ଦୁମ୍‍ଦାମ୍ ଗୋଟାକ ପରେ ଗୋଟାଏ କଚାଡ଼ି ହୋଇ ପଡ଼ିଲେ ।

 

ସତିଆ କିନ୍ତୁ ଦୁଇ ହାତ ପାପୁଲିରେ ନିଜ ମୁଣ୍ଡର କେରା କେରା ବାଳ ଛିଣ୍ଡେଇ ଦେଇ ଚିତ୍କାର କରୁଥିଲା—

 

“ପଳା, ପଳା ! ଗାଁ ବାଲାଏ ସମସ୍ତେ ପଳା । ନ ହେଲେ ମୋଡ଼ି ଖାଇଦେବି...ହଁ । ମୁଁ ସତିଆ ନୁହେଁ...ସତୀଶଚନ୍ଦ୍ର ସାମନ୍ତରାୟ...ସତିଆ ଆଠଦିନ ହେଲା ମରିଛି...ଏଇକ୍ଷଣି ତା’ ସ୍ତ୍ରୀ ମୋତି ମରିବ...ଖବରଦାର ପଳା, ପଳା, ପଳା, ...ହାଃ ...ହାଃ ...ହାଃ ...ହି, ...ହି, ...ହି... !’’

 

ମଶାଣୀ ସାରା କୁଦି, କୁଦି ଛୋଟପିଲାପରି ସତିଆ ନାଚୁଥିଲା । ଆଉ ତା’ର ସମସ୍ତ ଶକ୍ତି ଖଟାଇ ଚିତ୍କାର କରିବାକୁ ଶେଷ ଚେଷ୍ଟା କରିଥିଲା ! କାରଣ ଅନ୍ତିମ ବିଦାୟ ବେଳାରେ ସେ କାହାକୁ ଅଯଥା କଷ୍ଟ ଦେବାକୁ ଚାହେଁ ନାହିଁ ।

 

ଅଥଚ ସେତେବେଳକୁ ଗଭୀର ନୀରବତା ଚତୁର୍ଦ୍ଦିଗରେ ଅଖଣ୍ଡ ରାଜତ୍ୱ ବିସ୍ତାର କରିଥିଲା । ସତିଆ ଜାଣିପାରୁ ନ ଥିଲା ଯେ ହାତ ଗୋଡ଼ ହଲାଇବା ବ୍ୟତୀତ ଶବ୍ଦ ଉଚ୍ଚାରଣ କରିବାପାଇଁ ତା’ ଜିଭରେ ଟୋପାଏ ବୋଲି ଜୀବନ ଶକ୍ତି ନ ଥିଲା । ଛାତି ଭିତରେ ଅସଂଖ୍ୟ ଶବ୍ଦର ଯନ୍ତ୍ରଣାରେ ଓଠପୁଡ଼ା ଦିଓଟି ତା’ର ପରସ୍ପର ଚାପି ହୋଇ ଯାଇଥିଲେ !!!

Image

 

ଛାଇର ଛବି

 

କେଜାଣି କାହିଁକି ସକାଳେ ଆଜି ବାପା ବିନା କାରଣରେ ରାଗିଗଲେ । ବାପାଙ୍କୁ ଦେଖିଲା ବେଳକୁ ମୋତେ ଡର ଲାଗୁଛି ଯେ ଲୁହ ଆଖିକୁ ଆସିପାରୁ ନାହିଁ । ସବୁଦିନେ ସକାଳେ କୁତୁକୁତୁ କରି ବାପା ମୋତେ ଉଠାଇ ଦିଅନ୍ତି, କୋଳରେ ଧରି ଗେଲ କରନ୍ତି । ଅବଶ୍ୟ ସେମିତି ଗେଲ ଫେଲ ମୋତେ ମୋଟେ ଭଲ ଲାଗେନା । ସପ୍ତମ ଶ୍ରେଣୀରେ ପଢ଼ୁଥିବା କୋଉ ପିଲାକୁ କ’ଣ ବାପମାନେ ଗେଲ କରନ୍ତି ? କୋଳରେ ବସାନ୍ତି ? କିଏ ଯଦି ଦେଖିଦିଏ ତ ସ୍କୁଲରେ ଆଉ ମୁହଁ ଦେଖେଇ ହବନି । ତଥାପି ବି ବାପା ଶୁଣନ୍ତି ନାହିଁ । ସେଇଥିପାଇଁ ଘରକୁ କିଏ ଆସିଲେ ମୁଁ ଲୁଚିଯାଏ—ଯଦି ସମସ୍ତଙ୍କ ଆଗରେ ଗେଲ କରି ଦେବେ...! ଯା ହେଉ, ସେମିତି କେବେ ହୋଇନାହିଁ ।

 

ମାତ୍ର ସେତିକି ତ ବାପାଙ୍କ ସାଙ୍ଗରେ ଦିନ ଭିତରେ ସମ୍ୱନ୍ଧ । ସକାଳୁ ଉଠି ବାପା ବଗିଚା ବୁଲନ୍ତି, ଫୋନ୍ କରନ୍ତି, କାଗଜ ପଢ଼ନ୍ତି, ଦାଢ଼ି ଖିଅର ହୋଇ ଗାଧୋଇ ଜଳଖିଆ ଖାଇ ପଦାକୁ ଚାଲି ଯାଆନ୍ତି ଗାଡ଼ି ନେଇ । ତା’ପରେ କୁଆଡ଼େ ସେଆଡ଼ୁ ସେମିତି ଅଫିସ ଯାଆନ୍ତି । ସେଠି କେଉଁଦିନ ଖାଆନ୍ତି ତ କେଉଁଦିନ ଘରକୁ ଆସନ୍ତି...କିଛି ଠିକ୍ ନ ଥାଏ । ଖାଲି ରବିବାର ଦିନ ବାପା ଆମ ସାଙ୍ଗରେ ବସି ଖାଆନ୍ତି ଦିନବେଳା । ରାତିରେ କିଏ ବା ତାଙ୍କୁ ଅପେକ୍ଷା କରିବ ? ଏମିତି କି ବୋଉ ବି ଖାଇପିଇ ଶୋଇପଡ଼େ । ମିଛରେ ବାପାଙ୍କୁ କହେ ଯେ ତାଙ୍କୁ ଅପେକ୍ଷା କରି ତା’ର ଭାତ ଶୁଖିଗଲା । କେବେ କେବେ ବୋଉ ବି ବାପାଙ୍କୁ ବହୁତ ଗାଳିଦିଏ । ପ୍ଲେଟ୍, କାଚବାସନ ଫୋପାଡ଼ି ଭାଙ୍ଗିଦିଏ । ରୁଷି ଶୁଏ, ଗଲା ଆସିଲା ସବୁ ଲୋକଙ୍କ ଆଗରେ ବାପାଙ୍କୁ ବହୁତ କଡ଼ା କଡ଼ା ଭାଷାରେ ଗାଳିଦିଏ । ବାପା କେଜାଣି କେମିତି ? ସବୁ କଥାରେ ହସି ଦିଅନ୍ତି । ବୋଉଟା ସତରେ ଭାରି ରାଗି । କୋଉଦିନ ଟିକେ ଗେଲ କରିବନି, ଆଦର କରିବନି, ଖାଇଲା ପାଖରେ ବସିବନି । ଶୋଇଲାବେଳେ ଗପ କହିବନି କି ସାଙ୍ଗରେ ନେଇ କୁଆଡ଼େ ଯିବନି । ସବୁବେଳେ ଦେହ ଖରାପ କହି ଶୋଇ ରହିବ । ନ ହେଲେ କାହା ଘରକୁ ବୁଲିଯିବ କି ସିନେମା ଯିବ । ତା’ର ବି କେତେ ସାଙ୍ଗ । ହେଲେ ବାପାଙ୍କର କାଇଁ ସାଙ୍ଗ ନାହିଁ ? କେଜାଣି ଥିବେ । ପୁରୁଷ ଲୋକମାନେ କୁଆଡ଼େ ଘରେ ବସି ଗପ କରନ୍ତି ନାହିଁ । ହରିନନା କହୁଥିଲା ସେମାନେ ଫୁଲ ବଗିଚା ହୋଇଥିବା ପାର୍କରେ, ନ ହେଲେ ହୋଟେଲରେ, ନ ହେଲେ କ୍ଲବରେ ବସି ଗପ କରନ୍ତି... !

 

ମୁଁ ଚମକି ପଡ଼ିଲି । ବାପା ଆସି କେତେବେଳୁ ପଛପଟେ ଛିଡ଼ା ହୋଇଛନ୍ତି । ମୁଁ ଚଟ୍ କରି ଭୂଗୋଳ ବହିଟା ଉଠେଇ ଆଣୁ ଆଣୁ ବାପା ମୋର କାନକୁ ଧରି ରଗଡ଼ି ଦେଇ କହିଲେ,—‘ବାଳୁଙ୍ଗା କୋଉଠିକାର ! ଘଣ୍ଟାଏ ହେଲା ମୁଁ ଦେଖୁଛି ତୁ ଖାତାଟା ଧରି ଚିତ୍ର କରୁଛୁ, ଗାର ଟାଣୁଛୁ—ଫୁଲ ଆଉ ପ୍ରଜାପତି ଆଙ୍କୁଛୁ ? ପାଠ ପଢ଼ିବାକୁ ଯଦି ଇଚ୍ଛା ନାହିଁ, ଖାଇବା ବନ୍ଦ ।” ମୁଁ କିଛି କହିପାରୁ ନ ଥିଲି । କଷ୍ଟରେ ମୋ ଆଖିରୁ ପାଣି ବୋହି ଯାଉଥିଲା ଟପ୍‍ଟପ୍ କରି । ବାପା ଯୋଉ ଗାଲରେ ଏତେ ଗେଲ କରନ୍ତି ସେ ଗାଲରେ ଖୁବ ଜୋରରେ ଦୁଇଟା ଚଟକଣି ବସାଇବାକୁ ପଛାଇଲେ ନାହିଁ !

 

ସେ ଘରୁ ବୋଉ ଆସି ଛିଡ଼ା ହେଲା । କିଛି କହୁ ନାହିଁ । ସିଟୁ ଆସି ଦେଖି ଫେରିଗଲା ମୋର ଏହି ଅପଦସ୍ଥ ଅବସ୍ଥା । କ’ଣ ଯେ ହୋଇଛି ବାପାଙ୍କର ?

 

ବାପା ଚାଲିଗଲେ ସ୍ଲିପର ଘୋଷାଡ଼ି । ତାଙ୍କ ପଛେ ପଛେ ବୋଉ ।

 

ବାପ ତା’ ହେଲେ ମୋ ଉପରେ ରାଗିଛନ୍ତି କିନ୍ତୁ—

 

“ମିଠୁ ! ମିଠୁ ! ଏଆଡ଼େ ଆସିଲୁ ମିଠୁ !” ଅନ୍ୟ ଦିନ ହୋଇଥିଲେ ମୁଁ ଯାଇଥାନ୍ତି । କିନ୍ତୁ ଆଜି ତ ବାପା ରାଗିଛନ୍ତି ।

 

ମୁଁ ଚୁପ୍ ହୋଇ ଛିଡ଼ା ହେଲି । ବାପା ତାଙ୍କର ପାଦର ଚପଲ ଉପରେ ଆଙ୍ଗୁଠି ଗୁଡ଼ାକ ଖୁବ୍ ଜୋରରେ ଚାପି ଧରିଛନ୍ତି ।

 

ବାପା କେମିତି ଚାପିଲା କଣ୍ଠରେ କହିଲେ—“ତୋର ଏଠି ପଢ଼ାପଢ଼ି ହେବ ନାହିଁ । ତୁ ଏଣିକି ହଷ୍ଟେଲ ଚାଲିଯା’ । ମୁଁ ତୋ’ ପାଇଁ ଦିଲ୍ଲୀରେ ସବୁ ବନ୍ଦୋବସ୍ତ କରିଛି । ସିଟୁ ମଧ୍ୟ କନଭେଣ୍ଟ ହଷ୍ଟେଲରେ ରହିବ ।”

 

ମତେ ଏତେ କାନ୍ଦ ମାଡ଼ୁଥିଲା ଯେ, ମୁଁ ଖାଲି ମୁଣ୍ଡ ଟୁଙ୍ଗାରି ଚାଲି ଆସିଲି । ଠିକ୍ ଅଛି ମୁଁ ଏ ଘରେ ରହିବାକୁ ଚାହେଁନା । କାହିଁକି ରହିବି ? ମୁଁ ଚାଲିଯିବି...ହଁ ମୁଁ ଚାଲିଯିବି । ଯୋଉ ଘରେ ବାପା ପଦେ କଥା କହନ୍ତି ନାହିଁ, କୌଣସି କାମ ପାଇଁ ବୋଉର ସମୟ ନ ଥାଏ । ସେ ଘରେ ମୁଁ କାହିଁକି ରହିବି ?

 

“ମିଠୁ ! ସ୍କୁଲ ବେଳ ହୋଇଯାଉଛି । ଗାଧୁଆ ଖିଆ କେତେବେଳେ ହେବ ?” ବୋଉ ପଚାରୁଛି ।

 

“ମୁଁ ଆଉ ଏଠିକା ସ୍କୁଲକୁ ଯିବିନି ବୋଉ ! ମୁଁ ତ ଦିଲ୍ଲୀ ଯିବି ।”

 

ବୋଉ ଚାଲିଗଲା । ବୋଉର କ’ଣ ହୋଇଛି କେଜାଣି ? ତା’ ମୁହଁ ଫୁଲିଗଲା ପରି ଦିଶୁଛି ।

ଏତିକିବେଳେ ସିଟୁ ଆସି ପଚାରିଲା, ‘‘ଭାଇ ! ମୁଁ ତୋ ସାଙ୍ଗରେ ଯିବି—ତୁ ବାପାଙ୍କୁ କହ, ଆମେ ଏକାଠି ରହିବା ।”

“ମୁଁ ମାଡ଼ ଖାଇଲାବେଳେ ତୁ ହସୁଥିଲୁ ନା ?”

“ନାଇଁ ଭାଇ ! ମତେ ବି ତ ବୋଉ ଆଜି ମାରିଛି । ଜାଣୁ ଭାଇ ? କାଲି ରାତିରେ ବାପା କୁଆଡ଼େ ମଦ ପିଇ ଘରକୁ ଆସିଥିଲେ ଆଉ ତାଙ୍କ ସାଙ୍ଗରେ ବୋଉ ବି !

“ନା, ବୋଉ ତ ଘରେ ଥିଲା । ଆମେ ଶୋଇଲା ପରେ କ’ଣ ବୋଉ ଯାଏ କି ?”

“ତୁ ଟା ଭାରି ହୁଣ୍ଡାଟା ! ମୁଁ ତତେ କାଲି କେତେ ଖେଞ୍ଚିଲି ତୁ ଉଠିଲୁ ନାହିଁ । ମୋ ନିଦ ଭାଙ୍ଗିଗଲା । ବାପା ବୋଉକୁ କ’ଣ କହୁଥାନ୍ତି; ବୋଉ ବି ବାପାଙ୍କୁ କହୁଥାଏ । ତା’ପରେ ଖାଲି ଧୁମ୍‌ଧାମ୍ ଶବ୍ଦ ହେଲା । ମୋତେ ଭାରି ଡର ଲାଗିଲା । ମୁଁ ବିଛଣାରେ ବସି କାନ୍ଦିଲି । ଯାଃ, ମୁଁ ତୋ ପାଖରେ ଶୋଇବିନି ଆଉ । ମୁଁ ଏଣିକି ହରିନନା ପାଖରେ ଶୋଇବି ।”

“ଛିଃ, ଛିଃ, ବାପା ମଦ ଖାଇଲେ ! ନାରଣ ପିଅନ କହୁଥିଲା ସେଦିନ ହରିନନାକୁ, ମଦ ଖାଇଲେ ଲୋକମାନେ ଅବୁଝା ହୁଅନ୍ତି ବୋଲି । ସେଦିନ ପଙ୍କଜର ମା’ କହୁଥିଲେ, ପଙ୍କଜର ବାପା ତ ମଦଖାଇ ସବୁଦିନେ ରାସ୍ତାରେ ଗଡ଼ୁଥାଏ—ହେଲେ ତା’ ମା’ କେବେ ଖାଏ ନାହିଁ । ବୋଉ କୋଉଠୁ ଆଣିବ ଯେ ମଦ ।’’

“ହେ ତୁ ଭାରି ମିଛେଇ ! ବୋଉ କୋଉଠୁ ମଦ ଆଣିବ ଯେ !

“ତୁ ଦେଖିନୁ ଭାଇ ! ସେ ଆଲମାରୀ ପଛପଟେ ପରା ମଦ ଅଛି । ବାପା ଗଲାପରେ ସବୁଦିନ ବୋଉ ବାହାର କରି ଖାଏ ! ମୁଁ ଦେଖିଛି ଭାଇ, ନାରଣକୁ ପଇସା ଦେଇ ଖବରକାଗଜରେ ଗୁଡ଼େଇ ପରା ଘରକୁ ନେଇ ଆସେ ବୋଉ—ନାରଣ ମୋତେ ମନା କରିଛି–ବୋଉ ଯଦି ଜାଣିବ ନାଁ ତଣ୍ଟି ଚିପିଦେବ !”

“ତୁ ଦେଖିଛୁ ମଦ ! କେମିତିକା, ଚାଖିଛୁ ?”

ସିଟୁ ମୁହଁ ଶୁଖେଇ କହିଲା—“ନାଇଁ ମୁଁ ତ ଯାହା ଖାଏ, ତୋ’ ପାଇଁ ରଖେ । ତୁ ସିନା ପିଜୁଳିଟା କାଲି ସ୍କୁଲରେ ଏକା ଏକା ଖାଇଦେଲୁ... ।”

“ହେ, ତୁ ସ୍କୁଲରେ ମୋ ପାଖକୁ ମୋଟେ ଆସିବୁନି କି ମୋତେ ଅନେଇବୁନି । ଝିଅ ପିଲାମାନେ ପୁଅଙ୍କ ପାଖକୁ ଯିବା କଥା ନୁହେଁ । ମତେ ସମସ୍ତେ ଚିଡ଼ାଇବେ ।

“ହେଲେ ତୋ ପାଖକୁ କାହିଁକି ଯିବିନି ମ ? ତୁ ତ ଫେର୍ ମୋଠୁ ପଇସା ମାଗି ନେଉ...-।”

“ସେ କେହି ନ ଥିଲା ବେଳେ ସିନା...”

ମୋ କଥା ଅଟକିଗଲା । ବାପା ତାଙ୍କ ଅଫିସ ରୁମ୍ କବାଟ ଖୋଲିଲେଣି । ବର୍ତ୍ତମାନ ତାଙ୍କ କାଗଜପତ୍ର ନେଇ ସେ ପଦାକୁ ଯିବେ କି କ’ଣ ? ହରିନନା ଏଇକ୍ଷଣି ପାଟିକରିବ ଖାଇବାକୁ ନ ଗଲେ । ସ୍କୁଲ ବେଳ ହେଇ ଯାଉଛି । ପଙ୍କଜର ମା’ ଏଇକ୍ଷଣି ପଙ୍କଜକୁ ପାଖରେ ବସି ଖୁଆଇ ଦେଉଥିବେ କି ପେଣ୍ଟ ରଫୁ କରି ଦେଉଥିବେ । ଖାଇ ପିଇ ପଙ୍କଜ ହୁଏତ ବାରଣ୍ଡାରେ ଛିଡ଼ାହୋଇ ମତେ ଟିକିଏ ଅପେକ୍ଷା କରିବ, ତା’ପରେ ଚାଲିଯିବ । ସିଟୁ ଉଠି ଚାଲିଗଲାଣି ଖାଇବାକୁ । ମତେ ବି ଭାରି ଭୋକ ଲାଗିଲାଣି । କିନ୍ତୁ ମୁଁ ଖାଇବି କେମିତି ? ହରିନନା, ନାରଣ, ଡ୍ରାଇଭର, ମାଳି ସମସ୍ତେ ଜାଣିଛନ୍ତି ବାପା ବଗିଚାରେ କେମିତି ମୋତେ ଗାଳି ଦେଉଥିଲେ, କେମିତି କାନ ମୋଡ଼ି ପଢ଼ା ଟେବୁଲ ପାଖରୁ ଉଠେଇ ଦେଲେ ଆଉ ଦିଲ୍ଲୀ ପଠେଇ ଦେବେ ବୋଲି କହିଲେ । ଯେଉଁ ବାପା କୋଉଦିନ କିଛି କହନ୍ତିନି, ବାପାଙ୍କର ବଡ଼ପୁଅ ଗେହ୍ଲାପୁଅ ବୋଲି ମୋତେ ସମସ୍ତେ ଖାତିର୍ କରନ୍ତି । ସ୍କୁଲରେ ଟିଚରମାନେ ବି ମୋ ବାପାଙ୍କୁ କେତେ ଡରନ୍ତି, ଏମିତି କି ବୋଉକୁ ବି ପୁରସ୍କାର ଦେବାକୁ ବାର୍ଷିକ ଉତ୍ସବରେ ଡାକନ୍ତି । ସବୁ କଥାରେ ପରାମର୍ଶ କରନ୍ତି, ବାପା କି ବୋଉ କେହି ନ କହିଲା ପର୍ଯ୍ୟନ୍ତ କେମିତି ମୁଁ ଯାଇ ଖାଇବି ଯେ— !

 

“ସାନ ବାବୁ ! ଗାଧୋଇ ଖାଇ ସ୍କୁଲକୁ ଯାଅ । ମିଛରେ କାହିଁକି ବସି କାନ୍ଦୁଛ ? ...ବାବୁ ପରା ଆଜି ଅଫିସ ଯିବେ ନାହିଁ । ଛୁଟି ନେଇଛନ୍ତି ।”

 

“ବାପା ତ ଭଲ ଅଛନ୍ତି...” ମୁଁ କହିଲି । ନାରଣ ମୋ ପାଟିରେ ହାତ ଦେଇ ଚୁପ୍ କରି ଦେଲା । ବାପା ଏଆଡ଼େ ଆସୁଛନ୍ତି । ବାପାଙ୍କର ମୁହାଁମୁହିଁ ହେବାକୁ ମୋର ଆଉ ସାହସ ନାହିଁ । ମୁଁ ଚୁପ୍ ହୋଇ ବସିଲି । ବାପା ବି ଚୁପ୍‍ଚାପ ଚାଲିଗଲେ ।

 

ବାପା ସତରେ ଆଗେ କେତେ ଭଲ ଥିଲେ, ବୋଉ ବି । ବାପା ବୋଉକୁ ସଙ୍ଗରେ କେତେ ବୁଲେଇ ନେଉଥିଲେ । ଯେତେବେଳେ ଯାହା କହିଲେ ଆଣି ଦେଉଥିଲେ । ଏମିତି ବାପା, କଲିକତା ନେଇ ଯାଉଥିଲେ ପ୍ଲେନରେ । ସେତେବେଳେ ବାପା ଖୁବ୍ ଜୋର୍ ରେ ହସି ପାରୁଥିଲେ, ବୋଉ ପାଖରେ ବସି ଖୁଆଉଥିଲା, ଜ୍ୱର ହେଲେ ବୋଉ କେତେ ଯେ ମୋ ପାଇଁ ବ୍ୟସ୍ତ ହଉଥିଲା... !

 

ଥରକର କଥା ମନେଅଛି । କିଏ ଜଣେ ବାବାଜୀ ଆସିଥିଲେ । ବାପା ତାଙ୍କ ପାଖକୁ ସବୁବେଳେ ଯାଉଥାନ୍ତି, କେତେବେଳେ ତାଙ୍କୁ ସମୟ ନ ଥାଏ ଘରକଥା ବୁଝିବାକୁ । ବୋଉ ଚିଡ଼ିଯାଇ କ’ଣ କହିଲା ଯେ ବାପା କହିଲେ ସେ ବାବାଜୀ ହୋଇ ଚାଲିଯିବେ, ଆଉ ଘରେ ରହିବେନି । ସେ ଦିନ ବୋଉ କହିଥିଲା, ‘‘ଯାଉନ ଯାଅ ! ମୋ’ ମିଠୁ କ’ଣ ମୋତେ ପୋଷି ପାରିବନି ଯେ...ମୁଁ ଡରିଛି !”

 

ବୋଉ ମତେ କୁଣ୍ଢେଇ କୋଳକରି ଏ କଥା କହିଥିଲା । ବୋଉର ଛାତି ଆଉ ପେଟ ଭାରି ନରମ । କୋଳକୁ ଆଉଜେଇ ଦେଲେ ଯେମିତି ନିଦ ଆସିଯାଏ । ସେଦିନ ରାତିରେ ଶୋଇ ଶୋଇ ସ୍ଵପ୍ନ ଦେଖିଲି ଯେ ମୁଁ ବାପା ହେଇଯାଇଛି । କେତେ ଟଙ୍କା ଆଣୁଛି, କେତେ ମିଠା, ମାଛ–ଖେଳଣାରେ ଘର ଭର୍ତ୍ତି ହୋଇଯାଇଛି । ବୋଉକୁ ନେଇ ପ୍ଲେନରେ ବୁଲୁଛି–ଆଉ କ’ଣ ସବୁ ମନେ ନାହିଁ ।

 

ଏବେ ବୋଉର କ’ଣ ହୋଇଛି କେଜାଣି ସବୁବେଳେ ରାଗୁଛି । ବିଛଣାରେ ଶୋଇ ରହୁଛି । ମୋତେ ଦେଖିଲେ ଚିଡ଼ୁଛି, ସିଟୁକୁ ମାରୁଛି । ଖାଇବାବେଳେ ପାଖରେ ବସୁନାହିଁ, ସାଙ୍ଗରେ ନେଉନାହିଁ । ବାପା ମାରିଲା ବେଳେ ଛଡ଼େଇ ନେଉନି କି ବାପାଙ୍କୁ ମନା କରୁନି ।

 

ଏଇ ଘରେ ନ ରହିଲେ ଭଲ । ଦିଲ୍ଲୀ ଚାଲିଗଲେ ଛୁଟିରେ ବି ମୁଁ ଆଉ ଆସିବିନି । ନାହିଁ, ମୁଁ ଆଉ ଆସିବିନି । ମୁଁ ଉଠି ଚାଲିଗଲି ଗାଧୋଇବାକୁ । ନାରଣ ମୋ ସଙ୍ଗେ ସଙ୍ଗେ ଆସୁ ଆସୁ କହିଲା, ‘‘ସାନବାବୁ, କାହିଁକି କାନ୍ଦୁଛ ? କ’ଣ ଦିଲ୍ଲୀ ଚାଲିଯିବ ବୋଲି ମନ କଷ୍ଟ କରୁଛ କି ? ସେଠି ତ ତମ ବାପାଙ୍କର ସବୁ ସାଙ୍ଗଙ୍କ ପିଲାମାନେ ପଢ଼ୁଛନ୍ତି । କେତେ ଖୁସିରେ ଅଛନ୍ତି । ବଡ଼ ଜାଗା, ବଡ଼ ସ୍କୁଲରେ ପଢ଼ିଲେ ଭଲ ନା...”

 

ବାଥରୁମ୍ କବାଟ ଆଉଜେଇ ଦେଇ ନାରଣ ମୋ ଆଖିରୁ ଲୁହ ପୋଛି ଦେଲା ଆଉ ବାପା ଯେମିତି କୋଳକୁ ଆଉଜେଇ ତାଙ୍କ ମୁହଁ ମୋ ମୁହଁରେ ଘଷି ଦିଅନ୍ତି ସେମିତି ଘଷି ଦେଲା । ନାରଣ ଆମ ଘରେ କେତେଦିନୁ ଯେ ରହିଲାଣି ମୋର ମନେ ନାହିଁ । ମୁଁ ନାରଣ କାନରେ ମୋ ଓଠ ରଖି ପଚାରିଲି–“ନାରଣ ! ବାପା କୁଆଡ଼େ ମଦ ପିଅନ୍ତି, ତୁ ଦେଖିଛୁ ? ଆଉ ବୋଉକୁ ତୁ ମଦ ବୋତଲ କାଗଜରେ ଗୁଡ଼େଇ ଆଣି ଦେଇଛୁ ?”

 

“କିଏ କହିଲା ? ମିଛ କଥା । ସାନବାବୁ, ବାବୁ ଶୁଣିଲେ ଏ କଥା ମତେ ଆଉ ଚାକିରିରେ ରଖିବେଟି ?”

 

“ତୁ କହ, ମୁଁ କାହାକୁ କହିବିନି...ତତେ ଗୋଟେ ଟଙ୍କା ଦେବି ।” ମୁଁ ସଙ୍ଗେ ସଙ୍ଗେ ପକେଟରୁ ଟଙ୍କାଟିଏ କାଢ଼ି ଦେଲି । କାଲି ସାନ ମାମୁଁ ମତେ ଦେଇଥିଲେ ।

 

“ତମେ କାହାକୁ କହିବନିଟି ? ବାବୁ ପରା ବୋତଲ ବୋତଲ ପିଇ ଦିଅନ୍ତି—ଦେଖିନ, ସେଇଥିପାଇଁ ରାତିରେ ଡେରିକରି ଆସନ୍ତି । ଆଉ ତାଙ୍କ ଦେଖା ଦେଖି ମା ବି ପିଉଛନ୍ତି । ସେହି ଯେଉଁ ବହି ଆଲମାରୀ ତା’ପଛରେ ଅଛି ପରା—ନାଲି, ନେଳି, ଧଳା କେତେ ରକମର । ତମେ କାହାକୁ କହିବନିଟି । ବାବୁ ମତେ ଘରେ ଆଉ ରଖିବେନି ତା’ହେଲେ... !”

 

ସତରେ ମଦ ବୋତଲ ସିନେମାରେ ଦେଖିଛି । କି ସୁନ୍ଦର କାଚଗ୍ଲାସରେ ଲୋକମାନେ ପିଅନ୍ତି, ନାଚନ୍ତି ତା’ପରେ ଗାଡ଼ିରେ ବସି ଝିଅମାନଙ୍କ ସଙ୍ଗରେ ପଳାନ୍ତି । ବୋଉ, ବାପାମାନେ ଏମିତି ନାଚନ୍ତି । ଖୁସି ହୁଅନ୍ତି, ମଜା କରନ୍ତି । କିନ୍ତୁ ମଦ ପିଇବା କଥାଟା ତେବେ ଏତେ ଖରାପ କାହିଁକି ?

 

“ଖାଲି ସେତିକି ନୁହେଁ ମ ସାନବାବୁ ! ଗୋଟେ ବଟିକା ଅଛି ଖାଇଦେଲେ ପରା ନିଶା ହୋଇଯିବ, ଚାହୁଁ ଚାହୁଁ ସପନ ଦେଖିବ, ଆକାଶରେ ଉଡ଼ିଲା ପରି ଲାଗିବ, ଯେମିତି ମନେ ହେବ ପରୀମାନେ ଆସି କୁଣ୍ଢାଇ ଧରୁଛନ୍ତି, ଗେଲ କରୁଛନ୍ତି ।”

 

ମୁଁ କହିଲି, ‘‘ନାରଣ, ତୁ କେବେ ଖାଇଛୁ କିରେ ?”

 

“ମୁଁ ଏତେ ପଇସା ପାଇବି କେଉଁଠୁ ? ହେଲେ ବଟିକା ଥରେ ଅଧେ ଖାଇଛି... ।”

 

“ମତେ ଗୋଟେ ଦେବୁ ?”

 

“ମୁଁ କୋଉଠୁ ତା’କୁ ଆଣିବି ? ବାବୁ ତ ଆଲମାରୀରେ ବନ୍ଦ କରି ରଖିଛନ୍ତି—ଥରେ ଗୋଟେ ତଳେ ପଡ଼ିଥିଲା ଯେ ମୁଁ ଚାଖି ଦେଇଥିଲି । ତମେ କ'ଣ ଦେଖିନ କି ? ମା’ ଙ୍କ ମୁଣ୍ଡ ତଳ ତକିଆ ତଳେ ପରା ଥୁଆ ହୋଇଛି । ସେଇଥିପାଇଁ ମା’ ଯୁଆଡ଼େ ଯିବେ ତାଲା ପକେଇ ଯିବେ !”

 

ସିଟୁ କାହିଁକି କାନ୍ଦିଲାଣି ରାହା ଧରି । ମୁଁ ବାଥ୍‍ରୁମରୁ ଧାଇଁ ଆସି ଆଉ ଥରେ ପଶିଗଲି-। ବୋଉ ଗୋଟେ ବେତ ଧରି ତାକୁ ବାଡ଼ଉଛି ଆଉ ସେ ରାହା ଧରି କାନ୍ଦୁଛି । ବାପା ଘରେ ଅଛନ୍ତି, କିନ୍ତୁ କିଛି କହୁ ନାହାନ୍ତି କାହିଁକି ? ସିଟୁ ଖୁବ୍ କାନ୍ଦୁଛି । ତା’ କାନ୍ଦରେ ମତେ କାନ୍ଦ ମାଡ଼ୁଛି-। ବାଥ୍‍ରୁମ କବାଟରେ ମୁହଁ ରଖି ମୁଁ କାନ୍ଦି ଉଠିଲି । ଆଗେ ମୋର କାନ୍ଦ ଶୁଣିଲେ ବାପା, ବୋଉ, ହରିନନା, ଆଉ ନାରଣ ଧାଇଁ ଆସୁଥିଲେ । ଏବେ କାନ୍ଦିବା ପାଇଁ ଡର ଲାଗୁଛି । ମୁଁ ହଷ୍ଟେଲ ଚାଲିଯିବି, ଖୁବ୍ ଦୂରକୁ, ଭାରତବର୍ଷର ରାଜଧାନୀ ଦିଲ୍ଲୀକୁ । ମୁଁ ଆଉ ଫେରିବିନି, ନାହିଁ, ନାହିଁ ମୁଁ ଛୁଟିରେ ବି ଫେରିବିନି । ବାପାଙ୍କୁ ଚିଠି ଲେଖିବିନି କି ବୋଉ ଚିଠି ଦେଲେ ଉତ୍ତର ଦେବିନି-। ମୋର ବାପା, ବୋଉ କେହି ନାହିଁ...ନାହିଁ... ନାହିଁ !

 

ଗ୍ୟାରେଜ୍‌ରୁ ଗାଡ଼ି ବାହାରି ଚାଲିଗଲା ପଦାକୁ । ବାପା ଚାଲିଗଲେ । ଯାଃ, ଭଲ ହୋଇଛି । ନାରଣ କହୁଥିଲା ବୋଉ ଆଜି ମାଉସୀ ଘରକୁ ଯିବ—ମଉସାଙ୍କ ଦେହ ଖରାପ । ସିଟୁ ସ୍କୁଲ ଚାଲିଗଲାଣି । ସେ ସବୁଦିନେ ସ୍କୁଲ ଯିବାକୁ କାନ୍ଦେ । ତା’କୁ ଡର ମାଡ଼େ, ଆଜି ମୁଁ ଘରେ ଏକୁଟିଆ ରହିବି ! ଭଲ ହେଲା ।

 

“ମିଠୁ ! ମିଠୁ ! ଏଠିକି ଆସିଲୁ ମିଠୁ ?”

 

ବୋଉ ଡାକୁଛି । ବୋଉର ସ୍ଵର ବେଶୀ ରାଗିଲା ଭଳି ଶୁଭୁନାହିଁ ତ !

 

ବୋଉ ଲୁଗା ପିନ୍ଧୁଛି । କୁଞ୍ଚ ମାରୁଛି ପେଟରେ । ବୋଉର ପେଟଟା ଗୋରା ଆଉ ସେଇ ଗୋରା ପେଟରେ ମୁଁ ଥିଲି ବୋଲି ଆଗେ ସବୁବେଳେ ବୋଉ କହୁଥିଲା... ।

 

“ଶୁଣ ମିଠୁ । ଘରେ ଖାଇ ପିଇ ଚୁପ୍‍ଚାପ ପଢ଼ିବୁ । ପଦାକୁ ଯିବୁ ନାହିଁ । ବାପା ତୋର ଟ୍ରାନ୍‍ସଫର ସାର୍ଟିଫିକେଟ ଆଣିବାକୁ ଯାଇଛନ୍ତି...କାଲି ରାତିରେ ଦିଲ୍ଲୀ ଯିବେ । ତା'ପରେ ସେଠି ବନ୍ଦୋବସ୍ତ କରି ଆସିଲେ ତୁ ଯିବୁ । ବର୍ତ୍ତମାନଠୁ ଘରେ ବସି ତୁ ପଢ଼ାପଢ଼ି କରିବୁ । ମୁଁ ଯେପରି ନ ଶୁଣେ ତୁ ପଦାକୁ ଯାଇଛୁ ।”

 

“ବୋଉ !”

 

“ନା, ମୁଁ କିଛି ଶୁଣିବିନି !”

 

ବୋଉ ତକିଆ ତଳୁ ଚାବି ନେନ୍ଥାଟା ଉଠେଇ ନେଲା । ସତେ ତ, ଓଷଧ ଶିଶି ଭଳି କ’ଣ ଶିଶି ଭିତରେ ଟାବଲେଟ୍ ରହିଛି । ମୁଁ ଚମକି ପଡ଼ିଲି । ନାରଣ ଠିକ୍ କହୁଥିଲା ।

 

ମୁଁ ବହି ସେଲ୍‍ଫ ପଛକୁ ଅନାଇଁଲି, ବୋତଲ ଭଳି କ’ଣ ଠିକ୍ ଦିଶୁଛି । ଅନ୍ଧାରୁଆ ହୋଇଥିବାରୁ ଜାଣି ହେଉନି; ସିଟୁ ବୋଧହୁଏ ଦେଖିଛି ।

 

ବୋଉ ଗଡରେଜ୍ ଆଲମାରୀରୁ ଟଙ୍କା କାଢ଼ୁଛି । ସେଠି ବି ଔଷଧ ଭଳି କ’ଣ ବୋତଲ ରହିଛି...ବୋଉ ସିଡ଼ି ଦେଇ ତଳକୁ ଓହ୍ଲାଇ ଗଲା, ଆଉ ବଡ଼ ପାଟିରେ ନାରଣକୁ କ’ଣ ସବୁ କହି ଦେଇଗଲା । ମୁଁ ଜାଣିଲି ବୋଉ ଖରାବେଳେ ଘରକୁ ଆସିପାରେ, ନ ଆସି ପାରେ । ତା’ ପାଇଁ କେହି ଅପେକ୍ଷା କରିବନି । କିନ୍ତୁ କାହିଁକି ? ବୋଉ କ’ଣ ଘରେ ଖାଏନି ? ହରିନନା କାଲି କହୁଥିଲା ବାପା କେବେ କେମିତି ଘରେ ଖାଉଛନ୍ତି, ବୋଉ ମୋଟେ ଖାଉ ନାହିଁ । ତେଣୁ ସେ ଘରେ ଆଉ ରାନ୍ଧିବ ନାହିଁ । ନାରାଣଟା ମାଙ୍କଡ଼, ରାକ୍ଷସ । ତା’ପାଇଁ କ’ଣ ସେ ରାନ୍ଧିବ ? ଏଣିକି ସାନବାବୁ ହଷ୍ଟେଲ୍ ଗଲେ ସେ ଖରାବେଳେ ରାଧାମାଧବ ମନ୍ଦିରକୁ ଯାଇ ପୁରାଣ ଶୁଣିବ ।

 

ମୁଁ ବାଲକୋନି ଉପରେ ନଇଁ ପଡ଼ି ତଳକୁ ଅନାଇଥିଲି । ଅନ୍ୟ ଦିନ ହୋଇଥିଲେ ବୋଉ କହିଥାନ୍ତା, ନାରଣ ! ମିଠୁ ଯେମିତି ବାରଣ୍ଡାକୁ ନ ଆସେ... । ମତେ ଏତେ କାନ୍ଦ ମାଡ଼ୁଛି କାହିଁକି କେଜାଣି । ନାରଣ ଘର ଭିତରେ ବଡ଼ ପାଟିରେ ଗୀତ ଗାଇଲାଣି । ସତକୁ ସତ କାନ୍ଧରେ ଗାମୁଛା ପକାଇ ହରିନନା ବାହାରିଗଲା ପଦାକୁ ।

 

ମୁଁ ଆଜି ଖାଇବିନି । ଆଜି ନୁହେଁ, କାଲି ନୁହେଁ, କୋଉ ଦିନ ନୁହେଁ । ମୁଁ ଦିଲ୍ଲୀରେ ଯାଇ ହଷ୍ଟେଲରେ ଖାଇବି । ସେ ପର୍ଯ୍ୟନ୍ତ ମୁଁ କିଛି ନ ଖାଇ ଉପାସ ରହିବି ।

 

ସନ୍ଧ୍ୟାବେଳେ କିଏ ଆସି ମତେ ହଲେଇ ଡାକିଦେଲା । ବାପା ଆସିଯାଇଛନ୍ତି ଘରକୁ । ଖୁବ୍ ଶୀଘ୍ର ଅଫିସରୁ ଆସିଯିବାଟା ଯେମିତି କେହି ଏ ଘରେ ବନ୍ଦୋବସ୍ତ କରିପାରନ୍ତି ନାହିଁ । ମତେ ବି କଥାଟା ଭଲ ଲାଗୁନାହିଁ । ନାରଣ ମୋ ହାତଟା ଧରି ଉଠେଇ ଦେଇ କହିଲା—‘‘ସାନବାବୁ ! ତମର ନୂଆବୋଉକୁ ଦେଖିବ ଆସ ବାବୁଙ୍କ ସଙ୍ଗରେ ବସି ଚା’ ଖାଉଛନ୍ତି । ବାବୁ କେମିତି ହସୁଛନ୍ତି ଦେଖିବ ଆସ !”

 

ନୂଆବୋଉ ! ମୁଁ ବୁଝିପାରୁ ନାହିଁ ନୂଆବୋଉ କ’ଣ ?” ନାରଣ ଚାଲିଗଲା ଚା’ ଟ୍ରେଟା ଧରି । ମୁଁ ପଛେ ପଛେ ଉଠିଗଲି । ମାତ୍ର ବାପା ଯଦି ପୁଣି ରାଗିଯାନ୍ତି... । ଭୟରେ ମୋ ପାଦ କମ୍ପି ଉଠିଲା । ମୁଁ ଯାଇ ପାରିଲିନି । ଟିକକ ପରେ ଗାଡ଼ି ଯିବାର ଶବ୍ଦ ହେଲା—ମୁଁ ବାଲକୋନି ଉପରୁ ତଳକୁ ଝୁଙ୍କି ଚାହିଁଲି, ବାପାଙ୍କ ଅଫିସରେ ଫ୍ରକ୍, ପ୍ୟାଣ୍ଟ୍ ପିନ୍ଧି ମୋଟି ହୋଇ ୟାଙ୍ଗ୍ଳୋ ଇଣ୍ଡିଆନ ଝିଅଟିଏ କାମ କରେ—ସେଇ ଆସିଛି ।

 

ନାରଣ ସେଆଡ଼ୁ ଆସିଥିଲା ଗ୍ୟାରେଜ ବନ୍ଦ କରି । ହରିନନା ଆସୁଥିଲେ ମନ୍ଦିରଆଡ଼ୁ । ପଛେ ପଛେ ତା’ର ସିଟୁ ।

 

“ସାନବାବୁ ! ବାବୁ କି ମା’ଙ୍କୁ କିଛି କହିବନିଟି ? ମା’ ଆସି ଆଜି କ'ଣ ପୂଜା ଦେବାକୁ ଯାଇଥିଲେ । ବାବୁ ପରା ସେହି ସାହେବାଣୀଙ୍କୁ ନେଇ ବିଲାତ ଯାଇଛନ୍ତି । ଅଫିସସାରା, ସହରସାରା ସବୁଲୋକ ସେଇ ଗୋଟିଏ କଥା କହୁଛନ୍ତି । ମା’ ପରା ସେଇଥିପାଇଁ ଘରେ ପଶୁନାହାନ୍ତି । ତମେ ବାପାଙ୍କ ବାଣ୍ଟରେ ଆଉ ସିଟୁ ମା’ଙ୍କ ବାଣ୍ଟରେ—ମୁଁ ସବୁ ଶୁଣିଛି ପରା । ସେଇଥିପାଇଁ ବାବୁ ତମକୁ ଦିଲ୍ଲୀରେ ରଖିଦେଇ ଯିବେ । ଦେଖୁନା, ମା’ ପରା ତମ କଥାରେ କିଛି କହୁନାହାନ୍ତି ! ସିଟୁକୁ ସ୍କୁଲ ପଠାଇଲେ, ତମେ ଖାଇଲ କି ନାହିଁ କିଛି ବି କହିଲେନି । ଖାଲି ତମେ ଶୋଇଥିବା ବେଳେ ଆସି ଟିକେ ଅନେଇ ଦେଇ ଗଲେ ।”

 

ମୋର ଇଚ୍ଛା ହେଉଥିଲା ନାରଣକୁ ଦୁଇ ହାତରେ ରାମ୍ପି ବିଦାରି ଖଣ୍ଡିଆ ଖାବରା କରି ପକାନ୍ତି । କିନ୍ତୁ କେହି ନ ଥିଲା ବେଳେ ଯେମିତି ମୁଁ ତା’କୁ ଡରିଯାଏ, କେହି ଥିଲାବେଳେ ତା’ଠାରୁ ଅଧିକ । ଆଜିକାଲି ମତେ ଭାରି ଡର ମାଡ଼େ । କେହି ନ ଥିଲା ବେଳେ ସେ ମତେ ଖୁବ୍ ମାରେ; ମୋର ହାଡ଼ ଚୁନା ହୋଇଗଲା ଭଳି ଲାଗେ ।

 

ସିଟୁ ଘର ଭିତରକୁ ପଶି ଆସି ମତେ କୁଣ୍ଢାଇ ଧରି ପାଟିକଲା–“ଭାଇ ମୁଁ ତୋ ସାଙ୍ଗରେ ଯିବି । ମୁଁ ଏଠି ଏକୁଟିଆ ରହିବି ନାହିଁ...ତୁ ମତେ ନେଇଯିବୁ ଭାଇ ! ଦେଖ୍ ମୁଁ ତତେ ସବୁ ପିକ୍‍ଚର ବୁକ୍‍ସ, ସବୁ ଲଜେନ୍‍ସ, ସବୁ ଭଲ ଜିନିଷ–ଯାହା ତୁ କହିବୁ—ମୋ ସୁଟକେଶରୁ ଆଉ ସେଲ୍‍ଫରୁ କାଢ଼ି ଦେଇଦେବି ।”

 

ମତେ ହଠାତ୍ କିପରି ବାପା ହୋଇଗଲା ପରି ଲାଗୁଛି । ବାପାଙ୍କୁ ଏମିତି ଧରି ସିଟୁ କାନ୍ଦିଲେ, ବାପା ତା’ର ଲୁହ ପୋଛି, ଯେମିତି ଗେଲ କରନ୍ତି, ଠିକ୍ ସେମିତି ମୁଁ ତାକୁ ଗେଲ କରିଦେଲି ।

 

ବାପା ଜାଣିଥାନ୍ତୁ । ଯେ ମୁଁ ବି ସମସ୍ତଙ୍କୁ ଗେଲ କରି ଖୁସି କରି ଦେଇ ପାରିବି । ମୁଁ ବି ସେମିତି ସେମିତି ସବୁ କରିପାରିବି । ଗାଡ଼ି ଚଳେଇ ପାରିବି, ସିଗାରେଟ ଖାଇ ପାରିବି ଆଉ ମଦ ବି ପିଇ ପାରିବି । ମୁଁ କିନ୍ତୁ ମୋ ପୁଅକୁ ସଙ୍ଗରେ ନେଇ ବିଲାତ ଯିବି ।

 

“ଭାଇ ! ଭାଇ !”

 

ମୁଁ ଉଠି ବସି ଦେଖିଲି ସିଟୁ ଭୟରେ ମୋ ମଶାରୀ ଭିତରେ ପଶି ଯାଇଛି । ଦୁଇ ହାତରେ ଆଖି ବନ୍ଦ କରି ସେ ତା’ ଲୁହକୁ ବନ୍ଦ କରୁଛି !

 

“ପାଟି କରନା ! ବାପା ଶୁଣିଲେ ମାରି ପକେଇବେ । ବୋଉ କେମିତି ସେ ଘରେ ପଡ଼ିଛି ଚାଲ୍ ଦେଖିବୁ ।”

 

“ବାପା ?”

 

“ବାପା, ଅଫିସ ଘର ବନ୍ଦ କରି ବସିଛନ୍ତି । ନାରଣ କୁଆଡ଼େ ଯାଇଛି ଯେ ଯାଇଛି । ମୁଁ ଡାକି ଡାକି ଶୁଣୁ ନାହିଁ ! ହରିନନା କବାଟ ବନ୍ଦକରି ଶୋଇଛି । ଭାଇ ! ତୁ ଶୋଇ ପଡ଼ନା, ମୋତେ ଡର ମାଡ଼ୁଛି ।”

 

ମତେ ଭାରି ଶୀତ ଲାଗୁଛି । ଦେହ ହାତ କମ୍ପି ଉଠୁଛି । ଖରାବେଳଠାରୁ ଏହିକ୍ଷଣି ବେଶି ଲାଗୁଛି । କବାଟ ଖୋଲି କେମିତି ଯିବି ଚାଦର ଆଣିବାକୁ ? ବାପା ଯଦି ହାବୁଡ଼ି ଯାଆନ୍ତି ନା...

 

ହଠାତ୍ ଗାଡ଼ି ଗ୍ୟାରେଜରେ ଷ୍ଟାର୍ଟ ହେବାର ଶବ୍ଦ ହେଲା । ବାପା ବୋଧେ କୁଆଡ଼େ ଗଲେ ଘଣ୍ଟାରେ ଢଂ...ଢଂ କରି କେଉଁଠି ଦୁଇଟା ବାଜିଲା ।

 

ମୁଁ ଓ ସିଟୁ ଦୁଇଜଣ ହାତ ଧରାଧରି ହୋଇ ଆସିଲୁ, ତା’କୁ ଜର ହୋଇଛି ନା କ’ଣ ! କିପରି ତା’ର ଦେହ ।

 

ହଁ, ବାପା ବାପା ଯାଉଛନ୍ତି । କି ଶାନ୍ତି, କି ଉଶ୍ୱାସ ଲାଗୁଛି ବର୍ତ୍ତମାନ ମୋତେ ! ନାରଣ ନାହିଁ ! ହରିନନା କବାଟ ବନ୍ଦକରି ଶୋଇଛି । ନାରଣ କହୁଥିଲା ଯାତ୍ରା ଦେଖିସାରି ସକାଳେ ଆସିବ । ଖାଲି ବୋଉ ! ସେ କ’ଣ କରୁଛି ? ମୁଁ କେମିତି ଯିବି !

 

“ଭାଇ ! ବୋଉକୁ ବାପା ମାରିଛନ୍ତି । ତା’ ମୁଣ୍ଡଟା ଛେଚି ଦେଲେ ଯେ ଖଟବାଡ଼ରେ । ବୋଉ ବୋଧେ ମରିଯାଇଛି...!” ସିଟୁ କାନ୍ଦି ଉଠିଲା ମତେ ଧରି । ମୁଁ ଭୟରେ ବି କାନ୍ଦି ଉଠିଲି । ବାପା କ’ଣ ବୋଉକୁ ମାରି ଦେଲେ ?

 

“ଭାଇ ! ମୋତେ ଡର ଲାଗୁଛି ଭାଇ ! ତୁ ମତେ କାଖେଇ ନେ !”

 

ମୁଁ ତା’କୁ ଟେକି ପାରିବିନି । ମତେ ବି ଡର ମାଡ଼ୁଛି । କାହିଁକି ମୁଁ ବାପା ହୋଇପାରୁନି କେଜାଣି ? ବାପାଙ୍କୁ କେବେ ଡରିବାର ଦେଖି ନାହିଁ ।

 

“ଭାଇ ! ତୁ ମତେ ନେଇ ଯା ! ତୁ ଚାଲିଗଲେ ବାପା, ବୋଉ ମତେ ଛେଚି ଛେଚି ମାରିଦେବେ ।”

 

ସିଟୁ ଏଥର ରାହା ଧରି କାନ୍ଦିଲା । ମୁଁ ଭୟରେ ହରିନନାକୁ ଡାକ ପକାଇଲି । ହେଲେ ହରିନନା କିଛି ଶୁଣୁନି । ବୋଉ ଚେଇଁଥିଲେ କ’ଣ ଉଠି ଆସନ୍ତାନି ?

 

ମୁଁ ସିଟୁର ହାତଧରି ବୋଉ ରୁମ୍ ପାଖକୁ ଗଲି । ବୋଉ ଚିତ୍ ହୋଇ ଶୋଇଛି । ନା, ନା ମରିନି । ତା’ ଛାତି ଉଠୁଛି ପଡ଼ୁଛି, ହେଇ ତ ଦିଶୁଛି । ଏଥର ମୋର ସାହସ ଆସିଲା । ସିଟୁଟା ଭାରି ଡରେଇ ଦେଇଥିଲା ମୋତେ ।

 

ଇସ୍ ! ଘର ଭିତର କି ଗନ୍ଧ । ବୋତଲ କାଚ ଆଉ ଭଙ୍ଗାଗ୍ଲାସରେ ମୋ ଗୋଡ଼ରୁ ଖଣ୍ଡେ କଟିଗଲା । ସିଟୁକୁ ମୁଁ ବାପାଙ୍କ ପରି କହିଲି ବାହାରେ ଛିଡ଼ା ହୋଇ ରହିବାକୁ । ଜେଜେମା’ ମରିଗଲାବେଳେ ଆରବର୍ଷ ବାପା ଯେମିତି ନଇଁପଡ଼ି ଛାତିରେ ମୁହଁ ରଖିଥିଲେ ମୁଁ ସେମିତି ବୋଉ ଛାତିରେ ମୁହଁ ରଖିଲି । ବୋଉ ଜୀଇଁଛି, ନିଃଶ୍ୱାସ ଚାଲିଛି । ନାକରେ ନିଶ୍ୱାସ ଖୁବ୍ ଜୋରରେ ଆସୁଛି । ସିଟୁ ପୁରା ହୁଣ୍ଡୀଟାଏ । ମଲା ମଣିଷଙ୍କ ନାକରୁ କ’ଣ ଶବ୍ଦ ବାହାରେ ? ବୋଉର ମୁଣ୍ଡ ପାଖରେ ନାରଣ କହିଥିବା ବଟିକାଗୁଡ଼ାଏ ନାଲି, ନେଳି ରଙ୍ଗର କ’ଣ ପଡ଼ିଛି । ସେଇ ଆଲମାରୀର ବୋତଲଗୁଡ଼ାକ ଅଧା ଅଧା ହୋଇ ଦି’ତିନିଟା ଟେବୁଲ ଉପରେ ଥୁଆ ହୋଇଛି, ସିଟୁ ଆସ୍ତେ ଆସ୍ତେ କହିଲା ‘‘ଭାଇ ! ମଦ ! ବାପାଙ୍କ ଅଫିସ ରୁମରେ ଏମିତି ବୋତଲ ଅଛି । ୟାକୁ ପିଇଲେ ଭୋକ ହୁଏନା, ନିଦ ଆସିଯାଏ । କୁଆଡ଼େ ଭାରି ମଜ୍ଜା ଲାଗେ...”

 

“ବାପା ଯଦି ଆସନ୍ତି...

 

“କବାଟ ବନ୍ଦକରି ଦେବା । ଯେତେ ଡାକିଲେ ବି ଶୁଣିବାନି ।”

 

“ନାହିଁ ! କବାଟ ଭାଙ୍ଗି ଦେବେ ! ଚାଲ ପଳେଇବା ମଦ ବୋତଲ ଆଉ ଟାବଲେଟ୍ ନେଇ ।’’

 

“କୁଆଡ଼େ ? ମତେ ଡର ମାଡ଼ିବ ଭାଇ !”

 

“ଆଜି ଚାଲି ନ ଗଲେ, କାଲି ଯେ ବାପା ମୋତେ ଦିଲ୍ଲୀ ନେଇଯିବେ ।”

 

କୁଆଡ଼େ ପଳାଇବା ? କାହା ଘରକୁ ଯିବା ? ନାହିଁ, ନାହିଁ...ନାହିଁ... ! ବାପା ଧରି ଆଣିବେ କାହା ଘରକୁ ଗଲେ । ପଳେଇବା ତେବେ କୁଆଡ଼େ ? ହଁ, ହଁ, ମନେ ପଡ଼ୁଛି—ଷ୍ଟେସନ ସେ ପଟରେ ଯେଉଁଠି ଗୁଡ଼ାଏ ପିଲା ଅଛନ୍ତି ଛୋଟ ଛୋଟ ତାଳ ବରଡ଼ା ଘରେ, ସେଇ ଆଡ଼କୁ ଚାଲିଗଲେ ବାପା କି ବୋଉ କେହି ଜାଣି ପାରିବେନି । ସେଠି ଏତେ ପିଲାଙ୍କ ଭିତରେ କିଏ କାହାକୁ ଖୋଜି ପାଇବ ? ନ ହେଲେ ଟ୍ରେନ୍ ରେ ବସି ପଳେଇଲେ ହେବ ।

 

“ଭାଇ ! ତୁ ମତେ ଛାଡ଼ି ଯାଅନା ଭାଇ ! ତୁ ବାପାଙ୍କୁ କହି ମତେ ଦିଲ୍ଲୀ ନେଇଯା”, ସିଟୁ କାନ୍ଦିବା ଆରମ୍ଭ କରି ଦେଲାଣି ।

 

ବାପାଙ୍କ ପରି ତା’ ଗାଲରେ ଗୋଟାଏ ଚାପୁଡ଼ା ଦେଇ ମୁଁ କହିଲି—“ଚୁପ୍ କର, ନ ହେଲେ ତୋ ଗାଲ ଭାଙ୍ଗି ଦେବି । ଧର ଏ ଦି’ଟା ବୋତଲ !”

 

ମୁଁ ଛୋଟ ବୋତଲ ଦି’ଟା ତାକୁ ବଢ଼େଇ ଦେଲି ଆଉ ବଡ଼ ବୋତଲ ଦି’ଟା ଧରିଲି । ଟାବଲେଟ୍ ଗୁଡ଼ା ମୋ ପ୍ୟାଣ୍ଟ ପକେଟରେ ଭର୍ତ୍ତିକରି ଦେଲି ଏବଂ ଆଗେ ଆଗେ ବେକ ଉଁଚା କରି ଘରୁ ବାହାରି ଆସିଲି । ସିଟୁ ଭୟରେ ଥରି ଥରି ମୋ ପଛରେ ଆସୁଥାଏ ।

 

ଆମେ ଦୁଇଜଣ ଦାଣ୍ଡରେ ଆସି ଛିଡ଼ା ହେଲୁ । ମୁଁ ତା’କୁ କହିଲି ମୋ ପଛେ ପଛେ କିଛି ନ କହି ଆସିବାକୁ । ଡରରେ ମୋ ଦେହ ଠକ୍ ଠକ୍ କମ୍ପୁଛି । ଛିଃ, ଛିଃ, ସିଟୁ ଯଦି ଜାଣିଯିବ ନା...

 

“ଭାଇ ! ଟିକେ ରହ । ମୁଁ ତୋ ହାତଧରି ଚାଲିବି । ମୋତେ ଭାରି ଡର ମାଡ଼ୁଛି ।”

 

“ପାଟି କରିବୁ ଯଦି କି ଡରିବା କଥା ଯଦି କହିବୁ, ମୁଁ ତତେ ନେବି ନାହିଁ । ଦଉଡ଼ି ପଳେଇବି ।

 

ସିଟୁ କିଛି ନ କହି ଚାଲୁଥାଏ । ଗଳି କନ୍ଦି ଦେଇ ଆମେ କେତେ ବାଟ ଚାଲି ଆସିଲୁ ଠିକ୍ ହିଁ ଜାଣିପାରୁ ନ ଥlଏ ମୁଁ । ସ୍କୁଲ ଚାଲିଗଲା, ଚାଲିଗଲା ମାର୍କେଟ, ସିନେମା ଘର...ହେଇ ତ ଷ୍ଟେସନ ଆଲୁଅ ଦିଶିଲାଣି, ରେଲଲାଇନ୍ ଲାଇଟ୍ ପଡ଼ି ଚକ୍ ଚକ୍ କରୁଛି ଲୁହା ସବୁ ।

 

ହଠାତ୍ ସିଟୁ କହିଲା—“ଭାଇ ! ପଛରେ ଗୋଟାଏ ଗାଡ଼ି ଆସୁଛି ! ବାପାଙ୍କ ଗାଡ଼ି ନୁହେଁ ତ ?”

 

ବାପା ! ତାଙ୍କ ଗାଡ଼ି ! ଆରେ ବାପରେ ଆଉ ରକ୍ଷା ନାହିଁ । ଷ୍ଟେସନରେ ଗାଡ଼ି ଆସିବା ଘଣ୍ଟା ବାଜି ଉଠୁଛି । ଏଇ ବାଟେ ଚାଲିଗଲେ, ଟ୍ରେନ ଆସିଲା ପୂର୍ବରୁ ଷ୍ଟେସନ ସେ ପଟକୁ ଚାଲିଯାଇ ହେବ ଏବଂ ବାପାଙ୍କ ଗାଡ଼ି ଅଟକି ଯିବ ସେପଟେ ଲେଭଲ୍ କ୍ରସିଂ ପଟରେ । ଟ୍ରେନ ଆଉ ଦଶବାର ହାତ ଦୂରରେ ଅଛି । ମୁଁ ସିଟୁକୁ କହିଲି ଦଉଡ଼ିବାକୁ । ସିଟୁ ମୋର ସାର୍ଟ ଧରିଛି ପଛରୁ, ମତେ ପଛପଟୁ କାରର ଲାଇଟ୍ ଦିଶୁଛି ଆଗକୁ, ସାମ୍ନାରେ ରାକ୍ଷସ ପରି ଟ୍ରେନ୍‍ର ଲାଇଟ୍ । ଏତେ ଆଲୁଅ ଯେ ମୁଁ ଅନ୍ଧ ହୋଇଯାଉଛି...ପୋଡ଼ି ଯାଉଛି...ଜଳି ଯାଉଛି...ଭାଙ୍ଗିଯାଇ ଚୂନା ହୋଇଯାଉଛି । ବାପା ! ବାପା ! ତମେ କେଉଁଠି ବାପା !!

Image

 

କାଳିସୀ

 

“ଗେଣ୍ଡୁରେ...ଏ...ଗେ...ଣ୍ତୁ...ଆଇଲୁ ବାପ ମୋ ପାଖକୁ ଆ... ଗେଣ୍ଡୁ...ରେ !”

 

ନିସ୍ତବ୍‍ଧ ରାତିରେ ଦୁଇ ଚାରିଥର ଏମିତି ବିକଳ ରଡ଼ି ଶୁଣିବାରେ ସବୁଦିନେ ମାଣିକ ଅଭ୍ୟସ୍ତ । ଖାଲି ସେତିକି ନୁହେଁ, ତା’ ପଛକୁ କିଛି ବିକଳ କାନ୍ଦ କି ଅବୁଝା କଥାର ସ୍ୱର । ଦିନସାରାର ଖଟଣି ପରେ ନିଦ ଯେତେବେଳେ ଭାଙ୍ଗିଯାଏ, ସେତେବେଳେ ବିରକ୍ତ ଲାଗେ ଭାରି । ତା’ପରେ ଝାପ୍‍ସା, ଝାପ୍‍ସା ହୋଇ ହାଡ଼ୁଆ ମୁହଁଟିଏ ଉଜ୍ଜ୍ୱଳିଆ ଆଖି ଦୁଇଟିରେ ଯେମିତି ଅନ୍ଧାର ଭିତରେ ତା’ ମୁହଁକୁ ନିରେଖି ଚାହିଁ ରହେ । ନିଦ ଭାଙ୍ଗିଯାଏ ପୁରାପୁରି । ଥରେ, ଥରେ କାଉ ବୋବାଇଲା ପର୍ଯ୍ୟନ୍ତ ବି ଆଖିପତା ପଡ଼େ ନାହିଁ । ସକାଳେ ତା’କୁ ଆରାମ କରି କିଛି କଥା ମନେ ପକେଇ ଆସେ ନାହିଁ । ବସିବାକୁ ଦଣ୍ତେ ଫୁରୁସତ ନାହିଁ । ବିଲକୁ ଯାଇ ମୂଲ ଲାଗିଲେ ପେଟ ପୋଷିବ । କାହା ଘରେ ବାସନ ମଜା ତ, କାହା ଘରେ କୂଅରେ ଦିଇଟା ପାଣି କାଢ଼ି ଥୋଇବ । କୋଉ କୋଉ ଦିନ କାଠ ଚିରିବ ତ କାହାର ଗାଈ ଗୋଠ ନେଇ ଚରେଇ ଯିବ । ନ ହେଲେ କୁନିଆଟା ମଣିଷ ହେବ କେମିତି ? ଶାଶୁ ବୁଢ଼ୀଟା ଉପରେ ଲୋଭ ନାହିଁ ମାଣିକର—ହେଲେ ତା’ ପୁଅର ଯେତେବେଳେ ହାତ ଧରି ଘରକୁ ଆସିଥିଲା... ! ଶାଶୁକୁ ଫେର୍ ଏବେ ଆଖିକୁ ଦିଶୁନି । ଆଗେ ହେଲେ ଗୋବର ଗୋଟେଇ ଘସି ପକେଇ ଦେଉଥିଲା—ଚୂଲିଟା ଲଗେଇ ଦେଉଥିଲା, କି କୁନିଆଟାକୁ ଭାତ ବାଢ଼ି ଦେଉଥିଲା, ଏବେ ସେତିକି ବି ନାହିଁ । କାମରୁ ଫେରି ପିଲାଟା ନାରଖାର ହୋଇ ମୂତରେ ଗଡ଼ୁଥିବାର ଦେଖିଲେ, ମାଣିକର ମନେହୁଏ ଦି’ପଦ ଝାଡ଼ି ଦିଅନ୍ତା କାହାକୁ ! ହେଲେ କାହାକୁ ?

 

ଅନ୍ଧୁଣୀ ବୁଢ଼ୀଟାକୁ ? ପୁଅ ଯା’ର ଛାଡ଼ିଦେଇ ପଳେଇଲା ଭଲ ମନ୍ଦ ବିଚାର ନ କରି । ମା’ ବୋଲି ଚାହିଁଲାନି, ସ୍ତ୍ରୀ ବୋଲି ତା’ ପାଖରେ ଆଠଟା ଦିନ ବି ରହିଲାନି...କି ପାପ କରିଥିଲା କେଜାଣି ସେ ଏ ଜନ୍ମରେ ଋଣ ଶୁଝୁଛି । ନିଆଁଲଗା ମନ ବି ତା’ର ସେମିତି । ନହେଲେ କେଉଁ ସାଧ ନେଇ ସାତ ବରଷ କାଳ ସେ ପଡ଼ି ରହିଛି କାହାର ପଥ ଚାହିଁ ?

 

ଗେଣ୍ଡୁ ଯଦି ଏବେ ଆସି ତା’ ପାଖରେ ଛିଡ଼ା ହୁଏ, ସେ କଣ ଚିହ୍ନିପାରିବ ? ମୋଟେ ତ ଆଠଟା ଦିନ ଏକାଠି ରହିଛନ୍ତି—ସେଥିରୁ ଭଲା ସାତ ବରଷ ପରେ କିଏ କାହାକୁ ଜାଣିବ ଯେ । ସେଇ ଆଠ ଦିନ ଭିତରେ ପୁଣି ରାତି ଅଧକୁ ଦେଖା । ଘରେ ନ ପଶୁଣୁ ଡିବିରି ଆଲୁଅ ବନ୍ଦ । କେବଳ ଦେହ ଆଉ ଦେହର ତାକଦା—ସେତିକି ସେ ଜାଣେ...ହାଡ଼ୁଆ ମୁହଁଟା ଲଦି ହୋଇ ଗଲାବେଳେ ତା’କୁ ଚିଡ଼ି ଲାଗୁଥିଲେ ବି ସେ କିଛି କହି ପାରୁ ନଥିଲା । ଯିବା ଆଗଦିନ ରାତିରେ ଗେଣ୍ଡୁ କହିଥିଲା—“ମୁଁ ଭୋରୁ, ଭୋରୁ ଚାଲିଯିବି ଲୋ ! ପଞ୍ଜାବୀ ଟ୍ରକ୍ ଡ୍ରାଇଭର ପରି ଟ୍ରକଟାଏ କିଣିବି—ତତେ ବସେଇ ନେଇଯିବି ସହରକୁ...ଦିନ କେଇଟା ସମ୍ଭାଳି ହୋଇଥିବୁ ! ମା’କୁ କିଛି କହିବୁନି । ପଚାରିଲେ ମୁଁ ଯାଇଛି ପଞ୍ଜାବୀ ଟ୍ରକରେ—ବୋଲି କହିବୁନି । ତା’ର ଭାରି ଡର । ଦେଖିବୁନି ମୁଁ ସେମିତି ଗାଡ଼ିଟାଏ ନେଇ ଭୋରୁ ଭୋରୁ ଆସି ଦିନେ ପହଞ୍ଚିଯିବି ।”

 

ଛିଃ, ଛିଃ, ଏଡ଼େ ଡରୁଆଟା ମାଣିକ ସେତେବେଳେ ଥିଲା । ସବୁ ଗାଡ଼ି ଭିତରେ ସେଇ ଟ୍ରକ ଗାଡ଼ିଟା ତା’କୁ ଭାରି ଡରମାଡ଼େ...ଯେମିତି ଗୋଟିଏ ଅସୁର—ଖାଇ ଗୋଡ଼ାଇଲା ପରି ମାଡ଼ିଆସେ ଉପରକୁ । ହେଲେ ସେ ପାଟି ଖୋଲି କିଛି କହି ନଥିଲା । କଥା କହିବାକୁ ଗୋଡ଼େ ଗୋଡ଼େ ସମସ୍ତେ ତା’କୁ ମନା କରିଥିଲେ ଯେ !

 

ଭୋରୁ, ଭୋରୁ ଗାଡ଼ିଟାଏ ଯେତେବେଳେ ଆସି ଦୁଆର ମୁହଁରେ ରହିଲା, ଗେଣ୍ଡୁ ଆସ୍ତେ କବାଟ ଖୋଲି ଚାଲିଗଲା ଦାଣ୍ଡକୁ । ସେହି ଶବ୍ଦରେ କେଜାଣି ଯେମିତି ଶାଶୁର ନିଦ ଭାଙ୍ଗି ନ ଥିଲା ଈଶ୍ୱର ଜାଣନ୍ତି । ଦି’ ଘଣ୍ଟା ପରେ ଯେବେ ଶାଶୁ ମାଣିକକୁ ପଚାରିଥିଲା ସେ ଜାଣିନାହିଁ ବୋଲି କହିଥିଲା । ଶାଶୁ ଯେତେବେଳେ ଘର ଘର ବୁଲି ଆକୁ ତା’କୁ ପଚାରିଥିଲା, ସେତେବେଳେ ବାରିପଟର ସୋରିଷ କ୍ଷେତରେ ବସି ସେ କୁରୁ କୁରୁ ହୋଇ ହସୁଥିଲା । ପନ୍ଦର ବର୍ଷର ମାଣିକ ମୁଣ୍ଡରେ ମା’କୁ ଲୁଚେଇ ଚାଲିଯିବା କଥାଟା ବଡ଼ ମଜାର ବ୍ୟାପାର ଥିଲା ।

 

ଦିନ ପରେ ଦିନ ଯେତେବେଳେ ଗଡ଼ିଥିଲା ସେବେ ମାଣିକ ବୁଝିଲା ଯେ ସେ ମା’ ହେବାକୁ ଯାଉଛି । ହେଲେ ଶାଶୁର ତା’ ପ୍ରତି ଯତ୍ନ ନାହିଁ, ଓଲଟା କଳିକଜିଆରେ ସାଇ କମ୍ପୁଛି । ସେ ତ ସେତେବେଳେ ବୁଝି ନ ଥିଲା ଯେ ଯାହା ପାଇଁ କଳି କରୁଛି, ସେ ତ ଆଉ ଫେରିବ ନାହିଁ । ସେ ନ ଫେରିଲେ ବାପ ଘରକୁ ଫେରିଯାଇ ନୂଆ କରି ସଂସାର କରିବାକୁ ତା’ର ଆଉ ସାମର୍ଥ୍ୟ ନାହିଁ...ବାହା ହେଲା ପୂର୍ବରୁ ମାଆ ମରିଥିଲା । ବାପା ଗେଣ୍ତୁ ଯିବାର ମାସକ ପରେ କୁଆଡ଼େ ଚାଲିଗଲା ଯେ ଆଉ ପତା ନାହିଁ । ଭାଇ ଦିଇଟା ତା’ଠାରୁ ପାଞ୍ଚ ବରଷ ଛୋଟ—ଦାଦା ଖୁଡ଼ୀଙ୍କ ଉପରେ ବୋଝ । ତା’କୁ କିଏ ପଚାରେ ?

 

ଅନେଇ ଅନେଇ ଆଖିରୁ ପାଣି ମଲା । ଯେତେ ଟ୍ରକ ଗାଡ଼ି ରାସ୍ତାରେ ଘର୍‍ଘର୍ ଶବ୍ଦ କରି ଯାଏ–ତା’କୁ ଯେତେ କାମ ଥାଉ ପଛେ ପକେଇ ଦେଇ ଦାଣ୍ଡକୁ ଧାଇଁ ଆସି ସେ ଅନେଇ ଦିଏ-। କାଳେ ରହିବ କି ? ଓହ୍ଲେଇବ କି ଗେଣ୍ଡୁ, କେମିତି ତା’ ଦାଢ଼ି ସବୁ ବଡ଼ ବଡ଼ ହୋଇ ଯାଇଥିବ, କେମିତି ପଗଡ଼ିଟାଏ ମୁଣ୍ଡରେ ବାନ୍ଧି ସେ ଦିଶୁଥିବ କେଜାଣି ! ହେଲେ ମାଣିକର ମନର କଥା ମନରେ ମଲା—ଦିନକୁ ଶହ ଶହ ଗାଡ଼ି ସେ ବାଟେ ଗଲେ ବି କେହି ଗୋଟିଏ ତା’ର ନୁଆଣିଆ ଚାଳ କି ସୋରିଷ କ୍ଷେତ ପାଖରେ ଅଟକିଲା ନାହିଁ । ଖାଲି ଦାଣ୍ଡକୁ ଧାଉଁଥିବାରୁ ଶାଶୁଠାରୁ ଗାଳି ସାଙ୍ଗକୁ ଗୋଇଠା ମାଡ଼ରେ ତାର ଦେହ ସିଝିଗଲା । ଓଲଟା ଅଭିଯୋଗ ହେଲା ବିଟପୀ; ଅଲକ୍ଷଣୀ, ରଜନାଖୀ ପୁଅଟାକୁ ଘଉଡ଼େଇ ଦେଲା—ଶିରୀ ତୁଟିଗଲା ଘରୁ ।

 

କୌଣସି କଥା ଦେହକୁ ନେଇ ନ ଥିଲା ମାଣିକ । ଗେଣ୍ଡୁ ନ ଫେରିଲେ ଏମିତି କ’ଣ ଆଉ ହେଇ ଯିବକି ? ସେ କ’ଣ ମୂଲ ଲାଗି ପାରିବନି, ନା ଗାଈ ନେଇ ଚରେଇ ପାରିବନି ନା ସୋରିଷ ଭାଙ୍ଗି ହାଟକୁ ନେଇ ପାରିବନି । ଗେଣ୍ଡୁ ତ ଓଲଟା ମା’ ପଇସା ନେଇ ଗଞ୍ଜେଇ ଖାଉଥିଲା, ଏମିତିକି ହାଟରୁ କିରାସିନି ତେଲ ବି ଟିକେ ଆଣି ଦେଉ ନ ଥିଲା । ଓଲଟା ଦୁଇବେଳା ଖାଇ ହେଣ୍ଡି ମାରି ବୁଲୁଥିଲା—ଘରେ ତା’କୁ କେତେବେଳେ ବି ଆଠଟି ଦିନ ଭିତରେ ମାଣିକ ଦେଖି ନ ଥିଲା । ତେବେ ଗେଣ୍ଡୁର ସେଇ କଥା ।

 

“ଏଇଠି ଗାଁଟାରେ ପଡ଼ି ରହିବାକୁ ମୋର ମନକୁ ମୋଟେ ଯାଉନି । ମୁଁ ଟ୍ରକ୍ କିଣିବି, ପଞ୍ଜାବୀ ଡ୍ରାଇଭର ପରି ଚଳେଇବି—ବ୍ୟବସାୟ କରିବି । ଧେତେରୀ ! ଗାଈ ଜଗି କ’ଣ ପେଟ ପୋଷାଯାଏ ? ତୁ କାହାକୁ କହିବୁନିଟି ଲୋ ! ମୁଁ ତତେ ଦିନେ ଭୋରୁ ଭୋରୁ ଆସି ନେଇଯିବି...କେହି ଜାଣିବେନି ।”

 

ସେଇ ଯେ ଗାଁ ଛାଡ଼ି ବଡ଼ ଗାଡ଼ିରେ ସହର ପଳେଇବାର ନିଶା ସେଇ କେବଳ ଗେଣ୍ଡୁର ଫେରନ୍ତି ପଥକୁ ଚାହିଁ ରହିବାରେ ଏକ ମାଦକତା ଭରି ଦେଇଥିଲା ତା’ ମନରେ । ସେଇ କେବଳ ଗେଣ୍ତୁର ଟ୍ରକ ଗାଡ଼ିରେ ଲୁଚି ଯିବାର ତଥ୍ୟଟିକୁ ଗୋପନ ରଖିଥିଲା । କିନ୍ତୁ କେଜାଣି କାହିଁକି କୁନିଆ ଯେଉଁଦିନ ଜନ୍ମହୋଇ ମାଟିରେ ପଡ଼ି କୁଆଁ, କୁଆଁ କଲା—ସେତେବେଳେ ସେ ଭେଁ, ଭେଁ କରି କାନ୍ଦି ଉଠିଥିଲା । ଯେମିତି, କୋଉ କେତେଦିନର ଗୋପନ ଝରଣାର ସୁଅ ଛୁଟାଇ । ଆହା ବିଚରା ! କୁନିଆଟା ବାପ କ’ଣ ଜନ୍ମ କାଳରୁ ଜାଣିଲା ନାହିଁ । ସେହି ଦିନରୁ ଗେଣ୍ଡୁ ଗଲା ଯେ ଗଲା ଆଉ ଲେଉଟିଲା ନାହିଁ । ସାତ ବରଷ ହେଲାଣି–କିଛି କମ୍ କଥା ନୁହେଁ । ସାତଟି ବସନ୍ତର ମୁକୁଳିତ ପଲ୍ଲବ ପୁଣି କୁହୁଡ଼ିରେ ପୋଡ଼ି ପାଉଁଶ ହୋଇ ଗଲାଣି । ଏଡ଼େ ଟିକେ ପାଣି ଭତିଆଣି ଛୁଆ ସିଲଟ ଖଡ଼ି ଧରି ଇସ୍କୁଲ ଗଲାଣି......ଶାଶୁର ପିଲାଦିନେ ଅଧା ନଷ୍ଟ ହୋଇଯାଇଥିବା ଆଖିର ଆଲୁଅ ପୁରା ଲିଭି ଗଲାଣି । ଅଣ୍ଡାଳି, ଅଣ୍ଡାଳି ବୁଢ଼ୀ ବସ ଉଠ କରୁଛି । ଗାଈ ଜଗି, ବିଲକାମ କରି, ଘଷିପାରି ପେଟ ପୋଷିବ, ଘର ଚଳେଇବ । ଏଣିକି ଭାରି କଷ୍ଟ ହେଉଛି । ନିଜ ଦେହକୁ ଅନେଇ ଡର ଲାଗୁଛି—ସାଇ ଟୋକାଙ୍କ ଟାପରା ଶୁଣି ନିଆଁରେ ପଡ଼ି ଛଟପଟ ହେଉଛି ମନ । କିଏ ଲୁଚେଇ ଆଣିଦିଏ ସାବୁନ ଖଣ୍ଡେ ତ କିଏ ନାଲି କସ୍ତାଟିଏ ଶରଧାରେ ବଢ଼େଇ ଦିଏ ତା’ର ହାତକୁ—ଛୁଏଁ ନାହିଁ କିଛିଟା ମାଣିକ । ଜାଣେ, ଜାଣେ ସେ ଏଇ ଶରଧାର, ସୋହାଗର ମାନେ କ’ଣ ! ପାଟିକରି ଗୋଟାଏ ଗାଁକୁ ଯିଏ ଚମକେଇ ଦେଇପାରେ, ହାତରେ କୁରାଢ଼ୀ ଧରି ଜଙ୍ଗଲରେ କାଠ କାଟି ଯିଏ ବାଘ ଘୁମୁରାରେ ଡରେ ନାହିଁ, ସେଇ ମାଣିକ ଏସବୁ ଲୋଭକୁ ଏଡ଼େଇ ଦେଇ ହସି ଚାଲିଯାଏ । ସତେକି ସେଇ ତା’ର ସବୁ ସେହି ମମତାର ପ୍ରତିଦାନ... !

 

ହେଲେ ଗେଣ୍ତୁ କ’ଣ ମାଣିକର ମନ ବୁଝିଲା ? ନ ହେଲା ନାହିଁ ଏବେ ଟ୍ରକ୍, ଘରକୁ ଆସିବାକୁ କ’ଣ ମନା ! ହୁଅ ସମସ୍ତଙ୍କ ପରି ଗାଈ ଜଗିବ କି କାଠ ଭାଙ୍ଗିବ ନହେଲେ ବିଲରେ ମଜୁରୀ ଖଟିବ ! କୋଉ ଅପମାନିଆ କଥା ଏବେ ଏଇଟା ? କିଏ କ’ଣ ଜାଣିଛି କି, ଏମିତି ଶାଶୁ ବି ନୁହେଁ—ମାଣିକ ତ କାହାକୁ କହୁନି ଯେ ଗେଣ୍ଡୁ ଯାଇଛି ଟ୍ରକ୍ ଆଣିବା ପାଇଁ... ।

 

ମାଣିକ କର ଲେଉଟାଇଲା ଆସ୍ତେ । ସେ ଶବ୍ଦ କରେ ନାହିଁ—ଶାଶୁ ଯେମିତି ନ ଜାଣୁ ଯେ ସେ ଚେଇଁଛି । ବୁଢ଼ୀ ଦିନସାରା ଖାଇନାହିଁ, କି ଶୋଇ ନାହିଁ । ରାତି କେତେ ହେଲାଣି କେଜାଣି ! ଗେଣ୍ଡୁର ଜନମଦିନ ବୋଲି କାନ୍ଦି, କାନ୍ଦି ଦିନ ଯାଇଛି ମାଆର । କେତେ ଶରଧାରେ ସରୁ ଚକୁଳି କରି ଷଠି ଦୂଷେର କଉଡ଼ି ଉପରେ ମୁଣ୍ଡ ବାଡ଼େଇ ‘ଗେଣ୍ଡୁରେ’ ଡାକି ବୁଢ଼ୀ ବିଛଣା ଧରିଛି ଯେ ଆଉ ଉଠି ନାହିଁ । ଅଣ୍ଡାଳି ହୋଇ ଖୋଜୁଛି, ଶୂନ୍ୟରେ ଡେଣା ହଲାଇ, ଆଇଲୁ’ ବାପ, ଆ, ଆ, ଖାଇ ଦେରେ ଗେଣ୍ଡୁ...ଗେଣ୍ଡୁରେ ଡାକି ଯେମିତି ମା’ ବସୁଧାର ଛାତି କୋରି ଦେଉଛି । ସେଥିରୁ ମାଣିକର ଛାତି ପାଇଁ କାଣିଚାଏ ହିଁ ଯଥେଷ୍ଟ ।

 

କୋଉଠୁ ଯେମିତି ଘର୍‍ର, ଘର୍‍ର କରି ଗୋଟାଏ ଶବ୍ଦ ପାଖେଇ ଆସୁଛି । ଟ୍ରକ ନା ବସ୍ ? ନା ଉଡ଼ାଜାହାଜ...ଅନ୍ଧାର ରାତିରେ ବେଶୀ ଡର ମାଡ଼େ ଯେମିତି ।

 

ମାଣିକ ଉଠିଗଲା ଖିଡ଼ିକି ପାଖକୁ । କୁହୁଡ଼ି ଜହ୍ନରେ ସୋରିଷ କ୍ଷେତ ପାଖରେ ସତକୁ ସତ ଗାଡ଼ିଟାଏ ଛିଡ଼ା ହୋଇଛି । କିଏ ଦି’ ଜଣ ଗାଡ଼ିରୁ ଓହ୍ଲେଇଲେ । ହାତ ଧରାଧରି ହୋଇ ଆସୁଚନ୍ତି ଏଆଡ଼େ । ସେଥିରୁ ପୁରୁଷଟି ଗେଣ୍ଡୁ ଭଳି ଲାଗୁଛି—ସାତ ବର୍ଷ ତଳର ସେଇମିତି ଝଙ୍କା ଝଙ୍କା ବାଳ ମୁଣ୍ଡରେ ଅଛି ନା କ’ଣ ?

 

ମାଣିକର ଦେହରେ ଯେମିତି ଶିହରଣ ଖେଳିଗଲା । ଗେଣ୍ଡୁ ଆସିଛି, କୁନିଆର ବାପ ଗେଣ୍ତୁ ଗାଡ଼ି ନେଇ ଆସିଛି ନେଇଯିବ ସହରକୁ...ଏତେ ଦିନେ ମା’ ମଙ୍ଗଳା ତା’ର ଡାକ ଶୁଣିଲେ । ଅଧୀର ଆବେଗରେ ଶାଶୁକୁ ହଲେଇ ଦେଇ ସେ ଡାକ ପକେଇଲା—

 

“ମାଆ, ମାଆ ! ତମ ପୁଅ ଆଇଲାଣି ! ଗେଣ୍ତୁ ମା ଗେଣ୍ଡୁ...।” ଜିଭ କାମୁଡ଼ି ପକେଇଲା ମାଣିକ, “କିଏ ? କାହିଁଲୋ... ।’’ ବୁଢ଼ୀ ମାଣିକକୁ ଗେଣ୍ତୁ ମନେ କରି ଚୁମି ଦେଇଗଲା ମୁଣ୍ଡରୁ ଗୋଡ଼ଯାଏ । ଲୁହରେ କୋହରେ ପଡ଼ିଗଲା ମାଣିକର କଣ୍ଠ ମନକୁ ମନ !

 

ଦାଣ୍ଡ କବାଟ ଧଡ଼ ଧଡ଼ ହେଉଛି । ମାଣିକ କୌଣସି ମତେ ବୁଢ଼ୀଠାରୁ ମୁକୁଳି ଯାଇ କବାଟ ଖୋଲିଲା । ମଇଳା ଜହ୍ନ ଆଲୁଅରେ ପୁରୁଷ, ସ୍ତ୍ରୀ ଦି’ଜଣ ଛିଡ଼ା ହୋଇଛନ୍ତି । ଗେଣ୍ଡୁ ମୁହଁକୁ ଚାହିଁ ଥକ୍‍କା ପାଲଟି ଗଲା—ଏ କ’ଣ ସତରେ ସେଇ ଲୋକ ? ମୁହଁରେ ଦାଢ଼ି; ନାକ ତଳକୁ ଦି’ପଟ ବାଘୁଆ ନିଶ, ଲାଲ ଆଖି । କେମିତି ଗୋଟାଏ ଉତ୍କଟ ଗନ୍ଧରେ ପେଟ ଭିତରଟା କ’ଣ ହୋଇ ଯାଉଛି । ସଙ୍ଗରେ ଆଣିଥିବା ସ୍ତ୍ରୀ ଲୋକଟି ତା’କୁ ଚାହିଁ ହସୁଛି । ବେପରୁଆ ସବୁ ଜାଣିଲାର, ଏଡ଼େଇ ଗଲାର ଦାମ୍ଭିକ ହସ !

 

ପଛଆଡ଼ୁ ଶାଶୁର କାନ୍ଦୁରା ପାଟିରେ ତା’ର ଚମକ ଭାଙ୍ଗିଲା ।

 

“ମୋ ଗେଣ୍ତୁ...ମୋ ଗେଣ୍ଡୁରେ...ବାପ ତୋର ମା’ କଥା ମନେ ପଡ଼ିଲା ଏତେ ଦିନରେ...”

 

ମାଆର ହାତକୁ ଛିଞ୍ଚାଡ଼ି ଦେଇ ଗେଣ୍ଡୁ ପଶିଗଲା ଘର ଭିତରକୁ । ବାଁ ହାତରେ ସେଇ ସ୍ତ୍ରୀ ଲୋକର ହାତଟା ଯେମିତି ତା’ର ଯାବ ପଡ଼ିଯାଇଛି । ଆଉ ଛାଡ଼ି ପାରିବନି ସେ ତା’କୁ... !

 

ସେ ପେଲାରେ ବୁଢ଼ୀ ପଡ଼ି ଯାଉ ଯାଉ ମାଣିକ ଧରି ପକେଇଲା ! ଏ ସେଇ ଗେଣ୍ଡୁ କି ନାହିଁ...ଚୋର କି ଡକାୟତ...ମୋ ମାଆ ଲୋ, ମାଣିକ ଡରିଯାଇ କାନ୍ଥ କଡ଼କୁ ଘୁଞ୍ଚିଗଲା । ହେଲେ ଅନ୍ଧୁଣି ଶାଶୁ ପାଟିକରି ପଚାରୁଥିଲା—“ହଇଲୋ ମଣି ! ଗେଣ୍ଡୁ କାହିଁ ବା—ତୁ ପରା କହିଲୁ ଆଇଲା ବୋଲି । ଆଲୋ ଡାଙ୍କୁଣୀ ସବାଖାଇ—ମୋ ପୁଅକୁ ଖାଇଦେଲୁ ନାଁ କ’ଣ— ।”

 

ଗେଣ୍ଡୁ ଦି’ ଖେପାରେ ପଛକୁ ବୁଲି ପଡ଼ି ମାଆ ପାଟିରେ ହାତ ଦେଇ କହିଲ—

 

“ଏଥର ଚୁପ୍ କର । ଗେଣ୍ଡୁ ଫେଣ୍ଡୁ ନାଁ ଧରି ଡାକିବୁ ତ—ଛୁରୀକୁ ଅନା ଏକାଥରେ ଅନ୍ତ ବୁଜୁଳା କାଢ଼ି ନେବି ।”

 

ବୁଢ଼ୀ କ’ଣ ବୁଝି, ଗଁ ଗଁ ହୋଇ ଚୁପ୍ ହୋଇଗଲା । ଚୋର କି ତସ୍କର—ଗୋଗଛାଏଁ ବରଡ଼ା ପରି ମାଣିକକୁ କୁଣ୍ଢେଇ ଧରି ଥରୁଥାଏ । ମାଣିକ କିନ୍ତୁ ଏଥର ସ୍ପଷ୍ଟ ଦେଖିଲା ସେଇ କଲିକରା ଗାଲତଳେ ଗେଣ୍ଡୁର କଳାଜାଇ ସେମିତି ଅଛି । ଆଉ ମୁଣ୍ଡରେ ପିହୁଳା ମାରିଥିଲା ବୋଲି ପିତଳ ପଇସାର ଚିଆଁ ଦାଗ ସିନ୍ଦୂର କଲି ଭିତରେ ବି ସ୍ପଷ୍ଟ ବାରି ହେଉଛି । କିନ୍ତୁ ଏମିତି ଏକ ପରିସ୍ଥିତି ସମ୍ପୂର୍ଣ୍ଣ ତା’ର କଳ୍ପନା ଥିଲା । କ’ଣ କହିବ, କରିବ ସେ ବୁଝିପାରୁ ନଥିଲା । ସେ ଘରେ କୁନିଆଟା ଚିର୍ ଚିରେଇ ଉଠିଲା । ଶାଶୁକୁ ତଳେ ବସେଇ ଦେଇ ସେ ଧାଇଁଗଲା । ଅନ୍ଧାରରେ ପିଲାଟାକୁ କୁଦି ଦେଲେ ତା’ର ପ୍ରାଣ ବି ହାରିଯିବ ! ଯେ ସେ ଘର ଭିତରକୁ ଯାଇ ପିଲାଟାକୁ କାଖେଇ ତା’ ପାଟିରେ ଲୁଗା ଗୁଞ୍ଜି ରାହା ବନ୍ଦ କଲାବେଳେ ଗୋଟାଏ ଗୋଇଠା ପଡ଼ିଲା ବୁଟ୍ ଜୋତାରେ—

 

“ଆବେ ଶାଳୀ ! ସେ କାହାର ପିଲାବେ...ସୋରିଷ ବିକି ଟଙ୍କା ଆଣି ଏଠି ଲୀଳା ଲଗେଇଛୁ ! ଦେ ଟଙ୍କା...କୋଉଠି ରଖିଛୁ ।’’ ମାଣିକ ଜବାବ ନ ଦେଲାରୁ ଆଉ ଗୋଟେ ଚାପୁଡ଼ା ବସେଇଲା ତା’ ଗାଲରେ ଗେଣ୍ଡୁ । ବୁଢ଼ୀ ପାଟିକରି ଉଠିଲା—ହଇରେ । ତୁ କିଏରେ । ମୋ ମାଆକୁ; ନଖି ଠାକୁରାଣୀକୁ ଏମିତି କହିବୁ । ଗେଣ୍ଡା ତତେ ନିଶା ଲାଗିଛିରେ ନହେଲେ ମତେ ଚିହ୍ନନ୍ତୁ ନାହିଁ । ମୁଁ ପରା ତୋ ପାଟି ଶୁଣି ଜାଣିଛି—ଜନମ କରିଛି, ତତେ ଆଖି ନ ଥିଲେ ବି ରକତ ବାସନା ମୋର ନାକକୁ ବାଜୁଛି... । ମତେ ଚିହ୍ନିପାରୁ ନାହୁଁ ? ହଇରେ ବାଇଆ, ତତେ କି ବୁଦ୍ଧି...

 

ଭୋ, ଭୋ କରି ବୁଢ଼ୀ କାନ୍ଦି ଉଠିବା ପୂର୍ବରୁ ଗେଣ୍ଡୁର ବଜ୍ର ଚାପୁଡ଼ାରେ ତଳେ ପଡ଼ି ଯାଇଥିଲା ତା’ର କ୍ଷୀଣ ଶରୀର । କାନରେ ବାଡ଼େଇ ହୋଇ ହୁଏତ ଚେତା ଲୋପ ପାଇ ଯାଇଥିଲା କି ରକ୍ତ ଜୁଡ଼ୁବୁଡ଼ୁ ହୋଇ ଯାଇଥିଲା ସେକଥା ମାଣିକର ଦେଖିବାକୁ ସାହସ ନଥିଲା । ବହୁ କଷ୍ଟରେ କୁନିଆ ପାଟିରେ ଲୁଗା ଗୁଞ୍ଜି ସେ କାନ୍ଥ କଣରେ ନିଶ୍ଚଳ ହୋଇ ଯାଇଥିଲା ।

 

ଖଟତଳୁ ପେଟରାଟା ଟାଣି ଆଣି ଛିଣ୍ଡା ଆଲପକା ଶାଢ଼ୀଟା ଫିଙ୍ଗିଦେଲା ଗେଣ୍ଡୁ । ତା’ ତଳକୁ ତା’ର ସାତବର୍ଷ ତଳର ନାଲି ଗାମୁଛାଟା । ସେଇ ଗାମୁଛାରେ ସେ ସାତବର୍ଷ ତଳେ ଘରୁ ଚାଲି ଗଲାଦିନ ରାତିରେ ମାଣିକ ତା’ର ଧଣିଆ ଫାଳ ପିତ୍ତଳ ମିଶା ହାରଟା ବାନ୍ଧିରଖି ଦେଇଥିଲା-। ଟ୍ରକ ଗାଡ଼ି ନେଇ ମୁଣ୍ଡରେ ପଗଡ଼ି ବାନ୍ଧି ଯେଉଁଦିନ ଭୋରୁ ଭୋରୁ ଗେଣ୍ଡୁ ଆସିବ ସେଦିନ ସେଇଟାକୁ ତରଳାଇ ମଙ୍ଗଳା ମୁଣ୍ଡରେ ଅଧା ଚନ୍ଦ୍ରମା ଗଢ଼ି ପୂଜା ଲଗେଇବ । ସାଇ ପଡ଼ିଶାଙ୍କୁ ଖୁଆଇବ ।

 

ଗେଣ୍ଡୁ ଗାମୁଛାରୁ ହାରଟା ଖୋଲିନେଇ ପକେଟରେ ରଖିଲା । ତା’ପରେ ପେଟରା ଖୋଲି ଗାଞ୍ଜିଆ ମୁଣିରୁ ଦଶଟା ଟଙ୍କା ପକେଟରେ ପୂରାଇଲା । କୋଉ କାଳର ସେଇ ରୂପା ଟଙ୍କା–ବୁଢ଼ୀ ତା’କୁ ରଖିଥିଲା କେତେ ଶରଧାରେ । ଦିନକୁ ଦଶଥର ଅଣ୍ଡାଳି ଯିଏ ଏବେ ତା’କୁ ଦେଖେ–ଗେଣ୍ତୁ ଫେରିଲେ ମାଜଣା କରିବ, ସତ୍ୟନାରାୟଣ ପାଲା କରିବ ବୋଲି ସପନ ଦେଖେ ସେଇ ଟଙ୍କାକୁ ନେଇ ଗେଣ୍ତୁ ଚାଲି ଯାଉଛି... ।

 

ଅତର୍କିତରେ ମାଣିକ ଚିତ୍କାର କରି ଉଠିଲା—“ନାହିଁ, ନାହିଁ, ସେ ଟଙ୍କା ତମେ ନେଇପାରିବ ନାହିଁ...ସେ ମାଆର ଠାକୁରାଣୀ ଟଙ୍କା... ।”

 

ତା’ ପଛକୁ ପଛ କ’ଣ ହେଲା କେଜାଣି ମାଣିକର ଆଖିରୁ ଜୁଳୁଜୁଳିଆ ପୋକ ବାହାରିଲା ପରି ଲାଗିଥିଲା । ଗେରୁର ବଜ୍ରମୁଷ୍ଟି ତା’ ଗାଲରେ ନାହିଁ ତ ତା’ ମୁଣ୍ଡରେ ନିଆଁ ଲଗାଇ ଦେଲା । ବିଜୁଳି ବେଗରେ ଧାଇଁଯାଇ ମାଣିକ ଟାଙ୍ଗିଆଟା ନେଇ ଆସିଲା ଓଳିଆ ପଛରୁ । ଆଉ ଗର୍ଜି ଉଠିଲା—“ହେଇ ଅନା ଟାଙ୍ଗିଆରେ ହାଣି କୁଟାକୁଟା କରିଦେବି । ପଳା ମୋ ଘରୁ ନ ହେଲେ ତୋ’ରି ମାଉଁସ ନେଇ ମଙ୍ଗଳା ପାଖରେ ଭୋଗ ନଗେଇବି...!” ଟାଙ୍ଗିଆଟା ଘୂରେଇ ଲାଗିଲା ସେ ଅଣନିଃଶ୍ୱାସୀ ହୋଇ ।

 

ବିସ୍ମୟରେ ଗେଣ୍ଡୁ ହାତରୁ ଟଙ୍କାଗୁଡ଼ା ଝଣଝଣ ହୋଇ ଖସି ପଡ଼ିଲା । କାଳର ଝାପ୍‍ସା ଆଲୁଅରେ ମୁହଁ ତା’ର ଫିକା ପଡ଼ି ଆସୁଥିଲା ଯେମିତି । କ’ଣ ସେ ଆଉ ଟଙ୍କା ଉଠାଇଲା ନାହିଁ–ମନେ ହେଲା ଯେପରି ଟାଙ୍ଗିଆଟା କିଛି ଅତ୍ୟାଚାର କରିବ ନାହିଁ । ଆର ସ୍ତ୍ରୀ ଲୋକଟି କେବଳ ବଲବଲ କରି ଅନେଇଥିଲା ଟାଙ୍ଗିଆକୁ ଆଉ ଗେଣ୍ଡୁକୁ । କେତେ ସମୟ ଯେ ଉନ୍ମତ୍ତ ଅବସ୍ଥାରେ ସେ ଟାଙ୍ଗିଆ ଦେଇଛି । କାଳିସୀ ଲାଗିଲା ପରି ଖିୟାଲ୍ ନାହିଁ । ହଠାତ୍ ଘର୍‍ର, ଘର୍‍ର....ରେ ସେ ଥମକି ଛିଡ଼ା ହୋଇଗଲା—ମୁଣ୍ତ ଘୂରି ଯାଉଛି, ଗୋଡ଼ ଟଳି ଯାଉଛି...ସେ କିଛି ଦେଖି ପାରୁନି ।

 

ସତେ କ’ଣ ଗେଣ୍ଡୁ ଚାଲିଗଲା ? ଟ୍ରକ୍‍ଟା ଗଲାଭାରି ନା କ’ଣ ? ଚାଲିଗଲା ଗେଣ୍ଡୁ ବୋଧେ । ଟାଙ୍ଗିଆଟା ଫୋପାଡ଼ି ଦେଇ ଦାଣ୍ଡକୁ ଯାଉ ଯାଉ କଚାଡ଼ି ହୋଇ ପଡ଼ିଲା ଏରୁଣ୍ଡି ଉପରେ ମାଣିକ ।

 

ସକାଳ ଅତିକ୍ରମ କରି ପ୍ରହରର ଉଜ୍ଜ୍ୱଳ ଟାଣୁଆ ଖରା ଯେତେବେଳେ ତା’ର ଆଖିକୁ ଛୁଇଁଲା ସେତେବେଳକୁ ମାଣିକ ଆଖି ଖୋଲିଲା । ଗୋଡ଼ ପାଖକୁ ଶାଶୁବୁଢ଼ୀ ତା’କୁ ଆଉଁସୁଛି । ପୁଅଟା ରାହା ଧରି ବାହୁନା ଲଗେଇଛି । ଛିଃ, ଛିଃ,...କେତେବେଳ ହେଲାଣି...। ଧଡ଼ପଡ଼ କରି ଉଠିଲା ମାଣିକ ଆଉ ଜିଭ କାମୁଡ଼ି କହିଲା—“ସପନଟାଏ ଦେଖିଲି । ଇହି-ହି । କି ଭୟଙ୍କରିଆ ଲୋ ମା’ ।” ହଉ ଉଠିଲୁ ମା’ । ଉଠ । ଖରାପ ସପନ ଦେଖିଲୁ ? ଯା ମଙ୍ଗଳାଠେଇ ମୁଣ୍ଡିଆ ମାରି ଆସିବୁ । ଟଙ୍କା ଦଶଟା ଥିଲା—ତା’କୁ ନେଇ ଯା କୁନିଆଁ ନାଁରେ ଭୋଗ କରିଦେଇ ଆସିବୁ । ଗରହ ଖରାପ ପଡ଼ିଛି ଲୋ ମା...ସେଇ ଠାକୁରାଣୀ ସିନା ଲାଗିଲା ବୋଲି ତତେ । ନହେଲେ ସାତ ପୁରୁଷର କୁଳ ସରିଥିଲା...ମଙ୍ଗଳା ତତେ ବୁଦ୍ଧି ଦିଅନ୍ତୁ ଲୋ ମୋ ମାଆ, ମୋ ରାଣୀ, ମୋ ଠାକୁରାଣୀ... ।”

 

ଶାଶୁ ତା’କୁ କୁଣ୍ଢାଇ ଧରି ଭୋ ଭୋ କାନ୍ଦି ଉଠୁଛି । ଶାଶୁ ନୁହେଁ ତ ତା’ର ମାଆ । ବହୁ କଷ୍ଟରେ ହସି ହସି ମାଣିକ କହିଲା—“ସପନ କ’ଣ ସତ ହୁଏ ? ସତକଥା ଖାଲି ସପନ ହୁଏ ସିନା-। ତମେ ଦେଖିବ ରହ ମୁଁ ଏମିତି ପୂଜା କରିବି ଆଉ ଖରାପ ସପନ କେହି ଦେଖିବେନି । ଖାଲି ମୁଁ କାହିଁକି ତମେ ବି ଦେଖିବନି । ଗାଁରେ କେହି ବି ଗୋଟାଏ ହେଲେ ଖରାପ ସପନ ଦେଖିବେନି... ।”

 

ଛୋଟ ଝିଅଟିଏ ମାଆର ସାନ୍ତ୍ୱନାରେ ଯେମିତି ଉଷୁମ କୋଳରେ ଆଉଜି ଯାଏ, ସେମିତି ରୋଗିଣା ହାଡ଼ୁଆ ଦେହରେ ଚଉଦ ପନ୍ଦର ବର୍ଷର ଝିଅଟି ପରି ଶାଶୁ ତା’ର କୋଳରେ ତା’ ମୁହଁକୁ ଅନେଇ ଥିଲା । ଦିନର ଆଲୁଅ ଯେଉଁ ଆଖି ଦେଖିନାହିଁ, ସେ ପୁଣି ସପନରେ ଭଲ ଦିନର ଛବି ଦେଖିବାର ଆଶାରେ ହୋଇ ଉଠୁଛି ଉଜ୍ଜ୍ୱଳ !

 

କୁନିଆଟା ରାହା ବନ୍ଦ କରି ଅଗଣାରେ ଲୋଟିଥିବା ଶିମ ଲଟାରେ ଉଡ଼ନ୍ତା କଙ୍କିର ପର ଧରିବାକୁ ଆପ୍ରାଣ ଚେଷ୍ଟା କରୁଥିଲା । ହେଲେ କଙ୍କିଟା ଉଡ଼ିଗଲା ଚାଳ ଉପରକୁ । ବେକରେ ତା’ର ଧଣିଆ ଫାଳ ହାରଟି ଚିକ୍ ଚିକ୍ କରୁଥିଲା ।

Image